ଭୋପାଳ,୨୫।୧୧: ମଦ୍ୟପାନ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବାକୁ ପ୍ରଶାସନର ନିଆରା ପଦକ୍ଷେପ । ଏଣିକି ମଦ କିଣିବାକୁ ଦୋକାନକୁ ଆସୁଥିବା ଲୋକଙ୍କର ସେଠାରେ ହିଁ କରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା। ଏପରିକି ରକ୍ତ ନମୁନା ସଂଗ୍ରହ କରି ଲିଭର ଓ କିଡ୍ନୀର ସ୍ଥିତି ମଧ୍ୟ ଯାଞ୍ଚ କରାଯାଉଛି । ମଧ୍ୟପ୍ରଦେଶର ସାଗର ଜିଲାରେ ଏଭଳି ଏକ ଅଭିନବ ଅଭିଯାନ ଆରମ୍ଭ କରିଛି ପ୍ରଶାସନ। ଅଧିକ ମଦ୍ୟପାନ କରୁଥିବା ଏବଂ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କୁ ସମୟ ପୂର୍ବରୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଲୋକଙ୍କ ଜୀବନ ବଞ୍ଚାଇବା ସହ ମଦ୍ୟପାନଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବାକୁ ଉଦ୍ୟମ କରାଯାଉଛି ।
ଜିଲାପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଓ ଅବକାରୀ ବିଭାଗର ମିଳିତ ଟିମ୍ ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ମଦ ଦୋକାନ ନିକଟରେ ପହଞ୍ଚୁଛନ୍ତି । ମଦ କିଣିବାକୁ ଆସୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁସାରେ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଉଛି । ଅଧିକ ମଦ୍ୟପାନ ଯୋଗୁଁ ହେଉଥିବା ରୋଗଗୁଡ଼ିକୁ ଚିହ୍ନଟ କରିବା ଲକ୍ଷ୍ୟରେ ଏହି ଯାଞ୍ଚ କରାଯାଉଛି। ଅବକାରୀ ଉପନିରୀକ୍ଷକ ଶୈଳେନ୍ଦ୍ର ସିଂହଙ୍କ କହିବା ଅନୁସାରେ, ଗତ କିଛି ଦିନ ମଧ୍ୟରେ ଅଧିକ ମଦ୍ୟପାନ ଏବଂ ଗୁରୁତର ରୋଗରେ ପୀଡ଼ିତ ଥିବା କେତେକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ନିର୍ଦ୍ଦେଶରେ ଅଭିଯାନ ଆରମ୍ଭ ହୋଇଛି।
ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଧର୍ମେନ୍ଦ୍ର ସିଂହଙ୍କ ସୂଚନା ଅନୁସାରେ, ଅଧିକ ମଦ୍ୟପାନ କରୁଥିବା ଲୋକଙ୍କର ଲିଭର ଓ କିଡ୍ନୀ ସମ୍ପର୍କିତ ପରୀକ୍ଷା କରାଯାଉଛି। ସେହିପରି ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ (CHMO) ଡାକ୍ତର ଦେବେଶ ପଟେରିଆ କହିଛନ୍ତି ଯେ, ଲୋକଙ୍କୁ ମଦ୍ୟପାନର କୁପ୍ରଭାବ ସମ୍ପର୍କରେ ବୁଝାଯାଉଛି। ଏଥିସହ ପର୍ଯ୍ୟାପ୍ତ ଖାଦ୍ୟ ଖାଇବା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା କରାଇବାକୁ କୁହାଯାଉଛି । ପ୍ରଶାସନର ଏଭଳି ପଦକ୍ଷେପ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।
Dharitri – Odisha’s No.1 Odia Daily

