ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବୟାନବାଜି ତୀବ୍ର ହେବାରେ ଲାଗିଛି। ବୁଧବାର ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ଭାଜପା ‘ପଦ୍ମ’ ଚିହ୍ନରେ ନିର୍ବାଚନ ଲଢ଼ିଥାଏ। ସେ କହିଛନ୍ତି ଯେ, ନିର୍ବାଚନ ପରେ ନିର୍ବାଚନ ହେବାକୁ ଥିବା ବିଧାୟକମାନେ ହିଁ ସ୍ଥିର କରିବେ ଯେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବେ। ଏଥିସହିତ, ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ନିଜର ସମର୍ଥନ ମଧ୍ୟ ସ୍ପଷ୍ଟ କରିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଭାଜପାର ‘ମୁଖ୍ୟ ଚେହେରା’ କିଏ ହେବେ ବୋଲି ପଚରାଯିବାରୁ ମୌର୍ଯ୍ୟ ଉତ୍ତର ଦେଇଥିଲେ ଯେ, ନିର୍ବାଚନ ସମୟରେ ଭାଜପାର ମୁଖ୍ୟ ଚେହେରା ହେଉଛି ‘ପଦ୍ମ’ଯେଉଁ ଚିହ୍ନ ତଳେ ଦଳ ନିର୍ବାଚନୀ ଲଢ଼େଇ ଲଢ଼ିଥାଏ।
କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ନିର୍ବାଚନ ପରେ ବିଧାୟକମାନେ ନିର୍ବାଚତ ହୋଇସାରିବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥାଏ। ସେହି ବୈଠକରେ ସର୍ବସମ୍ମତି କ୍ରମେ ଯାହା ନିଷ୍ପତ୍ତି ନିଆଯାଏ, ସେହି ଅନୁସାରେ ନେତୃତ୍ୱ ସ୍ଥିର କରାଯାଏ। ବର୍ତ୍ତମାନ ଯୋଗୀ ଆଦିତ୍ୟନାଥ ଆମର ମୁଖ୍ୟମନ୍ତ୍ରୀ ଅଛନ୍ତି। ଭବିଷ୍ୟତରେ ଯୋଗୀ ଜୀ ମୁଖ୍ୟମନ୍ତ୍ରୀ ରହିବେ କିମ୍ବା ଅନ୍ୟ କେହି ଏହି ଦାୟିତ୍ୱ ଗ୍ରହଣ କରିବେ, ତାହା ମୁଁ ସ୍ଥିର କରିପାରିବି ନାହିଁ; ସେହି ସମୟରେ ନିର୍ବାଚତ ବିଧାୟକମାନେ ହିଁ ଏହା ନିର୍ଦ୍ଧାରଣ କରିବେ। ଯେତେବେଳେ ତାଙ୍କୁ ସିଧାସଳଖ ପଚରାଗଲା ଯେ ସେ ଯୋଗୀ ଆଦିତ୍ୟନାଥଙ୍କୁ ସମର୍ଥନ କରନ୍ତି କି ନାହିଁ, ମୌର୍ଯ୍ୟ ଉତ୍ତର ଦେଲେ, ‘ହଁ, ମୁଁ ସମର୍ଥନ କରେ।’
ସେ କହିଲେ, ‘୬୦ ପ୍ରତିଶତ ଭୋଟ ଆମର ଅଟେ। ବାକି ୪୦ ପ୍ରତିଶତ ଭୋଟ ବିଭାଜିତ ହୋଇ ରହିଛି ଏବଂ ସେହି ବିଭାଜିତ ଅଂଶ ମଧ୍ୟରେ ମଧ୍ୟ ଆମର କିଛି ଅଂଶ ରହିଛି। କାରଣ ଭାଜପାର ‘ଡବଲ-ଇଞ୍ଜିନ’ ସରକାର ‘ସବକା ସାଥ, ସବକା ବିକାଶ’ (ସମସ୍ତଙ୍କ ସହ, ସମସ୍ତଙ୍କ ବିକାଶ) ମନ୍ତ୍ର ଉପରେ କାମ କରେ।’ ସମାଜବାଦୀ ପାର୍ଟି (SP) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ ଚାଲିଥିବା ଆଲୋଚନା ଉପରେ ମନ୍ତବ୍ୟ ଦେଇ ସେ କହିଲେ,‘SP କଂଗ୍ରେସକୁ ତା’ର ସ୍ଥାନ ଦେଖାଇ ଦେଇଛି; ବର୍ତ୍ତମାନ କଂଗ୍ରେସ SPକୁ ତା’ର ସ୍ଥାନ ଦେଖାଉ। ସେମାନଙ୍କ ମଧ୍ୟରେ ବୁଝାମଣା ହେଉ କିମ୍ବା ନ ହେଉ, ଏଥିରେ ଆମର କିଛି ଯାଏ ଆସେ ନାହିଁ।’ ମୌର୍ଯ୍ୟ ଦୃଢ଼ତାର ସହ କହିଲେ ଯେ ବିରୋଧୀଙ୍କ ପରାଜୟ ନିଶ୍ଚିତ।

