କୋଲକାତା,୨୫।୧୧: ବାଂଲାଦେଶକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ଭାଜପା ସରକାରର ପରିବହନ ମନ୍ତ୍ରୀ ଅର୍ଜୁନ ସିଂ । ୨୦୨୬ ଡିସେମ୍ବର ୧୬ ତାରିଖରେ ଶେଖ୍ ହସିନା ବାଂଲାଦେଶ ଫେରିବା ଦିନ ସୁଦ୍ଧା ବାଂଲାଦେଶକୁ କବ୍ଜା କରିନେବୁ ବୋଲି ସେ ଦାବି କରିଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ଘଟଣାକୁ ନେଇ ଏଭଳି ବୟାନ ଦେଇଛନ୍ତି ମନ୍ତ୍ରୀ।
ସେ କହିଛନ୍ତି, ଏବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସହିବାର ସବୁ ସୀମା ଅତିକ୍ରମ କରିସାରିଛି। ବାଂଲାଦେଶ ପ୍ରସଙ୍ଗରେ ଆଉ କୌଣସି ବାହାନା ଶୁଣାଯିବ ନାହିଁ କି ସହ୍ୟ କରାଯିବ ନାହିଁ । ବାଂଲାଦେଶରେ ଲଗାତାର ହିନ୍ଦୁମାନଙ୍କ ହତ୍ୟା କରାଯାଉଛି। ଏହାର ଜବାବ ନିଶ୍ଚୟ ଦିଆଯିବ ବୋଲି ସେ କହିଛନ୍ତି। ଗତ ସନ୍ଧ୍ୟାରେ ଗଙ୍ଗା ଆରତୀରେ ଯୋଗଦେବା ପରେ ସାମ୍ବାଦିକଙ୍କ ସହ କଥା ହେବାବେଳେ ମନ୍ତ୍ରୀ ଏହି ବୟାନ ଦେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ସମୟରେ ତାଙ୍କର ଏହି ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।
ଶେଖ୍ ହସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଉଭୟ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି । ଭାରତ ଶେଖ୍ ହସିନାଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଚାହୁଁଥିବାବେଳେ ବାଂଲାଦେଶର ବିଦେଶ ରାଷ୍ଟ୍ରମନ୍ତ୍ରୀ ତାଙ୍କୁ ଅପରାଧୀ ବୋଲି କହିଛନ୍ତି । ଜଣେ କଏଦୀଙ୍କ ଭଳି ତାଙ୍କୁ ବାଂଲାଦେଶ ଫେରିବାକୁ ଅନୁମତି ମିଳିବ ବୋଲି ସେ ମତ ଦେଇଥିବା ଖବରରେ କୁହାଯାଇଛି । ସେହିପରି ବାଂଲାଦେଶ ଖିଲାଫତ ମଜଲିସର ମୁଖ୍ୟ ମୌଲାନା ମାମୁନୁଲ ହକ୍ ମଧ୍ୟ ଶେଖ୍ ହସିନାଙ୍କୁ କଏଦୀ ବୋଲି କହିଥିଲେ । କଏଦୀ ଅଦଳବଦଳ ଚୁକ୍ତି ଅନୁସାରେ ତାଙ୍କୁ ଭାରତରୁ ବାଂଲାଦେଶ ଫେରାଇ ଅଣାଯିବା ଉଚିତ ବୋଲି ସେ ମତ ଦେଇଥିଲେ । ଆୱାମୀ ଲିଗ୍ର ନେତା ଓ କର୍ମୀମାନେ ହିଂସା, ଅଗ୍ନିକାଣ୍ଡ ଓ ହତ୍ୟା ମାଧ୍ୟମରେ ବାଂଲାଦେଶକୁ ଅସ୍ଥିର କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ବାଂଲାଦେଶର ଏକ ଅଦାଲତ ଶେଖ୍ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ସୂଚନା ଅନୁସାରେ, ୨୦୨୪ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଭାରତ ଆସିଥିଲେ। ଏବେ ୨୦୨୬ ଡିସେମ୍ବର ୧୬ ତାରିଖରେ ସେ ବାଂଲାଦେଶ ଫେରିବେ ବୋଲି ତାଙ୍କ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଥିବା ରିପୋର୍ଟରେ ଦାବି କରାଯାଇଛି। ଡିସେମ୍ବର ୧୬ ହେଉଛି ବାଂଲାଦେଶର ବିଜୟ ଦିବସ । ୧୯୭୧ ମସିହାର ଯୁଦ୍ଧରେ ବିଜୟକୁ ଏହି ଦିନ ପାଳନ କରାଯାଏ।

