ବିଲାସପୁର,୨୫।୧୧: ବୟସ କେବଳ ଏକ ସଂଖ୍ୟା। ଜୀବନର ଶେଷ ପାହାଚରେ ମଧ୍ୟ ମିଳିପାରେ ଜୀବନସାଥୀଙ୍କ ଭଲପାଇବା ଓ ସାହାରା। ଏହାକୁ ପ୍ରମାଣ କରିଛନ୍ତି ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ ‘ଆପନା ଘର’ ବୃଦ୍ଧାଶ୍ରମରେ ରହୁଥିବା ୭୫ ବର୍ଷୀୟ କନ୍ହେୟା ଓ ୬୩ ବର୍ଷୀୟା ସବିନା। ଦୁହେଁ ପରସ୍ପରଙ୍କ ହାତ ଧରି ଜୀବନର ବାକି ଯାତ୍ରା ଏକାଠି ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି । ବୃଦ୍ଧାଶ୍ରମରେ ଉଭୟଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଦୁହିଁଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ପରିବାରଠାରୁ ଆଶା କରିଥିବା ଆପଣାପଣ ଓ ସହଯୋଗ ମିଳିନଥିଲା। ଶେଷରେ ପରିସ୍ଥିତି ସେମାନଙ୍କୁ ବୃଦ୍ଧାଶ୍ରମରେ ପହଞ୍ଚାଇଥିଲା। ହେଲେ ସେଠାରେ ଦୁହିଁଙ୍କ ମଧ୍ୟରେ ପରିଚୟ ହୋଇଥିଲା। ଧୀରେ ଧୀରେ କଥାବାର୍ତ୍ତାରୁ ବନ୍ଧୁତା ଏବଂ ପରେ ଏହି ସମ୍ପର୍କ ଜୀବନସାଥୀ ହେବାର ନିଷ୍ପତ୍ତିରେ ପହଞ୍ଚିଥିଲା। ସବିନା ମୂଳତଃ ପଶ୍ଚିମବଙ୍ଗର କୋଲକାତାର ବାସିନ୍ଦା। ସୂଚନା ଅନୁସାରେ, ରାସ୍ତା ଭୁଲି ସେ ହିମାଚଳ ପ୍ରଦେଶର ଶିମଲା ନିକଟସ୍ଥ ମଶୋବରାରେ ପହଞ୍ଚିଯାଇଥିଲେ। ଏହାପରେ ପୋଲିସ ତାଙ୍କୁ ନାରୀ ନିକେତନକୁ ପଠାଇଥିଲା। ୨୦୨୫ ମସିହାରେ ତାଙ୍କୁ ବିଲାସପୁରର ‘ଆପନା ଘର’ ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପଟେ କନ୍ହେୟା ହିମାଚଳ ପ୍ରଦେଶର ମଣ୍ଡି ଜିଲା ଜଞ୍ଜୈହଲି ଅଞ୍ଚଳର ଥୁନାଗର ବାସିନ୍ଦା। ପତ୍ନୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକାକୀ ହୋଇଯାଇଥିଲେ। ତାଙ୍କର କୌଣସି ସନ୍ତାନ ନଥିବାରୁ ନିଜ ଜମି ଭାଇମାନଙ୍କ ନାଁରେ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ନିଜ ଘରୁ ଅଲଗା କରିଦିଆଯାଇଥିବା କୁହାଯାଉଛି। ମାନସିକ ଚାପ ଓ ସଂଘର୍ଷ ମଧ୍ୟରେ ଶେଷରେ ସେ ବୃଦ୍ଧାଶ୍ରମର ଆଶ୍ରୟ ନେଇଥିଲେ। ଦୁହେଁ ବିବାହ ପାଇଁ ସହମତ ହେବା ପରେ ବିଲାସପୁର କୋର୍ଟରେ ବିବାହର ଆଇନଗତ ପ୍ରକ୍ରିୟା ପୂରଣ କରିଥିଲେ। ଏହାସହ ବିବାହକୁ ପାରମ୍ପରିକ ରୂପ ମଧ୍ୟ ଦିଆଯାଇଥିଲା। ହଳଦୀ, ମେହେନ୍ଦୀ, ବରମାଳା ଓ ସାତଫେରା ଭଳି ସମସ୍ତ ପ୍ରମୁଖ ରୀତିନୀତି ଖୁସି ଓ ଉତ୍ସାହର ସହ ସମ୍ପନ୍ନ ହୋଇଥିଲା।
ଏହି ବିଶେଷ ବିବାହ ଉତ୍ସବରେ ବିଲାସପୁର ଜିଲାପାଳ କିରଣ ଭଡ଼ାନା ମଧ୍ୟ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ସେମାନଙ୍କ ସୁଖମୟ ଓ ସୁସ୍ଥ ଜୀବନ କାମନା କରିଥିଲେ । ବୃଦ୍ଧାଶ୍ରମର ପରିଚାଳକ ଆଡଭୋକେଟ୍ ପ୍ରକାଶ ଚନ୍ଦ ବଂଶଲଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ନିଆରା ବିବାହର ସାକ୍ଷୀ ହୋଇଥିଲେ।

