Odisha Elections 2024

ଭଲ ସ୍ଵପ୍ନ ଦେଖ

ମାୟାଧର ନାୟକ

 

ପୃଥିବୀରେ ରାତି କ’ଣ ପାଇଁ ଆସେ, କ’ଣ ଅନ୍ଧାର ଓଜାଡି ଦେବାପାଇଁ-ନା-ଅନ୍ଧାରକୁ ବତି ଦେଖାଇବା ପାଇଁ। ପୃଥିବୀକୁ ରାତି ଆସେ ବଛା ବଛା ଭଲ ଭଲ ସ୍ଵପ୍ନ ଦେଖିବା ପାଇଁ । ଏହି ହିସାବରେ ରାତିର ଏ ଅନ୍ତର୍ବେଦନାକୁ ବୁଝ, ବଡ ବଡ ସ୍ଵପ୍ନ ଦେଖ। ଭଲ ଭଲ ସ୍ଵପ୍ନ ନ ଦେଖିଲେ ଭଲମଣିଷ ହେବାର ଭବିଷ୍ୟତ ଭସ୍ମ ଆଉ ଭଲ ଭଲ ସମ୍ଭାବନାର ବାଧ୍ୟତାମୂଳକ ସମାଧି।
ଜନ୍ମ ହେବା ଦିନରୁ ମୃତ୍ୟୁର ପୂର୍ବ ପର୍ଯ୍ୟାୟ ପର୍ଯ୍ୟନ୍ତ ଏ ମଣିଷ ୧ଲକ୍ଷ ୩୬ହଜାର ସ୍ଵପ୍ନ ଦେଖେ, ଦେଖିଥାଏ, ଦେଖିବାଟା ବିଜ୍ଞାନର ପରିସଂଖ୍ୟାନଗତ ସୂଚନା। ମାତ୍ର ଏବେ ଆସିଛି ବିଭୀଷିକାମୟ ଏକ ବ୍ୟତିକ୍ରମର ବିଡମ୍ବନା। ଯେତେବେଳେ ଜୀବନ ଦୁଃସହ ଦୁଃସ୍ଥିତିରେ ବଞ୍ଚି ଥାଉ ଥାଉ ଅହୋରାତ୍ର ମରଣ ଆତଙ୍କରେ ଜର୍ଜରିତ ସେତେବେଳେ ବଡ ଶୋଚନୀୟ ଭାବରେ ଏ ସଂସାର ସାମ୍ନା କରୁଛି ଏକ ସ୍ଵପ୍ନ ହ୍ରାସର ବିଷମ ସଙ୍କଟକାଳ। ପ୍ରତ୍ୟେକ ଦିନ ଏହି ପୃଥିବୀରେ ଜନ୍ମ ହାର ଅନୁଯାୟୀ ଲୋକସଂଖ୍ୟା ବଢୁଛି। ଅଥଚ ସେହି ଅନୁପାତରେ ସ୍ବପ୍ନର ସଂଖ୍ୟା କମି ଚାଲିଛି। ଔଷଧ ଆଉ କାମ କରିବନି ନିଦ ଦେବାକୁ। ଯଦି ନିଦ ନାହିଁ ତ ସ୍ବପ୍ନ କାହିଁ ? ଯଦି ସ୍ବପ୍ନ ନାହିଁ ତ ମଣିଷ କାହିଁ ? ଯଦି ମଣିଷ ନାହିଁ ତ ସଂସାର କାହିଁ ? ଯଦି ସଂସାର ନାହିଁ ତ ସାର କାହିଁ ? ଯଦି ସାର ନାହିଁ ତ ସ୍ପନ୍ଦନ କାହିଁ ? ଯଦି ସ୍ପନ୍ଦନ ନାହିଁ ତ ତା’ହେଲେ ଜିଇବା ଲାଗି ଏକ ଜୀବନ କାହିଁ ? ଯଦି ଜୀବନ ନାହିଁ ତ ତା’ହେଲେ ଜୀବତୀର୍ଥ ଜଗତ କାହିଁ ?
ଏ ଜଗତ କ’ଣ ଗତ ହୋଇ ଚିରକାଳ କେବଳ ଭବିଷ୍ୟତରେ କେଉଁ ରୂପକାହାଣୀକାରର ଏକ ଅର୍ଦ୍ଧବିସ୍ମୃତ ଅଧ୍ୟାୟ ପାଲଟିଯିବ ? ଅସୁମାରୀ ପ୍ରଶ୍ନ ଆସେ- ଯାହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ସହଜ ଉତ୍ତର ହେଉଛି ଭଲ ଭଲ ସ୍ବପ୍ନ ଦେଖ। ଆଖି ବୁଜିଲେ ତ ଏତେ ଏତେ ସ୍ବପ୍ନର ରଙ୍ଗବେରଙ୍ଗ ବଜାର ଏହି ବଜାରର କୋଉ ଦୋକାନରୁ ମୁଁ ବିନା କଉଡିରେ ମନଲାଖି ସ୍ବପ୍ନଟିଏ କିଣିପାରିବି! ଅବଦୁଲ କଲାମ କହୁଥିଲେ ‘ଆଖି ଖୋଲି ସ୍ବପ୍ନ ଦେଖ’। ଆଖି ଖୋଲିଲାବେଳେ ତ ଦିଶେ ଯେତେ ଯେଉଁଠି ଲୋକସଂଖ୍ୟା ସେତେ ସେଇଠି ତା’ର ଦି’ଗୁଣା ତି’ଗୁଣା ଶୋକସଂଖ୍ୟା। ଏହି ଲୋକସଂଖ୍ୟାର ମଝିରେ ଭଲ ଭଲ ସ୍ବପ୍ନ ଦେଖ। ବିଜୁ ପଟ୍ଟନାୟକ କହିଥିଲେ ‘ବଡ ବଡ ସ୍ବପ୍ନ ଦେଖିବା ଭଲ’। ହେଲେ ମୁଁ କହେ ଛୋଟ ଛୋଟ ସ୍ବପ୍ନ ଦେଖ – ଆଉ ସବୁ ଛୋଟ ଛୋଟ ସ୍ବପ୍ନକୁ ମିଶାଇଦେଇ ଗୋଟାଏ ବଡ ପୃଥିବୀ ତିଆରି କର – ଯାହା ସାମ୍ନାରେ ସେ ସାତସ୍ବର୍ଗ ସୁଦ୍ଧା ତୁଚ୍ଛ, ସପ୍ତପାତାଳର ହୀରାଲୀଳା, ମଣିମାଣିକ ଭଣ୍ଡାର ମଧ୍ୟ ତୁଚ୍ଛାତିତୁଚ୍ଛ ମନେହେବାକୁ ବାଧ୍ୟ।
ଭଲ ଭଲ ସ୍ବପ୍ନ ଦେଖ। ଦାନ କରିବାର ସ୍ବପ୍ନ, ଓଜାଡି ଦେବାର ସ୍ବପ୍ନ, ଅର୍ପି ଦେବାର ସ୍ବପ୍ନ, ସମର୍ପି ଦେବାର ସ୍ବପ୍ନ, ପରକୁ ଆପଣାର କରିବାର ଅସରନ୍ତି ସ୍ବପ୍ନ। ଏ ପରିବାର ହେବ ବିଶ୍ୱ ପରିବାର। ଯାହା ଭଲ ସ୍ବପ୍ନର ନିଅଁ ଉପରେ ଆଶାଆକାଂକ୍ଷାକୁ ସାକାର କରିବା ଦିଗରେ ହୋଇଉଠିବ ଏକ ଐକାନ୍ତିକ ସଂକଳ୍ପ। ଭଲ ସ୍ବପ୍ନଟିଏ କେତେକ ସମୟରେ ବିଶ୍ୱାସ ଓ ମୂଲ୍ୟବୋଧକୁ ନେଇ ବିରଳ ଶୁଭ ସୂଚନାଟିଏ ମଣିଷର ସଭ୍ୟତା ଏଭଳି ଧାରଣାଟିକୁ ଗ୍ରହଣ କରିଆସିଛି କାହିଁ କେଉଁ କାଳରୁ। ଖ୍ରୀଷ୍ଟପୂର୍ବ ୫୬ରେ ଏପରି ଏକ ଅପୂର୍ବ ସ୍ବପ୍ନ ଦେଖିଥିଲେ ମାୟାଦେବୀ ମହାମନା ଗୌତମ ବୁଦ୍ଧଙ୍କର ଜନନୀ। ସେ ଥିଲା ଏକ ପୂର୍ଣ୍ଣମୀ ତିଥିର ଜ୍ୟୋତ୍ସ୍ନାଧୌତ ରାତ୍ରି ଗଭୀର ନିଦ୍ରାର ଆବେଶ ମଧ୍ୟରେ ଥାଇ ମାୟାଦେବୀ ସ୍ବପ୍ନ ଦେଖିଥିଲେ ଏକ ଶ୍ୱେତଶୁଭ୍ର ଶିଶୁହସ୍ତୀ ତାଙ୍କର ଗର୍ଭରେ ପ୍ରବେଶକରି ଆଶ୍ରୟ ନେଲା। ଏହାର ୧୦ମାସ ପରେ ବୈଶାଖୀ ପୂର୍ଣ୍ଣମୀରେ ଜନ୍ମଗ୍ରହଣ କଲେ ବୁଦ୍ଧ – ପିତ୍ରାଳୟକୁ ଗମନ କରିଯିବା ମାୟାଦେବୀ ତାଙ୍କୁ ଜନ୍ମ ଦେଇଦେଲେ ଲୁମ୍ବିନୀ ଉଦ୍ୟାନରେ, ଏକ ପୁଷ୍ପିତ ବୃକ୍ଷକୁ ଆଉଜି ରହି ଦଣ୍ଡାୟମାନ ଥିବା ଅବସ୍ଥାରେ। ସୂକ୍ଷ୍ମତଃ ବିଶ୍ଳେଷଣ କଲେ ଗୌତମ ବୁଦ୍ଧଙ୍କର ସମଗ୍ର ଜୀବନ ଜନସମୁଦାୟର ଉରଣ ଉଦ୍ଦେଶ୍ୟରେ ନିବେଦିତ ଏକ ଉଜ୍ଜୀବନମୟ ମହାଜୀବନ, ଯାହାର ବୀଜ ରୋପିତ ହୋଇଥିଲା ଗୋଟିଏ ଭଲ ସ୍ବପ୍ନର ଶୁଭରାତ୍ରିରେ। ସେ ସ୍ବପ୍ନ ମଣିଷ ସଭ୍ୟତା ସକାଶେ ଅଭୂତପୂର୍ବ ଏକ ସକାଳର ଆହ୍ବାନ। ଯେଉଁ ମହାନ୍‌ କରୁଣାବତାରଙ୍କ ଜନ୍ମକାଳ ଗଣନାଭିତ୍ତିରେ ପୃଥିବୀରେ ପ୍ରଥମକରି ଖ୍ରୀଷ୍ଟାବ୍ଦ ପ୍ରଚଳନ ଘଟିଲା, ସେଇ ଯୀଶୁଙ୍କୁ ଜନ୍ମ ଦେଇଥିଲେ କୁମାରୀ ମାତା ମେରୀ। ଜଣେ ଦେବଦୂତ ଆସି ତାଙ୍କୁ ସେ ଈଶ୍ୱରପୁତ୍ରଙ୍କ ମହାଯଶ୍ୱସିନୀ ଜନ୍ମଦାତ୍ରୀ ହେବାକୁ ଯାଉଛନ୍ତି ବୋଲି ସ୍ବପ୍ନାଇଥିଲେ। ଆମେ ବୋଲୁଥିଲେ ଏଇ ମନ ବୃନ୍ଦାବନ, ଏଇ ମନ କାଶୀ। ଏବେ କିନ୍ତୁ ଏଇ ମନ ମରୁଭୂମି ଏଇ ମନ ନିଜ ପାଇଁ ବିଦେଶୀ ବିଦେଶୀ। ଅଚିହ୍ନା ଏ ମନ, ଅଜଣା ଏ ମନ, ଏ ମନର ମରୁରେ ମଥାପିଟେ ଅଧୁରା ସପନ! ଚଉଠେ ଚଉଠେ ମନର ଏସବୁ ଅନ୍ଧାଦୁନିଆ ଅଧା ଅଧା ସ୍ବପ୍ନ ଦୁନିଆ । ଏଠି ଭଲ ଭଲ ସ୍ବପ୍ନ ନ ଦେଖିଲେ ମଣିଷ ତା’ର ନିଜ ଶେଷର ସକାଳକୁ ସାର୍ଥକ କରିପାରିବ କେମିତି! ଏଇଥିପାଇଁ ତ ଆଜିର ଆବେଦନ; ଭଲ ଭଲ ସ୍ବପ୍ନ ଦେଖ!
ଦିନେ ଗୋଟିଏ ଛୁଆଦିନର ରାତିଏ ସ୍ବପ୍ନ ଜଣେ ଭାରତୀୟ କିଶୋର କାନରେ ଶୁଣାଇଥିଲା ଛେଳିଛୁଆର କରୁଣ କାନ୍ଦଣା। ପେଟ ଭିତରେ ହଜମ ହୋଇ ନ ଥିବା ଛାଗମାଂସ ଖଣ୍ଡରୁ ସେ ଥିଲା ଯେମିତି ଛଟପଟ କଲିଜାର କାନ୍ଦବୋବାଳି ! ସେ କିଶୋରକୁ ଏ ସ୍ବପ୍ନ ଅସ୍ତବ୍ୟସ୍ତ କଲା ଅବିଶିଷ୍ଟ ପ୍ରହର। ସେ ଶପଥ କଲା – ଆଜିଠାରୁ ମାଂସାହାର ବର୍ଜନ। ଏହି ଶପଥ ପରବର୍ତ୍ତୀ କାଳରେ ଅହିଂସାର ପଥ ପ୍ରବର୍ତ୍ତକ କଲା ସେ କିଶୋର ମନରେ ଜାଗି ଉଠିଥିବା ଜଣେ ସତ୍ୟନିଷ୍ଠ ମହାତ୍ମାଙ୍କୁ। ସେ ମହାତ୍ମାଙ୍କୁ ଜାଣିଲା ସାରା ସଂସାର। ସେ ଏଇ ମହାତ୍ମା ଗାନ୍ଧୀ।
ଭଲ ଭଲ ସ୍ବପ୍ନ ଏ ଦୁନିଆକୁ ଉପହାର ଦେଇଛି ମହାବୀର ଜୈନ, ଗୌତମ ବୁଦ୍ଧ, ଯିଶୁ, ଗାନ୍ଧୀ, ଲିଙ୍କନ୍‌, ମାର୍କିନ୍‌ ଲୁଥର ପ୍ରମୁଖଙ୍କ ଭଳି ବିଭିନ୍ନ ଯୁଗାବତାରଙ୍କୁ। ଏ ସମସ୍ତେ ବିଲ୍‌କୁଲ୍‌ ନିଆରା। ଏମାନେ ମଣିଷ ସଭ୍ୟତାର ସେଇ ମହାପଥିକ, ଯେଉଁମାନଙ୍କ ପାଦଚିହ୍ନ ପଛେ ପଛେ ଛାଏଁ ଖୋଲିଯାଏ ବନ୍ଦ ବିବେକର ଅବାଟ ସବୁ। ପ୍ରସ୍ତୁତ ହୋଇଯାଏ ଆତ୍ମପ୍ରସ୍ତୁତିର ପ୍ରଶସ୍ତ ପଥ। ଶାନ୍ତି ପଥ, ପଦଯାତ୍ରା ପଥ, ପଟୁଆରୀ ପଥ – ପରିବର୍ତ୍ତନର ପଥ – ଗଢିଉଠେ ବିପ୍ଳବର ବିଶେଷ ଚିହ୍ନିତ ଛକସବୁ, ଇତିହାସର ଇସାରାରେ। ସେ ଛକରେ ଟ୍ରାଫିକ୍‌ର ଲାଲବତି ନାହିଁ। ଅବାଳିତ ଗତିପଥରେ ପ୍ରଗତିର ପ୍ରେରଣା ପାଏ ଜନଜୁଆର ଜୀବନସ୍ରୋତ। ସେ ଛକରେ ନିଚ୍ଛକ ଜୀବନର ସ୍ବର ଶୁଭେ; ଭଲ ଭଲ ସ୍ବପ୍ନ ଦେଖ…
ଆଧୁନିକ ମଣିଷ ବିନିଦ୍ର ବିବ୍ରତ ଜୀବନଟାଏ ଏବେ। ତାକୁ ନିଜ ଊଣା, ସୁତରାଂ ସ୍ବପ୍ନ ଅଲଣା! ଯଦି ସରସସୁନ୍ଦର ଜୀବନଶୈଳୀଟିକୁ ପାଳିପୋଷି ମଣିଷ ବଡ ହେବାକୁ ଚାହେଁ, ତା’ହେଲେ ଛୋଟ ଛୋଟ ସ୍ବପ୍ନର ମଧୁର ମିଶାଣଟିଏ ନିତାନ୍ତ ଜରୁରୀ। କୁଟିଳତା ନୁହେଁ, ଜଟିଳତା ନୁହେଁ ସରଳ ସ୍ବଚ୍ଛନ୍ଦ ସତ୍ୟ ଜୀବନର ଛନ୍ଦ ଦରକାର। ଏଥିପାଇଁ ସବୁଠୁ ଦରକାର ଛୋଟ ଛୋଟ ସ୍ବପ୍ନ ଦେଖ ପଛେ, ମାତ୍ର ଭଲ ଭଲ ସ୍ବପ୍ନ ଦେଖ!
ଯାଜପୁର ରୋଡ୍‌, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri