ଭଲ ସ୍ଵପ୍ନ ଦେଖ

ମାୟାଧର ନାୟକ

 

ପୃଥିବୀରେ ରାତି କ’ଣ ପାଇଁ ଆସେ, କ’ଣ ଅନ୍ଧାର ଓଜାଡି ଦେବାପାଇଁ-ନା-ଅନ୍ଧାରକୁ ବତି ଦେଖାଇବା ପାଇଁ। ପୃଥିବୀକୁ ରାତି ଆସେ ବଛା ବଛା ଭଲ ଭଲ ସ୍ଵପ୍ନ ଦେଖିବା ପାଇଁ । ଏହି ହିସାବରେ ରାତିର ଏ ଅନ୍ତର୍ବେଦନାକୁ ବୁଝ, ବଡ ବଡ ସ୍ଵପ୍ନ ଦେଖ। ଭଲ ଭଲ ସ୍ଵପ୍ନ ନ ଦେଖିଲେ ଭଲମଣିଷ ହେବାର ଭବିଷ୍ୟତ ଭସ୍ମ ଆଉ ଭଲ ଭଲ ସମ୍ଭାବନାର ବାଧ୍ୟତାମୂଳକ ସମାଧି।
ଜନ୍ମ ହେବା ଦିନରୁ ମୃତ୍ୟୁର ପୂର୍ବ ପର୍ଯ୍ୟାୟ ପର୍ଯ୍ୟନ୍ତ ଏ ମଣିଷ ୧ଲକ୍ଷ ୩୬ହଜାର ସ୍ଵପ୍ନ ଦେଖେ, ଦେଖିଥାଏ, ଦେଖିବାଟା ବିଜ୍ଞାନର ପରିସଂଖ୍ୟାନଗତ ସୂଚନା। ମାତ୍ର ଏବେ ଆସିଛି ବିଭୀଷିକାମୟ ଏକ ବ୍ୟତିକ୍ରମର ବିଡମ୍ବନା। ଯେତେବେଳେ ଜୀବନ ଦୁଃସହ ଦୁଃସ୍ଥିତିରେ ବଞ୍ଚି ଥାଉ ଥାଉ ଅହୋରାତ୍ର ମରଣ ଆତଙ୍କରେ ଜର୍ଜରିତ ସେତେବେଳେ ବଡ ଶୋଚନୀୟ ଭାବରେ ଏ ସଂସାର ସାମ୍ନା କରୁଛି ଏକ ସ୍ଵପ୍ନ ହ୍ରାସର ବିଷମ ସଙ୍କଟକାଳ। ପ୍ରତ୍ୟେକ ଦିନ ଏହି ପୃଥିବୀରେ ଜନ୍ମ ହାର ଅନୁଯାୟୀ ଲୋକସଂଖ୍ୟା ବଢୁଛି। ଅଥଚ ସେହି ଅନୁପାତରେ ସ୍ବପ୍ନର ସଂଖ୍ୟା କମି ଚାଲିଛି। ଔଷଧ ଆଉ କାମ କରିବନି ନିଦ ଦେବାକୁ। ଯଦି ନିଦ ନାହିଁ ତ ସ୍ବପ୍ନ କାହିଁ ? ଯଦି ସ୍ବପ୍ନ ନାହିଁ ତ ମଣିଷ କାହିଁ ? ଯଦି ମଣିଷ ନାହିଁ ତ ସଂସାର କାହିଁ ? ଯଦି ସଂସାର ନାହିଁ ତ ସାର କାହିଁ ? ଯଦି ସାର ନାହିଁ ତ ସ୍ପନ୍ଦନ କାହିଁ ? ଯଦି ସ୍ପନ୍ଦନ ନାହିଁ ତ ତା’ହେଲେ ଜିଇବା ଲାଗି ଏକ ଜୀବନ କାହିଁ ? ଯଦି ଜୀବନ ନାହିଁ ତ ତା’ହେଲେ ଜୀବତୀର୍ଥ ଜଗତ କାହିଁ ?
ଏ ଜଗତ କ’ଣ ଗତ ହୋଇ ଚିରକାଳ କେବଳ ଭବିଷ୍ୟତରେ କେଉଁ ରୂପକାହାଣୀକାରର ଏକ ଅର୍ଦ୍ଧବିସ୍ମୃତ ଅଧ୍ୟାୟ ପାଲଟିଯିବ ? ଅସୁମାରୀ ପ୍ରଶ୍ନ ଆସେ- ଯାହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ସହଜ ଉତ୍ତର ହେଉଛି ଭଲ ଭଲ ସ୍ବପ୍ନ ଦେଖ। ଆଖି ବୁଜିଲେ ତ ଏତେ ଏତେ ସ୍ବପ୍ନର ରଙ୍ଗବେରଙ୍ଗ ବଜାର ଏହି ବଜାରର କୋଉ ଦୋକାନରୁ ମୁଁ ବିନା କଉଡିରେ ମନଲାଖି ସ୍ବପ୍ନଟିଏ କିଣିପାରିବି! ଅବଦୁଲ କଲାମ କହୁଥିଲେ ‘ଆଖି ଖୋଲି ସ୍ବପ୍ନ ଦେଖ’। ଆଖି ଖୋଲିଲାବେଳେ ତ ଦିଶେ ଯେତେ ଯେଉଁଠି ଲୋକସଂଖ୍ୟା ସେତେ ସେଇଠି ତା’ର ଦି’ଗୁଣା ତି’ଗୁଣା ଶୋକସଂଖ୍ୟା। ଏହି ଲୋକସଂଖ୍ୟାର ମଝିରେ ଭଲ ଭଲ ସ୍ବପ୍ନ ଦେଖ। ବିଜୁ ପଟ୍ଟନାୟକ କହିଥିଲେ ‘ବଡ ବଡ ସ୍ବପ୍ନ ଦେଖିବା ଭଲ’। ହେଲେ ମୁଁ କହେ ଛୋଟ ଛୋଟ ସ୍ବପ୍ନ ଦେଖ – ଆଉ ସବୁ ଛୋଟ ଛୋଟ ସ୍ବପ୍ନକୁ ମିଶାଇଦେଇ ଗୋଟାଏ ବଡ ପୃଥିବୀ ତିଆରି କର – ଯାହା ସାମ୍ନାରେ ସେ ସାତସ୍ବର୍ଗ ସୁଦ୍ଧା ତୁଚ୍ଛ, ସପ୍ତପାତାଳର ହୀରାଲୀଳା, ମଣିମାଣିକ ଭଣ୍ଡାର ମଧ୍ୟ ତୁଚ୍ଛାତିତୁଚ୍ଛ ମନେହେବାକୁ ବାଧ୍ୟ।
ଭଲ ଭଲ ସ୍ବପ୍ନ ଦେଖ। ଦାନ କରିବାର ସ୍ବପ୍ନ, ଓଜାଡି ଦେବାର ସ୍ବପ୍ନ, ଅର୍ପି ଦେବାର ସ୍ବପ୍ନ, ସମର୍ପି ଦେବାର ସ୍ବପ୍ନ, ପରକୁ ଆପଣାର କରିବାର ଅସରନ୍ତି ସ୍ବପ୍ନ। ଏ ପରିବାର ହେବ ବିଶ୍ୱ ପରିବାର। ଯାହା ଭଲ ସ୍ବପ୍ନର ନିଅଁ ଉପରେ ଆଶାଆକାଂକ୍ଷାକୁ ସାକାର କରିବା ଦିଗରେ ହୋଇଉଠିବ ଏକ ଐକାନ୍ତିକ ସଂକଳ୍ପ। ଭଲ ସ୍ବପ୍ନଟିଏ କେତେକ ସମୟରେ ବିଶ୍ୱାସ ଓ ମୂଲ୍ୟବୋଧକୁ ନେଇ ବିରଳ ଶୁଭ ସୂଚନାଟିଏ ମଣିଷର ସଭ୍ୟତା ଏଭଳି ଧାରଣାଟିକୁ ଗ୍ରହଣ କରିଆସିଛି କାହିଁ କେଉଁ କାଳରୁ। ଖ୍ରୀଷ୍ଟପୂର୍ବ ୫୬ରେ ଏପରି ଏକ ଅପୂର୍ବ ସ୍ବପ୍ନ ଦେଖିଥିଲେ ମାୟାଦେବୀ ମହାମନା ଗୌତମ ବୁଦ୍ଧଙ୍କର ଜନନୀ। ସେ ଥିଲା ଏକ ପୂର୍ଣ୍ଣମୀ ତିଥିର ଜ୍ୟୋତ୍ସ୍ନାଧୌତ ରାତ୍ରି ଗଭୀର ନିଦ୍ରାର ଆବେଶ ମଧ୍ୟରେ ଥାଇ ମାୟାଦେବୀ ସ୍ବପ୍ନ ଦେଖିଥିଲେ ଏକ ଶ୍ୱେତଶୁଭ୍ର ଶିଶୁହସ୍ତୀ ତାଙ୍କର ଗର୍ଭରେ ପ୍ରବେଶକରି ଆଶ୍ରୟ ନେଲା। ଏହାର ୧୦ମାସ ପରେ ବୈଶାଖୀ ପୂର୍ଣ୍ଣମୀରେ ଜନ୍ମଗ୍ରହଣ କଲେ ବୁଦ୍ଧ – ପିତ୍ରାଳୟକୁ ଗମନ କରିଯିବା ମାୟାଦେବୀ ତାଙ୍କୁ ଜନ୍ମ ଦେଇଦେଲେ ଲୁମ୍ବିନୀ ଉଦ୍ୟାନରେ, ଏକ ପୁଷ୍ପିତ ବୃକ୍ଷକୁ ଆଉଜି ରହି ଦଣ୍ଡାୟମାନ ଥିବା ଅବସ୍ଥାରେ। ସୂକ୍ଷ୍ମତଃ ବିଶ୍ଳେଷଣ କଲେ ଗୌତମ ବୁଦ୍ଧଙ୍କର ସମଗ୍ର ଜୀବନ ଜନସମୁଦାୟର ଉରଣ ଉଦ୍ଦେଶ୍ୟରେ ନିବେଦିତ ଏକ ଉଜ୍ଜୀବନମୟ ମହାଜୀବନ, ଯାହାର ବୀଜ ରୋପିତ ହୋଇଥିଲା ଗୋଟିଏ ଭଲ ସ୍ବପ୍ନର ଶୁଭରାତ୍ରିରେ। ସେ ସ୍ବପ୍ନ ମଣିଷ ସଭ୍ୟତା ସକାଶେ ଅଭୂତପୂର୍ବ ଏକ ସକାଳର ଆହ୍ବାନ। ଯେଉଁ ମହାନ୍‌ କରୁଣାବତାରଙ୍କ ଜନ୍ମକାଳ ଗଣନାଭିତ୍ତିରେ ପୃଥିବୀରେ ପ୍ରଥମକରି ଖ୍ରୀଷ୍ଟାବ୍ଦ ପ୍ରଚଳନ ଘଟିଲା, ସେଇ ଯୀଶୁଙ୍କୁ ଜନ୍ମ ଦେଇଥିଲେ କୁମାରୀ ମାତା ମେରୀ। ଜଣେ ଦେବଦୂତ ଆସି ତାଙ୍କୁ ସେ ଈଶ୍ୱରପୁତ୍ରଙ୍କ ମହାଯଶ୍ୱସିନୀ ଜନ୍ମଦାତ୍ରୀ ହେବାକୁ ଯାଉଛନ୍ତି ବୋଲି ସ୍ବପ୍ନାଇଥିଲେ। ଆମେ ବୋଲୁଥିଲେ ଏଇ ମନ ବୃନ୍ଦାବନ, ଏଇ ମନ କାଶୀ। ଏବେ କିନ୍ତୁ ଏଇ ମନ ମରୁଭୂମି ଏଇ ମନ ନିଜ ପାଇଁ ବିଦେଶୀ ବିଦେଶୀ। ଅଚିହ୍ନା ଏ ମନ, ଅଜଣା ଏ ମନ, ଏ ମନର ମରୁରେ ମଥାପିଟେ ଅଧୁରା ସପନ! ଚଉଠେ ଚଉଠେ ମନର ଏସବୁ ଅନ୍ଧାଦୁନିଆ ଅଧା ଅଧା ସ୍ବପ୍ନ ଦୁନିଆ । ଏଠି ଭଲ ଭଲ ସ୍ବପ୍ନ ନ ଦେଖିଲେ ମଣିଷ ତା’ର ନିଜ ଶେଷର ସକାଳକୁ ସାର୍ଥକ କରିପାରିବ କେମିତି! ଏଇଥିପାଇଁ ତ ଆଜିର ଆବେଦନ; ଭଲ ଭଲ ସ୍ବପ୍ନ ଦେଖ!
ଦିନେ ଗୋଟିଏ ଛୁଆଦିନର ରାତିଏ ସ୍ବପ୍ନ ଜଣେ ଭାରତୀୟ କିଶୋର କାନରେ ଶୁଣାଇଥିଲା ଛେଳିଛୁଆର କରୁଣ କାନ୍ଦଣା। ପେଟ ଭିତରେ ହଜମ ହୋଇ ନ ଥିବା ଛାଗମାଂସ ଖଣ୍ଡରୁ ସେ ଥିଲା ଯେମିତି ଛଟପଟ କଲିଜାର କାନ୍ଦବୋବାଳି ! ସେ କିଶୋରକୁ ଏ ସ୍ବପ୍ନ ଅସ୍ତବ୍ୟସ୍ତ କଲା ଅବିଶିଷ୍ଟ ପ୍ରହର। ସେ ଶପଥ କଲା – ଆଜିଠାରୁ ମାଂସାହାର ବର୍ଜନ। ଏହି ଶପଥ ପରବର୍ତ୍ତୀ କାଳରେ ଅହିଂସାର ପଥ ପ୍ରବର୍ତ୍ତକ କଲା ସେ କିଶୋର ମନରେ ଜାଗି ଉଠିଥିବା ଜଣେ ସତ୍ୟନିଷ୍ଠ ମହାତ୍ମାଙ୍କୁ। ସେ ମହାତ୍ମାଙ୍କୁ ଜାଣିଲା ସାରା ସଂସାର। ସେ ଏଇ ମହାତ୍ମା ଗାନ୍ଧୀ।
ଭଲ ଭଲ ସ୍ବପ୍ନ ଏ ଦୁନିଆକୁ ଉପହାର ଦେଇଛି ମହାବୀର ଜୈନ, ଗୌତମ ବୁଦ୍ଧ, ଯିଶୁ, ଗାନ୍ଧୀ, ଲିଙ୍କନ୍‌, ମାର୍କିନ୍‌ ଲୁଥର ପ୍ରମୁଖଙ୍କ ଭଳି ବିଭିନ୍ନ ଯୁଗାବତାରଙ୍କୁ। ଏ ସମସ୍ତେ ବିଲ୍‌କୁଲ୍‌ ନିଆରା। ଏମାନେ ମଣିଷ ସଭ୍ୟତାର ସେଇ ମହାପଥିକ, ଯେଉଁମାନଙ୍କ ପାଦଚିହ୍ନ ପଛେ ପଛେ ଛାଏଁ ଖୋଲିଯାଏ ବନ୍ଦ ବିବେକର ଅବାଟ ସବୁ। ପ୍ରସ୍ତୁତ ହୋଇଯାଏ ଆତ୍ମପ୍ରସ୍ତୁତିର ପ୍ରଶସ୍ତ ପଥ। ଶାନ୍ତି ପଥ, ପଦଯାତ୍ରା ପଥ, ପଟୁଆରୀ ପଥ – ପରିବର୍ତ୍ତନର ପଥ – ଗଢିଉଠେ ବିପ୍ଳବର ବିଶେଷ ଚିହ୍ନିତ ଛକସବୁ, ଇତିହାସର ଇସାରାରେ। ସେ ଛକରେ ଟ୍ରାଫିକ୍‌ର ଲାଲବତି ନାହିଁ। ଅବାଳିତ ଗତିପଥରେ ପ୍ରଗତିର ପ୍ରେରଣା ପାଏ ଜନଜୁଆର ଜୀବନସ୍ରୋତ। ସେ ଛକରେ ନିଚ୍ଛକ ଜୀବନର ସ୍ବର ଶୁଭେ; ଭଲ ଭଲ ସ୍ବପ୍ନ ଦେଖ…
ଆଧୁନିକ ମଣିଷ ବିନିଦ୍ର ବିବ୍ରତ ଜୀବନଟାଏ ଏବେ। ତାକୁ ନିଜ ଊଣା, ସୁତରାଂ ସ୍ବପ୍ନ ଅଲଣା! ଯଦି ସରସସୁନ୍ଦର ଜୀବନଶୈଳୀଟିକୁ ପାଳିପୋଷି ମଣିଷ ବଡ ହେବାକୁ ଚାହେଁ, ତା’ହେଲେ ଛୋଟ ଛୋଟ ସ୍ବପ୍ନର ମଧୁର ମିଶାଣଟିଏ ନିତାନ୍ତ ଜରୁରୀ। କୁଟିଳତା ନୁହେଁ, ଜଟିଳତା ନୁହେଁ ସରଳ ସ୍ବଚ୍ଛନ୍ଦ ସତ୍ୟ ଜୀବନର ଛନ୍ଦ ଦରକାର। ଏଥିପାଇଁ ସବୁଠୁ ଦରକାର ଛୋଟ ଛୋଟ ସ୍ବପ୍ନ ଦେଖ ପଛେ, ମାତ୍ର ଭଲ ଭଲ ସ୍ବପ୍ନ ଦେଖ!
ଯାଜପୁର ରୋଡ୍‌, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?