କ୍ଷତିକାରକ ପାଠ୍ୟପୁସ୍ତକ

ଓଡ଼ିଶାରେ ସବୁ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବା ସହ କାଗଜପତ୍ର କାମ ଏହି ଭାଷାରେ କରାଯିବା ନେଇ ସରକାରୀ ଭାବେ ଏକାଧିକ ନିର୍ଦ୍ଦେଶ ଦିଆଯାଉଛି। ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଆମେ ସମସ୍ତେ ଓଡ଼ିଆ ଭାବେ ଗର୍ବ କରୁଛେ। କିନ୍ତୁ ସରକାରଙ୍କ ଅନ୍ତରରୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବାର କୌଣସି ଇଚ୍ଛା ନାହିଁ ବୋଲି ସ୍ପଷ୍ଟ ବୁଝାପଡ଼େ। ନଚେତ୍‌ ସବୁ ଥାନା ଅଧିକାରୀଙ୍କ ସମେତ ବିକ୍ରିକର (ଜିଏସ୍‌ଟି) ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇପାରନ୍ତେ ଯେ, ଯେଉଁ ବ୍ୟବସାୟିକ ସଂସ୍ଥା ନାମଫଳକରେ ଓଡ଼ିଆ ବ୍ୟବହାର କରିନାହିଁ, ତାହାକୁ ତତ୍‌କ୍ଷଣାତ୍‌ କଠୋର ଜରିମାନା ସହିତ ସଂସ୍ଥାର ନାମ ପଞ୍ଜୀକରଣକୁ ବାତିଲ ଲାଗି ନୋଟିସ୍‌ ଦିଆଯାଉ। ସରକାରୀ କଳର ବ୍ୟବସ୍ଥା ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଇ ନ ଥିବା ହେତୁ ବୁଝାପଡ଼େ ଯେ ଏହା ଏକ ଚାଲ୍‌ବାଜି।
ପିଲାଙ୍କ ପାଠ୍ୟପୁସ୍ତକରେ ମଧ୍ୟ ବାରମ୍ବାର ଓଡ଼ିଆ ଭାଷାକୁ ନେଇ ତ୍ରୁଟି ଦେଖାଦେଉଛି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଭୁବନେଶ୍ୱର ଦ୍ୱାରା ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଭାଷା ଶିକ୍ଷା ପୁସ୍ତକରେ ସ୍ଥାନ ପାଇଥିବା କିଛି ଶବ୍ଦ ଓ ଛବିକୁ ନେଇ ଅଶ୍ଚର୍ଯ୍ୟ ହେବାକୁ ପଡ଼ିଛି। ଚକୋଲେଟ, ହର୍ଲିକ୍ସ, ଟାଟା ସଲ୍ଟ, ଫ୍ରୁଟି, କୁର୍‌କୁରେ ଭଳି ଇଂଲିଶ ଶବ୍ଦ ଓ କମ୍ପାନୀର ନାମ ଥିବା ଛବି ଦେଖିଲେ ମନେହେଉଛି ଘରୋଇ ସଂସ୍ଥାର ବିଜ୍ଞାପନ ସରକାରୀ ପୁସ୍ତକ ମାଧ୍ୟମରେ କରାଯାଉଛି। କାହା ଇଙ୍ଗିତରେ ଓ କେଉଁ ପରିପ୍ରେକ୍ଷୀରେ ପାଠ୍ୟପୁସ୍ତକରେ ଏଭଳି ଅସଙ୍ଗତି ଦେଖାଦେଉଛି ତାହାକୁ ଖୋଳତାଡ଼ କରାଯିବାର ଆବଶ୍ୟକତା ରହିଛି।
କୋମଳମତି ପିଲାଙ୍କୁ ମୂଳରୁ ଯେଉଁ ବିଷୟରେ ପଢ଼ା ଯାଇଥାଏ ବା ସେମାନଙ୍କଠାରେ ଧାରଣା ସୃଷ୍ଟିକରି ଦିଆଯାଇଥାଏ, ତାହା ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କ ମନରେ ବସା ବାନ୍ଧି ରହିଯାଏ। ସେଥିପାଇଁ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଲେଖାକୁ ବାରମ୍ବାର ତର୍ଜମା କରାଯିବା ଦରକାର। ହେଲେ କିଛି ବର୍ଷ ହେବ ଦେଖାଯାଉଛି ସାମାଜିକ ଓ ନୈତିକ ମୂଲ୍ୟବୋଧ ଆଧାରରେ ରଚିତ ଓଡ଼ିଶାର ବିଶିଷ୍ଟ କବି, ଲେଖକ ଓ ପ୍ରାବନ୍ଧିକଙ୍କ ଲେଖା ପାଠ୍ୟକ୍ରମରୁ ଧୀରେ ଧୀରେ ଉଭାନ ହୋଇଯାଉଛି। ଅମଲାତାନ୍ତ୍ରିକ ଚାପ ଯୋଗୁ ଅନାମଧ୍ୟେୟ ଲେଖକ ପିଲାଙ୍କ ପାଠ୍ୟପୁସ୍ତକକୁ ମାଡ଼ି ବସିଲେଣି। ଏମାନେ ସରକାରୀ ସ୍ତରରେ ଅର୍ଥ ଦେଇ ନିଜର ଲେଖା ଓ କବିତାକୁ ପାଠ୍ୟପୁସ୍ତକରେ ସନ୍ନିବେଶିତ କରିଦେଉଛନ୍ତି। ଉପରଲିଖିତ ତୃତୀୟ ଶ୍ରେଣୀର ଭାଷା ଶିକ୍ଷା ବହିରେ ଯେଉଁ ଟାଟା ସଲ୍ଟର ପ୍ୟାକେଟଟି ଦିଆଯାଇଛି ସେଥିରୁ ପିଲାଏ କ’ଣ ବୁଝିବେ ବୋଲି ପ୍ରଶ୍ନ ହେବା ଦରକାର। ସଲ୍ଟର ଓଡ଼ିଆ ଲୁଣ। ଲୁଣକୁ ଚିହ୍ନିବା ଲାଗି ଏକ ସ୍ଥାନରେ କାଣ୍ଡିଏ ଲୁଣ ବା ଏକ ପାତ୍ରରେ ଲୁଣ ରଖାଯାଇ ତାହାର ଛବି ପୁସ୍ତକରେ ସ୍ଥାନିତ କରାଯାଇପାରିଥାଆନ୍ତା। ହେଲେ ପ୍ୟାକେଟରେ ଟାଟା ବ୍ରାଣ୍ଡ୍‌ ଲେଖାଥିବା ଜିନିଷଟି ଯାହା ଦେଖାଯାଇଛି ତାହାର ମୂଳ ଉପାଦାନ ଲୁଣ ଦୃଷ୍ଟିଗୋଚର ହେଉନାହିଁ। ଏଥିରୁ ବୁଝାପଡ଼ୁଛି ଯେ, ଯେଉଁ ସ୍ତରରେ ଏହି ନିଷ୍ପତ୍ତି ନିଆଯାଉଛି ସେଠାରେ ଥିବା ସରକାରୀ କର୍ମଚାରୀଙ୍କର ଟାଟା କମ୍ପାନୀ ପ୍ରତି ବ୍ୟକ୍ତିଗତ ରୁଚି ରହିଛି। ଏଠାରେ ପାଠ୍ୟପୁସ୍ତକ ପ୍ରଣୟନକର୍ତ୍ତାମାନେ ଦୁଇଟି ଭୁଲ କରିଛନ୍ତି। ପ୍ରଥମରେ ଲୁଣ ଭଳି ସାମଗ୍ରୀ ଦୃଶ୍ୟମାନ ହେଉ ନ ଥିବା ବେଳେ କମ୍ପାନୀର ବ୍ରାଣ୍ଡ୍‌ ପ୍ରଚାର କରିବା ଲାଗି ଏଭଳି ପ୍ରୟାସ ହୋଇଛି। ଏ ଦେଶରେ ଲୋକଙ୍କୁ ଭଣ୍ଡେଇବା ଲାଗି ଗୋଟିଏ ସାମଗ୍ରୀ ସହ ବ୍ରାଣ୍ଡ୍‌କୁ ଏଭଳି ଯୋଡ଼ି ପ୍ରଚାର କରାଯାଇଥାଏ ଯେ ଜନସାଧାରଣ ଦୋକାନକୁ ଯାଇ ସାମଗ୍ରୀର ମୂଳ ଉପାଦାନ ଅପେକ୍ଷା କମ୍ପାନୀ ନାମକୁ ଧରି ଦ୍ରବ୍ୟ କ୍ରୟ କରିଥାଆନ୍ତି। ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ମାର୍କେଟ ଲିଡର ବା ବଜାର ନେତା ଓ ମାର୍କେଟ ଫଲୋଅର ବା ବଜାର ଚେଲା ବିଷୟରେ ଉଲ୍ଲେଖ ରହିଛି। ଯେଉଁ ବ୍ରାଣ୍ଡ୍‌ ଏକ ଦ୍ରବ୍ୟର ୭୦ ପ୍ରତିଶତରୁ ଅଧିକ ବଜାର ଅକ୍ତିଆର କରିଯାଇଥାଏ ତାହାକୁ ମାର୍କେଟ ଲିଡର କୁହାଯାଇଥାଏ। ଅନ୍ୟ କମ୍ପାନୀଗୁଡ଼ିକ ତାହାକୁ ଅନୁସରଣ କରୁଥିବାରୁ ସେଗୁଡ଼ିକ ଚେଲା ହୋଇଥାଆନ୍ତି। ହେଲେ ପିଲାଙ୍କ ପାଠ୍ୟକ୍ରମରେ ଏଭଳି ଧାରଣାକୁ ବାସ୍ତବ ରୂପାୟନ କରାଯିବା ପଛରେ ମସୁଧା ନ ଥିବ ବୋଲି ବିଷୟକୁ ଏଡ଼ାଇ ଦିଆଯାଇ ନ ପାରେ।
ଆମ ରାଜ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି। ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ଅନେକ ବ୍ୟଞ୍ଜନ ଥାଏ। ସେଥିମଧ୍ୟରୁ କିଛି ପିଲାଙ୍କ ବହିରେ ସ୍ଥାନ ଦିଆଗଲେ ଆମ ପିଲାମାନେ ଓଡ଼ିଆ ଖାଦ୍ୟ ସଂସ୍କୃତି ସହ ଅଧିକ ଅଭ୍ୟସ୍ତ ହୋଇପାରନ୍ତେ। ତା’ ପରିବର୍ତ୍ତେ କୁର୍‌କୁରେ ଭଳି ଜଙ୍କ୍‌ ଫୁଡ୍‌, ଯାହାକି ଦେହ ପାଇଁ କ୍ଷତିକାରକ ବୋଲି ଶିଶୁରୋଗ ବିଶେଷଜ୍ଞମାନେ ବାରମ୍ବାର କହିଆସୁଛନ୍ତି, ତାହାକୁ ଆମ ପିଲା ପାଠ୍ୟପୁସ୍ତକରେ ଦେଖୁଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମାତାପିତା ସେଗୁଡ଼ିକୁ ପିଲାଙ୍କଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ହେଲେ ପିଲାଏ ପାଠ୍ୟପୁସ୍ତକରେ ତାହାକୁ ଦେଖିବା ମାତ୍ରେ ଲୋଭେଇବା ସ୍ବାଭାବିକ। ଏହାଦ୍ୱାରା କୁର୍‌କୁରେ ଭଳି ଅଖାଦ୍ୟକୁ ଏଠାରେ ପାଠ୍ୟପୁସ୍ତକ ପ୍ରଣୟନକର୍ତ୍ତାମାନେ ବୈଧ କରିଦେଇଛନ୍ତି ବୋଲି ଧରିନେବାକୁ ହେବ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ପାଠ୍ୟପୁସ୍ତକ ପ୍ରଣୟନ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଏପରି ଅସଙ୍ଗତି ପାଇଁ କୈଫିୟତ ମାଗିବା ଦରକାର। କାରଣ ପିଲାମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ଶିକ୍ଷା ଲାଗି ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡ଼ିଆ ଭାଷା ଶିକ୍ଷାରେ ଇଂଲିଶର ବ୍ୟବହାର ଓ କମ୍ପାନୀର ନାମ ଘୋଷିବା ସକାଶେ ବାଧ୍ୟ କରାଯିବା ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା କେତେ ଦୁର୍ବଳ ହେଇପଡ଼ିଛି ତାହାର ଏହା ଏକ ନମୁନା। ଏଥିରୁ ପ୍ରାଥମିକ ଶିକ୍ଷାର ମାନ କେଉଁ ସ୍ତରକୁ ଗଲାଣି ବୁଝିହେଉଛି। ଗଣଶିକ୍ଷା ବିଭାଗ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବା ଜରୁରୀ। ଏଥିସହିତ ତ୍ରୁଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?