
ଦେଇର୍ ଅଲ୍-ବଲାହ,୮।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍ ଶନିବାର ଆଉ ୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏହି ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ରେଡ୍କ୍ରସକୁ ହସ୍ତାନ୍ତର କରାଯାଇଛି। ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍ ପାଲେଷ୍ଟିନୀୟ ବନ୍ଦୀମାନଙ୍କୁ ମୁକ୍ତ କରିବ। ମୁକ୍ତ ହୋଇଥିବା ଇସ୍ରାଏଲୀ ପଣବନ୍ଦୀଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି। ୧୬ ମାସ ଧରି ବନ୍ଦୀ ରହିବା ପରେ ସେମାନେ ନିଜ ପରିବାର ସଦସ୍ୟଙ୍କ ସହ ଏକାଠି ହେବାକୁ ଯାଉଛନ୍ତି।
ଗାଜାରୁ ପାଲେଷ୍ଟିନୀୟମାନଙ୍କୁ ବିଦା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏଭଳି ବିସ୍ମୟକର ପ୍ରସ୍ତାବକୁ ଇସ୍ରାଏଲ୍ ସ୍ବାଗତ କରିଥିବାବେଳେ ପାଲେଷ୍ଟିନୀୟମାନେ ଜୋର୍ଦାର ବିରୋଧ କରିଛନ୍ତି। ଏହା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାକୁ ଅଧିକ ଜଟିଳ କରିପାରେ। ଅସ୍ତ୍ରବିରତିକୁ ବଜାୟ ରଖିବାକୁ ହେଲେ ଏହି ପର୍ଯ୍ୟାୟରେ ହମାସ୍କୁ ଅଧିକ ପଣବନ୍ଦୀ ମୁକ୍ତ କରିବାକୁ ପଡ଼ିବ। ତେବେ ହମାସ୍ ଏଥିରେ ରାଜି ହୋଇ ନ ପାରେ ଏବଂ ନିଜର ମୂଲଚାଲ ଅଧିକାର ହରାଇପାରେ ବୋଲି କୁହାଯାଉଛି।