ଭୁବନେଶ୍ୱର,୧।୧୦(ସୁନିତ୍ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାପାଳଙ୍କ ସହ ଆଲୋଚନାକରି ବର୍ଷା, ବନ୍ୟାରେ ପ୍ରଭାବିତଙ୍କ କ୍ଷତିପୂରଣ ଦେବାକୁ ରାଜସ୍ବ ମନ୍ତ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି, ଚଳିତ ବର୍ଷ ଦୀର୍ଘ ସମୟ ଧରି ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁ ୨୮ ଜିଲା ଊଣା ଅଧିକେ ପ୍ରଭାବିତ ହୋଇଛି। ନିକଟରେ ଗଭୀର ଅବପାତଜନିତ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ବ୍ୟାପକ ପ୍ରଭାବିତ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ପେଶାଲ ରିଲିଫ କମିଶନରଙ୍କ ପକ୍ଷରୁ ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ଝାରସୁଗୁଡ଼ା ଜିଲାକୁ ମୋଟ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ ସମସ୍ତ ଜିଲାରେ କ୍ଷତିପୂରଣ ପ୍ରଦାନ ସମାପ୍ତ ହେବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ସେ ଆହୁରି କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଲାଗି ୧୬.୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୧୧.୨୧ କୋଟି ଟଙ୍କା ଆବଣ୍ଟନ ଶେଷ ହୋଇଛି। ଯାଜପୁର ଜିଲା ପାଇଁ ୫୨.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୩୩.୮୦ କୋଟି ଟଙ୍କା ବଣ୍ଟନ ସମାପ୍ତ ହୋଇଛି। ସେହିପରି ଭଦ୍ରକ ଜିଲାକୁ ୬୪.୫୪ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଥିବା ବେଳେ ୪୩.୨୮ କୋଟି ଟଙ୍କା ବ୍ୟୟ ହୋଇସାରିଛି। ବାଲେଶ୍ୱର ଜିଲା ପାଇଁ ୨୬.୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୫.୯୪ କୋଟି ଟଙ୍କା ଇତିମଧ୍ୟରେ କ୍ଷତିପୂରଣ ବାବଦକୁ ବ୍ୟୟ ହୋଇଛି। ବାରମ୍ବାର ବର୍ଷା ଯୋଗୁ କ୍ଷୟକ୍ଷତି ଆକଳନ ଏବଂ ବାଧାପ୍ରାପ୍ତ ସୁଦ୍ଧା କ୍ଷତିପୂରଣ ପ୍ରଦାନ ତ୍ୱରାନ୍ବିତ କରାଯାଇଛି।
Dharitri – Odisha’s No.1 Odia Daily

