ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ରକ୍ଷଣାବେକ୍ଷଣ ନାମରେ ଘୋଷିତ ୬ ଘଣ୍ଟା ପରିବର୍ତ୍ତେ ୮ରୁ ୯ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ ରହୁଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ଏଥିଯୋଗୁ ଜନଜୀବନ ସହ ବ୍ୟବସାୟ ଓ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଯନ୍ତ୍ରୀଙ୍କ ସହ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାରକୁ ଲାଗି ରହିଥିବା ବିପଦପୂର୍ଣ୍ଣ ଗଛ ଡାଳ ହଟାଯାଉ ନାହିଁ। କିଛି ଦିନ ତଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ଷଣ୍ଢର ମୃତ୍ୟୁ ହୋଇଥିଲା। ଅଭିଯୋଗ ସତ୍ତ୍ୱେ ଗଛଡାଳ କଟା ନ ଯାଇ ଅନ୍ଲାଇନ୍ରେ ସମାଧାନ ହୋଇଥିବା ଦର୍ଶାଯାଉଥିବାରୁ ବିଭାଗୀୟ ଅଭିଯୋଗ ନିବାରଣ ବ୍ୟବସ୍ଥାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଏହି ସମ୍ପର୍କରେ ସହକାରୀ ଯନ୍ତ୍ରୀ ସମ୍ବିତ ସାମଲ କହିଛନ୍ତି ଯେ, ୩୩ କେଭି ଲାଇନ୍ରେ ବିଭ୍ରାଟ ଯୋଗୁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରା କହିଛନ୍ତି, ଗଛଡାଳ ସଫା ପାଇଁ ବିଦ୍ୟୁତ୍ ବିଭାଗକୁ ଜଣାଯାଇଥିଲେ ମଧ୍ୟ ସର୍ଭିସ ପ୍ରୋଭାଇଡର ଦିନ ଓ ସମୟ ଧାର୍ଯ୍ୟ କରୁନାହାନ୍ତି।
ବିଦ୍ୟୁତ୍ ସେବାରେ ସୁଧାର ଆଣିବା, ବିପଦପୂର୍ଣ୍ଣ ଗଛଡାଳ ହଟାଇବା ଓ ଅଭିଯୋଗର ବାସ୍ତବ ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ସସମ୍ୟାର ସମାଧନ ନ ହେଲେ ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଚେତାବନୀ ଦେଇଛନ୍ତି।

