ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ, ଓଡ଼ିଶାର ପୁରୀ ସହରରେ କ୍ରମାଗତ ଭାବେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ଏହାସହ ପୁରୀ ସହରର ଭୂତଳ ଜଳରେ କ୍ଲୋରାଇଡ୍‌, ଫ୍ଲୋରାଇଡ୍‌, ନାଇଟ୍ରେଟ୍‌ ପରିମାଣ ବୃଦ୍ଧି ପାଉଛି। ଏଭଳି ସମସ୍ୟା କେବଳ ପୁରୀ ସହରରେ ସୀମିତ ରହିନାହିଁ, ଏହା ରାଜ୍ୟ ସ୍ତରରେ ଏକ ଚିନ୍ତାର କାରଣ ହେଲାଣି। ନିକଟରେ ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟର ୩୦ଟି ଜିଲା ମଧ୍ୟରୁ ୨୭ଟିରେ ଭୂତଳଜଳ ସ୍ତର ହ୍ରାସ ପାଇଛି। ଗତ ପାଞ୍ଚବର୍ଷରେ ଏହା ୦.୫୩ ମିଟର ତଳକୁ ଖସିଛି। ତେବେ ଭୂତଳ ଜଳ ସ୍ତରର ନିରୀକ୍ଷଣ ଓ ସଞ୍ଚାଳନ ପାଇଁ ଜଳ ସମ୍ପଦ ସଚିବଙ୍କ ନେତୃତ୍ୱରେ ଓଡ଼ିଶା ଭୂତଳ ଜଳ ପ୍ରାଧିକରଣ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବିଳମ୍ବରେ ହେଲେ ମଧ୍ୟ ସରକାର ଏହା ଉପରେ ବିଚାରକରିବା ଏକ ସକାରାମତ୍କ ଦିଗକୁ ସୂଚିତକରେ।
ଉଲ୍ଲେଖନୀୟ ଯେ, ସହରୀ ବିକାଶ, ଶିଳ୍ପ ଓ କୃଷି କାର୍ଯ୍ୟରେ ଅତ୍ୟଧିକ ଭୂତଳ ଜଳ ବ୍ୟବହାର ଏହାର ସ୍ତରକୁ କମାଇବାରେ ଲାଗିଛି। ଦରକାରଠାରୁ ଅଧିକ ଜଳ ଉତ୍ତୋଳନ କରାଯାଉଛି। ଦେଖାଯାଉଛି ଘରେ ବାସନ ଧୋଇବା, ଲୁଗା ସଫା କରିବା, ଗାଡ଼ି ଧୋଇବା ଓ ବଗିଚାରେ ଭୂତଳ ଜଳର ଅପବ୍ୟବହାର ହେଉଛି। ଏହାଠାରୁ ଅଧିକ ଭୂତଳ ଜଳ ଚାଷ ଏବଂ ଶିଳ୍ପରେ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉଛି। ଜଳର ପୁନଃ ଉପଯୋଗ ପଦ୍ଧତିକୁ ଏବେ ସୁଦ୍ଧା ଆପଣାଯାଇନାହିଁ। ଭୂତଳ ଜଳ ସମସ୍ୟା ଓ ତା’ର ସମାଧାନ ସରକାର କରିବେ କହି ଚୁପ୍‌ ହୋଇ ବସିଗଲେ ସେଥିରେ ସଫଳ ହେବା କଷ୍ଟକର। ଦେଖିବାକୁ ଗଲେ ସୀମିତ ମଧୁର ଜଳ (ଉଭୟ ପ୍ରବାହିତ ଓ ଭୂତଳ ଜଳ)ର ସୁରକ୍ଷା ପଛରେ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଉଲ୍ଲେଖନୀୟ ଯେ ପୃଥିବୀର ୭୧ ଭାଗ ହେଉଛି ଜଳ। ଏହାର ଶତକଡ଼ା ୯୭.୩ ଭାଗ ଲବଣ ଜଳ ଏବଂ ଅବଶିଷ୍ଟ ୨.୭ ଭାଗ ମଧୁର ଜଳର ଶତକଡ଼ା ୮୮ ଭାଗ ଜୀବଜଗତ ପାଇଁ ଉପଲବ୍ଧ ନୁହେଁ। ସମୁଦାୟ ମଧୁର ଜଳର ମାତ୍ର ୧୨ ଭାଗ କାମରେ ଲାଗିଥାଏ । ନଦୀ, ଝରଣା, ଜଳାଶୟ, ଭୂତଳରୁ ଆମେ ଏହି ଜଳ ପାଇଥାଉ। ଏହା ବ୍ୟତୀତ ବର୍ଷାଜଳ ଏହାର ଏକ ବଡ଼ ଭାଗ । କିନ୍ତୁ ତାହାକୁ ସଂରକ୍ଷଣ କରି ଉପଯୋଗ କରିବାକୁ ଏଯାବତ୍‌ ସକ୍ଷମ ହୋଇପାରିନାହଁୁ। ପୂର୍ବରୁ ଆକଳନ କରାଯାଇଥିଲା ଯେ, ଓଡ଼ିଶାର ଭୌଗୋଳିକ ଅଞ୍ଚଳରେ ବର୍ଷକୁ ଯେତିକି ବର୍ଷା ହୁଏ, ସେହି ଜଳ ଯଦି ପୋଖରୀ, ଜଳ ଅମଳ ପ୍ରକଳ୍ପ ଏବଂ ଭୂତଳ ଜଳ ଭରଣା କରିବାର ବ୍ୟବସ୍ଥା କରାଯାଇପାରନ୍ତା, ତେବେ ଗୋଟିଏ ବର୍ଷର ବର୍ଷାଜଳ ୧୦ ବର୍ଷ ପାଇଁ ଯଥେଷ୍ଟ ହୁଅନ୍ତା। ଏହା ବ୍ୟତୀତ ଆମେ ଭାରତୀୟମାନେ ଚରିତ୍ରଗତ ଭାବେ ପୋଖରୀ ଭଳି ଜଳାଶୟକୁ ସହ୍ୟ କରିପାରୁ ନାହଁୁ। ସହରାଞ୍ଚଳର ପୋଖରୀ ପୋତିଦେଇ ଘର କରିବା ଏକ ସାଧାରଣ ଦୃଶ୍ୟ। ସେହିଭଳି ପୋଖରୀ , ଝରଣା ଏବଂ ନଦୀଜଳକୁ ବିଷାକ୍ତ କରିବା ପାଇଁ ସବୁ ପ୍ରକାର ଅଳିଆ ଆବର୍ଜନା ଛାଡ଼ିଦେଉ। ଏପରିକି ପଇଡ଼ ପିଇକରି ତାକୁ ପୋଖରୀରେ ଫୋପାଡ଼ିବା ପାଇଁ ପିଲାଙ୍କୁ ଶିଖେଇଥାଉ।
କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ତଥ୍ୟ ଦର୍ଶାଇଛି ଯେ ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୨୦୧୭ ତୁଳନାରେ ୩୫୯ଟି ଜିଲାରେ ଭୂତଳ ଜଳରେ ନାଇଟ୍ରେଟ୍‌ ଥିବାବେଳେ ଏହି ସଂଖ୍ୟା ୨୦୨୩ରେ ୪୪୦ରେ ପହଞ୍ଚିଛି। ଏଭଳି ଜଳ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସହ ବିଶ୍ୱ ପରିସଂସ୍ଥାକୁ ମଧ୍ୟ କ୍ଷତି କରିଥାଏ। କାରଣ ନାଇଟ୍ରେଟ୍‌ ଥିବା ଭୂତଳ ଜଳ ଭୂପୃଷ୍ଠକୁ ଆସି ନଦୀ, ନାଳ, ଝରଣା ଆଦିରେ ମିଶି ଜଳଚର ପ୍ରାଣୀ ଓ ଉଦ୍ଭିଦଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରେ। ନିକଟ ଅତୀତରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟରୁ ଜଣାପଡ଼ିଥିଲା ଯେ, ରାଜ୍ୟର ଭୁବନେଶ୍ୱର ସମେତ କଟକ, ଢେଙ୍କାନଳ, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ବରଗଡ଼, ସମ୍ବଲପୁର, ଫୁଲବାଣୀ ଆଦି ୨୬ଟି ସହରରେ କେତେକ ସ୍ଥାନରେ ଭୂତଳ ପାନୀୟ ଜଳ ଗୁଣବତ୍ତାର ମାନକ ପୂରଣ କରିପାରିନାହିଁ। ବର୍ତ୍ତମାନ ପଞ୍ଚାୟତରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ଗାଁ ଗାଁରେ ପ୍ରତି ଘରକୁ ଟ୍ୟାପ୍‌ ସଂଯୋଗ ବ୍ୟବସ୍ଥା ହୋଇଛି। ସବୁ ପାଣି ଭୂତଳରୁ ଆସୁଛି। କୌଣସି ନଦୀ କିମ୍ବା ଝରଣାର ପାଣିକୁ ଆଣି ବିଶୋଧନ କରାଯାଇ ଏହା କରାଯାଉନାହିଁ ।
ଏପରିକି ନଦୀ କୂଳ ଗ୍ରାମଗୁଡ଼ିକରେ ମଧ୍ୟ ଏହା ହେଉନାହିଁ। ଅନ୍ୟପକ୍ଷରେ କୃଷି ପାଇଁ ଉଠାଜଳସେଚନ ବ୍ୟବସ୍ଥା ହୋଇଛି । ଅନେକ ଘରେ ମୋଟର ଯୋଗେ ଭୂତଳ ଜଳ ଉତ୍ତୋଳନ କରାଯାଇ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ଯେଉଁ ଜଳ ଲୋକେ ବ୍ୟବହାର କରୁଛନ୍ତି ସେଥିରେ ଫେଲାରାଇଡ୍‌ କିମ୍ବା ନାଇଟ୍ରେଟ୍‌ କେତେ ପରିମାଣରେ ଅଛି ତାହା ସେମାନେ ଜାଣିନାହାନ୍ତି କିମ୍ବା ସେମାନଙ୍କୁ ଅବଗତ କରାଯାଉନାହିଁ। ଫଳରେ ଏଭଳି ଜଳ ବ୍ୟବହାରକରି ଅନେକ ସମୟରେ ଲୋକେ କିଡ୍‌ନୀ କିମ୍ବା ପେଟ ରୋଗରେ ଆକ୍ରନ୍ତ ହେଉଥିବା ଖବର ଶୁଣିବାକୁ ମିଳୁଛି। ଏଣୁ ମଧୁର ଭୂତଳ ଜଳର ସଂରକ୍ଷଣ ଓ ସଦୁପଯୋଗ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ସହର ଓ ଗ୍ରାମାଞ୍ଚଳରେ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଆମକୁ ଅଧିକ ସଂଖ୍ୟକ ନଦୀବନ୍ଧ ଯୋଜନା, ଚେକ୍‌ ଡ୍ୟାମ୍‌, ଗଡ଼ିଆ, ପୋଖରୀଗୁଡ଼ିକର ପୁନରୁଦ୍ଧାରକରି ଜଳ ଧାରଣର କ୍ଷମତା ବଢ଼ାଇବାକୁ ହେବ। କୃଷି ପାଇଁ ସିଞ୍ଚନ କିମ୍ବା ବୁନ୍ଦା ଜଳସେଚନ ଲାଭଦାୟକ ହେବ। ଯେଉଁ ଅଞ୍ଚଳରେ ଭୂତଳ ଜଳ ହ୍ରାସ ପାଉଛି ସେଠାରେ ଏହାର ପ୍ରତିକାର ସ୍ବରୂପ କୃତ୍ରିମ ଜଳ ଭରଣ ୟୁନିଟ୍‌ ସ୍ଥାପନ କରିବାକୁ ପଡ଼ିବ ।
ଏକ ଦଶନ୍ଧି ପୂର୍ବରୁ ବୈଜ୍ଞାନିକମାନେ ଏହି ଉପାୟ ବତାଇଥିଲେ ଏବଂ ଏହା ଉତ୍ତର ପ୍ରଦେଶ, ରାଜସ୍ଥାନ, ବଞ୍ଜାବ, ଗୁଜରାଟ ଓ ତାମିଲନାଡୁରେ କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ଏଯାବତ୍‌ ହୋଇନାହିଁ। ଏ ଦିଗରେ ଏଠାରେ ଉଦ୍ୟମ ହେବା ଦରକାର। ଜଳର ଗୁଣବତ୍ତା ଜାଣିବାକୁ ବ୍ଲକ୍‌ ଏବଂ ମ୍ୟୁନିସିପାଲିଟି ଓ୍ବାର୍ଡ ସ୍ତରରେ ନିୟମିତ ସମୀକ୍ଷା ଓ ଅନୁଧ୍ୟାନ କରାଯିବା ଆବଶ୍ୟକ। ଜଳ ବିବାଦ ନେଇ ଯେତିକି ଆଲୋଚନା ହେଉଛି ଭୂତଳ ଜଳର ସ୍ଥିତି ନେଇ ଅନେକେ ଚିନ୍ତିତ ଥିବା ଭଳି ମନେହେଉନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତରରେ ଜଳ ପ୍ରତି ସଚେତନହେବା ଉଚିତ। ଏହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ନ ପାଇଲେ ଆଗକୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri