ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଯାଇନି । ସାପ କାମୁଡାର ଶିକାର ହୋଇ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଓ ସମ୍ପର୍କୀୟମାନେ ଗୁଣିଆ ଡକାଇ ମେଡିକାଲ ଭିତରେ ହିଁ ଝାଡଫୁଙ୍କା କରାଇଲେ । ଗତକାଲି ସନ୍ଧ୍ୟାରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଘଷିପୁରା ଥାନା ଭଣ୍ଡାରିଡିହା ଗାଁର ଯୁବକ ସୁଶୀଲ କୁମାର ଭିତିରିଆଙ୍କୁ ଗତକାଲି ମଧ୍ୟାହ୍ନରେ ଘର ନିକଟରେ ଏକ ବିଷଧର ସାପ କାମୁଡି ଦେଇଥିଲା। ପରିବାର ଓ ସାହି ପଡିଶା ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ। ଶେଷ ଚେଷ୍ଟା ଭାବେ ସେମାନେ ଜଣେ ଗୁଣିଆକୁ ଡକାଇ ଆଣିଥିଲେ। ମେଡିକାଲ ପରିସର ଭିତରେ ହିଁ ଗୁଣିଆ ଆସି ମୃତ ଯୁବକର ଦେହକୁ ଝାଡି ସାପ ବିଷ ଉତାରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ସମୟ ଧରି ଝାଡଫୁଙ୍କ ଚାଲିଥିଲା। ମେଡିକାଲରେ ଥିବା ଅନ୍ୟ ରୋଗୀ ଓ ସମ୍ପର୍କୀୟ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଶେଷରେ ବହୁ ଚେଷ୍ଟା ପରେ ଯୁବକ ଆଉ ନାହାନ୍ତି ବୋଲି ଗୁଣିଆ ନିଜେ ସ୍ୱୀକାର କରିଥିଲେ । ଏହା ପରେ ପରିବାର ଲୋକେ ମୃତଦେହକୁ ଘରକୁ ନେଇ ଯାଇଥିଲେ । ଏଭଳି ଘଟଣା ପୁଣି ଥରେ ସମାଜରେ ଅନ୍ଧବିଶ୍ୱାସ କେତେ ଚେର ମାଡି ବସିଛି ତାହା ପ୍ରମାଣ କରୁଛି । ସାପ କାମୁଡିଲେ ଗୁଣିଆ ନୁହେଁ ଡାକ୍ତରଖାନା ଯିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି ।

