ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ପରିଚୟ ଅଜୟ ସିଂ ବୋଲି ଜଣାପଡ଼ିଛି। ସେ ମୂଳତଃ କାନପୁର ଦେହାତ ଅଞ୍ଚଳର ବାସିନ୍ଦା ଥିବା ବେଳେ ଗ୍ରେଟର ନୋଏଡାରେ ଭଡ଼ାରେ ରହି ଅନଲାଇନ୍ ଡେଲିଭରି କାମ କରୁଥିଲେ।
ଆତ୍ମହତ୍ୟା ପୂର୍ବରୁ ଅଜୟ ଏକ ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ଭିଡିଓରେ ସେ ପତ୍ନୀଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ବିବାଦ ସମ୍ପର୍କରେ ଅଭିଯୋଗ କରିଛନ୍ତି। ନିଜ ମୃତ୍ୟୁ ପାଇଁ ସେ ପତ୍ନୀଙ୍କୁ ଦାୟୀ କରିଥିବା ମଧ୍ୟ ଭିଡିଓରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଅଜୟଙ୍କ ବିବାହ ପ୍ରାୟ ଏକ ବର୍ଷ ପୂର୍ବରୁ ହୋଇଥିଲା। ଉଭୟେ ପ୍ରେମ ବିବାହ କରିଥିବା କୁହାଯାଉଛି। ବିବାହ ପରେ ଦୁହେଁ ଗ୍ରେଟର ନୋଏଡାରେ ଭଡ଼ା ଘରେ ରହୁଥିଲେ।
ପୋଲିସର ସୂଚନା ଅନୁସାରେ, ଘଟଣାର ପ୍ରାୟ ଏକ ସପ୍ତାହ ପୂର୍ବରୁ ଅଜୟଙ୍କ ପତ୍ନୀ ନିଜ ବାପଘର ଉନ୍ନାଓକୁ ଯାଇଥିଲେ। ଏହାପରେ ଅଜୟ ଘରେ ଏକୁଟିଆ ରହୁଥିଲେ । ଏହି ସମୟରେ ସେ ଚରମ ପଦକ୍ଷେପ ନେଇଥିଲେ। ଆତ୍ମହତ୍ୟା ପୂର୍ବରୁ ରେକର୍ଡ କରିଥିବା ଭିଡିଓରେ ଅଜୟ ପତ୍ନୀଙ୍କ ସହ ଚାଲିଥିବା ବିବାଦ ବିଷୟରେ କହିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପତ୍ନୀ ଅନ୍ୟ ଯୁବକଙ୍କ ସହ ଫୋନ୍ରେ କଥା ହେଉଥିଲେ। କଲ୍ ହିଷ୍ଟ୍ରିରୁ ଏହା ଜାଣିବା ପରେ ସେ ପତ୍ନୀଙ୍କୁ ଅନ୍ୟ ଯୁବକଙ୍କ ସହ କଥା ନହେବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିବା ସେ ଭିଡିଓରେ କହିଥିବା ଜଣାପଡ଼ିଛି। ପତ୍ନୀ ଗାଳିଗୁଲଜ କରିବା ସହ ତାଙ୍କୁ ମାନସିକ ଭାବେ ହଇରାଣ କରୁଥିବା ମଧ୍ୟ ଅଜୟ ଅଭିଯୋଗ କରିଛନ୍ତି। ଲଗାତାର ବିବାଦ ଓ ମାନସିକ ଚାପରେ ସେ ଅତିଷ୍ଠ ହୋଇପଡ଼ିଥିବା ଭିଡିଓରେ କହିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ବିସରଖ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତକଙ୍କ ପରିବାରକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ବିସରଖ ଥାନା ପ୍ରଭାରୀ ରଣଜିତ ସିଂଙ୍କ ଅନୁସାରେ, ଯୁବକ ଜଣକ ଫାଶୀ ଲଗାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅଜୟ ରେକର୍ଡ କରିଥିବା ଭିଡିଓ ସମେତ ଘଟଣା ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ କରାଯାଉଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।

