ସରକାରୀ-ବେସରକାରୀ

ପ୍ରଭାତ କୁମାର ଦାସ

 

ସ୍ୱାଧୀନତା ପରବର୍ତ୍ତୀ ପ୍ରଥମାର୍ଦ୍ଧକୁ ଯଦି ବିଚାରକୁ ନେବା ସେତେବେଳେ ସବୁ କିଛି ସରକାରୀ ବ୍ୟବସ୍ଥା ଓ ପରିଚାଳନାରେ ଆବଦ୍ଧ ଥିଲା। ସାମ୍ୟବାଦର ଚିନ୍ତାଧାରା ମଣିଷ ମନରେ ନୂଆ ଆଗ୍ରହ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସବୁକିଛି ବଦଳିଗଲା। ସାମ୍ୟବାଦର ମନୋଭାବ ପରିତ୍ୟାଗ କରି ପୁଞ୍ଜିବାଦ ଆଡ଼କୁ ଦେଶ ଅଧିକ ଆକୃଷ୍ଟ ହୋଇ ପଡ଼ିଲା। କ୍ରମେ ସରକାରୀ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକୁ ବେସରକାରୀ କରିଦିଆଗଲା। ଅର୍ଥାତ୍‌ ବ୍ୟକ୍ତିଗତ ପରିଚାଳନା ହାତରେ ଟେକି ଦିଆଗଲା। କାରଣ ହେଲା ସରକାରୀ ପରିଚାଳନାରେ ଯେଉଁ କ୍ଷତିର ଭାର ଲଦିହୋଇ ପଡ଼ିଲା, ତାକୁ ଆୟତ୍ତରେ ରଖିବା ସମ୍ଭବ ହେଲାନାହିଁ। ବ୍ୟକ୍ତିଗତ ଲାଭ ଖୋଜିବାରୁ ଗୁଣାତ୍ମକ ମାନ ବି ହ୍ରାସ ପାଇଲା। ସରକାର, କିଏ ଏଥିପାଇଁ ଦାୟୀ, ସେ କଥା ବିଚାର ନ କରି ଅପାରଗତା ଓ ଭ୍ରଷ୍ଟାଚାରକୁ ପରିବର୍ତ୍ତନ ଏବଂ ସଂଶୋଧନ ନ କରି କ୍ରମେ ଗୋଟିଗୋଟି କରି ସବୁ ବେସରକାରୀ ପରିଚାଳନା ହାତକୁ ଟେକିଦେଲେ। ଏହା ଫଳରେ ରାଷ୍ଟ୍ରୀୟ ଭାବନା ଓ ସାମ୍ୟବାଦ ଚିନ୍ତାଧାରା ବ୍ୟାହତ ହେଲା। ସାମାନ୍ୟ କିଛି ଲୋକ ମାଲିକାନାର ଶିଡ଼ିଚଢ଼ି କ୍ରମେ ଉପରକୁ ଉଠିଲେ ଆଉ ଅନ୍ୟସମସ୍ତେ ସବୁ ଦିଗରୁ କ୍ଷତିଗ୍ରସ୍ତ ହେଲେ। ଦେଶର ସାମଗ୍ରିକ ସମ୍ପତ୍ତି କେତେଜଣ ମୁଷ୍ଟିମେୟଙ୍କ ହାତକୁ ଚାଲିଗଲା।
ପ୍ରଥମେ ଆମେ ଆମ ନିଜ ରାଜ୍ୟ କଥା ବିଚାର କରିବା। ଦ୍ରୁତ ଶିଳ୍ପବିକାଶ ପାଇଁ ୧୯୬୩ ମସିହାରେ ସରକାର ଶିଳ୍ପ ଉନ୍ନୟନ ନିଗମ ପ୍ରତିଷ୍ଠା କରିଥିଲେ। ରାଜ୍ୟ ଭିତରୁ ମିଳୁଥିବା କଞ୍ଚାମାଲ, ଜଳବିଦ୍ୟୁତ୍‌, ପରିବହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଠଟି ଭିନ୍ନ ଭିନ୍ନ ଶିଳ୍ପ ଓ ଚାରୋଟି ସୂତାକଳ ପ୍ରତିଷ୍ଠା କରିଥିଲେ। ସମବାୟ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଚିନିକଳ, ଝୋଟକଳ ମଧ୍ୟ ବସାଇଥିଲେ। କୋଣାର୍କ ଟିଭି ସେହି ସମୟରେ ସରକାରଙ୍କର ଏକ ଉତ୍ତମ ନିଷ୍ପତ୍ତି ଥିଲା। ବେଶ୍‌ କିଛି ବର୍ଷ ଏସବୁ ଉଦ୍ୟୋଗମାନ ଲାଭପ୍ରଦ ଓ ଗୁଣାତ୍ମକ ମାନ ରକ୍ଷା କରି ପରିଚାଳିତ ହେଉଥିଲେ। ରାଜ୍ୟର ବେକାରି ସମସ୍ୟା ବହୁ ପରିମାଣରେ ଦୂରୀଭୂତ ହୋଇଥିଲା।
ଅଶୀ ମସିହାର ପରବର୍ତ୍ତୀ ସମୟରେ ରାଜ୍ୟର ଅର୍ଥନୀତି ଯଥେଷ୍ଟ ଦୁର୍ବଳ ହୋଇପଡ଼ିଥିଲା। ସରକାରୀ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ବେତନ ଦେବାପାଇଁ ମଧ୍ୟ ରାଜକୋଷରେ ଅର୍ଥ ନ ଥିଲା। ଶିଳ୍ପ ଉନ୍ନୟନ ନିଗମ ବିଶେଷକରି କଳିଙ୍ଗଲୁହା କାରଖାନାର ଲାଭାଂଶରୁ ସରକାରୀ କର୍ମଚାରୀଙ୍କ ବେତନ ଭରଣା ହେଉଥିଲା। ସେହି ଲାଭାଂଶକୁ ଜମାପୁଞ୍ଜି କରି ଯଦି ସେତେବେଳେ ରଖାଯାଇପାରିଥାନ୍ତା ତେବେ ଏଯାବତ୍‌ ନିଗମ କର୍ମଚାରୀଙ୍କ ବେତନ ପାଇଁ ସେହି ସୁଧ ଟଙ୍କା ମଧ୍ୟ କମ୍‌ ପଡ଼ି ନ ଥାନ୍ତା। ଦେଶସାରା ଯେତେବେଳେ ସିମେଣ୍ଟର ଚାହିଦା ବଢ଼ିବଢ଼ି ଚାଲିଥିଲା, ସେତେବେଳେ ହୀରା ସିମେଣ୍ଟ କାରଖାନାକୁ ବିକ୍ରି କରି ଦିଆଗଲା। କେନ୍ଦୁଝରର ଗୋଡ଼ି ମାଟି ଯେତେବେଳେ ସୁନା ଦରରେ ବିକ୍ରି ହେଉଥିଲା, ଲୁହା ଇସ୍ପାତର ବଜାର ଦର ଯେତେବେଳେ ସର୍ବାଧିକ ଥିଲା ସେତେବେଳେ କଳିଙ୍ଗ ଲୁହା କାରଖାନା ବନ୍ଦ ହେଲା। କ୍ରୋମ ପଥର ମୂଲ୍ୟ ଆକାଶଛୁଅଁା ଥିଲାବେଳେ, ଫେରୋକ୍ରୋମ କାରଖାନା କ୍ଷତିରେ ଚାଲିଲା। ଇଣ୍ଡଷ୍ଟ୍ରିଆଲ ଓ୍ବାର୍କସ୍‌, କେବଲ କାରଖାନା, ରିଂରୋଲିଂ ମିଲ୍‌ ତା’ ଆଗରୁ ବନ୍ଦ ହୋଇଗଲା। ସୂତାକଳ, ଟାଇଲ୍‌ କାରଖାନା ଇତ୍ୟାଦି ବି ବିକ୍ରିହେଲା। କିନ୍ତୁ ଏସବୁ କାହିଁକି ହେଲା? ଏହାକୁ ଭାଗ୍ୟର ବିଡ଼ମ୍ବନା ବା ରାଜନୈତିକ ଅଭିସନ୍ଧିମୂଳକ ନିଷ୍ପତ୍ତି, ଯାହା କି କୁହାଯାଇପାରେ।
ନବେ ଦଶକରେ କୋଣାର୍କ ଟିଭି ଦେଶ ତମାମ ନଁ। କରିଥିଲା। ସେଇ ଶିଳ୍ପରେ ତାଲା ପଡ଼ିଲା। ସେତେବେଳେ ସରକାର ଥରେ ବିଚାରିଲେ ନାହିଁ କ’ଣ ପାଇଁ ରାଜ୍ୟର ଟିଭି ଶିଳ୍ପ ଭୁଶୁଡ଼ି ପଡ଼ିଲା। ଖଣିଜ ପରିଚାଳନା ମଧ୍ୟ ଠିକ୍‌ ସେହିଭଳି। ଲୁହାପଥର, ମାଙ୍ଗାନିଜ୍‌, କ୍ରୋମ୍‌ ପଥର ପାଇଁ ରାଜ୍ୟ ପୃଥିବୀ ପ୍ରସିଦ୍ଧ। ଯେଉଁ ସମୟରେ ଖଣିଜ ଦ୍ରବ୍ୟର ମୂଲ୍ୟ ଆକାଶଛୁଅଁ। ହେଉଥିଲା, ସେତିକିବେଳେ ଖଣି ନିଗମକୁ ଦୁର୍ବଳ କରାଇ, ଘରୋଇ ସଂସ୍ଥାମାନଙ୍କ ହାତକୁ ଖଣିସବୁ ଟେକି ଦିଆଗଲା। ସେମାନେ କେବଳ ପର୍ଯ୍ୟାପ୍ତ ପରିମାଣର ଉତ୍ତୋଳନ କଲେ ତା’ ନୁହେଁ, ନିଜ କ୍ଷମତାଠାରୁ ଅଧିକ ବିକ୍ରି କରି ମାଲାମାଲ ହେଲେ। ଜଙ୍ଗଲ ନଷ୍ଟ କଲେ, ପରିବେଶ ବିଗାଡ଼ିଲେ, ରାସ୍ତାଘାଟ ବରବାଦ କଲେ। ରାଜ୍ୟ ଶୂନ୍ୟଗର୍ଭା ହେଲା। ସରକାର ଭାବିଲେ ମାଟିତଳେ ଅପରିମିତ ପରିମାଣର ସମ୍ପଦ ଭରି ରହିଛି। ସେ ସବୁର କେବଳ ସେହିମାନେ ମାଲିକ। ଉତ୍ତର ବଂଶଧରମାନଙ୍କ ପାଇଁ କିଛି ରହୁ ଏ କଥା ବି ଥରେ ଭାବିଲେ ନାହିଁ। ଏସବୁ କଳାକାରନାମା ପାଇଁ କେବଳ ରାଜନୈତିକ ପ୍ରଭୁତ୍ୱକୁ ଦୋଷ ଦେଲେ ହେବ ନାହିଁ। କୁରାଢ଼ିର ବେଣ୍ଟ ଭଳି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏ ରାଜ୍ୟର ଭବିଷ୍ୟତକୁ ଶାଗୁଣା ଭଳି ଖାଇ ନଷ୍ଟ କରିଛନ୍ତି ଏଥିରେ ସନ୍ଦେହ ନାହିଁ।
ଏବେ ଶିକ୍ଷା ବ୍ୟବସ୍ଥାକୁ ଯିବା। ବିଜେବି, ରେଭେନ୍‌ଶା, ପୁରୀ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ଖଲ୍ଲିକୋଟ କଲେଜ ସବୁକୁ ମନେ ପକାଯାଉ। କ’ଣ ଥିଲା ସେ ସବୁ, ଆଉ କ’ଣ ହୋଇଛି ଆଜି? ମେଧାବୀ ଛାତ୍ରମାନେ ଏବେ ଘରୋଇ କଲେଜ ଆଡ଼େ ମୁହଁ।ଉଛନ୍ତି। ସରକାର କି ଶିକ୍ଷାକର୍ମକର୍ତ୍ତାମାନଙ୍କର ଏଥିପ୍ରତି ନିଘା ନାହିଁ। ଶହ ଶହ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଉଛି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜାଣିଶୁଣି ଅବହେଳା କରାଯାଉଛି। ସରକାରୀ ସ୍କୁଲଗୁଡ଼ିକ ଅବସ୍ଥା ଆହୁରି ଖରାପ। ଘରୋଇ ସ୍କୁଲରେ ଅପର୍ଯ୍ୟାପ୍ତ ପଇସା ଖର୍ଚ୍ଚ କରି ପିଲେ ପାଠ ପଢ଼ୁଛନ୍ତି। ସବୁ ବେସରକାରୀ ଶିକ୍ଷାନୁଷ୍ଠାନର ଏବେ ରାଜ୍ୟସାରା ପତିଆରା। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଣିଷ ଗୁହାଳରେ ପରିଣତ ହୋଇଛି। ଦଶ ଜଣ ପିଲାଙ୍କ ଉପସ୍ଥିତିକୁ ଶହେ ଜଣ ଦେଖାଇ ମଧ୍ୟାହ୍ନଭୋଜନ ଅର୍ଥ ଆତ୍ମସାତ୍‌ ହେଉଛି। ଅଧିକାରୀମାନେ ଫାଇଲ୍‌ ଚଷୁଛନ୍ତି। କେହି ପଚାରିଲେ ଅଭିଯୋଗ ହେଲେ ବିଚାର କରିବା ବୋଲି କହୁଛନ୍ତି।
ସ୍ବାସ୍ଥ୍ୟସେବା କଥା ନ କହିବା ଭଲ। ରାଜ୍ୟସାରା ଛତୁ ଫୁଟିଲା ଭଳି ବେସରକାରୀ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଗଢ଼ିଉଠିଛି। ସରକାରୀ ଚିକିତ୍ସାଳୟମାନ ମଶାଣି ଭୂଇଁର କାମ କରୁଛି। ରାଜ୍ୟର ପ୍ରତିଷ୍ଠିତ ମେଡିକାଲର ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଅ, ଯଦି ଭଲ ହେବାକୁ ଚାହଁ। ଜିଲା ମୁଖ୍ୟ ଚିକିତ୍ସାଳୟମାନ କେବଳ ରୋଗୀଙ୍କୁ ଅନ୍ୟ କେଉଁଠିକୁ ପଠେଇଦେଇ ନିଜ କାମ ସାରନ୍ତି। ସେହି ତୁଳନାରେ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ରୋଗୀମାନଙ୍କୁ ଶୋଷଣ କରିବାର ଅଧିକ ସୁବିଧା ପାଉଛନ୍ତି। ବଞ୍ଚତ୍ବାର ମୋହ ମଣିଷ ମୁହଁରେ ତୁଣ୍ଡିବାନ୍ଧି ରଖିଛି। ତା’ପରେ ସରକାରଙ୍କ ସ୍ବାସ୍ଥ୍ୟବୀମା ଯୋଜନା ସବୁ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଓ ତା’ର ଡାକ୍ତରମାନଙ୍କୁ ପୋଷିବା ପାଇଁ କରାଯାଇଛି। କୌଣସି ରୋଗୀ ତା’ର ପ୍ରକୃତ ସୁବିଧା ପାଇପାରନ୍ତି ନାହିଁ। ବରଂ ସେଠାରେ ମଲା ମଣିଷ ବି ନିଜ ପାଉଣା ଗଣି ସାରିଲା ପରେ ଶ୍ମଶାନ ଯିବାର ଅନୁମତି ପାଏ।
ଶେଷରେ ପରିବହନ ବ୍ୟବସ୍ଥାକୁ ଦେଖାଯାଉ। ସରକାର ବସ୍‌ ପରିବହନକୁ ଚଳାଇ ପାରିଲେ ନାହିଁ, ତାକୁ ଘରୋଇକରଣ କରିଦେଲେ। ସବୁ ରୁଟ୍‌ରେ ସବୁ ବସ୍‌ ମାଲିକ ମାଲାମାଲ ହେଲେ। ସରକାରଙ୍କୁ ଆଙ୍ଗୁଠି ଅଗରେ ନଚାଇବା ଆରମ୍ଭ କଲେ। ଲଜ୍ଜାର କଥା ଯେଉଁ ବ୍ୟବସାୟକୁ ସରକାର ଓ ତାଙ୍କ ବାବୁମାନେ ଚଳେଇପାରିଲେ ନାହିଁ, ତାକୁ ବସ୍‌ ମାଲିକମାନେ ସୁରୁଖୁରୁରେ ଚଳେଇ ପ୍ରଚୁର ଲାଭ କରିପାରୁଛନ୍ତି। ବାବୁମାନେ କୌଶଳକ୍ରମେ ଦେଶ ଧନକୁ ଲୁଣ୍ଠନ କରନ୍ତି। ଜାଣି ନ ଜାଣିଲା ଭଳି ଆଖି ବୁଜି ବସନ୍ତି। ଥରେ ବି ଭାବନ୍ତି ନାହିଁ ଯେଉଁ ଅନୁଷ୍ଠାନଗୁଡ଼ିକରେ ସେମାନେ ପାଠ ପଢ଼ିଥିଲେ, ଯେଉଁ ଡାକ୍ତରଖାନାଗୁଡ଼ିକରୁ ନାଲିପାଣି, ଧଳା ବଟିକା ଖାଇ ସୁସ୍ଥ ହେଉଥିଲେ, ସେସବୁ ଅନୁଷ୍ଠାନ କାହିଁକି ବିଗିଡ଼ି ଯାଉଛି?
୫୮, ସ୍ବର୍ଣ୍ଣପୁରୀ, ଭୁବନେଶ୍ୱର
ମୋ: ୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

ରକ୍ଷକ ଯେବେ ଭକ୍ଷକ ହୁଅନ୍ତି

ଦେଶ ସ୍ବାଧୀନ ହେବା ପୂର୍ବରୁ ଚାକିରିର ଉପର ପଦବୀରେ ପ୍ରାୟ ଇଂରେଜମାନେ ଥିବାରୁ ତାଙ୍କ ଅଧୀନରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିବିଚ୍ୟୁତି ପାଇଁ କଠୋର ଦଣ୍ଡ ବ୍ୟବସ୍ଥା…

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ…

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri