Categories: ବାଣିଜ୍ୟ

୮୦% ଟପିବ ସରକାରଙ୍କ ଋଣ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଟିକସ ସଂଗ୍ରହ ହ୍ରାସ ହୋଇଥିବା ବେଳେ ଚଳିତ ଆର୍ଥତ୍କ ବର୍ଷରେ ମିଳିତ ବିତ୍ତୀୟ ନିଅଣ୍ଟ ୧୩%ରୁ ଊର୍ଦ୍ଧ୍ୱ ରହିପାରେ। ଏହା ଗତବର୍ଷ ତୁଳନାରେ ପ୍ରାୟ ୨ଗୁଣ ରହିବା ନେଇ ଆକଳନ କରାଯାଇଛି। ସରକାରଙ୍କ ଋଣ ଦୀର୍ଘଦିନ ଧରି ଜିଡିପିର ୭୦% ମଧ୍ୟରେ ରହି ଆସୁଥିଲା। ଚଳିତ ବର୍ଷ ଏହା ପ୍ରାୟ ୮୦% ଟପି ପ୍ରାୟ ୧.୦୧ ଲକ୍ଷ କୋଟି ଛୁଇଁବା ନେଇ ଆକଳନ କରାଯାଇଛି। ଏହା ହେଲେ ଭାରତ ଚାଇନା ପରେ ଏସିଆର ଦ୍ୱୀତିୟ ସର୍ବବୃହତ୍‌ ଋଣଗ୍ରସ୍ତ ରାଷ୍ଟ୍ର ହେବ ବୋଲି ଆକଳନ କରାଯାଇଛି।
କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ବିତ୍ତୀୟ ନିଅଣ୍ଟ ଲଗାତର ବଢୁଛି। ୨୦୧୯-୨୦ରେ ଏହା ୭%ରୁ ଊର୍ଦ୍ଧ୍ୱରେ ରହିଛି। ଗତ ୫ ବର୍ଷରେ ଏହା ହାରାହାରି ୬.୬% ସ୍ତରରେ ରହିଥିଲା। ୨୦୧୬ରୁ୨୦୧୯ ମଧ୍ୟରେ ବିତ୍ତୀୟ ନିଅଣ୍ଟକୁ ୪% ଭିତରେ ରଖିବାକୁ ସରକାର ଚେଷ୍ଟା କରିଛନ୍ତି। ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଏହା ୪.୬% ସ୍ତରରେ ରହିଛି। କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ଚାପଗ୍ରସ୍ତ ହୋଇଛି। ଫଳରେ ଚଳିତ ଆର୍ଥତ୍କ ବର୍ଷ ମିଳିତ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୧୩%ରୁ ବଢିଯିବ ବୋଲି ସିଙ୍ଗାପୁର ଭିତ୍ତିକ ଡିବିଏସ୍‌ ବ୍ୟାଙ୍କ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ଅର୍ଥନୀତିଜ୍ଞ ରାଧିକା ରାଓଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରିଛି।
ଗତ ୩ ବର୍ଷରେ ସରକାରଙ୍କ ଋଣ ହାରାହାରି ପ୍ରାୟ ୭୦% ସ୍ତରରେ ରହିଥିଲା। ମହାମାରୀ ଯୋଗୁ ସରକାରଙ୍କୁ ଅଧିକ ଋଣ କରିବାକୁ ପଡୁଛି। ଫଳରେ ଋଣ ମୋଟ ଜିଡିପିର ୮୦% ଟପିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଜୁଲାଇ ଶେଷ ସୁଦ୍ଧା ସରକାରଙ୍କ ପ୍ରତିଭୂତି (ବଣ୍ଡ ଏବଂ ଟ୍ରେଜେରି ବିଲ୍‌) ବକେୟା ବାବଦକୁ ୭୫.୬ ଲକ୍ଷ କୋଟି ବା ୧.୦୧ ଲକ୍ଷ କୋଟି ଟଙ୍କା ରହିଥିଲା। ଏଭଳି ସ୍ଥିତିରେ ରାଜ୍ୟଗୁଡିକର ଉନ୍ନତୀକରଣ ଋଣ ବାବଦ ବକେୟା ୩୪ ଲକ୍ଷ କୋଟି ଟଙ୍କା ସ୍ତର ଛୁଇଁଛି। ଏହା ମୋଟ ପ୍ରତିଭୂତିର ପ୍ରାୟ ଅଧା ବୋଲି ଜଣାପଡିଛି। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ପ୍ରତିଭୂତି ଜାରି କରିଥିବା ୫ ପ୍ରମୁଖ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶ ରହିଛି। ଜାରି କରାଯାଇଥିବା ମୋଟ ପ୍ରଭିଭୂତି ମଧ୍ୟରେ ଏହି ୫ ରାଜ୍ୟର ଅଂଶ ଅଧାରୁ ଅଧିକ ରହିଛି। ସେହିଭଳି ଶୀର୍ଷ ୧୦ ରାଜ୍ୟ ମୋଟ ପ୍ରତିଭୂତିର ପ୍ରାୟ ୭୫% ଅଂଶ ଜାରି କରିଛନ୍ତି।
ଅର୍ଥ ମନ୍ତ୍ରଣାଳୟ ଡାଟା ମୁତାବକ, ମୋଟ ସରକାରୀ ପ୍ରତିଭୂତି ମଧ୍ୟରୁ ୪୦% ବ୍ୟାଙ୍କଗୁଡିକ ନିକଟରେ ରହିଛି। ସେହିଭଳି ବୀମା କମ୍ପାନୀ ୨୫%, ରିଜର୍ଭ ବ୍ୟାଙ୍କ ୧୫% ଏବଂ ବିଦେଶୀ ନିବେଶକ ୨.୪% ହାସଲ କରିଛନ୍ତି। ସେହିଭଳି ମୋଟ ଷ୍ଟେଟ ଡେଭଲପମେଣ୍ଟ ଲୋନ(ଏସ୍‌ଡିଏଲ୍‌) ମଧ୍ୟରୁ ପ୍ରାୟ ୮୦% ମାଲିକାନା ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଭବିଷ୍ୟନିଧି ପାଣ୍ଠି ନିକଟରେ ରହିଛି। ଏସ୍‌ଡିଏଲ୍‌ ଲାଗି ସରକାରୀ ପ୍ରତିଭୂତିରେ ବିଦେଶୀ ପୋର୍ଟଫୋଲିଓ ନିବେଶ ସୀମା ୬% ରହିଛି। ଏହା ୨୦୨୧ ମାର୍ଚ୍ଚ ସୁଦ୍ଧା ଦୀର୍ଘମିଆଦୀ ଭିତ୍ତିରେ ୩.୪ ଲକ୍ଷ କୋଟି ଟଙ୍କା ଛୁଇଁପାରେ। ଏହା ଏସ୍‌ଡିଏଲ୍‌ରେ ୭୪,୭୦୦ କୋଟି ଟଙ୍କା ରହିବା ନେଇ ରିପୋର୍ଟରେ କୁହାଯାଇଛି।

Share