
ବ୍ରସଲେସ୍,୨୧ା୧: ୟୁରୋପରେ ଗୁଗ୍ଲକୁ ବେଆଇନ ଘୋଷଣା କରାଯାଇଛି। ଫଳରେ ଗୁଗ୍ଲକୁ ଶକ୍ତ ଧକ୍କା ଲାଗିଛି। ଏହା କେବଳ ଗୁଗ୍ଲ ପାଇଁ ନୁହେଁ, ଅନ୍ୟ ଓ୍ବେବସାଇଟ୍ଙ୍କ ମାଲିକଙ୍କ ପାଇଁ ମଧ୍ୟ ଶୁଭଙ୍କର ନୁହେଁ। ଏକ ମାମଲାର ଶୁଣାଣି କରି ଅଷ୍ଟ୍ରିଆ କୋର୍ଟ ଗୁଗ୍ଲ ଆନାଲିଟିକ୍ସ ୟୁରୋପୀୟ ଡାଟା ପ୍ରୋଟେକ୍ସନ ଆଇନ ଉଲ୍ଲଂଘନ କରୁଥିବା କହିଛନ୍ତି। ଏହାପରେ ଅଷ୍ଟ୍ରିଆରେ ଗୁଗ୍ଲକୁ ବେଆଇନ ଘୋଷଣା କରାଯାଇଛି।
ଏସବୁ କାରଣ ହେଲା ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ (ଜିଡିପିଆର)। ୨୦୧୮ରେ ଲାଗୁ ହୋଇଥିବା ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ ଅନୁସାରେ ୟୁରୋପର ନାଗରିକମାନେ ବ୍ୟକ୍ତିଗତ ତଥ୍ୟ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରିତ କରିପାରିବେ। ଏହି ନିୟନ୍ତ୍ରଣ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ ହୋଇପାରିବ।
୨୦୨୦ରେ କୋର୍ଟ ଅଫ୍ ଜଷ୍ଟିସ ଅଫ୍ ୟୁରୋପିଆନ ୟୁନିୟନ ପଲିସି (ସିଜେଇୟୁ) ଏକ ଶୁଣାଣି କରିଥିଲେ। ଏହି ଅନୁଯାୟୀ, ଆମେରିକୀୟ ଓ୍ବେବସାଇଟ୍ ପ୍ରୋଭାଇଡର ଦ୍ବାରା ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ଶେୟାର କରିବା ଜିଡିପିଆର ନିୟମ ପାଳନ କରୁନାହିଁ । ୨୦୨୦ ପୂର୍ବରୁ ପ୍ରାଇଭେସି ଶିଲ୍ଡ ନାମକ ଏକ ଆଇନ ଥିଲା । ଏହାଦ୍ବାରା ୟୁରୋପିଆନ ଡାଟା ଆମେରିକାକୁ ଯାଇ ପାରୁଥିଲା । ହେଲେ ୨୦୨୦ ଜୁଲାଇ ୧୬ରେ ସିଜେଇୟୁ ଏହି ଆଇନକୁ ଉଠାଇ ଦେଇଥିଲେ । ଏହାପରଠାରୁ ଆମେରିକୀୟ କମ୍ପାନୀଙ୍କୁ ଜିଡିପିଆର ଅନୁସାରେ କାମ କରିବାକୁ ପଡୁଛି। ସିଜେଇୟୁ ନିଷ୍ପତ୍ତି ପରେ ମଧ୍ୟ କିଛି ସର୍ଭିସ ପ୍ରୋଭାଇଡର୍ସ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଆମେରିକା ପଠାଉଥିଲେ । ଯେଉଁଥିରେ ଗୁଗ୍ଲ ଆନାଲିଟିକ୍ସ ମଧ୍ୟ ରହିଛି ।
ଏଣିକି ୟୁରୋପରେ କାମ କରୁଥିବା ଓ୍ବେବସାଇଟକୁ ଗୁଗ୍ଲ ଆନାଲିଟିକ୍ସ ବନ୍ଦ କରି ଅନ୍ୟ ବିକଳ୍ପ କଥା ଚିନ୍ତା କରିବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ ମାତ୍ରାଧିକ ଜରିମାନା ଦେବାକୁ ପଡ଼ିପାରେ। ରିପୋର୍ଟ ଅନୁସାରେ ଆୟରିସ ଡାଟା ପ୍ରୋଟେକ୍ସନ କମିଶନ ହ୍ବାଟ୍ସଆପ୍ରେ ଆଇନ ପାଳନ ନ କରିବାରୁ ୨୨.୫ କୋଟି ୟୁରୋ ଜରିମାନା ଲଗାଇଥିଲା।