କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି।
ପିତୃପକ୍ଷରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ମୋକ୍ଷଲାଭ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଏହି କାରଣରୁ ମା ବିରଜାଙ୍କ ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।
ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି। ପିତୃପୁରୁଷଙ୍କ ଆତ୍ମାର ସଦ୍ଗତି କାମନା କରି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଛୁଟି ଆସୁଛନ୍ତି।
ପିଣ୍ଡଦାନ ପରେ ମା ବିରଜାଙ୍କ ମୁଖଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

