ମହିଳାଙ୍କୁ ବାଟ ଛାଡ଼

ବିଚିତ୍ର ବିଶ୍ୱାଳ

 

ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନିଶ୍ଚିତ କରୁଥିବା ମହିଳା ସଂରକ୍ଷଣ ବିଲ୍‌- ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ ଘଟଣା। ଏହା ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କ ଭୂମିକାକୁ ଅଧିକ ମହତ୍ତ୍ୱ ପ୍ରଦାନ କରିବ । କିନ୍ତୁ କେବଳ ସ୍ଥାନ ସଂରକ୍ଷଣ କରିଦେଲେ ମହିଳାମାନଙ୍କର ଅଧିକାର ସାବ୍ୟସ୍ତ ହୋଇପାରିବ ନାହିଁ । ସେଥିପାଇଁ ସାରା ଦେଶର ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ମହିଳା ସଂରକ୍ଷଣ ବିଲ୍‌ କେବଳ ପ୍ରଥମ ପାହାଚ। ମହିଳାମାନଙ୍କ ଭାଗୀଦାରିତା ବଢ଼େଇବା କ୍ଷେତ୍ରରେ ଆହୁରି ଅନେକ ବାଟ ଯିବାର ଅଛି।
୧୯୯୬ରେ ଦେବେଗୌଡ଼ାଙ୍କ ସରକାର ସମୟରେ ମହିଳା ସଂରକ୍ଷଣ ବିଲ୍‌ ଲୋକ ସଭାରେ ଆଗତ ହୋଇଥିଲା। କିନ୍ତୁ ଏହାକୁ ସମର୍ଥନ ମିଳି ନ ଥିଲା। ପରେ ପରେ ଆହୁରି ଅନେକ ଥର ମହିଳା ସଂରକ୍ଷଣ ବିଲ୍‌ ସଂସଦକୁ ଆସି ଗୃହୀତ ହେବାରେ ବିଫଳ ହୋଇଛି। ଚଳିତ ଥର ମହିଳା ସଂରକ୍ଷଣ ବିଲ୍‌କୁ ପ୍ରାୟତଃ ସବୁ ଦଳ ସମର୍ଥନ କରିଛନ୍ତି। ଯଦିଓ ଏହା ଭୋଟ୍‌ ପାଇଁ ତଥା ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଏକ ଅଭିଯାନ ବୋଲି କୁହାଯାଉଛି, ତଥାପି ଏହା ଏକ ସକାରାତ୍ମକ ବିିକାଶ। ଯଦିଓ ଏହି ବିଲ୍‌ ଏବେ ଗୃହୀତ ହୋଇଛି କିନ୍ତୁ ଏହାକୁ ଲାଗୁକରିବା ପାଇଁ ଆମକୁ ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରକାଶ କରିଛନ୍ତି । ୨୦୨୬ ପରେ ଜନଗଣନା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ପରେ ଏହା କାର୍ଯ୍ୟକାରୀ ହେବ। ଯଦି ଆମେ ପ୍ରକୃତରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବାକୁ ଚାହୁଁଛୁ, ତେବେ କ’ଣ ଏହା ୨୦୨୪ ନିର୍ବାଚନରୁ ଲାଗୁହୋଇ ପାରି ନ ଥାନ୍ତା । ଇଚ୍ଛା ଓ ସଂକଳ୍ପବଦ୍ଧତା ଥିଲେ ଆଜିର ଡିଜିଟାଲ ଯୁଗରେ ଏହା ଆଦୌ ଅସମ୍ଭବ ନୁହେଁ। କିନ୍ତୁ ଅସଲ କଥା ହେଉଛି ୨୦୨୪ ନିର୍ବାଚନରୁ ଏହା ଲାଗୁହେଲେ ଅନେକ ନେତାଙ୍କ ରାଜନୈତିକ ଭବିଷ୍ୟତ ଆଶଙ୍କା ମଧ୍ୟକୁ ଠେଲିହୋଇ ଯିବ। ଏହି ରିସ୍କ ନେବାକୁ ବୋଧହୁଏ କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ଚାହୁଁନାହିଁ ।
ଭାରତ ଏବେ ବିଶ୍ୱଗୁରୁ ଆସନରେ ବିଜେ ହେବାକୁ ଯାଉଛି ବୋଲି ସରକାର ଦାବି କରୁଛନ୍ତି।
କିନ୍ତୁ ଜନସଂଖ୍ୟାର ଅଧାଭାଗ ମହିଳାଙ୍କୁ ବାଦ୍‌ ଦେଇ ଆମେ ବିଶ୍ୱଗୁରୁ ହୋଇପାରିବା କି? ସମ୍ପ୍ରତି ଲୋକ ସଭାରେ ମାତ୍ର ୮୨ ଜଣ ମହିଳା ସାଂସଦ ଅଛନ୍ତି, ଯାହାକି ସମୁଦାୟ ସାଂସଦଙ୍କ ସଂଖ୍ୟାର ୧୪.୪ ପ୍ରତିଶତ। ୧୯୫୨ ମସିହା ଲୋକ ସଭାରେ ୪.୯% ମହିଳା ସାଂସଦ ଥିବାବେଳେ ୨୦୧୯ରେ ଏହାମାତ୍ର ୧୪.୪%କୁ ବୃଦ୍ଧିହୋଇଛି। ୭୧ ବର୍ଷ ମଧ୍ୟରେ ମହିଳା ସାଂସଦଙ୍କ ହାରରେ ପାଖାପାଖି ୧୦% ବୃଦ୍ଧି ହୋଇଛି। ଏହା ଅତ୍ୟନ୍ତ କମ୍‌ ଓ ରାଜନୀତିରେ ମହିଳାଙ୍କ ଭାଗୀଦାରିତାର ଦୁର୍ବଳ ଦିଗକୁ ଦର୍ଶେଇବା ସହିତ ଆମ ଦେଶରେ ପୁରୁଷତାନ୍ତ୍ରିକ ମାନସିକତାକୁ ସ୍ପଷ୍ଟ କରୁଛି। ୧୯୯୦ରୁ ୨୦୨୩ ମଧ୍ୟରେ ମହିଳା ସାଂସଦଙ୍କ ହାରରେ ମାତ୍ର ୭% ବୃଦ୍ଧି ହୋଇଛି। ଏହି ସମୟସୀମା ମଧ୍ୟରେ ଯଦି ବିଶ୍ୱର ଅନ୍ୟ ଦେଶଗୁଡ଼ିକର ସଂସଦରେ ମହିଳାଙ୍କ ଭାଗୀଦାରିତାକୁ ଦେଖିବା ତେବେ ତାଙ୍କଠାରୁ ଆମେ କେତେ ପଛରେ ଅଛୁ ବୁଝିବାରେ ବାକିରହିବ ନାହିଁ । ସମ୍ପ୍ରତି ସ୍ବିଡେନରେ ମହିଳା ସାଂସଦଙ୍କ ହାର ୪୬.୪% ହୋଇଥିବାବେଳେ ନରୱେରେ ମହିଳା ସାଂସଦଙ୍କ ହାର ୪୬.୧%। ଚାଇନା ପରି ବିଶାଳ ଦେଶରେ ମଧ୍ୟ ମହିଳା ସାଂସଦଙ୍କ ହାର ୨୬.୫% ହୋଇଥିବାବେଳେ ଜର୍ମାନୀରେ ୩୫%, ଆମେରିକାରେ ୨୮.୮% ଓ ବ୍ରିଟେନ୍‌ରେ ୩୪.୫% ସାଂସଦ ମହିଳା । ଆର୍ଜେଣ୍ଟିନାରେ ୪୪.୭% ସାଂସଦ ମହିଳା ହୋଇଥିବାବେଳେ ଦକ୍ଷିଣ ଆଫ୍ରିକାରେ ୪୫.୪% ଓ ଇଥିଓପିଆରେ ୪୧.୩% ସାଂସଦ ମହିଳା। ୧୯୯୦ରୁ ୨୦୨୩ ମଧ୍ୟରେ ମହିଳା ସାଂସଦଙ୍କ ହାରରେ ଆମେରିକାରେ ୨୨% ବୃଦ୍ଧି ହୋଇଥିବା ବେଳେ ଇଂଲଣ୍ଡରେ ୨୮%, ଆର୍ଜେଣ୍ଟିନାରେ ୩୮%, ଦକ୍ଷିଣ ଆଫ୍ରିକାରେ ୪୧% ଓ ଇଥିଓପିଆରେ ୪୧% ବୃଦ୍ଧିହୋଇଛି। ଏହି ପରିସଂଖ୍ୟାନରୁ ବୁଝାପଡ଼ୁଛି ଯେ ମହିଳାମାନଙ୍କୁ ସୁଯୋଗ ଦେବାରେ ଭାରତ କେତେ ପଛରେ ପଡ଼ିଛି। ଏବେ ମହିଳା ସଂରକ୍ଷଣ ବିଲ୍‌ ଲାଗୁହେବା ପରେ ବି ମହିଳା ସାଂସଦମାନଙ୍କ ହାର ସେହି ୩୩%ରୁ ଅଧିକ ହେବାର ଆଶା ଦେଖାଯାଉନାହିଁ ।
ଏତଦ୍‌ବ୍ୟତୀତ ୨୦ରୁ ଅଧିକ ରାଜ୍ୟ ବିଧାନସଭାମାନଙ୍କରେ ମହିଳା ବିଧାୟକମାନଙ୍କ ହାର ୧୦%ରୁ ବି କମ୍‌। ତ୍ରିପୁରାରେ ମହିଳା ବିଧାୟକମାନଙ୍କର ସଂଖ୍ୟା ସର୍ବାଧିକ ୧୫% ହୋଇଥିବାବେଳେ ଛତିଶଗଡ଼ରେ ୧୪.୪%, ପଶ୍ଚିମବଙ୍ଗରେ ୧୩.୬%, ରାଜସ୍ଥାନ, ଦିଲ୍ଲୀ ଓ ପଞ୍ଜାବରେ ମହିଳା ବିଧାୟକମାନଙ୍କର ହାର ୧୧ପ୍ରତିଶତ। ମିଜୋରାମ ବିଧାନସଭାରେ ଆଦୌ ମହିଳା ବିଧାୟକ ନାହାନ୍ତି। ଓଡ଼ିଶାରେ ମହିଳା ବିଧାୟକମାନଙ୍କ ହାର ୮.୯%। କର୍ନାଟକରେ ୪.୫% ବିଧାୟକ ମହିଳା ହୋଇଥିବା ବେଳେ କେରଳରେ ୭.୯%, ମହାରାଷ୍ଟ୍ର ଓ ମଣିପୁରରେ ୮.୩%, ତାମିଲନାଡ଼ୁରେ ୫.୧% ଓ ଆସାମରେ ୪.୮% ବିଧାୟକ ମହିଳା। ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି ଦୁଃସ୍ଥ ପରିସ୍ଥିତିର ପ୍ରମାଣ ଏହାଠାରୁ ଅଧିକ କ’ଣ ହୋଇପାରେ!
ରାଜନୈତିକ ଦଳରେ ମହିଳାମାନଙ୍କର ଭାଗୀଦାରିକୁ ଦେଖିଲେ ଭାଜପାରେ ମହିଳା ସାଂସଦଙ୍କ ହାର ମାତ୍ର ୧୩.୫ ପ୍ରତିଶତ। ଦଳମାନଙ୍କ ମଧ୍ୟରେ ଓଡ଼ିଶାର ବିଜେଡିର ମହିଳା ସାଂସଦଙ୍କ ହାର ସର୍ବାଧିକ, ଯାହାକି ୪୧.୭ ପ୍ରତିଶତ। ତା’ ପଛକୁ ତୃଣମୂଳ କଂଗ୍ରେସର ମହିଳା ସାଂସଦଙ୍କ ହାର ୪୦.୯ ପ୍ରତିଶତ। ବାକି ଦଳମାନଙ୍କରେ ମହିଳା ସାଂସଦଙ୍କ ହାର ୨୦%ରୁ କମ୍‌।
ଏଭଳି ଏକ ପରିସ୍ଥିତିରେ ମହିଳାମାନଙ୍କ ପାଇଁ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ୩୩% ସ୍ଥାନ ସଂରକ୍ଷଣ ନିଶ୍ଚୟ ଏକ ଆଶାର କିରଣ ପ୍ରକାଶ କରୁଛି। ତଥାପି ଏହି ଅଧିନିୟମର ବାସ୍ତବିକ ସଫଳତା ପାଇଁ ପୁରୁଷମାନଙ୍କୁ ଚୌକିର ଲୋଭ ଛାଡ଼ିବାକୁ ହେବ। ଆଜି ଦେଖାଯାଉଛି ଯେ ମହିଳାମାନେ କେଉଁଥିରେ ପଛରେ ନାହାନ୍ତି। ମହିଳାମାନେ ପାରମ୍ପରିକ ଭାବେ ପଛୁଆ ବୋଲି ଥିବା ପୁରୁଣାକାଳିଆ ଚିନ୍ତା ଏବେ ଭୁଲ୍‌ ପ୍ରମାଣିତ ହେଲାଣି। ଶାସନ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି ହାର ଅତ୍ୟନ୍ତ କମ୍‌ର କାରଣ ମହିଳାମାନଙ୍କ ଦୁର୍ବଳତା ନୁହେଁ। ଅସଲ କାରଣ ହେଉଛି ପୁରୁଷମାନେ ମହିଳାମାନଙ୍କର ସୁଯୋଗକୁ ଛଡ଼େଇ ନେଇଛନ୍ତି ଓ ସେହି ଛଡ଼େଇ ନେବା ପ୍ରକ୍ରିୟାକୁ ସ୍ବାଭାବିକ ବୋଲି ଦର୍ଶାଇବାର ଅପଚେଷ୍ଟା କରାଯାଇଛି। ଲୋକ ସଭାର ମହିଳା ସଂରକ୍ଷଣ ବିଲ୍‌ର ବିତର୍କରେ ଭାଗନେଇ ଡିଏମ୍‌କେ ସାଂସଦ କାନିମୋଝି କହିିଛନ୍ତି, ଆମକୁ (ମହିଳାମାନଙ୍କୁ) ସାଲ୍ୟୁଟ୍‌ ମାରିବା ବନ୍ଦ କର। ଆମେ ସାଲ୍ୟୁଟ୍‌ ପାଇବାକୁ ଚାହୁଁନାହୁଁ, ଆମେ ଆସ୍ଥାନରେ ରହିବାକୁ ଚାହୁଁନାହୁଁ କି ପୂଜା ପାଇବାକୁ ଚାହୁଁନାହୁଁ। ଆମେ ତୁମର ମା’ ଡାକ ଚାହୁଁନାହୁଁ, କି ତୁମ ସ୍ତ୍ରୀ କି ଭଉଣୀ ଭାବେ ରହିବାକୁ ଚାହୁଁନାହୁଁ। ଆମେ ସମାନ ଭାବେ ସମ୍ମାନ ପାଇବାକୁ ଚାହୁଁଛୁ।
ଆମ ଦେଶରେ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ହୋଇଥିବା ସ୍ଥାନ ସଂରକ୍ଷଣର ଅଭିଜ୍ଞତା ଆମର ଅଛି। ଏପରି କି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କରାଯାଇଛି। କିନ୍ତୁ ଓଡ଼ିଶା ହେଉକି ଅନ୍ୟ ଯେକୌଣସି ରାଜ୍ୟ ଅଧିକାଂଶ ସ୍ଥାନରେ ମହିଳା ସରପଞ୍ଚ ବା ପଞ୍ଚାୟତ ସମିତି ସଦସ୍ୟ ହୋଇଥିବା ବେଳେ ଅସଲ କ୍ଷମତା ତାଙ୍କ ସ୍ବାମୀ, ଭାଇ କିମ୍ବା ପୁଅ ରୂପରେ କୌଣସି ପୁରୁଷ ହାତରେ ରହୁଛି। ଏପରିକି ଅନୌପଚାରିକ ଭାବରେ ସରପଞ୍ଚ ପତି ବ୍ୟବସ୍ଥା କିଛି ରାଜ୍ୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ମହିଳାମାନେ କେବଳ ନାମକୁମାତ୍ର କାଗଜପତ୍ରରେ ଦସ୍ତଖତ କରୁଛନ୍ତି କିନ୍ତୁ ନିଷ୍ପତ୍ତି ନେବାର ସବୁ ଅଧିକାର ପୁରୁଷ ନିଜ ପାଖରେ ଭିଡ଼ିରଖିଛି। ଏହା ମହିଳା ସଶକ୍ତୀକରଣ ନାମରେ ମହିଳା ତୁଷ୍ଟୀକରଣମାତ୍ର। ସେହିପରି ଲୋକ ସଭା ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ କେବଳ ସ୍ଥାନ ସଂରକ୍ଷଣ କରିଦେଲେ ହେବ ନାହିଁ, ମହିଳାମାନଙ୍କୁ ସୁଯୋଗ ଦେବାର ଅଛି। ମହିଳାମାନଙ୍କ ପାଇଁ ପୁରୁଷମାନେ ବାଟଛାଡ଼ିବାର ଅଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri