ଗାନ୍ଧିଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ

ଜାନୁଆରୀ ୧୯୧୫ରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚତ୍ଥିଲେ। ସ୍ବଦେଶକୁ ବାହୁଡ଼ି ଆସିବା ପାଇଁ ତାଙ୍କୁ ୧୯୧୨ରେ ଅନୁରୋଧ କରିଥିଲେ ଦକ୍ଷିଣ ଆଫ୍ରିକା ଭ୍ରମଣରେ ଯାଇଥିବା ଗୋପାଳକୃଷ୍ଣ ଗୋଖ୍‌ଲେ। ମୁମ୍ବାଇର ପ୍ରଭାବଶାଳୀ ନାଗରିକ ସାର୍‌ ଫିରୋଜଶାହା ମେହତା, ଜେବି ପେଟିଟ୍‌, ବିଜି ହର୍ନିମାନ୍‌ ଓ ଗୋଖ୍‌ଲେ ପ୍ରମୁଖ ବ୍ରିଟିଶ୍‌ ସରକାରଙ୍କୁ ପ୍ରଭାବିତ କରି ଆପୋଲୋ ବନ୍ଦରରେ ମହାତ୍ମାଙ୍କ ଅବତରଣର ବ୍ୟବସ୍ଥା କରିଥିଲେ। ବାରିଷ୍ଟର ହୋଇଥିଲେ ହେଁ ମହାତ୍ମା କାଠିୟାୱାଡ଼ ବେଶଭୂଷାରେ ଧୋତି, କୁରୁତା ଓ ପଗଡ଼ି ପିନ୍ଧି ଓହ୍ଲାଇଥିଲେ। ବ୍ରିଟିଶ୍‌ ସରକାର ସହ ସମ୍ପୃକ୍ତ କିଛି ପଦାଧିକାରୀ ମହାତ୍ମାଙ୍କ ସମ୍ପର୍କରେ ଶୁଣିଥିଲେ ହେଁ ତାଙ୍କର ଭାରତ ଆଗମନକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତରେ ବ୍ରିଟିଶ୍‌ରାଜର ଅନ୍ତ ଘଟିଥିଲା ବତିଶ ବର୍ଷ ପରେ। ଦେଶବାସୀଙ୍କ ପାଇଁ ସେ ଥିଲେ ନୂଆ ମୁହଁ। ତେଣୁ ସମୟ ନଷ୍ଟ ନ କରି ପ୍ରଥମେ ଭାରତ ଭ୍ରମଣ କରିବା ପାଇଁ ତାଙ୍କୁ ଉପଦେଶ ଦେଇଥିଲେ ଗୋଖ୍‌ଲେ। ସେ ଗୋଖ୍‌ଲେଙ୍କ ସର୍ଭାଣ୍ଟ୍‌ସ ଅଫ୍‌ ଇଣ୍ଡିଆ ସୋସାଇଟିର ସଦସ୍ୟ ହେବା ପରେ ଉକ୍ତ ସମାଜ ରେଳରେ ତାଙ୍କର ପ୍ରଥମ ଭାରତ ଭ୍ରମଣର ବ୍ୟବସ୍ଥା କରିଥିଲା। ୧୯୧୫ ଜାନୁଆରୀ ଶେଷଭାଗରେ ମହାତ୍ମାଙ୍କ ଯାତ୍ରା ରାଜକୋଟ୍‌ରୁ ଆରମ୍ଭ ହୋଇଥିଲା। ରାଜକୋଟ୍‌ରେ ଏକ ରେଳର ତୃତୀୟ ଶ୍ରେଣୀ ଡବାରେ ଚଢ଼ି ମହାତ୍ମା ଭାରତ ଭ୍ରମଣ ଆରମ୍ଭ କରିଥିଲେ। ପ୍ରଥମେ ଯାଇଥିଲେ କାଠିୟାୱାଡ଼ା। ସେଠାରେ ସେ ସତ୍ୟାଗ୍ରହ ଓ ଅହିଂସାର ବାଣୀ ପ୍ରଚାର କରିଥିଲେ। ତା’ପରେ ବାହାରିଥିଲେ ଅହମ୍ମଦାବାଦ। ଏହି ନଗରୀ ଉପକଣ୍ଠସ୍ଥ କୋଚରାବ ନାମକ ଗ୍ରାମରେ ପ୍ରଥମ ଆଶ୍ରମ ପ୍ରତିଷ୍ଠା କରି ସତ୍ୟାଗ୍ରହ ଆଶ୍ରମ ଭାବରେ ନାମିତ କରିଥିଲେ। ଅହମ୍ମଦାବାଦରୁ ବାହାରି ଯାଇ କୋଲକାତାର ଶାନ୍ତିନିକେତନରେ ପହଞ୍ଚତ୍ଥିଲେ । ରବୀନ୍ଦ୍ରନାଥ ଠାକୁର ଅନ୍ୟତ୍ର ଯାଇଥିବାରୁ ସଙ୍ଗେ ସଙ୍ଗେ ଭେଟ ହୋଇପାରି ନ ଥିଲା। ୧୯ ଫେବୃଆରୀ ୧୯୧୫ରେ ଗୋଖ୍‌ଲେଙ୍କ ଦେହାନ୍ତ ଖବର ପାଇ ପୁଣେ ଫେରିଥିଲେ। ଶୋକପାଳନ ପାଇଁ ଏକ ବର୍ଷ ଚପଲ ନ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗୋଖ୍‌ଲେଙ୍କ ସ୍ମୃତିରେ ଆୟୋଜିତ ଶୋକସଭାରେ ଯୋଗଦେଇ କୋଲକାତା ଫେରିଥିଲେ। ୬ ମାର୍ଚ୍ଚ ୧୯୧୫ରେ ଠାକୁରଙ୍କ ସହ ସାକ୍ଷାତ୍‌ ହୋଇଥିଲା ଏବଂ ସେ ହିଁ ତାଙ୍କୁ ପ୍ରଥମେ ମହାତ୍ମା ଭାବେ ସମ୍ବୋଧିତ କରିଥିଲେ।
୧୯୧୯-୨୦ରେ ପୁରୀ ଜିଲାରେ ଦୁର୍ଭିକ୍ଷ ପଡ଼ିଲା। ନ’ ଅଙ୍କ ଦୁର୍ଭିକ୍ଷ ପରେ ଏହା ଥିଲା ଓଡ଼ିଶା ପାଇଁ ଦ୍ୱିତୀୟ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ବ୍ରିଟିଶ୍‌ ସରକାର ସବୁ ଦେଖୁଥା’ନ୍ତି ସତ, ଲୋକଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥା’ନ୍ତି। ଏହା ଉତ୍କଳମଣି ଗୋପବନ୍ଧୁଙ୍କୁ ଖୁବ୍‌ ବାଧିଲା। ମହାତ୍ମା ଜାଣିଲେ ହୁଏତ କିଛି ପ୍ରତିକାର ହୋଇପାରିବ ଭାବି ସେ ଚିଠି ଲେଖିଲେ। ଚିଠିଟି ପଢ଼ି ମହାତ୍ମା ବ୍ୟଥିତ ହେଲେ ଏବଂ ଗୁଜରାଟୀ ଭାଷାରେ ପ୍ରକାଶ ପାଉଥିବା ‘ନବ ଜୀବନ’ରେ ଓଡ଼ିଶାରେ ଦୁର୍ଭିକ୍ଷ ଶୀର୍ଷକ ଲେଖାଟିଏ ଲେଖିଥିଲେ। ଗୋପବନ୍ଧୁଙ୍କ ନିମନ୍ତ୍ରଣରେ ପ୍ରଥମ ଥର ପାଇଁ ମହାତ୍ମାଙ୍କ ପାଦ ଓଡ଼ିଶାରେ ପଡ଼ିଥିଲା। ୧୯୨୧ରେ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନ। ଏହି ଆନ୍ଦୋଳନକୁ ସୁଦୂରପ୍ରସାରୀ କରିବା ପାଇଁ ମହାତ୍ମା ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ। ଏହି କ୍ରମରେ ୨୩ ମାର୍ଚ୍ଚ ୧୯୨୧ରେ ସେ କଟକରେ ପହଞ୍ଚତ୍ଥିଲେ। ସେ ଦିନ ଥିଲା ଦୋଳପୂର୍ଣ୍ଣିମା। ପୂର୍ବ ସାଙ୍ଗକୁ ମହାତ୍ମାଙ୍କ ଆଗମନରେ ସମଗ୍ର ରାଜ୍ୟ ଉତ୍ସବମୁଖରିତ ହୋଇ ଉଠିଥିଲା। ମହାତ୍ମାଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକେ କଟକରେ ପହଞ୍ଚତ୍ଥିଲେ। ଉକ୍ତ ଦିନ ଅପରାହ୍ଣରେ କାଠଯୋଡ଼ି କୂଳ ଗଣେଶ ଘାଟ ନିକଟରେ ଶୁଖିଲା ନଦୀର ବିସ୍ତୃତ ବାଲୁକା ଉପରେ ସଭା ଅନୁଷ୍ଠିତ ହୋଇଥିଲା।
ମହାତ୍ମାଙ୍କୁ ଭେଟି ଥିଲେ ଦଶପଲ୍ଲାର ମୁକ୍ତି ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଦଶପଲ୍ଲାର କନ୍ଧମେଳି ଓ ଶାସକମାନଙ୍କର ନିର୍ମମ ଅତ୍ୟାଚାର ତଥା ନରହତ୍ୟା ଦେଖି ବ୍ୟଥିତ ହୋଇଥିଲେ ଗୋବିନ୍ଦ। ଇଂରେଜମାନଙ୍କୁ ନ ତଡ଼ିବାଯାଏ ଦେଶବାସୀ ସୁରକ୍ଷିତ ନୁହନ୍ତି, ଏହାକୁ ମନରେ ଗ୍ରହଣ କରି ସେ ଓଡ଼ିଶା ଛାଡ଼ିଥିଲେ। କୋଲକାତାରେ ସୁରେନ୍ଦ୍ର ନାଥ ବାନାର୍ଜୀ ଓ ଶାନ୍ତିନିକେତନରେ ରବୀନ୍ଦ୍ର ନାଥ ଠାକୁରଙ୍କୁ ଭେଟି ଓଡ଼ିଶାର ଦୁଃଖ ଜଣାଇଥିଲେ। ତାହା ପରେ ଦୀନବନ୍ଧୁ ଆଣ୍ଡ୍ରୁଜ୍‌ଙ୍କ ସହ ତାଙ୍କର ଦେଖା ହୋଇଥିଲା। ତାଙ୍କ ପରାମର୍ଶ ମାନି ସେ ଯାଇଥିଲେ ମହାତ୍ମାଙ୍କ ସାବରମତୀ ଆଶ୍ରମ। ୧୯୨୫ ବେଳକୁ କଂଗ୍ରେସ କାର୍ଯ୍ୟକ୍ରମଗୁଡ଼ିକରୁ ଟିକିଏ ଦୂରେଇ ସଙ୍ଗଠନ କାମ ଓ କୁଟୀରଶିଳ୍ପର ପ୍ରସାର ଦିଗରେ ଅଧିକ ସମୟ ଦେବା ପାଇଁ ମହାତ୍ମା ନିଷ୍ପତ୍ତି ନେଇସାରିଥିଲେ। ସେହି ସମୟରେ ଓଡ଼ିଶାରେ ଏଭଳି କାର୍ଯ୍ୟକୁ ଗୁରୁତ୍ୱ ଦେଉଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ମଧୁସୂଦନଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଓଡ଼ିଶା ଆସି ୧୯ ଅଗଷ୍ଟ ୧୯୨୫ରେ କଟକରେ ପହଞ୍ଚତ୍ଥିଲେ। ସାଙ୍ଗରେ ଥିଲେ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ, କୋଲକାତାର ବିଶାଳୀ ମାରୱାଡ଼ୀ ବ୍ୟବସାୟୀ ରଙ୍ଗଲାଲ। ଷ୍ଟେଶନରୁ ପାଛୋଟି ଆଣିଥିଲେ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ। ମହାତ୍ମା କଟକ ଚାଉଳିଆଗଞ୍ଜସ୍ଥିତ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟ କରୁଥିବା ଅଛୁଆଁ ଶ୍ରମିକଙ୍କ ସହ କିଛି ସମୟ ବିତାଇଥିଲେ। ପୁଣି ସାବରମତୀରେ ଗୋଟିଏ ଟ୍ୟାନେରୀ ପ୍ରତିଷ୍ଠା କରିବା ପାଇଁ ମଧୁବାବୁଙ୍କ ପରାମର୍ଶ ନେଇଥିଲେ। ୨୦ ଅଗଷ୍ଟରେ କଟକସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ। ଗାନ୍ଧିଜୀ ଓଡ଼ିଶା ଗସ୍ତରେ ଆସିଥିଲେ ହେଁ ସମ୍ବଲପୁରରେ ତାଙ୍କର ପାଦ ପଡ଼ି ନ ଥିଲା। ତେଣୁ ସମ୍ବଲପୁରବାସୀଙ୍କ ଦାବିକୁ ସମ୍ମାନ ଦେଇ ମୁମ୍ବାଇରୁ କୋଲକାତା ଯିବା ବାଟରେ ୨୨ ଡିସେମ୍ବର ୧୯୨୮ରେ ଝାରସୁଗୁଡ଼ା ଷ୍ଟେଶନରେ ଓହ୍ଲାଇ ସମ୍ବଲପୁର ଆସିଥିଲେ। ମହାନଦୀ ବାଲିରେ ସାଧାରଣ ସଭା ହୋଇଥିଲା। ନଭେମ୍ବର ୧୯୩୩ରେ ମହାତ୍ମା ଅସ୍ପୃଶ୍ୟତା ବିରୋଧରେ ହରିଜନ ଯାତ୍ରା ଆରମ୍ଭ କରିଥିଲେ। ୧୯୩୪ ଅଗଷ୍ଟରେ ଏହି ଯାତ୍ରା ଶେଷ ହୋଇଥିଲା। ହରିଜନ ଯାତ୍ରା କାଳରେ ଓଡ଼ିଶାର ମୋଟ ଛପନଟି ସ୍ଥାନରେ ସେ ସଭା କରିଥିଲେ। ପୁରୀରେ ପଦଯାତ୍ରା କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ସ୍ବରୂପ ତାଙ୍କୁ ସମ୍ମାନ ଜଣାଇବା ସହ ଏହାକୁ ସ୍ମାରକୀ ଓ ତାତ୍ପର୍ଯ୍ୟପୂର୍ଣ୍ଣ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଛି। ଚଳିତ ବର୍ଷ ୧୮ ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ରବାସରେ ଥିବା ଭାରତୀୟମାନେ ନିଜ ଅନୁଭୂତି ଓ ଅନୁଭବ ରଖିବା ସହ ବିକଶିତ ଭାରତ ଗଢ଼ିବା ପାଇଁ ନୂଆ ନକ୍ସା ତିଆରି କରିବେ।
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ,
bipinrout@rediffmail.com


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମରେ ନୃତ୍ୟ

ନୃତ୍ୟ ହେଉଛି ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏକ ପ୍ରଦର୍ଶନର ବିଷୟ ହୋଇଥିବାରୁ ଏହା ସ୍ଥାନ କାଳପାତ୍ରରେ ପରିବର୍ତ୍ତନ ହୁଏ। ତେଣୁ ସଙ୍ଗୀତ ପରି...

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ...

ବନରୁ ଜୀବନ

ପରିବର୍ତ୍ତନର ବିରାଟ କଳାବାଦଲ ଆଜି ସାରା ବିଶ୍ୱର ଭାଗ୍ୟାକାଶକୁ ଆଚ୍ଛାଦିତ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପରିବେଶ...

ଟ୍ରମ୍ପଙ୍କ ହିସାବ

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ଏହି ସମାରୋହକୁ ସେ କେତୋଟି ହାତଗଣତି ଦେଶର ମୁଖ୍ୟତଃ ଦକ୍ଷିଣପନ୍ଥୀ...

ସମୟର ସ୍ବରୂପ

କେବେ ଭାବିଛନ୍ତି, ଯଦି ସମୟକୁ ରୋକି ହୁଅନ୍ତା ଆଉ ପୁଣି ବିଗତ ସମୟକୁ ଫେରେଇ ଆଣି ହୁଅନ୍ତା, ଏ ସାରା ସଂସାରଟା କେତେ ବିଚିତ୍ର ଲାଗନ୍ତା...

ଏଇ ଭାରତରେ

୧୪ ବର୍ଷ ବୟସରେ ବାହା ହୋଇଥିଲେ ତାଙ୍କଠାରୁ ତିନିଗୁଣ ଅଧିକ ବୟସର ବ୍ୟକ୍ତିଙ୍କୁ। ସେ ମା’ ହେଲେ ୧୫ ବର୍ଷରେ। ବାଲ୍ୟ ବିବାହର ଯନ୍ତ୍ରଣାକୁ ଅତି...

ଭୂତଳ ଜଳ ଜହର

ଦେଶର ଭୂତଳ ଜଳ ଓ ଏହାର ଗୁଣ ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି)ର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା...

ସାଂସ୍କୃତିକ ସମର ଓ ସେନାପତି ଫକୀରମୋହନ

ସାଂସ୍କୃତିକ ଜାଗରଣର ଅଗ୍ରଦୂତ ଫକୀରମୋହନ ସେନାପତି। ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର। କେନ୍ଦ୍ରାପଡ଼ାର କୁଶିନ୍ଦା ଗ୍ରାମରୁ ଆସି ବାଲେଶ୍ବର ଜିଲାର ମଲ୍ଲିକାଶପୁରରେ ସ୍ଥାୟୀ ଭାବରେ ରହୁଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri