Posted inଫୁରସତ

ସୂର୍ଯ୍ୟଙ୍କ ରଥରେ ଗଜପତି ଛେରାପହଁରା କରୁଥିଲେ

ଗତ ସଂଖ୍ୟାରେ ଆଲୋଚିତ ହୋଇଥିଲା ସମଗ୍ର ଭାରତବର୍ଷରୁ ବଛାବଛା ଜାଣିବା ଲୋକଙ୍କୁ ମନ୍ଦିର ନିର୍ମାଣ ସମୟରେ ଗଜପତି କୋଣାର୍କକୁ ଆମନ୍ତ୍ରଣ କରିଥିଲେ। ଶ୍ରୀମନ୍ଦିର ଭଣ୍ଡାରରୁ ସୁନାମାଢ଼, ଖାଦ୍ୟ ପାଇଁ ଧାନ ଓ ମହାପ୍ରସାଦ ମଧ୍ୟ କୋଣାର୍କକୁ କିପରି ଯାଇଥିଲା ଆମେ ଜାଣିଲେ। ଏବେ ଜାଣିବା କୋଣାର୍କଠାରେ ଶ୍ରୀଆଦିତ୍ୟ ନାରାୟଣଙ୍କ ରଥଯାତ୍ରାରେ ଗଜପତି ଛେରାପହଁରା ସେବା କରୁଥିଲେ।
ଗଜପତି ଓ ଛେରାପହଁରା:
ସ୍ନାନପୂର୍ଣ୍ଣିମା ପରେ ପରେ ଗଜପତି ପୁରୀରୁ କୋଣାର୍କ ଫେରି ଯାଇଥିଲେ। ଅଣସର ସମୟ ଆରମ୍ଭ ହୋଇଥିଲା। ଅଣସରରେ ବଡ଼ୁମହାପାତ୍ର ପୁରୁଷୋତ୍ତମ ମନ୍ଦିରରୁ ଗଜପତିଙ୍କ ପାଇଁ ପ୍ରସାଦ ନେଇ କୋଣାର୍କ ଯାଇଥିଲେ। କେଉଁ ପ୍ରସାଦ ନେଇଥିଲେ ଜଣାପଡ଼ୁ ନାହିଁ। ମହାପ୍ରଭୁ ଅଣସରରେ ଥିବାବେଳେ ସୁସ୍ଥ ହେବା ପରେ ଗଜପତିଙ୍କ ପାଖକୁ ‘ଖଡ଼ିପ୍ରସାଦ’ ବିଜେ କରାଯାଏ। ଉଦ୍ଦେଶ୍ୟ ମହାପ୍ରଭୁ ସୁସ୍ଥ ହେଲେ। ଏହି ପ୍ରଥା ଅନୁଯାୟୀ ଗଜପତିଙ୍କ ପାଖକୁ ଦଇତା ସେବକମାନେ ‘ଖଡ଼ିପ୍ରସାଦ’ ନେଇ ଯାଆନ୍ତି, କିନ୍ତୁ ପୋଥିରେ ‘ବଡ଼ୁମହାପାତ୍ର ସେବକ’ ନେଇଯିବା କଥା ଅଛି। ଏହା ଖଡ଼ିପ୍ରସାଦ କି ନାହିଁ ତାହା ଜଣାପଡ଼ୁ ନାହିଁ। ହୁଏତ ଅନ୍ୟ ଶୁଖିଲା ପ୍ରସାଦ କିଛି ହୋଇପାରେ।
ଗଜପତି କୋଣାର୍କରେ ସ୍ନାନପୂର୍ଣ୍ଣିମାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ତଦାରଖ କରୁଥିଲେ। ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ଦିନ ହାତୀରେ ବସି ପୁରୀ ଫେରିଲେ ରଥଯାତ୍ରାରେ ଛେରାପହଁରା କରିବା ପାଇଁ। ଏଥିରୁ ସ୍ପଷ୍ଟ ହୁଏ ଯେ, ଛେରାପହଁରା ନୀତି ଗଙ୍ଗବଂଶ ଶାସନ କାଳରେ ପ୍ରଚଳିତ ଥିଲା।
କୋଣାର୍କରେ ଶ୍ରୀମନ୍ଦିର ସେବକ:
– ଶ୍ରୀପଦ୍ମକେଶର ମନ୍ଦିରର ରତ୍ନମୁଦ କଳସରେ ମହାପ୍ରଭୁଙ୍କ ପ୍ରସାଦ ପକାଯାଇଥିଲା। ପୁରୁଷୋତ୍ତମ ବଡ଼ଦେଉଳରୁ ପତିମହାପାତ୍ର ସେବକ ପ୍ରସାଦ ନେଇ କୋଣାର୍କରେ ପହଞ୍ଚତ୍ଥିଲେ।
– ଗୋଟିଏ ବର୍ଷ ପୁରୁଷୋତ୍ତମ କ୍ଷେତ୍ରକୁ ରଥକାର୍ଯ୍ୟ ପାଇଁ କୋଣାର୍କ ନିର୍ମାଣଶାଳାକୁ ବଢ଼େଇ ଆସିଥିବାର ଜଣାଯାଏ।
– ପଥରରେ ନିର୍ମିତ ପଦ୍ମରେ ମାଣିକ୍ୟ ଖଞ୍ଜାଯାଇଥିଲା। ଏହାକୁ ଖଞ୍ଜିବା ପାଇଁ ଗଜପତିଙ୍କ ଆଦେଶରେ ପୁରୁଷୋତ୍ତମରୁ ‘ଚିହ୍ନରା’ (ବଣିଆ) ମାଣିକ୍ୟ କାରିଗର କୋଣାର୍କକୁ ଯାଇଥିଲେ। ଆଦେଶ ଥିଲା- ଦାମୋଦର ବୈଠାରୁ ସୁନାପିଠିଆ ଚିଟାଣିଆ ମହାରଣା (ଚିହ୍ନୁରା) ଆସିବେ। ଦାମ ଚିହ୍ନରା (ଚିହ୍ନର) କୋଣାର୍କ ଯିବା ପରେ ଶିବେଇ ସାମନ୍ତରା ଓ ତାଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ତଦନୁଯାୟୀ ବୁଢ଼ା ଆଙ୍ଗୁଠି ମୋଟାର ୧୭ଟି ଅକଟା ମାଣିକ୍ୟ ୧୦୦ଟି ସୁନାଖଣ୍ଡ (ଅସରପି) କୋଷାଗାରରୁ ଦାମ ଚିହ୍ନରାଙ୍କୁ ଦିଆଯାଇଥିଲା। ସୁନାର ପାତ୍ର ମଝିରେ ମାଣିକ୍ୟ ଖଞ୍ଜା ହେବ, ତାହା ପକ୍ଷୀର ନଖ ପରି ବଙ୍କା ଆକୃତିରେ ରହିବ। ତୀକ୍ଷ୍ଣ ହେବ ମାଙ୍କଡ଼ର ନଖଯୁକ୍ତ ପାଦ ପରି। ଏହା ପଥର ପଦ୍ମରେ ଖଞ୍ଜା ହେବ ୮, ୬, ୩ ଖଣ୍ଡ କ୍ରମରେ।
ସିଂହାସନ ନିର୍ମାଣ ପରେ ଅକ୍ଷୟତୃତୀୟା ଦିନ ଗୋଟିଏ ଯଜ୍ଞ ହୋଇଥିଲା। ମନ୍ଦିରର ଉତ୍ତରପଟେ ଅନୁଷ୍ଠିତ ଯଜ୍ଞରେ ବାରଜଣ ଆଚାର୍ଯ୍ୟ ନିୟୋଜିତ ଥିଲେ। ୧୨ଜଣଯାକ ପୁରୁଷୋତ୍ତମରୁ କୋଣାର୍କ ଯାଇଥିଲେ। ସେମାନେ ଦୁଇ ଦଳ ହୋଇ ଯଜ୍ଞ କରିବା ପରେ ମନ୍ଦିର ଖପୁରିର ଶୀର୍ଷରେ କଳସ ଲାଗିଥିଲା। ଯଜ୍ଞ ପରେ ପୁରୀ ଫେରିବାର ପାଖାପାଖି ଦୁଇ ମାସ ପରେ ଅଣସର ସମୟରେ ବଡ଼ଦେଉଳ (ପୁରୀ)ର ମୁଖ୍ୟ ନିରୀକ୍ଷକ ପଟ୍ଟଯୋଶୀ ପରିଛା, ଦେଉଳକରଣ ମଧୁ ପଟ୍ଟନାୟକ ଓ କାଶୀ ରାଜଗୁରୁ କୋଣାର୍କରେ ପହଞ୍ଚତ୍ ଭଣ୍ଡାରଘର ପାଖରେ ଗୋଟିଏ ଘରେ ରହିଥିଲେ। ସେମାନଙ୍କ ସହାୟତା ପାଇଁ ଚାରିଜଣ ଖଞ୍ଜା ବ୍ୟବସ୍ଥା ହୋଇଥିଲା।
– ମନ୍ଦିର ନିର୍ମାଣରେ ବିଘ୍ନ ନ ଆସିବା ପାଇଁ ନିଜେ ଗଜପତି ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରାଜଗୁରୁଙ୍କୁ ସଙ୍ଗରେ ଧରି କୋଣାର୍କରେ ପହଞ୍ଚତ୍ଥିଲେ। ଏହିଦିନ ରଥ ଉପରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୁଏ। ସମ୍ଭାବନା ହୁଏ ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ ଏଇ ସୁନାବେଶ ରଥ ଉପରେ ହେଉ ନ ଥିଲା। ନଚେତ୍‌ ପୁରୀରେ ଉପସ୍ଥିତ ରହିଥାନ୍ତେ।
– ମନ୍ଦିରରେ ପଦ୍ମଦଣ୍ଡ ପ୍ରତିଷ୍ଠାବେଳେ ଗଜପତି ଓ ରାଜଗୁରୁ କୋଣାର୍କରେ ଉପସ୍ଥିତ ଥିଲେ। ରାଜଗୁରୁ ପଞ୍ଚାମୃତରେ ପଦ୍ମଦଣ୍ଡକୁ ସ୍ନାନ କରାଇବା ପରେ ନାଲି ଖଣ୍ଡୁଆ ବନ୍ଧାଯାଇଥିଲା। ଏହି ଅବସରରେ ମିଠା ପ୍ରସ୍ତୁତି ହୋଇଥିଲା। ପୁରୀରୁ ଜଣେ ମିଠା କାରିଗର ବିରି, ଖଣ୍ଡଗୁଡ଼ ଓ ଘିଅ ବ୍ୟବହାର କରି ‘ତାଡ଼ିଆ’ ପ୍ରସ୍ତୁତ କରିଥିଲେ। ଏହା ଥିଲା ଏକ ସାମୂହିକ ଭୋଜି। ୩୦ଟି ମଶାଲ ଜଳିଲା ଖାଇବାବେଳେ। ଗଜପତି, ରାଜଗୁରୁ ଓ ଅନ୍ୟମାନେ ହାତୀରେ ପୁରୀ ଫେରିଥିଲେ।
– ମନ୍ଦିର ପ୍ରତିଷ୍ଠା ସମୟରେ ଯଜ୍ଞ ପାଇଁ ୧୧ଟି ‘ଶାଳା’ ନିର୍ମାଣ ହୋଇଥିଲା। ସେହି ସମୟରେ ପୁରୁଷୋତ୍ତମ ବଡ଼ଦେଉଳରୁ -ଉତ୍ସବକାଳୀନ ଚାମର, – ୧୦୦ ତୋଳା କର୍ପୂର, -ଧଳା ଚନ୍ଦନକାଠ ୧୨ ଖଣ୍ଡ, – ଦୁଇ ମାଢ଼ ରକ୍ତଚନ୍ଦନ, – ଦୁଇ ମାଢ଼ର ଅର୍କ ସମିଧ କୋଣାର୍କରେ ପହଞ୍ଚତ୍ଥିଲା।
ବାୟା ଚକଡ଼ାର ଲେଖକ ଯେ କି ଶ୍ରୀମନ୍ଦିରର ଚଡ଼ଉକରଣ ମାସିକ ପୁରୁଷୋତ୍ତମ କ୍ଷେତ୍ରରୁ ସାତ ମାଢ଼ ସୁନା ଗ୍ରହଣ କରିଥିଲେ ୧୨ ବର୍ଷ ୧୦ ମାସ ୧୪ ଦିନ ଧରି। ଏହି ସମୟ ପୂର୍ବରୁ ଶ୍ରୀପଦ୍ମକେଶର ମନ୍ଦିରର ନିର୍ମାଣ କାର୍ଯ୍ୟ ୬ ବର୍ଷ ତିନି ମାସ ଚାଲିଥିଲା। ସେ ସମୟରେ ଲେଖିବା ଦାୟିତ୍ୱରେ ଥିଲେ ପୁରୁଷୋତ୍ତମ କ୍ଷେତ୍ରର ମୁଖ୍ୟ ପରିଦର୍ଶକ। ସେଇ ଛଅବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରରୁ କ’ଣ କ’ଣ ଯାଇଥିଲା, ଜଣାପଡ଼ୁ ନାହିଁ।
ମାହାରୀ ପରମ୍ପରା:
ଶ୍ରୀପଦ୍ମକେଶର ମନ୍ଦିର ପ୍ରତିଷ୍ଠା ସମୟରେ ୪ଜଣ ମାହାରୀ ପୁରୀରୁ କୋଣାର୍କ ଯାଇଥିଲେ। ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ପ୍ରତିପଦା ଦିନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଥିଲା। ତହିଁ ମଧ୍ୟରୁ ତିନିଜଣ ମାହାରୀ ମୀନନାୟକଙ୍କ ମାର୍ଫତରେ ପୁରୀ ଫେରିଥିଲେ। ତିନି ତୋଳାର ଦୁଇଟି ଲେଖେଁ କାନଫୁଲ ତାଙ୍କୁ ଉପହାର ଦିଆଯାଇଥିଲା। ଜଣେ ମାହାରୀ କୋଣାର୍କରେ ବସବାସ କରି ରହିଲେ ମନ୍ଦିର ସେବା ପାଇଁ। କୋଣାର୍କରେ ଶ୍ରୀସୂର୍ଯ୍ୟଙ୍କ ମନ୍ଦିରରେ ମାହାରୀ ପ୍ରଥା ଉପାସନା ସମୟରୁ ହିଁ ପ୍ରଚଳିତ ହୋଇଥିଲା।
ଶ୍ରୀପଦ୍ମକେଶର ମନ୍ଦିରରେ ମହାଭାସ୍କରଙ୍କ ସନ୍ଧ୍ୟା ନୀତି ସରିବା ପରେ ବିଜେ ପ୍ରତିମାଙ୍କୁ ନାଟମନ୍ଦିରକୁ ଆଣି ବିଜେ କରାଯାଏ। ଆଳତି ପରେ ତିନୋଟି ରୁପାର ତୂରୀ ବାଜିଉଠେ। ତା’ ପରେ ନାଟମନ୍ଦିରରେ ମାହାରୀ ବିଜେ ପ୍ରତିମାଙ୍କ ସାମ୍‌ନାରେ ନୃତ୍ୟ କରନ୍ତି। କେବଳ ‘ମର୍ଦ୍ଦଳ’ ବ୍ୟବହାର ହୁଏ ନୃତ୍ୟ ସମୟରେ।
ସେତେବେଳେ ଉତ୍ସବକାଳୀନ ଛତ୍ରି ଓ ବାଦ୍ୟ ବାଜୁଥାଏ। ନୃତ୍ୟ ସମାପ୍ତ ହେବା ପରେ ବିଜେ ପ୍ରତିମାଙ୍କୁ ନାଟମନ୍ଦିରରୁ ଅଣାଯାଇ ଶୟନ ସ୍ଥାନରେ ବିଜେ କରାଯାଏ। ରଥଯାତ୍ରା ସମୟରେ ରଥ ଫେରିଆସି ଶ୍ରୀପଦ୍ମକେଶର ମନ୍ଦିର ସାମ୍‌ନାରେ ଲାଗିଲେ ବିଜେ ପ୍ରତିମା ପାଲିଙ୍କିରେ ବିଜେ କରି ନାଟମଣ୍ଡପକୁ ଆସନ୍ତି। ଭୋଗ ଅର୍ପଣ ପରେ ମାହାରୀ ନୃତ୍ୟ ଆରମ୍ଭ ହୁଏ। ନୃତ୍ୟ ପରେ ମୁଖ୍ୟ ମନ୍ଦିରକୁ ବିଜେ କରନ୍ତି।
ସୂର୍ଯ୍ୟଙ୍କ ରଥରେ ଛେରାପହଁରା:
ସ୍ମରଣଯୋଗ୍ୟ ଯେ କୋଣାର୍କରେ ସୂର୍ଯ୍ୟଙ୍କ ରଥଯାତ୍ରା ସମୟରେ ଛେରାପହଁରା ନୀତି ପ୍ରଚଳିତ ଥିଲା। ଗଜପତିଙ୍କ ଅବର୍ତ୍ତମାନରେ ଶ୍ରୀଜଗନ୍ନାଥଙ୍କ ରଥରେ ‘ମୁଦିରସ୍ତ’ ସେବକ ଛେରାପହଁରା କରିବା ପରମ୍ପରା ଥିବାବେଳେ ଶ୍ରୀମହାଭାସ୍କରଙ୍କ ରଥରେ ରାଜଗୁରୁ ଛେରାପହଁରା କରିବାର ପରମ୍ପରା ଥିଲା। ଏହି ଅବସରରେ ପୁରୁଷୋତ୍ତମ ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପାଟ ପ୍ରତିବର୍ଷ କୋଣାର୍କକୁ ଯିବାର ବିଧି ପ୍ରଚଳିତ ଥିଲା।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସରିବା ପରେ ୨୪ ହାତ ଉଚ୍ଚର ଗୋଟିଏ ରଥ ନିର୍ମାଣ ହୋଇଥିଲା। ୪୦ ଜଣ ବଢ଼େଇ ରଥ ଗଢ଼ିଥିଲେ। ରଥାକାର ନାରାୟଣ ମହାପାତ୍ର ଭଣ୍ଡାରରୁ ଏଥିପାଇଁ କାଠ ଆଣିଥିଲେ। ରଥରେ ଚିତ୍ର କରିବା ପାଇଁ ପୁରୀରୁ ୮ଜଣ ଚିତ୍ରକାର ସେବକ କୋଣାର୍କ ଯାଇଥିଲେ।

ଡ. ସୁରେନ୍ଦ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri