Categories: ବାଣିଜ୍ୟ

ଦେଶରେ କମୁଛି ଇନ୍ଧନ ଚାହିଦା

ଭୁବନେଶ୍ୱର, ୧୪ା୩: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧି ଯୋଗୁ ଏହାର ବ୍ୟବହର ବ୍ୟାପକ ମାତ୍ରାରେ କମିଛି। ଫଳରେ ପ୍ରତି ମାସ ଏହାର ଚାହିଦା ହ୍ରାସ ପାଉଥିବା ସୂଚନା ମିଳିଛି। ଫେବୃୟାରୀରେ ଇନ୍ଧନ ଚାହିଦା ପ୍ରାୟ ୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ଗତ ସେପ୍ଟେମ୍ବର ପରେ ଦେଶରେ ତୈଳ ଚାହିଦାର ଏହା ସର୍ବନିମ୍ନ ସ୍ତର ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟଙ୍କ ପେଟ୍ରୋଲିୟମ ଯୋଜନା ଓ ବିଶ୍ଲେଷଣ ପ୍ରକୋଷ୍ଠ(ପିପିଏସି) ପକ୍ଷରୁ ଆକଳନ କରାଯାଇଛି। ପିପିଏସିଙ୍କ ସୂଚନା ଅନୁସାରେ ଫେବୃୟାରୀରେ ପେଟ୍ରୋଲିୟମ ଉତ୍ପାଦର ମୋଟ ଉପଯୋଗ ହାର ୪.୯% ହ୍ରାସ ହୋଇଛି। ଚଳିତ ବର୍ଷର ପ୍ରଥମ ସପ୍ତାହରୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା। ଗତ ୨ ମାସ ମଧ୍ୟରେ ଦେଶର ଉଭୟ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିସାରିଥିଲା। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ଟଙ୍କା ଟପି ସାରିଥିବା ବେଳେ ଆଉ କେତେକ ରାଜ୍ୟରେ ତା’ର ପାଖାପାଖି କାରବାର ହେଉଛି। ଦେଶରେ ସବୁଠୁ ଅଧିକ ଉପଯୋଗ ହେଉଥିବା ଇନ୍ଧନ ଡିଜେଲର ଚାହିଦା ଫେବୃୟାରୀରେ ୮.୫% ହ୍ରାସ ହୋଇ ୬୫.୫ଲକ୍ଷ ଟନ୍‌କୁ ପହଞ୍ଚିଛି। ସେହିପରି ପେଟ୍ରୋଲ ବିକ୍ରି ୬.୫ % ହ୍ରାସ ହୋଇ ୨୪ଲକ୍ଷ ଟନ୍‌ରେ ରହିଛି। ତେବେ ନାପଥା ଚାହିଦା ଓ ବିକ୍ରିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ସଡ଼କ ନିର୍ମାଣରେ ଉପଯୋଗ ହେଉଥିବା ବିଟୁମେନ୍‌ର ଚାହିଦା ୧୧% ପର୍ଯ୍ୟନ୍ତ ହ୍ରାସ ପାଇଛି। ଦେଶରେ ଇନନ୍ଧ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଏହି ସମୟ ମଧ୍ୟରେ ରୋଷେଇ ଗ୍ୟାସ୍‌ ଏଲ୍‌ପିଜି ବିକ୍ରିରେ ୭.୬% ଅଭିବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଅଶୋଧିତ ତୈଳ ଯୋଗାଣକାରୀ ସମୂହ ଓପେକ୍‌ ଏଇ ନିକଟରେ ଜାରି କରିଥିବା ରିପୋର୍ଟରେ ଦର୍ଶାଇଛି ଯେ ଭାରତର ତୈଳ ଚାହିଦା ୨୦୨୧ରେ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଏଥିରେ ଦେଶର ଅଶୋଧିତ ତୈଳ ଚାହିଦା ୧୩.୬ % ବଢ଼ିବ ବୋଲି ଆକଳନ କରାଯାଉଥିବା ବେଳେ ଦୈନନ୍ଦିନ ଚାହିଦା ୪୯.୯ଲକ୍ଷ ବ୍ୟାରେଲରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। କୋଭିଡ୍‌-୧୯ ସମୟରେ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା । ମହାମାରୀ ଯୋଗୁ ଦେଶର ତୈଳ ଚାହିଦା ୨୦୨୦ରେ ହ୍ରାସ ହୋଇଥିବା ବେଳେ ଦୈନିକ ୪୪ଲକ୍ଷ ବ୍ୟାରେଲକୁ ଖସି ଆସିଥିଲା ବୋଲି ରିର୍ପୋଟରେ କୁହାଯାଇଛି।

Share