ଭୁବନେଶ୍ୱର,୨୮ା୧୦(ବନ୍ଦନା ସେଠୀ/ପିଟି):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ରୂପ ନେବା ପରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ଦକ୍ଷିଣ ୟାନମ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ପ୍ରାୟ ୩ରୁ ୪ଘଣ୍ଟା ଧରି ଚାଲିବା ପରେ ଭୋର ସମୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସର୍ବଶେଷ ସୂଚନା ଦିଆଯାଇଛି। ଖବର ଲେଖା ହେଲାବେଳକୁ ଏହାର ପ୍ରଭାବରେ ଆନ୍ଧ୍ର-ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ରହିଥିଲା। ଏହି ସମୟରେ ଚେନ୍ନାଇଠୁ ଦୀଘା ପର୍ଯ୍ୟନ୍ତ ସମୁଦ୍ର ଉତ୍ତାଳ ରହିଥିବାବେଳେ ଅନେକ ସଂଲଗ୍ନ ରାସ୍ତା ଉପରକୁ ବଡ଼ ବଡ଼ ଜୁଆର ମାଡ଼ି ଆସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମୟରେ କେତେକ ସ୍ଥାନରେ ପବନର ବେଗ ୧୨୫ରୁ ୧୩୫ କିମି ରହିଥିଲା। ଏହାର ପ୍ରଭାବରେ ମାଲକାନଗିରିରେ ଅତି ପ୍ରବଳ ବର୍ଷା ହୋଇଥିଲା। ଜୋରଦାର ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା, କଚ୍ଚା ଘର ଭାଙ୍ଗିବା ସହ ଆଜ୍ବେଷ୍ଟସ ଉଡ଼ିଯାଇଥିଲା। ବେଗ ଅଧିକ ଥିବାରୁ ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା। ବାତ୍ୟା ବୁଧବାର ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବାବେଳେ ୪/୫ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ୪୦ରୁ ୬୦କିମି ବେଗରେ ପବନ ବହିଥିଲା। ଭୁବନେଶ୍ୱରରେ ରାତି ୧୨ଟା ପରେ ଅଧିକ ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ସମେତ ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ବୁଧବାର ଓଡ଼ିଶାରେ ପବନ ସାଙ୍ଗକୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ୭ ଜିଲା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ଗଜପତି ଏବଂ ଗଞ୍ଜାମକୁ ଅତ୍ୟଧିକ ପ୍ରବଳ/ ଭୀଷଣ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ସର୍ବାଧିକ ୬୦ କିମି ପର୍ଯ୍ୟନ୍ତ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ସହ ସର୍ବାଧିକ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ସର୍ବାଧିକ ୬୦ କିମି ବେଗରେ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲାକୁ ପ୍ରବଳ ବର୍ଷା ସହିତ ସର୍ବାଧିକ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଶୁକ୍ରବାର ଓ ଶନିବାର ବର୍ଷା ନ ଥିବାବେଳେ ପୁନର୍ବାର ରବିବାର ଓ ସୋମବାର ଅର୍ଥାତ୍ ନଭେମ୍ବର ୧ ଓ ୨ରେ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଲୋକଙ୍କୁ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ସତର୍କ ରହିବା ସହ ବାତ୍ୟା ସମୟରେ ଅନାବଶ୍ୟକ ଭାବେ ବାହାରକୁ ନ ଯିବା ଉଚିତ। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
Dharitri – Odisha’s No.1 Odia Daily

