
ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): ଆରପାରିରେ ପୂର୍ବତନ ଏମ୍ପି ମୃତ୍ୟୁଞ୍ଜୟ ନାୟକ। କଂଗ୍ରେସରୁ ୩ ଥର ଜିତି ଏମ୍ପି ହୋଇଥିବା ଫୁଲବାଣୀର ମୃତ୍ୟୁଞ୍ଜୟ ନାୟକ(୭୨)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ ସେ ଗତ କିଛିଦିନ ହେଲା ବ୍ରହ୍ମପୁର ମେଡିକାଲ, ଦୁଇଦିନ ତଳେ ଭୁବନେଶ୍ୱର ଏମ୍ସ୍ରେ ଭର୍ତ୍ତି ହୋଇଥିଲେ। ବୁଧବାର ଫୁଲବାଣୀଠାରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡ଼ିଛି।
୧୯୫୨ ଜୁଲାଇ ୧ ତାରିଖରେ ଜନ୍ମିତ ମୃତ୍ୟୁଞ୍ଜୟ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଉଚ୍ଚଶିକ୍ଷା ହାସଲ ପରେ ଜାନକୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କଂଗ୍ରେସ ଦଳ ଟିକେଟରେ ୧୯୮୦, ୧୯୯୧ ଓ ୧୯୯୬ରେ ଫୁଲବାଣୀ ଏମ୍ପି ନିର୍ବାଚିତ ହୋଇଥିଲେ। ଏଥିସହ ସେ ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗ ଜିଲାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଜିଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡା କହିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଏମ୍ପି ରାଧାକାନ୍ତ ଦିଗାଲ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲା କଂଗ୍ରେସ ସଭାପତି ଅନାମ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।