ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀ

ଅଲେଖ ଚନ୍ଦ୍ର ସାମଲ

ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ। ବନ୍ୟ ଜୀବମାନଙ୍କର ଶରୀରର ବିଭିନ୍ନ ଅଂଶକୁ ବେଆଇନ ଭାବେ ଚାଲାଣ କରିବା ଏବେ ବିଶ୍ୱର ଅନ୍ୟତମ ଲାଭଦାୟକ ବ୍ୟାପାର ପାଲଟିଛି। ସେ ହାତୀଦାନ୍ତ ହେଉ ବା ଗଣ୍ଡା ଶିଙ୍ଗ କିମ୍ବା ବାଘ ଶରୀରର ବିଭିନ୍ନ ଅଂଶ। ଚୋରା ଚାଲାଣକାରୀମାନେ ଏହାକୁ ବିକ୍ରି କରି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ବିଶେଷ କରି ଏସିଆ ଏବଂ ଆଫ୍ରିକାରେ ଏହି ବ୍ୟବସାୟର ବଜାର ଖୁବ୍‌ ବ୍ୟାପକ। ଏପରିସ୍ଥଳେ ବିପଦରେ ଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୩ ଡିସେମ୍ବର ୨୦ରେ ଜାତିସଂଘର ସାଧାରଣ ସଭାରେ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ସେବେଠାରୁ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ବିଲୁପ୍ତ ହୋଇଆସୁଥିବା ବନ୍ୟପ୍ରାଣୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ବନ୍ୟପ୍ରାଣୀ ଅପରାଧ ବିରୋଧରେ ଲଢ଼ିବାକୁ ଲୋକମାନଙ୍କୁ ପ୍ରେରିତ କରାଯାଏ। ଏହି ଅବସରରେ ଜାତିସଂଘ, ବିଭିନ୍ନ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ତେବେ ବନାଗ୍ନି ଫଳରେ ଯେଉଁ ଜୈବ ବିବିଧତା ନଷ୍ଟ ହେଉଛି ପରିଶେଷରେ ଅଙ୍ଗାରକାମ୍ଳ ଶୋଷଣର କ୍ଷମତା କମୁଛି, ମୃତ୍ତିକା କ୍ଷୟ ସାଙ୍ଗକୁ ମୃତ୍ତିକାର ଉର୍ବରତା ହ୍ରାସ ପାଉଛି, ତାହା ସବୁ ହିସାବକୁ ନେଲେ କ୍ଷତିର ପରିମାଣ ଯାହା ହେବ ତାହା ଅକଳ୍ପନୀୟ। କାରଣ ଏହାଦ୍ୱାରା ଜଳବାୟୁରେ ବିଭ୍ରାଟ ଦେଖାଦେବା ସାଙ୍ଗକୁ ପରିବେଶ ଅସୁରକ୍ଷିତ ହୋଇପଡ଼ୁଛି; ଯାହାକୁ କୌଣସି ମୂଲ୍ୟରେ ତଉଲିବା ଅସମ୍ଭବ। ଫରେଷ୍ଟ ସର୍ଭେ ଇଣ୍ଡିଆର ରାଜ୍ୟୱାରି ଜଙ୍ଗଲ ନିଆଁ ସମ୍ବନ୍ଧରେ ପ୍ରଦ ତଥ୍ୟ ଏଠାରେ ଉଲ୍ଲେଖଯୋଗ୍ୟ କରାଯିବା ପ୍ରାସଙ୍ଗିକ ମନେହୁଏ। ୨୦୨୦ର ତଥ୍ୟ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ୪୭,୧୪୫ ବର୍ଗ କିଲୋମିଟର ଜଙ୍ଗଲ ରହିଛି; ଯାହା କି ସମଗ୍ର ଦେଶର ଜଙ୍ଗଲ ଅଞ୍ଚଳର ୭.୩୪ ପ୍ରତିଶତ। ତନ୍ମଧ୍ୟରୁ ୨୫୯୦ ବର୍ଗ କିଲୋମିଟର ଜଙ୍ଗଲ ବନାଗ୍ନିପ୍ରବଣ। ସେହିପରି ଆନ୍ଧ୍ରପ୍ରଦେଶରେ ୪୭,୨୫୬ ବର୍ଗକିଲୋମିଟର ଜଙ୍ଗଲ ମଧ୍ୟରୁ ୧୨୯ ବର୍ଗକିଲୋମିଟର, ଅରୁଣାଚଳ ପ୍ରଦେଶରେ ୬୮,୬୬୧ ବର୍ଗକିଲୋମିଟରରୁ ୧୦୧ ବର୍ଗକିଲୋମିଟର, ଛତିଶଗଡ଼ରେ ୫୭,୪୮୪ ବର୍ଗକିଲୋମିଟର ମଧ୍ୟରୁ ୧୨୧ ବର୍ଗକିଲୋମିଟର, ଝାଡ଼ଖଣ୍ଡରେ ୨୧,୭୪୩ ବର୍ଗକିଲୋମିଟରରୁ ୪୭୨ ବର୍ଗକିଲୋମିଟର, କର୍ନାଟକରେ ୩୨,୩୪୩ ବର୍ଗକିଲୋମିଟରରୁ ୧୦୭ ବର୍ଗକିଲୋମିଟର, ମଧ୍ୟପ୍ରଦେଶରେ ୭୭,୯୧୨ ବର୍ଗକିଲୋମିଟରରୁ ୩୦୯୬ ବର୍ଗକିଲୋମିଟର, ମହାରାଷ୍ଟ୍ରରେ ୪୩,୮୫୯ବର୍ଗକିଲୋମିଟରରୁ ୫୮୪ ବର୍ଗକିଲୋମିଟର ଓ ଉତ୍ତରାଞ୍ଚଳରେ ୨୩,୨୫୪ ବର୍ଗକିଲୋମିଟରରୁ ୪୪୯୨ ବର୍ଗକିଲୋମିଟର ଜଙ୍ଗଲ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଥାଏ। ଜଳବାୟୁର ଆର୍ଦ୍ରତା ଓ ପବନର ବେଗ ଉପରେ ପ୍ରାକୃତିକ ବନାଗ୍ନି ନିର୍ଭର କରିଥାଏ। ଏହା ସତ୍ୟ ଯେ, ଜଙ୍ଗଲ ମୁଲକରେ ସାଧାରଣତଃ ବସବାସ କରନ୍ତି ଆଦିବାସୀ। ସେମାନେ ନିଜର ଜୀବନଜୀବିକା ପାଇଁ ପୋଡ଼ୁଚାଷ ଉପରେ ନିର୍ଭର କରନ୍ତି। ଖରାଦିନ ଓ ଶୀତଦିନ ଆସିଲେ ସେମାନେ ଏଥିରେ ନିଆଁ ଲଗାଇ ଦେଇଥାଆନ୍ତି। ଏହାଦ୍ୱାରା ଜୈବ ବିବିଧତା ନଷ୍ଟ ହେବା ସହ ବନ୍ୟଜନ୍ତୁ ଓ ବୃକ୍ଷଲତାଗୁଡ଼ିକର ବିଲୋପ ଘଟେ, ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଉଜୁଡ଼ିଯାଏ। ସେମାନଙ୍କ ବଂଶ ବୃଦ୍ଧି ସୀମିତ ହୋଇଯାଏ। ଅନେକ ଜୀବଜନ୍ତୁଙ୍କର ପ୍ରାଣହାନି କାରଣରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଏ। ଗଛ ଧ୍ୱଂସ ପାଉଥିବା ଯୋଗୁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶ୍ଲେଷଣରେ ବ୍ୟାଘାତ ଘଟେ। ଫଳରେ ପରିବେଶରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ଘଟେ। ଜଙ୍ଗଲ ସମ୍ପଦ ହ୍ରାସ ଯୋଗୁ ବର୍ଷାର ପରିମାଣ ହ୍ରାସ ପାଏ। ଜଙ୍ଗଲ ଉପରେ ନିର୍ଭରଶୀଳ ବନବାସୀମାନଙ୍କର ଜୀବନଜୀବିକା ବିପନ୍ନ ହୁଏ। ଆବାସସ୍ଥଳୀ ଉଜୁଡ଼ିଯିବା କାରଣରୁ ଓ ଜଙ୍ଗଲରେ ମିଳୁଥିବା ଖାଦ୍ୟ ଦୁଷ୍ପ୍ରାପ୍ୟ ହେବାରୁ ବନ୍ୟଜନ୍ତୁମାନେ ଜନପଥକୁ ମାଡ଼ିଆସିବା ଫଳରେ ପଶୁ ମଣିଷ ବିବାଦ ବୃଦ୍ଧି ପାଏ।
ଓଡ଼ିଶାରେ ୧୯୮୮ ପ୍ରଣୀତ ଜାତୀୟ ଜଙ୍ଗଲ ନୀତିରେ ଜଙ୍ଗଲ ନିଅଁାକୁ ରୋକିବା ସହ ଏହାକୁ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସବିଶେଷ ମାର୍ଗଦର୍ଶିକା ରହିଛି। ସାମ୍ପ୍ରତିକ ସୂଚନା ପ୍ରଯୁକ୍ତିର ଜ୍ଞାନକୌଶଳ ଦ୍ୱାରା ଜଙ୍ଗଲ ନିଆଁ ଉପରେ ରୋକ୍‌ ଲଗାଇବା ସହ କେନ୍ଦ୍ର ସରକାର ୨୦୦୦ ମସିହାରେ ଏ ନେଇ କିଛି ନିୟମ ଜାରି କରିଛନ୍ତି। ସେହିପରି ଭାରତୀୟ ଜଙ୍ଗଲ ଆଇନରେ ଜଙ୍ଗଲରେ ନିଅଁା ଲଗାଇବା ଏକ ଦଣ୍ଡନୀୟ ଅପରାଧ ଭାବେ କଡ଼ାକଡ଼ି ଉଲ୍ଲେଖ ରହିଛି। ଏଥିରେ ଜଙ୍ଗଲ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ନିଆଁ ରୋକିବା ପାଇଁ ସାମିଲ କରିବାକୁ ବ୍ୟବସ୍ଥା ରହିଛି। ଜଙ୍ଗଲ ପୋଡ଼ି ରୋକିବାକୁ ଓଡ଼ିଶା ଜଙ୍ଗଲ ଅଧିନିୟମ ୧୯୭୯ ବିଶେଷ ଭାବେ ପ୍ରସ୍ତୁତ ହୋଇଛି। ଏଥିରେ ସଂରକ୍ଷିତ ଓ ଖୋଲା ଜଙ୍ଗଲରେ ନିଆଁ ଲଗାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ଜଙ୍ଗଲ ପାଖରେ ନିଆଁର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ ୨୦୦୧ର ୨୭ ଧାରାର ଉପଧାରା (କ)୧ରେ ଜଙ୍ଗଲରେ ନିଆଁ ଲଗାଇବା ଓ ଜଳନ୍ତା ନିଆଁକୁ ଛାଡ଼ି ଆସିବା ଭଳି କାର୍ଯ୍ୟ କଲେ ଜେଲ ଓ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଜଙ୍ଗଲରେ କୌଣସି କାରଣବଶତଃ ଅଗ୍ନି ଦେଖାଯିବା ମାତ୍ରେ ନିକଟସ୍ଥ ଗ୍ରାମଗୋଷ୍ଠୀକୁ ସୂଚିତ କରାଇବା ଦ୍ୱାରା ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା, ଗ୍ରାମରେ ଆଇନ କରି ଜଙ୍ଗଲ ନିଆଁ ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିବା, ଶିକାର, ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଫସଲ ସୁରକ୍ଷା, ପୋଡ଼ୁଚାଷ ପାଇଁ ନିଆଁର ବ୍ୟବହାରକୁ ନିଷିଦ୍ଧ କରିବା ସକାଶେ କ୍ଷମତା ପ୍ରଦାନ କରାଯାଇଛି। ଜଣାଯାଇଛି ଯେ, ଓଡ଼ିଶାରେ ୨୦୦୫ ମସିହାରେ ଯେଉଁ ପରିମାଣରେ ଜଙ୍ଗଲ ପୋଡ଼ି ହୋଇଥିଲା ତାହା ସମଗ୍ର ଦେଶରେ ତୃତୀୟ ଏବଂ ଏହାର ପରିମାଣ ୫.୪୯ ପ୍ରତିଶତ।
ଆମ୍ଭେମାନେ ପ୍ରକୃତିଦତ୍ତ ଜଙ୍ଗଲ ସମ୍ପଦ ନଷ୍ଟ କରୁଥିବାରୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛୁ। କେବଳ ଭାରତରେ ନୁହେଁ, ଭୟାବହ ଜଙ୍ଗଲ ନିଅଁା, ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅପୂରଣୀୟ କ୍ଷତି କରୁଛି। ବହୁ ବିଳମ୍ବରେ ହେଲେ ବି ଭାରତରେ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ଜଙ୍ଗଲ ନିଅଁାକୁ ଆୟ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ସେହିପରି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର କଡ଼ାକଡ଼ି ଆଇନ କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଅନେକ ସାମାଜିକ ଅନୁଷ୍ଠାନ ନିୟମିତ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଜଙ୍ଗଲରେ କେଉଁଠି ନିଆଁ ଲାଗୁଛି ତାହା ଉପରେ ନଜର ରଖିବା ପାଇଁ ବିଦେଶୀ ରାଷ୍ଟ୍ରଗୁଡ଼ିକରେ ଜଙ୍ଗଲ ଭିତରେ ନିରୀକ୍ଷଣ ମଞ୍ଚ ପ୍ରସ୍ତୁତ କରାଯାଇ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟ ନେଇ ନିୟମିତ ପହରାର ବ୍ୟବସ୍ଥା ହୋଇଛି। ନିରୀକ୍ଷଣ ମଞ୍ଚରେ ଦିଗ ନିର୍ଣ୍ଣାୟକ ଯନ୍ତ୍ର ମଧ୍ୟ ଲଗାଯାଇଛି, ଯାହାଫଳରେ ଜଙ୍ଗଲ ଉପରେ ଠିକ୍‌ ନଜର ରଖାଯାଇପାରୁଛି।
ନିଆଁ ଲାଗିଥିବା ଜଙ୍ଗଲ ଉପରେ ବାଲିବର୍ଷା, ଫୋମ ଓ ଅଗ୍ନି ନିର୍ବାପନ ଗ୍ୟାସ୍‌ର ପ୍ରୟୋଗ, କୃତ୍ରିମ ବର୍ଷା ଆଦି କରାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ସେହି ତୁଳନାରେ ଆମ ଦେଶର କୌଣସି ଅତ୍ୟାଧୁନିକ ସାଧନର ବ୍ୟବସ୍ଥା ନାହିଁ। ଜଙ୍ଗଲ ହେଉଛି ଆମ ପ୍ରକୃତିମାତାର ଅନବଦ୍ୟ ରୂପ। ଏହାକୁ ଭଲପାଇବା ଦ୍ୱାରା କେବଳ ପ୍ରକୃତି ନୁହେଁ, ଆମେ ଆମ ନିଜ ଜୀବନକୁ ସୁନ୍ଦର ଓ ସାର୍ଥକ କରିପାରିବା।
ପୂର୍ବତନ ଡିଏଫଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri