ଗ୍ରହର ସୁସ୍ଥ ଭବିଷ୍ୟତ ପାଇଁ…

ପୃଥିବୀ ଆମର ଘର। ନିଜ କୋଳରେ ଆମକୁ ଧରି ରଖିଥିବାରୁ ତା’ର ନାମ ଧରା ବା ‘ଧରିତ୍ରୀ’। ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧରାପୃଷ୍ଠରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଆମେ କିନ୍ତୁ ଆମ ଲୋଭକୁ ପୂରଣ କରିବା ପାଇଁ ପ୍ରାକୃତିକ ସମ୍ପଦର ଅବିବେକି ବ୍ୟବହାର କରି ଚାଲିଛୁ। ଆମର ଅମାନୁଷିକ ବ୍ୟବହାର ଫଳରେ ଧରିତ୍ରୀର ନିର୍ମଳ ପରିବେଶ ଦୂଷିତ ହୋଇଛି। ଏହାର ପାଣି, ପବନ, ମାଟିରେ ବିଷ ମିଶୁଛି। ତେଣୁ ପୃଥିବୀ ଏବେ ମୂମୂର୍ଷୁ ଅବସ୍ଥାରେ ରହିଛି। ପୃଥିବୀ ଗ୍ରହର ବିଭିନ୍ନ ପରିବେଶଜନିତ ସମସ୍ୟା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସମସ୍ୟା ସମାଧାନ ଦିଗରେ ଚିନ୍ତା କରିବା ସକାଶେ ୧୯୬୯ ମସିହାରେ ଏକ ବିଶେଷ ପ୍ରସ୍ତାବ ଅଣାଯାଇଥିଲା। ଏଭଳି ପ୍ରୟାସକୁ ଅଧିକ ଜନାଦୃତ କରିବା ପାଇଁ ଏକ ବିଶେଷ ଦିବସର ପରିକଳ୍ପନା କରାଗଲା। ସେହି ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ଧରିତ୍ରୀର ମୂମୂର୍ଷୁ ଅବସ୍ଥା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ‘ଧରିତ୍ରୀ ଦିବସ’। ୧୯୭୦ ମସିହାରୁ ଏପ୍ରିଲ ୨୨ରେ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ସମସ୍ତ ଜନସାଧାରଣଙ୍କୁ ଗୋଟେ ବାର୍ତ୍ତା ଦିଆଯାଏ। ଚଳିତ ୨୦୨୩ ମସିହାର ଏହି ଦିବସ ଉପଲକ୍ଷେ ବାର୍ତ୍ତା ରହିଛି – ‘ଆମ ଗ୍ରହରେ ପୁଞ୍ଜି ବିନିଯୋଗ କର’।
ଆମର ସହରୀକରଣ ନିଶା ହେତୁ ଜଙ୍ଗଲ ସଫା ହେଉଛି। ଚାଷଜମି କମି ଯାଉଛି। ଯାନବାହନ ସଂଖ୍ୟା ବି ବଢୁଛି। ଅଧିକରୁ ଅଧିକ କଳକାରଖାନା ନିର୍ମାଣ ହେଉଛି। କଳକାରଖାନାରୁ ନିର୍ଗତ ବିଷାକ୍ତ ଆବର୍ଜନା ମୃତ୍ତିକାକୁ ଦୂଷିତ କରୁଛି। ସେଥିରେ ଫସଲ ହେଉ ନାହିଁ। ଲୋକେ ଅଧିକ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ତେଣୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଅଧିକ କୋଇଲା ଜାଳିବାକୁ ପଡୁଛି, ଯାହାକି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧି କରୁଛି। ପୃଥିବୀର ଜଳବାୟୁକୁ ଅନିୟମିତ କରୁଥିବା କାରକଗୁଡ଼ିକ ମଧ୍ୟରୁ ଅଙ୍ଗାରକାମ୍ଳ ମୁଖ୍ୟ ଭୂମିକା ଗ୍ରହଣ କରିଛି। କିନ୍ତୁ ଜଳବାୟୁ ନିୟମିତ ହେବା ପାଇଁ ସୁସ୍ଥ ବାୟୁମଣ୍ଡଳ ଜରୁରୀ। ଏଥିଲାଗି ଘନ ଜଙ୍ଗଲ ଜରୁରୀ। ଆଜି ପ୍ରଦୂଷଣକୁ ଦୃଢ଼ ବିରୋଧ କରିବା ସହିତ ଆମର ଗ୍ରହର ପୁନରୁଦ୍ଧାର ଜରୁରୀ ହୋଇପଡିଛି। ନ ହେଲେ ଅନ୍ୟ ଜୀବଜଗତ ସହିତ ମଣିଷ ବି ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ।
‘ଧରିତ୍ରୀ ଦିବସ’ ସକାଶେ ୨୦୨୩ ମସିହାର ବାର୍ତ୍ତା ପଛରେ ଅନେକ ଦାୟିତ୍ୱ ଲୁଚିରହିଛି। ଏହା ମାଧ୍ୟମରେ ଆମର ମନୋବୃତ୍ତି ଓ କାର୍ଯ୍ୟକଳାପରେ କେତେକ ସୁଧାର ଆଣିବା ପାଇଁ ପ୍ରୟାସ ରହିଛି। ପରିବେଶକୁ ସୁସ୍ଥ ରଖିବା ସକାଶେ ଆମର ଖାଦ୍ୟ ଉପତ୍ାଦନ, ଯାତାୟାତ ବ୍ୟବସ୍ଥା, ବିଜୁଳିଶକ୍ତି ଉପତ୍ାଦନ ଓ ଆମୋଦପ୍ରମୋଦ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡିଛି। ଆମର ଉନ୍ନତି ସହିତ ପରିବେଶ ସୁସ୍ଥ ରହିବା ଦରକାର। ସେଭଳି ଉନ୍ନତିକୁ ନିରନ୍ତର ଉନ୍ନତି କହିପାରିବା। ଆମର ଉନ୍ନତି କାର୍ଯ୍ୟକ୍ରମ ଫଳରେ ପରିବେଶ ପ୍ରଦୂଷିତ ହେଲେ, ସେଭଳି ଉନ୍ନତି କିଛି ଦିନ ପରେ ଆମକୁ ଦୁଃଖ ଦେବ। ଯେମିତି ଶିଳ୍ପ ବିପ୍ଳବର କୁପ୍ରଭାବ ବା-ପା-ମା (ବାୟୁ-ପାଣି-ମାଟି)କୁ ନଷ୍ଟ କରିଦେଇଛି। ଆଜି ଆମେ ଧରିତ୍ରୀକୁ ପୂର୍ବ ଭଳି ସବୁଜ କରିବା ଦିଗରେ ଅର୍ଥାତ ଆମ ଗ୍ରହର ସୁସ୍ଥ ଭବିଷ୍ୟତ ପାଇଁ ପୁଞ୍ଜି ବିନିଯୋଗ କରିବା। ପ୍ରଦୂଷଣକୁ ରୋକିବା ଲାଗି ସମାଧାନର ସୂତ୍ର ବିଜ୍ଞାନ ଆମକୁ କହିସାରିଛି। ଆମେ ସେହି ସୂତ୍ରକୁ କାମରେ ଲଗେଇବା। ବାସ୍‌, ସେହି ଦିଗରେ ପୁଞ୍ଜି ବିନିଯୋଗ କରିବା।
କୋଇଲା ଜାଳି ବିଜୁଳିବତି ଜଳେଇବା ନାହିଁ। ସୌରଶକ୍ତି, ପବନଶକ୍ତି, ଜୁଆରଶକ୍ତି ଭଳି ନାନା ରକମର ଅଣପାରମ୍ପରିକ ଶକ୍ତିର ବ୍ୟବହାର ଦିଗରେ ପୁଞ୍ଜି ବିନିଯୋଗ କରିବା। ଏସବୁ ପାଇଁ ଟିକିଏ ଅଧିକ ଖର୍ଚ୍ଚ ହେବ, କିନ୍ତୁ ଆମର ବାସଗୃହ ପୃଥିବୀ ସୁସ୍ଥ ରହିବ। ପେଟ୍ରୋଲ, ଡିଜେଲ, କୋଇଲାରେ ଗାଡ଼ିମୋଟର ଚାଲିବ ନାହିଁ। ଗାଡ଼ିମୋଟରରୁ ଯେପରି ଧୂଆଁ ବାହାରିବ ନାହିଁ। ଚାଷରେ ରାସାୟନିକ ସାର ବ୍ୟବହାର ହେବନାହିଁ। ଚାଷକାମ ଓ କଳକାରଖାନା ଲାଗି ଯେପରି ମାଟି ଖରାପ ହେବନାହିଁ। ପରିବେଶ ଉପରେ କୁପ୍ରଭାବ ପକାଉ ନଥିବା ପଦ୍ଧତିରେ ଚାଷ କରିବା ଦିଗରେ ପୁଞ୍ଜି ବିନିଯୋଗ ହେବ। ବିଜ୍ଞାନ ଆମକୁ ଅନେକ ଜ୍ଞାନକୌଶଳ ଦେଇଛି। ସେସବୁ କେବଳ ସମାଜର ଶାନ୍ତି ରକ୍ଷା ଓ ଆମ ଗ୍ରହର ରକ୍ଷଣାବେକ୍ଷଣରେ ବିନିଯୋଗ ହେବ। ଅତୀତରେ ପରିବେଶର ସ୍ବାସ୍ଥ୍ୟକଥା ଚିନ୍ତା ନକରି ଅନେକ ଉପଭୋଗ କରିଛୁ। ଏବେ ଆମେ ପରିବେଶ ବିଷୟରେ ଭାବିଲା ପରେ ନିଜ କଥା ଭାବିବା। ଆଜି ପ୍ରଦୂଷଣ ହେତୁ ଏତେ ବିପଦର ସାମ୍‌ନା କରିବା ପରେ ଯଦି ପ୍ରଦୂଷଣ ରୋକିବା ଦିଗରେ ପୁଞ୍ଜି ବିନିଯୋଗ ନ କରିବା, ତେବେ ଆମେ ଜାଣିଶୁଣି ଆତ୍ମହତ୍ୟା କରିବାକୁ ଯାଉଛୁ ବୋଲି ବୁଝିବାକୁ ହେବ।
ଆମେ ସିନା କଳକାରଖାନା ଓ ଗାଡିମୋଟରକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବା ନାହିଁ, କିନ୍ତୁ ତଜ୍ଜନିତ ପ୍ରଦୂଷଣ ଓ କୁପ୍ରଭାବକୁ ଯଥାସମ୍ଭବ ହ୍ରାସ କରିପାରିବା। ଗଁା ଓ ସହରକୁ ଗଛ ଏବଂ ଉଦ୍ୟାନରେ ଭରି ଦେବା ପାଇଁ ଜନସଚେତନତା ସୃଷ୍ଟି ହେବା ଦରକାର। ଅଂଶୁଘାତ, ଜାଗତିକ ଉଷ୍ଣତା ବୃଦ୍ଧି ଓ ସବୁଜଗୃହ ପ୍ରଭାବ ଭଳି ସମସ୍ୟାର ସମାଧାନ ଦିଗରେ ସବୁଜିମା ସହାୟକ ହେବ। ଉନ୍ନତି ପାଇଁ ଆମେ ଗ୍ରହଣ କରିଥିବା ପନ୍ଥାଗୁଡିକ ପ୍ରଦୂଷଣପୂର୍ବକ ଆମର ଅପୂରଣୀୟ କ୍ଷତି କରୁଛି। ଉନ୍ନତି ଆଳରେ ଆମର ପ୍ରୟାସ ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡୁଛି। ଅତଏବ ଆମ ଉନ୍ନତିର ଧାରା ନିରନ୍ତରଧର୍ମୀ ନୁହେଁ। ଗଛଲତା, ପଶୁପକ୍ଷୀ ଓ ଜୀବାଣୁଭୂତାଣୁଙ୍କୁ ମିଶେଇଲେ ପୃଥିବୀରେ ପ୍ରାୟ ୮୭ ଲକ୍ଷ ପ୍ରଜାତିର ଜୀବନ ରହିଛି। ସେମାନଙ୍କ ମଧ୍ୟରୁ ମଣିଷ ଅନ୍ୟତମ। ପରିତାପର ବିଷୟ, ଏତେ କିସମର ପ୍ରାଣୀ ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀରେ ବାସକରି ଆସୁଥିଲେ ବି ଯେଉଁ ପରିବର୍ତ୍ତନ ଘଟି ନ ଥିଲା, ଏଇ ମାତ୍ର ୨୫୦ ବର୍ଷ ଭିତରେ ମଣିଷର ଶିଳ୍ପବିପ୍ଳବ ଧରିତ୍ରୀକୁ ମୂମୂର୍ଷୁ ଅବସ୍ଥାକୁ ନେଇଯାଇଛି। ସର୍ବଂସହା ଧରିତ୍ରୀର ନୀରବତାର ସୁଯୋଗ ନେଇ ଆମର ପରିବେଶକୁ ଆମେ ନିଜେ ନଷ୍ଟ କରିଛୁ। ସୁନ୍ଦର ସବୁଜ ଧରିତ୍ରୀ ଆଜି ବିବର୍ଣ୍ଣ ଦିଶୁଛି। ସେଥିପାଇଁ ଆମେ ଦାୟୀ। ତେଣୁ ପୃଥିବୀର ପୁନରୁଦ୍ଧାର ଆମ ଦାୟିତ୍ୱ। ଆମ ଗ୍ରହର ପୁନରୁଦ୍ଧାର ଦିଗରେ ପୁଞ୍ଜି ବିନିଯୋଗ କରିବା ଜରୁରୀ।

ବୃକ୍ଷରୋପଣର ଆବଶ୍ୟକତା ରହିଛି
ପୃଥିବୀ ଉଭୟ ପ୍ରାଣୀ ଏବଂ ଉଦ୍ଭିଦଙ୍କ ବାସସ୍ଥଳୀ। ପ୍ରାଣୀ ଅମ୍ଳଜାନ ପାଇଁ ବଞ୍ଚେ, ତା’ ବଦଳରେ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଛାଡ଼େ। ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତି ଲାଗି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି ଏବଂ ବାୟୁମଣ୍ଡଳକୁ ଅମ୍ଳଜାନ ଛାଡନ୍ତି, ଯାହା ପ୍ରାଣୀଜଗତ ପାଇଁ ଅତ୍ୟନ୍ତ ଆବଶ୍ୟକ। ତେଣୁ ଉଭୟ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ଜୀବନ ପ୍ରଣାଳୀ ପରସ୍ପର ସହ ପରିପୂରକ। ବର୍ତ୍ତମାନ ପୃଥିବୀରେ ପ୍ରାଣୀମାନଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଉଦ୍ଭିଦ ସଂଖ୍ୟା କମୁଛି। କଳକାରଖାନା, ଘରଦ୍ୱାର ପାଇଁ ଗଛ କାଟି ଜଙ୍ଗଲକୁ ଧ୍ୱଂସ କରାଯାଉଛି। ତେଣୁ ଧରାପୃଷ୍ଠରେ ଅମ୍ଳଜାନ-ଅଙ୍ଗାରକାମ୍ଳ ପରିମାଣରେ ତାରତମ୍ୟ ଦେଖିବାକୁ ମିଳୁଛି। ଯେହେତୁ ବୃକ୍ଷ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଉଛି ତେଣୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବଢ଼ିଯାଉଛି, ଯାହା ପ୍ରାଣୀଜଗତ ପାଇଁ କ୍ଷତିକାରକ। ତେଣୁ ବାୟୁମଣ୍ଡଳରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ପରିମାଣ ସନ୍ତୁଳିତ ରଖିବା ଲାଗି ଧରିତ୍ରୀ ଦିବସ ଅବସରରେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
– ପ୍ର. ସୁବୋଧ କୁମାର ସାହୁ (ମୃତ୍ତିକା ବିଶେଷଜ୍ଞ)
ବୃକ୍ଷ-ମୃତ୍ତିକା-ଜଳର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉ
ଧରିତ୍ରୀ ମା’କୁ ସୁରକ୍ଷା ଦେବାର ସମୟ ଆସିଛି। ବିଶ୍ୱ ଉତ୍ତାପକରଣ ଦୂର ଲାଗି ମଧ୍ୟ ଗୁରୁତ୍ତ୍ୱ ଦିଆଯିବା ଆବଶ୍ୟକ। ତେଣୁ ଏ ନେଇ କେତେକ ପଦକ୍ଷେପ ନେବା ନିହାତି ଜରୁରୀ। ଆମେମାନେ ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ତାହା ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ। ଆଉ ଏକ କଥା ହେଲା ମୃତ୍ତିକା କ୍ଷୟ। ତେଣୁ ଏବେ ମୃତ୍ତିକା ସଂରକ୍ଷଣର ସମୟ ଆସିଛି। କେବଳ ସେତିକି ନୁହେଁ ଜଳ ସଂରକ୍ଷଣ କରାଯିବା ଆବଶ୍ୟକ। ତେଣୁ ଏହି ତିନୋଟି ଜିନିଷ; ବୃକ୍ଷ-ମୃତ୍ତିକା-ଜଳର ସୁରକ୍ଷା ଜରୁରୀ ହୋଇପଡିଛି। ବର୍ତ୍ତମାନ ଜୈବ କୃଷି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତା’ସହ ସମନ୍ବିତ କୃଷିକୁ ଆପଣେଇବା ସହ କୃଷିରେ ରାସାୟନିକ ସାର ବଦଳରେ ଜୀବାଣୁ ସାର, ସବୁଜ ସାର, କମ୍ପୋଷ୍ଟ ଖତ ଓ ଜିଆ ଖତର ବହୁଳ ବ୍ୟବହାର ହେବା ପ୍ରୟୋଜନ। ତା’ସହ ରାସାୟନିକ କୀଟନାଶକ ବଦଳରେ ଜୈବ ଫିମ୍ପିନାଶକ ଓ କୀଟନାଶକର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଜରୁରୀ। ଜମି, ଜଙ୍ଗଲ, ଜୀବଜନ୍ତୁ ଏବଂ ଜଳ ମଧ୍ୟରେ ସମନ୍ବୟତା ରହିବା ଆବଶ୍ୟକ। ତାହାହେଲେ ଆମେ ସବୁଜ, ସୁନ୍ଦର ତଥା ସୁସ୍ଥ ପୃଥିବୀ ଓ ପରିବେଶଟିଏ ପାଇପାରିବା। ଏଭଳି ସୁସ୍ଥ ପରିବେଶରେ ମାନବ ସମାଜ ନୀରୋଗ ଜୀବନ ଧାରଣ କରିବା ସମ୍ଭବପର ହୋଇପାରିବ।
– ଡ. ପରେଶ କୁମାର ପଣ୍ଡା (ସହକାରୀ କୃଷି ନିର୍ଦ୍ଦେଶକ, ଯାଜପୁର)

-ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?