Posted inଫୁରସତ

ଲୋକନୃତ୍ୟ: ଭାରତଲୀଳା

ଲୋକକଳା ହେଉଛି ଲୋକଙ୍କ ଜୀବନର ନିଚ୍ଛକ ପ୍ରତିଛବି। ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇଥାଏ। ସମୟକ୍ରମେ କେତେକ ପାରମ୍ପରିକ ଲୋକକଳାରେ କିଛି ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳେ। ତେବେ ଓଡ଼ିଶାର ଲୋକକଳାଗୁଡ଼ିକୁ ବିଚାର କଲେ ଜଣାପଡ଼େ ଯେ ସେସବୁର ନେପଥ୍ୟ ଉଦ୍ଦେଶ୍ୟ- ସାମୂହିକ ଚିତ୍ତବିନୋଦନ, ଶାରୀରିକ ଓ ମାନସିକ ଶାନ୍ତି ପାଇଁ ଆୟୋଜିତ ହୋଇଥାଏ। ଦିନଥିଲା ଲୋକକଳା-ଲୋକନୃତ୍ୟର ପୃଷ୍ଠପୋଷକତା ପାଇଁ ରାଜା ଓ ଜମିଦାରମାନେ ପ୍ରୋତ୍ସାହନ ଯୋଗାଉଥିଲେ। ସମୟକ୍ରମେ ଏମିତି ପ୍ରଥା ବଦଳି ଯାଇଛି। ବିଭିନ୍ନ ଉତ୍ସବ ମହୋତ୍ସବରେ ବିଭିନ୍ନ ପାରମ୍ପରିକ ଲୋକକଳା ଦେଖିବାକୁ ମିଳିଥାଏ। କିନ୍ତୁ ମହାଭାରତ ଓ ରାମାୟଣ ଆଦି ଗ୍ରନ୍ଥପୁରାଣକୁ କେନ୍ଦ୍ରକରି ସୃଷ୍ଟି ରାଧାପ୍ରେମଲୀଳା, ରାମଲୀଳା, କୃଷ୍ଣଲୀଳା, ଗୋପଲୀଳା ଏବଂ ଭାରତଲୀଳା ଆଦିରେ କଳାକାରମାନେ ନୃତ୍ୟ ଓ ଗୀତ ପରିବେଷଣ ବେଳେ ବିଭିନ୍ନ ଦେବଦେବୀଙ୍କ ନାଁରେ ରଚିତ ଭଜନ ଜଣାଣକୁ ଗାୟନ କରି ମନରେ ଆଧାତ୍ମିକ ଭାବନା ଜାଗ୍ରତ କରିଥାନ୍ତି। ତେବେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରର ବୁଢ଼ାମ୍ବ ଗ୍ରାମପଞ୍ଚାୟତ ଅଧୀନ ଗୁଡ଼ିଆପଲ୍ଲୀ ଗ୍ରାମରେ ରହିଥିବା ଶ୍ରୀଜଗନ୍ନାଥ ନାଟ୍ୟ ସଂଘର କଳାକାରମାନଙ୍କ ଦ୍ୱାରା ଆୟୋଜିତ ଭାରତଲୀଳା ଏହି ଜିଲାରେ ବେଶ୍‌ ଆଦୃତ । ଏ ସମ୍ପର୍କରେ ଗୁରୁ ରଙ୍କନିଧି ବେହେରା କୁହନ୍ତି- ମତେ ପ୍ରାୟ ୧୫ ବର୍ଷ ହୋଇଥିବା ବେଳୁ ଆମ ଗାଁରେ ଆୟୋଜିତ ଦଣ୍ଡପର୍ବରେ ଯୋଗଦେଇଥିତ୍ଲି। ମୋ ଦାଦା କୀର୍ତ୍ତନ ବେହେରା ଗୁରୁଭାବେ ନୃତ୍ୟ ଶିଖାଇଥିଲେ । ତାଙ୍କଠାରୁ ମୁଁ ଭାରତଲୀଳା ଶିକ୍ଷାଲାଭ କରିଛି। ମହାଭାରତର ଅର୍ଜୁନ ଓ ସୁଭଦ୍ରା ପରିଣୟ ଉପାଖ୍ୟାନ ହିଁ ଭାରତଲୀଳାର କଥାବସ୍ତୁ। ଏହା ‘ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି ଦ୍ୱିତୀୟଭାଗ ସଂସ୍କୃତି’ପୁସ୍ତକରୁ ଜଣାପଡ଼େ । ମାତ୍ର ଦୀନବନ୍ଧୁ ଦାସଙ୍କ ଦ୍ୱାରା ରଚିତ ଭାରତଲୀଳା ଗଞ୍ଜାମର ପୁରପଲ୍ଲୀରେ ପରିଚତ। ଏଥିରେ ଥିବା ଚରିତ୍ର ସଂଖ୍ୟା ପ୍ରାୟ ୬ଜଣ। ଏମାନେ ହେଲେ ଦୁଆରୀ ବା ଦ୍ୱାରୀ, ସୁଭଦ୍ରା, ସତ୍ୟଭମା, ଅର୍ଜୁନ ଓ ଦୁଇଜଣ ପ୍ରଜା । ଏହି ଭାରତ ଲୀଳାରେ ପ୍ରାୟ ୬୦ଟି ଗୀତ ଅଛି। ନାଟକର ନିର୍ଦ୍ଦେଶକ ଗୀତ ଗାଆନ୍ତି। ତାଙ୍କ ସହିତ ବାଦ୍ୟଯନ୍ତ୍ରକାରୀମାନେ ବାଦ୍ୟଯନ୍ତ୍ର ପରିଚାଳନା କରିଥାନ୍ତି। ଅର୍ଜୁନଙ୍କ ପାଇଁ ରାଜକୀୟ ପୋଷାକ, ଦୁଆରୀ ସାଧାରଣ ପୋଷାକ ପରିଧ୍ୟାନ କରି ଦ୍ୱାରପାଳ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି। ଏଥିରେ ଅଭିନୟ କରୁଥିବା କିଶୋରୀମାନେ ଆକର୍ଷଣୀୟ ପୋଷାକ ପରିଧାନ କରି ସୁଭଦ୍ରା ଓ ସତ୍ୟଭମା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି। ଗାଁ ଆଖଡ଼ାଘରେ କଳାକାରମାନେ ଭାରତଲୀଳାକୁ ଅଭ୍ୟାସ କରିଥାନ୍ତି। ଏପରି କି କବିସୂଯର୍‌ୟ ବଳଦେବରଥ, କବିସମ୍ରାଟ ଉପେନ୍ଦ୍ରଭଞ୍ଜ, ହାସ୍ୟକବି ଯଦୁମଣି ମହାପାତ୍ର, ପ୍ରକୃତି କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟଙ୍କ ପରି ବହୁ ଯଶସ୍ବୀ କବିମାନଙ୍କ କାଳଜୟୀ ପଦ୍ୟାବଳୀକୁ ମନେରଖି ବିଷୟବସ୍ତୁର ଯଥାର୍ଥତାକୁ ପ୍ରମାଣିତ କରିବା ପାଇଁ ଅଳଙ୍କାର ରୂପେ ଗାଇଥାନ୍ତି । ଏହି ଲୋକନୃତ୍ୟର ମୁଖ୍ୟ ନାୟକଭାବେ ଦୁଆରୀ ବା ଦ୍ୱାରୀ। ସୂତ୍ରଧରପରି କେତେକ ପୌରାଣିକ ବିଷୟକୁ ଜାଣିବା ପାଇଁ ଗୀତକୁ ପ୍ରଶ୍ନୋତ୍ତର ଶୈଳୀରେ କଳାକାର ନାଚିନାଚି ବିଷୟବସ୍ତୁକୁ ଉପସ୍ଥାପନା କରିଥାନ୍ତି। ଦ୍ୱାରୀଙ୍କ ହାସ୍ୟରସ ସମାବେଶ ଦର୍ଶକଙ୍କୁ ଆନ୍ଦନ ଦେଇଥାଏ। ସେ ବିଷୟବସ୍ତୁର ପୂର୍ବାଭାସ ଦିଅନ୍ତି ଏବଂ ବିଭିନ୍ନ ଦୃଶ୍ୟ ମଧ୍ୟରେ ସେ ଯୋଗସୂତ୍ର ସ୍ଥାପନ କରିଥାନ୍ତି। ଏଥିରେ ଚମ୍ପୂ, ଚୌପଦୀ, ଚେଖି, ଛାନ୍ଦ ଆଦି ସ୍ବରରେ ଗୀତକୁ ନୃତ୍ୟ ଓ ବାଦ୍ୟର ତାଳେତାଳେ ପରିବେଷଣ କରାଯାଇଥାଏ। ବୀରରସ, କରୁଣ, ବାତ୍ସଲ୍ୟ, ହାସ୍ୟତ୍ମକ, ପ୍ରେମ, ଭକ୍ତି ଆଦିଭାବକୁ କଳାକାରମାନେ ଅଭିନୟରେ ପରିପ୍ରକାଶ କରିଥାନ୍ତି। ଦର୍ଶକମାନେ ଆନନ୍ଦରେ ଉପଭୋଗ କରିଥାନ୍ତି। ଗୋଟଏ ଗୋଟିଏ ବିଷୟକୁ ଖୋଲାମଞ୍ଚରେ ପରିବେଷଣ ପାଇଁ ପ୍ରାୟ ୫ରୁ ୭/୮ଘଣ୍ଟାଘଣ୍ଟା ସମୟ ବିତିଯାଏ। ଆମ ଅନୁଷ୍ଠାନର ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଧର ପ୍ରଧାନ, ଚୁମୁକି ବେହେରା, ଲତା ବେହେରା, ପ୍ରଫୁଲ ବେହେରା, ଭୀମସେନ ମହାକୁଡ଼, ଭାସ୍କର ବେହେରା ଓ ଧର୍ମେନ୍ଦ୍ର ବେହେରା ପ୍ରମୁଖ କଳାକାର ଏହି ପାରମ୍ପରିକ ଲୋକକଳା ଭାରତଲୀଳାକୁ ପରିବେଷଣ କରିଥାନ୍ତି। ବିଶେଷକରି ଗଞ୍ଜାମ ଜିଲାରେ ଏହାର ଖୁବ୍‌ ଆଦର ରହିଥିଲେ ବି ରାଜ୍ୟର କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ଼, କଟକ, ବଲାଙ୍ଗୀର, ଗଜପତି, ଫୁଲବାଣୀ ଆଦି ବିଭିନ୍ନ ଜିଲାର ଅନେକ ସ୍ଥାନରେ ଏହି ଲୋକନୃତ୍ୟ ପରିବେଷଣ କରାଯାଇଛି। ଏପରି କି ରାଜ୍ୟର ବିଭିନ୍ନ ଉତ୍ସବ ଓ ମହୋତ୍ସବରେ ବି ଭାରତଲୀଳା ପରିବେଷଣ ହେଉଛି । ଏହି ଲୀଳାର ପ୍ରାରମ୍ଭରେ ମଙ୍ଗଳା ଚରଣ ଶ୍ରୀଗଣେଶଙ୍କ ବନ୍ଦନା ଏବଂ ସରସ୍ବତୀଙ୍କ ବନ୍ଦନା କରାଯାଇଥାଏ। ପରେ କଳାକାରମାନେ ପୂର୍ବପ୍ରସ୍ତୁତି ବିଷୟ ଉପରେ ମନୋନିବେଶ କରିଥାନ୍ତି। ଏଥିରେ ଢୋଲ, ମାଦଳ, ଯୋଡ଼ିନାଗରା,ତୂରୀ, ଗିନି, ଖଞ୍ଜଣି, ଘୁଡ଼ୁକି, ଶଙ୍ଖ, ଝୁମୁକା ଆଦି କେତେକ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଯାଇଥାଏ । ୨୦୧୩ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ପୁରସ୍କୃତ। ଏଥି ସହିତ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ପୁରସ୍କାର ,ମାନପତ୍ର ଓ ସମ୍ମାନ ମିଳିଛି। ବର୍ଷକ ମଧ୍ୟରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଭାରତଲୀଳା ପରିବେଷଣ କରିବାର ସୁଯୋଗ ମିଳିପାରୁଛି। ଏହା ଦ୍ୱାରା ଆମ କଳାସଂସ୍କୃତିର ପ୍ରଚାର ପ୍ରସାର ହେଉଛି।
ଆଜିକାଲି ଯୁଗରେ ସରକାର କେତେଗୁଡ଼ିଏ ଲୋକକଳାକୁ ପ୍ରୋତ୍ସାହନ ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି। ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ଏଯାଏ ପ୍ରାୟ ୪୭୧ଟି ଲୋକକଳାକୁ ସୂଚିତ କରାଯାଇଛି। ମାତ୍ର ଦକ୍ଷିଣ ଓଡ଼ିଶାର ଗାଁ ଗାଁରେ ଭାରତଲୀଳା ଖୁବ ଲୋକପ୍ରିୟ।

-ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?