ଫୁଲର ମହକ: ରୋଗ ନିବାରକ

ପ୍ରକୃତିର ଅନ୍ୟତମ ସୁନ୍ଦରତମ ସୃଷ୍ଟି ହେଲା ‘ଫୁଲ’। ତା’ର ସୁନ୍ଦରତା ଯେ କେବଳ ଆମକୁ ବିମୋହିତ କରେ ତାହା ନୁହେଁ, ମହକ ମଧ୍ୟ ଆମ ମନକୁ ସ୍ପର୍ଶ କରେ ଅତି ନିବିଡ଼ ଭାବେ। ଏହା ବିବିଧ ଯାଦୁକରୀ ଶକ୍ତି ଅଧିକାରୀ ହୋଇଥିବାର ବିଶ୍ୱାସକୁ ନେଇ କାହାଣୀମାନ ସାରା ଦୁନିଆରେ ଚଳି ଆସୁଛି କେଉଁ ଅନାଦି କାଳରୁ। ଏଣୁ ମାଲୁଣୀ ଫୁଲଟିଏ ସୁଙ୍ଘାଇ ଦେଇ ମଣିଷକୁ ମେଣ୍ଢାରେ ରୂପାନ୍ତରିତ କଲା ଭଳି ରହିଛି ଅନେକ ଉପକଥା। ସମ୍ଭବତଃ ଏହାର ପ୍ରଭାବରେ ମଣିଷର ଉଗ୍ରମନକୁ ବଶୀଭୂତ କରି ତା’ଠାରେ ମେଣ୍ଢାର ବିଶ୍ୱସ୍ତ ମନଟିଏ ସୃଷ୍ଟି କରିବା ହେଲା ଏହା ମୂଳରେ ନିହିତ ସତ୍ୟ। ଅନ୍ୟପକ୍ଷରେ ଠାକୁରଙ୍କ ଛଡ଼ାଫୁଲ କିମ୍ବା କୌଣସି ସାଧୁସନ୍ନ୍ୟାସୀଙ୍କ ଦ୍ୱାରା ଆଶୀର୍ବାଦ ରୂପେ ପ୍ରଦତ୍ତ ଫୁଲ ଆମ ଦେହ ଓ ମନକୁ ସୁସ୍ଥ ରଖିବାରେ ବିଶ୍ୱାସ ଆମର ରହିଛି। ପ୍ରକୃତରେ ତଦ୍ଦ୍ବାରା ଦୂର ହୁଏ ଆମ ମାନସିକ ଚାପ, ଉଜ୍ଜୀବିତ ହୁଏ ସକାରାତ୍ମକ ଭାବପ୍ରବଣତା ଏବଂ ଅବସାନ ଘଟେ ଶାରୀରିକ କ୍ଳାନ୍ତିର। ଏପରିକି ଏହା ଆମଠାରେ ରୋଗ ପ୍ରତିରୋଧକ ଶକ୍ତିକୁ ତ୍ୱରାନ୍ବିତ କରେ ବୋଲି ଏବେ ସ୍ବୀକାର କଲେଣି ଚିକିତ୍ସା ବିଜ୍ଞାନୀମାନେ।
ରୋଗ ପ୍ରତିରୋଧ ଏବଂ ଚିକିତ୍ସା କ୍ଷେତ୍ରରେ ଫୁଲ ବ୍ୟବହାର ହେବାର ଇତିହାସ ବେଶ୍‌ ପୁରାତନ। ତେବେ ଖ୍ରୀଷ୍ଟଜନ୍ମର ପ୍ରାୟ ୪୦୦୦ ବର୍ଷ ପୂର୍ବେ ଏହା ମିଶରରେ ଆରମ୍ଭ ହୋଇଥିବାର ଐତିହାସିକ ସୂଚନା ମିଳେ। ତତ୍ପରେ ଭାରତ, ଚାଇନା, ଗ୍ରୀସ, ରୋମ୍‌ ଆଦିର ପ୍ରାଚୀନ ସଭ୍ୟତାରେ ଏହାର ଉପଯୋଗ ହେବାର ଜଣାଯାଏ। ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ପ୍ରସିଦ୍ଧ ଗ୍ରୀକ୍‌ ଚିକିତ୍ସକ ହିପୋକ୍ରେଟ୍‌ସ ଫୁଲର ଔଷଧୀୟ ଗୁଣ ସମ୍ପର୍କରେ ଶିକ୍ଷା ପ୍ରଦାନ କରୁଥିବାର ପ୍ରମାଣ ମଧ୍ୟ ରହିଛି। ତେବେ ତାହା କେବଳ ଫୁଲ ବା ଏହାର ମହକରେ ଉପଯୋଗ ମଧ୍ୟରେ ସୀମାବଦ୍ଧ ନ ଥିଲା, ବରଂ ତହିଁରୁ ତଥା ଗଛଲତା ଓ ଗୁଳ୍ମ ଇତ୍ୟାଦିରୁ ପ୍ରସ୍ତୁତ ବିବିଧ ସୁବାସିତ ତୈଳ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା। ଅନ୍ୟପକ୍ଷରେ ଆମ ଦେଶରେ ଏହାକୁ ଭିତ୍ତିକରି ଗଢ଼ିଉଠିଲା ଶତାବ୍ଦୀ ଶତାବ୍ଦୀ ତଳେ ଆୟୁର୍ବେଦ ଚିକିତ୍ସା ପଦ୍ଧତି, ଯାହାର ପ୍ରଥମ ଜଣାଶୁଣା ପ୍ରବର୍ତ୍ତକ ଥିଲେ ଚରକ। ତାଙ୍କ ରଚିତ ‘ଚରକ ସଂହିତା’ରେ ଏଥିସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ମଧ୍ୟ ଏହାକୁ ଗ୍ରହଣ କଲାଣି।
ଏଥିଅନୁସାରେ ଫୁଲ ଅଥବା ଗଛଲତା ଗୁଳ୍ମଙ୍କ ମନଛୁଅଁା ମହକ ଦୁଶ୍ଚିନ୍ତା, ମାନସିକ ଚାପ, ନିଦ୍ରାହୀନତା, ମୁଣ୍ଡବ୍ୟଥା, କ୍ରୋଧ ତଥା ଅନ୍ୟାନ୍ୟ ମାନସିକ ରୋଗର ଉପଶମ ଘଟାଇପାରେ। କେତେକ ଫୁଲରୁ ନିଷ୍କାଷିତ ସୁବାସିତ ତୈଳକୁ ଅନ୍ୟ ତୈଳ ସହିତ ମିଶ୍ରଣ କରି ଚର୍ମ ଉପରେ ପ୍ରଲେପ ଦେଲେ, ଆଘ୍ରାଣ କଲେ କିମ୍ବା ଜଳରେ ମିଶାଇ ସ୍ନାନ କଲେ ତାହା ସକାରାତ୍ମକ ମାନସିକତା ଉତ୍ପନ କରିବା ସହିତ ମାନସିକ ଚାପ ସହ ସମ୍ପୃକ୍ତ ଅଧିକାଂଶ ଲକ୍ଷଣ ଦୂର କରିଥାଏ। ମଲ୍ଲୀ, ଚମ୍ପା, ଲାଭେଣ୍ଡର ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଏପରି କି ଏଗୁଡ଼ିକ ଆମେ ସିଧାସଳଖ ବ୍ୟବହାର କଲେ ସେ ପ୍ରକାର ଫଳ ମିଳିଥାଏ।
ଫୁଲର ମହକରେ ଏ ପ୍ରକାର ଗୁଣର କାରଣ ହେଲା ଯେ, ତାହା ଘ୍ରାଣ ବ୍ୟବସ୍ଥା ମାଧ୍ୟମରେ ଗତି କରି ମସ୍ତିଷ୍କରେ ପହଞ୍ଚେ ଏବଂ ତା’ର କ୍ରିୟାକଳାପକୁ ପ୍ରଭାବିତ କରେ। ଫଳରେ ତହିଁରୁ ଆମ ଭାବପ୍ରବଣତାକୁ ନିୟନ୍ତ୍ରଣ ଏବଂ ମନକୁ ଶାନ୍ତ କଲା ଭଳି ରସାୟନମାନଙ୍କର କ୍ଷରଣ ଘଟେ। ପୁନଶ୍ଚ ଶାରୀରିକ ପ୍ରକ୍ରିୟାକୁ ମଧ୍ୟ ଏହା ପ୍ରଭାବିତ କରେ। ଅତଏବ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ବିବିଧ ରୋଗର ପ୍ରଭାବ ହ୍ରାସ ପାଏ।
ଫୁଲର ମହକ ଏବଂ ତହିଁରୁ ଉତ୍ପନ ସୁବାସିତ ତୈଳ ତାହାର ପ୍ରକାରଭେଦ ଅନୁସାରେ ମନକୁ ପ୍ରଭାବିତ କରିଥାଏ। ଅବଶ୍ୟ ଏହାଦ୍ୱାରା ମନ ରୋଗଟି ସମ୍ପୂର୍ଣ୍ଣ ଦୂର ହୋଇପାରେ କି ନ ପାରେ, ତେବେ ତାହା ରାସାୟନିକ ଭାବେ ତାକୁ ନିଶ୍ଚିତ ରୂପେ ଶାନ୍ତ କରେ ଏବଂ ରୋଗର ଲକ୍ଷଣଗୁଡିକ ସହିତ ଖାପ ଖୁଆଇବାରେ ସାହାଯ୍ୟ କରେ। ଲାଭେଣ୍ଡର, ଗୋଲାପ, ମଲ୍ଲୀ, ରଜନୀଗନ୍ଧା, ଚମ୍ପା ଆଦି ଫୁଲ ଏଥିପାଇଁ ବିଶେଷଭାବେ ଉପଯୋଗୀ। ବାର୍ଦ୍ଧକ୍ୟଜନିତ ସ୍ମୃତିହୀନତା, ଅମନଯୋଗିତା, ଅନିଦ୍ରା ଏବଂ ବିବିଧ ଶାରୀରିକ ଯନ୍ତ୍ରଣା ଆଦିର ମଧ୍ୟ ଏହା ଉପଶମ କରିଥାଏ।
ଅନେକ ସ୍ଥଳେ, ମାନସିକ ରୋଗ ସହିତ ସଂପୃକ୍ତ ହୋଇଥାଏ ଶାରୀରିକ ରୋଗ, ଯେପରିକି ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ପ୍ରଭୃତି। ଫୁଲର ମହକ ଏସବୁର ସମ୍ଭାବନା ହ୍ରାସ କରିପାରେ। କୁହାଯାଏ ଯେ ଏହି କାରଣରୁ ରାଜପ୍ରାସାଦଠାରୁ ଆରମ୍ଭ କରି ଜନପଦମାନଙ୍କର ବିଭିନ୍ନ ସ୍ଥାନରେ ପୁଷ୍ପ ଉଦ୍ୟାନମାନ ପ୍ରତିଷ୍ଠା କରାଯାଉଥିଲା। ଏବେବି ଘର ଅଗଣା ଏବଂ ବାଡିରେ ଆମେ ଫୁଲଗଛ ଲଗାଉଛୁ। ସେହିପରି ଦେବଦେବୀଙ୍କ ପୂଜାର୍ଚ୍ଚନାରେ ସୁବାସିତ ଫୁଲର ବ୍ୟବହାର ଆମ ମନରେ ଆଧ୍ୟାତ୍ମିକ ଭାବ ଉଦ୍ରେକ କରି ଭୁଲାଇ ଦେଉଛି ବସ୍ତୁବାଦୀ ଜୀବନର ଯନ୍ତ୍ରଣା। ଅତଏବ ଏହା ହିଁ ହେଉଛି ପ୍ରକୃତରେ ଏକ ଯାଦୁକରୀ ସୃଷ୍ଟି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ଖଣ୍ଡଗିରି ବିହାର, ଖଣ୍ଡଗିରି, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?