ଜୀବିକା ସଙ୍କଟରେ ମତ୍ସ୍ୟଜୀବୀ

ସୋନପୁର,୧୦।୧୨(ନି.ପ୍ର.): ଜୀବନ ସଂଗ୍ରାମରେ ଅନେକ ସମ୍ପ୍ରଦାୟ ଏବେ ବି ନିଜର କୌଳିକ ବୃତ୍ତି ଛାଡି ନାହାନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ହେଉଥିବା ଆନୁସଙ୍ଗିକ ଜିନିଷର ଅଭାବ ଏ ଦିଗରେ ଅନ୍ତରାୟ ସାଜିଛି । ମହାନଦୀ ଓ ତେଲନଦୀର କୂଳେ କୂଳେ କାହିଁ କେଉଁ କାଳରୁ ରହି ଆସିଥିବା ଝରା, ଗିଙ୍ଗିରା ଓ କେଉଟ ସମ୍ପ୍ରଦାୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ମାଛ ମାରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାନଦୀ ପାଣିର ସ୍ରୋତକୁ ଦେଖି ମାଛ ମାରିବା ପାଇଁ ପାରମ୍ପରିକ ପଦ୍ଧତିରେ ତିଆରି ହେଉଥିବା ଧଇର, ବେନ୍ଦା, ଦାନ୍ଦର, ଘରି, ନୁଆଲି, ଟଙ୍ଗା, ଉଞ୍ଜ ଆଦି ଆଉ ଦେଖିବାକୁ ମିଳୁନାହିଁ । ମାଛମରା କୌଶଳରେ ଆବଶ୍ୟକ ହେଉଥିବା ଏହିସବୁ ସାମଗ୍ରୀ ଏବେ ଲୁପ୍ତପ୍ରାୟ । ଫଳରେ ପାରମ୍ପରିକ ଶୈଳୀରେ ମାଛ ମାରି ନିଜର ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ପରିବାର ଏବେ ସଙ୍କଟ ଦେଇ ଗତି କରୁଛନ୍ତି। ସୁବର୍ଣ୍ଣପୁର ଜିଲା ଦେଇ ବହି ଯାଇଥିବା ମହାନଦୀର କୂଳବର୍ତ୍ତୀ ଦାଦରପାଲି, ଝରାପଡା, ନାଚନିପଦର, ଦଶରାଜପୁର, ବାଘପାଲି, ବଡମାଲ, କେଉଟିପାଲି, କେଲଗାଁ, ବିନିକା ଗୁଲାପଡା, ମଣିଗାଁ ଡେରା, ରହିଲା, ତୁଣ୍ଡୁପାଲି ଝରାପଡା, ପଣ୍ଡକିଟାଲ ଆଦି ଗାଁଗୁଡିକରେ ଝରା ସମ୍ପ୍ରଦାୟର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ସେହିପରି ସୋନପୁର ସହର ସମେତ ନିମ୍ନା, ଦଶରାଜପୁର ଓ ତେଲେଣ୍ଡାରେ ଗିଙ୍ଗିରା, କେଉଟ ପରିବାର ରହୁଛନ୍ତି । ଏହି ସମ୍ପ୍ରଦାୟର ଲୋକେ ପରୁଷାନୁକ୍ରମେ ମହାନଦୀ ଗର୍ଭରୁ ଡଙ୍ଗାରେ ପାରମ୍ପରିକ ଶୈଳୀରେ ମାଛ ଧରି ସ୍ଥାନୀୟ ବଜାରରେ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଏହାବ୍ୟତୀତ ବର୍ଷର ବିଭିନ୍ନ ସମୟରେ ମହାନଦୀ ପାଣିକୁ ଦେଖି ସୁରକ୍ଷିତ ଭାବେ ମାଛ ଧରିବା ପାଇଁ ଧଇର, ବେନ୍ଦା, ଦାନ୍ଦର, ଘରି, ଚୁଆଲି, ଟଙ୍ଗା ଓ ଉଞ୍ଜ ଆଦି ନିଜ ହାତରେ ତିଆରି କରୁଥିଲେ । ଏହିସବୁ ଜିନିଷ ତିଆରି ପାଇଁ ଶୁଖା ବାଉଁଶକୁ କିଛି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିବା ପରେ ତାକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପତଳା କରି କାଟି ବୁଣୁଥିଲେ । ଦିନ ଦିନ ଧରି ପାଣିରେ ବୁଡି ନଷ୍ଟ ନ ହେବା ପାଇଁ ଏସବୁ ନିର୍ମାଣ ସମୟରେ କୌଣସି ରାଶି ବା ସୂତା ବ୍ୟବହାର ହୋଇ ନ ଥାଏ । ମହାନଦୀରୁ ମିୁଳୁଥିବା ଜାମୁଚି ନାମକ ଏକ ବୁଦା କାଟି ତାକୁ ଶୁଖାଇ ପୁଣି ପାଣିରେ ବୁଡାଇ ପତଳା କରି କାଟି ସୂତା ଭାବେ ବ୍ୟବହାର କରୁଥିଲେ । ଏହି ସବୁ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ମାପରେ ନ କଲେ ମାଛ ମାରିବା କଷ୍ଟକର ହୋଇଥାଏ । ତେଣୁ ଏକ ସ୍ବତନ୍ତ୍ର ମାପ କରି ଏ ସବୁକୁ ତିଆରି କରାଯାଏ ବୋଲି କୁହନ୍ତି ଝରାପଡାର ଘମୁଡୁ ଝରା। ଗୋଟିଏ ଧଇର ନିର୍ମାଣ ପାଇଁ ପ୍ରାୟ ୧୫ ଦିନ ଓ ଗୋଟିଏ ବେନ୍ଦା ତିଆରି ପାଇଁ ପ୍ରାୟ ୭ ଦିନ ସମୟ ଲାଗିଥାଏ । ଏପରିକି ଝରା ଓ ଗିଙ୍ଗିରା ସମ୍ପ୍ରଦାୟର ଲୋକେ ମାଛ ମାରିବା ପାଇଁ ମହାନଦୀ ଭିତରେ ଅସ୍ଥାୟୀ କୁଡିଆ ନିର୍ମାଣ କରି ଦଶହରା ଠାରୁ ମହାନଦୀରେ ପ୍ରଥମ ବନ୍ୟା ଜଳ ଆସିବା ପର୍ଯ୍ୟନ୍ତ ନିଜର ପରିବାର ଧରି ମାଛ ମାରୁଥିଲେ। ତେଣୁ ଏମାନେ ମହାନଦୀକୁ ନିଜର ମା’ ଓ ଡଙ୍ଗାକୁ ନିଜର ବାପା ଭାବରେ ଗ୍ରହଣ କରି ଏହାର ସୁରକ୍ଷା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଥିଲେ । କିନ୍ତୁ ବର୍ତ୍ତମାନ ମହାନଦୀରେ ରାସାୟନିକ ଔଷଧର ବହୁଳ ପ୍ରୟୋଗ ଓ ବ୍ଲାଷ୍ଟିଂ ଫଳରେ ଅନେକ ପ୍ରଜାତିର ମାଛ ବଂଶ ଲୋପ ପାଇ ସାରିଥିବା ବେଳେ ଆଉ କିଛି ଲୁପ୍ତ ହେବା ଅବସ୍ଥାରେ ଅଛି । ମହାନଦୀରେ ମାଛ ମାରିବା ପାଇଁ ଅସାମାଜିକ ଲୋକଙ୍କ ଦ୍ୱାରା ଅତ୍ୟଧିକ ରାସାୟନିକ ଔଷଧର ପ୍ରୟୋଗ କରାଯାଉଛି । ଏବେ କେତେକ ମତ୍ସ୍ୟଜୀବୀ ଦେଶୀଡଙ୍ଗା ସାହାଯ୍ୟରେ ନଦୀକୁ ଯାଇ ଜାଲରେ ମାଛ ମାରିବା ଦେଖିବାକୁ ମିୁଳୁଛି ା ଅପରପକ୍ଷରେ ମାଛମରା ପାଇଁ ପାରମ୍ପରିକ ମାଛଧରା ସାମଗ୍ରୀ ତିଆରି ପାଇଁ ଆବଶ୍ୟକ ପଡୁଥିବା ଜିନିଷର ଅଭାବ ଦେଖାଦେଇଛି। ଫଳରେ ବର୍ତ୍ତମାନର ଯୁବପିଢି ବିମୁଖ ହେଉଥିବା ଝରାପଡା ଗ୍ରାମର ବୈଦ୍ୟନାଥ ବେହେରା, ରାମେଶ୍ୱର ନାଏକ ଓ ଧୁବେଇ ଗିଙ୍ଗିରା ପ୍ରମୁଖ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି । ପାରମ୍ପରିକ ମାଛମରା ପଦ୍ଧତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯିବାକୁ ଝରା ସଂଘର ସଭାପତି ଡିଗେଶ୍ୱର ନାଏକ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?