ଅମରପାଲି,୧୨।୧୧ (ପୀତାମ୍ବର ସାହୁ): ଗୋଦାମ ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ମାଲିକଙ୍କ ନୂଆ ଟ୍ରାକ୍ଟର ନେଇ ଫେରାର ହୋଇଯାଇଥିବା ଅଭିଯୁକ୍ତ କର୍ମଚାରୀଙ୍କୁ ବୀରମହାରାଜପୁର ପୁଲିସ ଗିରଫ କରିଛି। ଏଥିସହ ବଲାଙ୍ଗୀର ଜିଲାରୁ ଚୋରି ହୋଇଥିବା ଟ୍ରାକ୍ଟରଟିକୁ ମଧ୍ୟ ପୁଲିସ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲା ସୋନପୁର ଥାନା କିର୍ତ୍ତୀପୁର ଗ୍ରାମର ଈଶ୍ୱର ନାଏକଙ୍କ ପୁଅ ମହାରାଗୁ ନାଏକ (୪୮) ବର୍ତ୍ତମାନ ବୀରମହାରାଜପୁର ଥାନା ଅନ୍ତର୍ଗତ କଦଳୀପାଲି ଗ୍ରାମରେ ରହୁଛନ୍ତି। ଗତ ୮ ତାରିଖ ଭୋର ପ୍ରାୟ ୨ଟାରୁ ୩ଟା ମଧ୍ୟରେ ସେ କଦଳୀପାଲି ଗ୍ରାମର ସାହେବ ବିଶ୍ୱାଳଙ୍କ ପୁଅ ସଞ୍ଜୟ ବିଶ୍ୱାଳଙ୍କ ଗୋଦାମ ଘରେ ବିଶ୍ରାମ ନେଉଥିଲେ। ଏହି ସମୟରେ ସଞ୍ଜୟଙ୍କ କର୍ମଶାଳାରେ ଅପରେଟର ଭାବେ କାର୍ଯ୍ୟରତ ତରଭା ଥାନା ଗରାମହୁଲ ଗ୍ରାମର ସୁଦର୍ଶନ କର୍ମୀଙ୍କ ପୁଅ ପ୍ରକାଶ କର୍ମୀ (୨୭) ସେଠାରେ ପହଞ୍ଚି ଉନ୍ମତ୍ତକାଣ୍ଡ ଘଟାଇଥିଲେ।
ପ୍ରକାଶ ସେଠାରେ ମହାରାଗୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ସେ ମାଲିକ ସଞ୍ଜୟ ବିଶ୍ୱାଳଙ୍କ ନୂତନ ଜନ୍ ଡିଅର୍ ଟ୍ରାକ୍ଟର (ଓଡି-୩୧-କ୍ୟୁ-୧୧୦୮)କୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏହି ଘଟଣା ସମ୍ପର୍କରେ ମହାରାଗୁ ନାଏକ ଗତ ୧୦ ତାରିଖ ଅପରାହ୍ନରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍ ନଂ ୨୬୯/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଏକ ଟିମ୍ ତଦନ୍ତ ଚଳାଇ ବଲାଙ୍ଗୀର ଜିଲାର ବଡ଼କାନି, ଚେରାଇମୁଣ୍ଡା ନିକଟରୁ ଅଭିଯୁକ୍ତ ପ୍ରକାଶ କର୍ମୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ଟ୍ରାକ୍ଟରଟିକୁ ଉଦ୍ଧାର କରିଛି।

