ମତ୍ସ୍ୟ ସମ୍ପଦ ଅଭିବୃଦ୍ଧି

ପ୍ରକାଶ ତ୍ରିପାଠୀ

ପୃଥିବୀରେ ଜୀବନ ସର୍ଜନା ଆରମ୍ଭରୁ ମତ୍ସ୍ୟ ସମ୍ପଦର ଉପସ୍ଥିତିକୁ ଉଭୟ ଜୀବ ବିଜ୍ଞାନୀ ଓ ଭଗବଦ୍‌ବିଶ୍ୱାସୀମାନେ ଗ୍ରହଣ କରନ୍ତି। ମାଛ ଏକ ସୁଷମ, ପୁଷ୍ଟିକର, ସହଜ ଉପଲବ୍ଧ ଓ ସ୍ବାଦଯୁକ୍ତ ହୋଇଥିବାରୁ ଏବେ ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ୧୦୦ କୋଟିରୁ ଊର୍ଦ୍ଧ୍ୱ ଓ ବାର୍ଷିକ ପ୍ରାୟ ୧୦୦ ନିୟୁତ ଟନ୍‌ ମାଛ ଖାଦ୍ୟ ଭାବେ ବ୍ୟବହୃତ ହୁଏ। ପ୍ରତ୍ୟେକ ବିକାଶଶୀଳ ଦେଶଗୁଡ଼ିକର ପ୍ରଗତି ପଛରେ ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ। ବିଶ୍ୱରେ ଆବଶ୍ୟକ ପଡ଼ୁଥିବା ପ୍ରାଣୀଜ ପ୍ରୋଟିନ୍‌ର ୨୫% କେବଳ ମାଛ ହିଁ ଭରଣା କରିଥାଏ। ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ମତ୍ସ୍ୟ ଉତ୍ପାଦନରେ ବର୍ତ୍ତମାନ ବିଶ୍ୱରେ ଭାରତର ସ୍ଥାନ ଦ୍ୱିତୀୟ। ମତ୍ସ୍ୟ ସମ୍ପଦ ୧୪୫ ନିୟୁତ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି। ଦେଶର ମୋଟ ଘରୋଇ ଉତ୍ପାଦନ (ଜିଡିପି)ରେ ଏହାର ଅବଦାନ ୧.୦୭% ଓ ବାର୍ଷିକ ରପ୍ତାନି ୪୦,୦୦୦ କୋଟି ଟଙ୍କାରୁ ଅଧିକ। ଭାରତୀୟ କୃଷିର ୫.୩ ଭାଗ ଅଧିକୃତ କରିଥିବା ମତ୍ସ୍ୟ ସମ୍ପଦ ଦେଶର ଖାଦ୍ୟ ନିରାପତ୍ତା ଯୋଗାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବାର୍ଷିକ ୧୪ ନିୟୁତ ଟନ ମାଛ ଉତ୍ପାଦନ କରୁଥିବା ଭାରତରେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାକୁ ୨୦ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି ଓ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଭାରତର ଅନ୍ୟତମ ଉପକୂଳ ରାଜ୍ୟ ଭାବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ମଧ୍ୟ ଏକ ଅଗ୍ରଣୀ ରାଜ୍ୟ। ୬.୮୬ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର ଖାରିଜଳ କ୍ଷେତ୍ର, ୪୮୦ କିଲୋମିଟର ଉପକୂଳ କ୍ଷେତ୍ରର ଜଳ ସମ୍ପଦରୁ ବାର୍ଷିକ ୮.୭୩ ଲକ୍ଷ ମେଟ୍ରିକ ଟନ୍‌ ମାଛ ଉତ୍ପାଦନ କରି ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ବିଶ୍ୱସ୍ତରରେ ବ୍ୟକ୍ତି ପ୍ରତି ୧୬ କିଗ୍ରା ମାଛ ଖାଦ୍ୟ ରୂପେ ଗ୍ରହଣ କରୁଥିବା ବେଳେ ଭାରତରେ ଏହା ୯ କିଗ୍ରା।
ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଏ। କୋଟି କୋଟି ବିଶ୍ୱବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଏକ ବିଶାଳ ଉତ୍ସ ସମୁଦ୍ରର ଗୁରୁତ୍ୱକୁ ଉପଲବ୍ଧି କରିବା ତଥା ବିଗତ ବର୍ଷର ମାଛଧରା କାର୍ଯକ୍ରମର ପୋଷଣୀୟ ପରିଚାଳନା କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ ବର୍ଷ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବିଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଏବଂ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ଏହି ଦିବସ ପାଳନ ଏକ ଯଥାର୍ଥ ପଦକ୍ଷେପ। ବିଶ୍ୱ ମତ୍ସ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶ୍ୱରେ ଥିବା ପ୍ରାକୃତିକ ଜଳଉତ୍ସ ଯଥା ସମୁଦ୍ର, ମଧୁରଜଳ ଓ କ୍ଷାରିଜଳରେ ଥିବା ମତ୍ସ୍ୟ ସମ୍ପଦର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା। ବ୍ୟାପକ ମତ୍ସ୍ୟଚାଷ ସତ୍ତ୍ୱେ ବି ପ୍ରାକୃତିକ ଜଳଉତ୍ସରୁ ମାଛ ଧରାଯାଇ ଚାହିଦା ପୂରଣ କରାଯାଉଥିବାରୁ ପ୍ରାକୃତିକ ଜଳଉତ୍ସଗୁଡିକର ପୋଷଣୀୟ ପରିଚାଳନାର ଆବଶ୍ୟକତା ରହିଛି। ସମୁଦ୍ର, ନଦୀ, ହ୍ରଦ, ନଦୀମୁହାଣ, ଆର୍ଦ୍ରଭୂମି, କୋରାଲ ରିଫ ଉପରେ ଆଗାମୀ ଦିନରେ ଅଧିକ ଚାପ ରହିବ। ଏହା ଉପରେ ହିଁ ନିୟୁତ ନିୟୁତ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକା ନିର୍ଭର କରିଥାଏ। ଏହି ପ୍ରାକୃତିକ ଜଳଉତ୍ସର ନ୍ୟାୟସଙ୍ଗତ ଓ ପୋଷଣୀୟ ପରିଚାଳନା ସହ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଜୀବିକାକୁ ବିଚାର କରିବାକୁ ପଡ଼ିଥାଏ। ପ୍ରାକୃତିକ ଜଳଉତ୍ସର ମତ୍ସ୍ୟ ସମ୍ପଦର ସୁପରିଚାଳନା ତଥା ଏହାର ବଂଶ ବୃଦ୍ଧି ଓ ସାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ବର୍ତ୍ତମାନ ବିଶ୍ୱ ମତ୍ସ୍ୟ ନୀତିରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ। ଏହା ହିଁ ବିଶ୍ୱ ମତ୍ସ୍ୟ ଦିବସର ଆହ୍ବାନ।
ବିଶ୍ୱର ପ୍ରତି ଦଶ ଜଣରେ ଜଣେ ମଣିଷ ନିଜ ପରିବାର ଭରଣପୋଷଣ ପାଇଁ ଜଳକୃଷି ତଥା ମତ୍ସ୍ୟ ସମ୍ପଦ ଉପରେ ନିର୍ଭର କରିଥାଏ। ଏହା ସହ ମତ୍ସ୍ୟକ୍ଷେତ୍ରରେ ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀଙ୍କ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି, ସେମାନଙ୍କ ରୋଜଗାର ଓ ଜୀବିକା ସୁନିଶ୍ଚିତ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଉଭୟ ପ୍ରାକୃତିକ ଜଳଉତ୍ସ, ମତ୍ସ୍ୟ ସମ୍ପଦ, ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷା ପାଇଁ ସଚେତନତା ତଥା ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଏ। ଏହି ଦିବସ ପାଳନ କେବଳ ମତ୍ସ୍ୟ ଉତ୍ସ, ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ଆଲୋକପାତ କରିବାରେ ସୀମିତ ନୁହେଁ, ମତ୍ସ୍ୟ ବିବିଧତାର ପରିମାଣ ଦ୍ୱାରା ଜଳଉତ୍ସର ମାନ ବି ନିର୍ଦ୍ଧାରଣ କରାଯିବା ଉଚିତ। ଜଳବାୟୁ ପରିବର୍ତ୍ତନ, ଜଳ ପ୍ରଦୂଷଣ ଯୋଗୁ ନଦୀ, ହ୍ରଦ ଓ ସମୁଦ୍ରରେ ମାଛଙ୍କ ଗଣମୃତ୍ୟୁ ଗତ କିଛି ବର୍ଷ ହେବ ସୂଚିତ କରେ ଯେ, ମାଛ ବସତି ଅଞ୍ଚଳଗୁଡିକର ମାନ ଠିକ୍‌ ନାହିଁ। ଯଦି ଏହା ପ୍ରତି ଗୁରୁତ୍ୱ ଦିଆ ନ ଯାଏ, ତେବେ ଭବିଷ୍ୟତରେ ବିଶ୍ୱ ଏକ ଗୁରୁତର ଖାଦ୍ୟସଙ୍କଟ ଦିଗକୁ ମୁହଁାଇବ। ବିଶେଷକରି ଶିଳ୍ପକ୍ଷେତ୍ର, କୃଷିକ୍ଷେତ୍ର, ଘରୋଇ ତଥା ସହରର ବର୍ଜ୍ୟଜଳ ନିଷ୍କାସନ ତଥା ତୈଳ ଓ ପ୍ଲାଷ୍ଟିକ ଯୋଗୁ ଉପକୂଳ ସମୁଦ୍ରର ଜଳ ବହୁମାତ୍ରରେ ପ୍ରଦୂଷିତ ହେଉଛି। ଏହା ମାଛବଂଶ ପ୍ରତି ସଙ୍କଟ ସୃଷ୍ଟି କରୁଛି। ମାଛ ଉତ୍ପାଦନ ବାଧାପ୍ରପ୍ତ ହେବା ସହ ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛି।
ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟା ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସମୁଦ୍ର ଉପରେ ଚାପ ବଢିବାରେ ଲାଗିଛି। ଆବଶ୍ୟକତାଠାରୁ ଅଧିକ ମାଛ ଧରାହେଉଛି। ଜାତିସଂଘ ତଥ୍ୟ ଅନୁଯାୟୀ ସମୁଦ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ଜଳଉତ୍ସଗୁଡ଼ିକର ଦୁଇ ତୃତୀୟାଂଶରେ ମାତ୍ରାଧିକ ମାଛ ଧରାଯାଉଛି। ଏକ ତୃତୀୟାଂଶ ଅଞ୍ଚଳରେ ପ୍ରଦୂଷଣ, ବିଶ୍ୱତାପନ ଓ ଅସ୍ବାସ୍ଥ୍ୟକର ମାଛ ବସତି ଅଞ୍ଚଳ ଯୋଗୁ ମାଛବଂଶ ବୃଦ୍ଧି ଆଶାନୁରୂପ ହୋଇ ପାରୁନାହିଁ। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଏସବୁ ଉପରେ ଗୁରୁତ୍ୱ ପ୍ରଦାନ ସହ ମତ୍ସ୍ୟ ବିବିଧତା, ମାଛ ବସତି ଅଞ୍ଚଳର ସୁରକ୍ଷା, ସାମୁଦ୍ରିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯିବା ସହ ପ୍ରାକୃତିକ ଜଳଉତ୍ସଗୁଡ଼ିକୁ ଉତ୍ପାଦନକ୍ଷମ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ପ୍ରାକୃତିକ ଜଳଉତ୍ସରେ ଜୈବ ବିବିଧତାର ସୁରକ୍ଷା ଲୋଡ଼ା। ସମୁଦ୍ରରେ ମାଛବଂଶର ଅଭିବୃଦ୍ଧି ନିମନ୍ତେ ଅଧିକରୁ ଅଧିକ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣାର ଆବଶ୍ୟକତା ରହିଛି। ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ଓ ମାଛବଂଶ ବୃଦ୍ଧି ପାଇଁ ପ୍ରଜନନ ସମୟରେ ମାଛଧରା ଉପରେ କଟକଣା ଲାଗୁ କରାଯାଏ। ଏଥିପାଇଁ କ୍ଷତି ସହୁଥିବା ମତ୍ସ୍ୟଜୀବୀଙ୍କୁ ସରକାର ଜୀବିକା ସହାୟତା ପ୍ରଦାନ କରୁଛନ୍ତି। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଛଧରା ନିଷିଦ୍ଧାଞ୍ଚଳ ତଥା ମତ୍ସ୍ୟ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଓ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ମୋବାଇଲ ଆପ୍‌ ପ୍ରସ୍ତୁତ ହୋଇଛି। ଏହା ମତ୍ସ୍ୟଜୀବୀଙ୍କ ପାଇଁ ଅତି ଉପାଦେୟ ସାବ୍ୟସ୍ତ ହୋଇପାରିଛି। ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ମାଛ ଯାଆଁଳ ଛଡ଼ାଯିବା ସହ ମାଛ ଉତ୍ପାଦନ ବୃଦ୍ଧି ଓ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାରଗୁଡ଼ିକର ଆର୍ଥିକ ବିକାଶ ଉପରେ ପଦକ୍ଷେପ ନିଆଯାଉଛି। ଫଳରେ ଓଡ଼ିଶାରେ ଜଳସେଚନ ପାଇଁ ପ୍ରମୁଖ ଭୂମିକା ନେଇ ଆସୁଥିବା ୧୩୮ ଗୋଟି ଜଳଭଣ୍ଡାରର ୨ ଲକ୍ଷ ହେକ୍ଟର ପରିମିତ ଅଞ୍ଚଳରେ ମାଛ ଯାଆଁଳ ଓ ମାଛବଂଶ ବୃଦ୍ଧି ସମ୍ଭବ ହୋଇପାରିଛି। ମାଛ ଉପତ୍ାଦନ ମଧ୍ୟ ବୃଦ୍ଧି ପାଇଛି। ସେହିପରି ମହାନଦୀରେ ମାଛ ଯାଆଁଳ ଓ ମାଛ ବୃଦ୍ଧି କରାଯାଇ ଏହା ଉପରେ ନିର୍ଭର କରୁଥିବା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁନିଶ୍ଚିତ ପାଇଁ ପଦକ୍ଷେପ ନିଆଯାଉଛି। ମହିଳାମାନଙ୍କ ଆର୍ଥିକ ବିକାଶ ଘଟାଇବା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟରେ ଥିବା ଗ୍ରାମ ପଞ୍ଚୟତ ପୋଖରୀକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଦୀର୍ଘ ମିଆଦୀ ସୂତ୍ରରେ ଲିଜ୍‌ ଦିଆଯାଇ ମାଛଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ପ୍ରାଥମିକ ମତ୍ସ୍ୟ ସମବାୟ ସମିତିଗୁଡିକୁ ପୁନଃକ୍ଷମ କରିବା ତଥା ଏହାର ସଭ୍ୟାସଭ୍ୟମାନଙ୍କ ଆର୍ଥିକ ବିକାଶ ଲକ୍ଷ୍ୟରେ ୨ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ତଥା ରାଜ୍ୟର ବିଭିନ୍ନ କଲ୍ୟାଣମୂଳକ ଯୋଜନା ମାଧ୍ୟମରେ ନୂତନ ପୋଖରୀ ଖନନ, ଭିତ୍ତିଭୂମିର ବିକାଶ, ଉନ୍ନତ ଜ୍ଞାନ କୌଶଳଯୁକ୍ତ ମାଛଚାଷ ପାଇଁ ପ୍ରୋତ୍ସାହନ ଓ ତାଲିମ ପ୍ରଦାନ, ମାଛଚାଷରେ ବ୍ୟବହୃତ ଉପକରଣ ପ୍ରଦାନ, ସେମାନଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ମେଧାବୃତ୍ତି ପ୍ରଦାନ, ମତ୍ସ୍ୟଜୀବୀ ପରିବାରକୁ ବୀମାଭୁକ୍ତ କରିବା ଆଦି କାର୍ଯ୍ୟକ୍ରମ ମାଛଚାଷ ପ୍ରତି ସାଧାରଣରେ ଆଗ୍ରହ ବୃଦ୍ଧି କରୁଛି। ଜଳସମ୍ପଦ, ମତ୍ସ୍ୟ ସମ୍ପଦ, ମତ୍ସ୍ୟ ବିବିଧତା ସୁରକ୍ଷା ସହ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷ, ସଙ୍ଗଠନ, ଉଦ୍ୟୋଗୀଙ୍କ ବିକାଶକୁ ଦୃଷ୍ଟି ଦିଆଯାଇ ପାରିଲେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଯଥାର୍ଥ ହୋଇପାରିବ।
ମୋ-୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri