Posted inଫୁରସତ

ପ୍ରଥମ ରୋଜଗାର ଥିଲା ୮୦୦ ଟଙ୍କା: ଲେଖିକା ନିବେଦିତା ନନ୍ଦ

ପାଠପଢ଼ା ମଝିରୁ ମୋ ବାହାଘର। ନୂଆ ଏକ ଜୀବନର ଆରମ୍ଭ। ନିଜ ରୋଜଗାର ବୋଲି ଆଉ କ’ଣ ଥା’ନ୍ତା! ସମସ୍ତେ କାମ କରେଇ ନିଅନ୍ତି। ମୂଲ୍ୟ ବା ପ୍ରାପ୍ୟ ଦେବାକଥା କେହି ଚିନ୍ତା କରି ନ ଥାନ୍ତି କି ମୁଁ ଆଶା ବି କରେନି। ଏବେ ତ ଅନେକ ରୋଜଗାର ହେଉଛି ନିଜର ବୋଲି ବ୍ୟବସାୟଟିଏ ଥିବାରୁ। ତେବେ ପରିଶ୍ରମ କରି ନିଜ ହାତରେ ପ୍ରଥମ କରି ତାର ପ୍ରାପ୍ୟ ଧରିବା ର ଅନୁଭୂତି ସତରେ ଅନନ୍ୟ।

୨୦୦୧ ମସିହାର କଥା। ଗର୍ଭବତୀ ଥିବାରୁ ମୋତେ ସାରା ରାତି ନିଦ ହେଉନଥାଏ।ସବୁଦିନ ରାତିରେ ଖାଲି ଘରସାରା ଏପଟ ସେପଟ ଚାଲିବା ମୋ ନିତିଦିନିଆ ଅଭ୍ୟାସ ପାଲଟି ଯାଇଥାଏ। ଭୀଷଣ ବୋର୍‌ ଲାଗୁଥାଏ। ଲାଗୁଥାଏ କିଛି କାମ ଥାନ୍ତା କି କରି ପକାନ୍ତି। ଏଇ କଥା ମୋ ସହ ସା ଭ୍ରମଣରେ ଯାଉଥିବା ଜଣେ ପଡ଼ୋଶୀନି ଙ୍କୁ କହିଥିଲି। ଅବିଳମ୍ବେ ସେ ଜଣେ ବ୍ୟକ୍ତି ଙ୍କୁ ଧରି ହାଜର ହୋଇଗଲେ, ଯିଏ କି ଆର୍‌ ଟି ଓ ଅଫିସରେ କିଛି କାମ କରୁଥିଲେ। ସେ ଗୋଟିଏ ମୋଟା ବନ୍ଧେଇ ବାଲା ଖାତା ଆଉ କିଛି ପାସପୋର୍ଟ ସାଇଜର ଫଟୋ ଏବଂ ସୂଚନା ଲେଖାଯାଇଥିବା ଡାଏରୀ ଟିଏ ମୋତେ ଦେଲେ। କହିଲେ ଫଟୋ ଗୁଡିକୁ ବନ୍ଧେଇବାଲା ଖାତାରେ କ୍ରମାନ୍ବୟରେ ଅଠା ମାରି ଲଗାଯିବ ଏବଂ ସିଧାରେ ତତ୍ସଂଲଗ୍ନ ସୂଚନାଟି ନିର୍ଭୁଲ ଭାବରେ ସୁନ୍ଦର ଏବଂ ପରିଷ୍କାର ଭାବରେ ଲେଖାଯିବ। ସେ ସାରେ ଡାଏରୀଟି ଦେଇଯିବେ ଏବଂ ସକାଳେ ଖାତା ନେଇଯିବେ। ମୁଁ ଚଟାପଟ ରାଜି ହୋଇଗଲି। ତାପରଦିନ ସେ ଖାତା ନେବାକୁ ଆସିଲେ ଆଉ କାମ ଦେଖି ଖୁସି ହୋଇଗଲେ। ଏମିତି ପ୍ରାୟ ପନ୍ଦର କୋଡ଼ିଏ ଦିନ ଚାଲିଲା। କିନ୍ତୁ ସେ ବ୍ୟକ୍ତି କିମ୍ବା ପଡ଼ୋଶୀନି ପଇସା କଥା କିଛି କହୁନଥାନ୍ତି। କେବେ କେବେ ଖୁବ ଅଧିକ ଫଟୋକୁ ଅଠା ମାରି ପୁଣି ଲେଖିବା ବେଳକୁ ମୁଁ ହାଲିଆ ହୋଇପଡ଼େ। ସେ ମୋଟା ବନ୍ଧେଇ ଖାତାକୁ ମୁଁ ମଜାରେ ମାଦଳାପାଞ୍ଜି ବୋଲି କୁହେ।

କଲେଜରେ ପିଲା ବେଳେ ମାନୁଦିଦି ବି କୁଆଡୁ କେତେ ଲେଖା ଧରି ଆସନ୍ତି ଆଉ ତାକୁ ଅନ୍ୟ ଖାତାକୁ ଉତାରି ବାକୁ ଦିଅନ୍ତି ମୋତେ। ମୁଁ ବିନା ଆପତ୍ତିରେ କରିଦିଏ। କ୍ଲାସ ନଥିଲା ବେଳେ ଲେଖୁଥିବା ଦେଖି ମୋ ଅନର୍ସମେଟ୍‌ ସାଙ୍ଗମାନେ ମୋତେ ଚିଡ଼ାନ୍ତି ଯେ ମାନମୟୀ ରଥ ୟାକୁ ଭାଲୁ ଲାଙ୍ଗୁଡ଼ ଧରେଇ ଦେଇ ଯାଇଛି। ଏତେ ବର୍ଷ ପରେ ପୁନଶ୍ଚ ସେଇ ପରିସ୍ଥିତିରେ ପଡ଼ି ମୁଁ ମନେ ମନେ ଭାବୁଥାଏ ଯେ ସେତେବେଳେ ତ ମଜା ଥିଲା କିନ୍ତୁ ଏବେ ମୁଁ ସତରେ ଭାଲୁ ଲାଙ୍ଗୁଡ଼ ଧରିନି ତ…!! ଯାହା ବି ହେଉ ମାସଟିଏ କରି ମନା କରିଦେବି ଭାବି କିଛି କହୁ ନଥାଏ।

ଠିକ ମାସେ ପୂରିଲା ଆଉ ତାପରଦିନ ସାରେ ସେ ବ୍ୟକ୍ତି ଖାତା ଆଣି ଆସିଲେ ମୁଁ ମନେ ମନେ ନା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲି। କିଛି କହିବା ପୂର୍ବରୁ ହିଁ ସେ ମୋତେ କହିଲେ ଆପଣ ମୋତେ ବହୁତ ବଡ଼ ସାହାଯ୍ୟ କରୁଛନ୍ତି ମୁଁ ତା’ର ମୂଲ୍ୟ ହୁଏତ ଦେଇ ପାରିବିନି। କିଛିଟା ପ୍ରାପ୍ୟ ଡାଏରୀ ଭିତରେ ଅଛି ଦେଖିନେବେ। ମୁଁ ଖୁସିରେ ଘରକୁ ଆସି ଗଣିଲା ବେଳକୁ ଆଠଶହ ଟଙ୍କା ଥିଲା। ଏହା ଥିଲା ମୋ ପ୍ରଥମ ରୋଜଗାର।

ସେହି ପଇସା ସେତେବେଳେ ଖୁବ କାମରେ ଆସିଥିଲା। ଶହେ ତିରିଶ ଟଙ୍କା ଝିଅର ସ୍କୁଲ ଫିସ ଆଉ ଦୁଇଶହ ଟଙ୍କା ଡାକ୍ତରଙ୍କ ଫିସ୍‌ ଦେବାପାଇଁ ଦୂରରେ ରହୁଥିବା ସ୍ବାମୀ ଙ୍କ ଆସିବାକୁ ଅପେକ୍ଷା ନକରିଥିଲି ଆଉ। ବାକି ପାଞ୍ଚଶହ ଟଙ୍କା ପୁଅ ଜନ୍ମ ପରେ ତା’ର ଖାଦ୍ୟ କିଣା କାମରେ ଲାଗିଥିଲା। ସତରେ ଏହି ପ୍ରଥମ ରୋଜଗାରର ପୁଲକ ବିରଳ ଏବଂ ଅନନ୍ୟ ଯାହାକୁ ମୁଁ ଆଜିଯାଏ ଭୁଲି ପାରିନି ।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?