ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀ ଖୋଜା

ତେହେରାନ,୧୪ା୧୨: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ଗୁଜବରୁ ଗୋଟିଏ ପ୍ରଶ୍ନ ଛିଡ଼ାହୋଇଛି। ତାହା ହେଉଛି ଯଦି ସେ ଅଧିକ ରୋଗାକ୍ରାନ୍ତ ହୁଅନ୍ତି ଅଥବା ତାଙ୍କର ମୃତ୍ୟୁ ଘଟେ ତେବେ କ’ଣ ହେବ? କିଏ ହେବେ ସର୍ବୋଚ୍ଚ ନେତା ଖାମେନେଇଙ୍କ ଉତ୍ତରାଧିକାରୀ? ଏହି ପ୍ରଶ୍ନକୁ ବଳ ଦେଇଛି ଖବରଦାତା ମହମ୍ମଦ ଅହଓ୍ବାଜେଙ୍କ ମନ୍ତବ୍ୟ । ଇରାନର ଅଣୁ ବିଜ୍ଞାନୀ ମୋହସେନ ଫଖ୍‌ରିଜାଦେଙ୍କ ହତ୍ୟା ପରେ ଇସ୍ରାଏଲ ଓ ଆମେରିକା ସହ ଇରାନର ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କର୍କଟ ରୋଗରେ ପୀଡ଼ିତ ସୁପ୍ରିମ ଲିଡର ଖାମେନେଇ ନିଜ ଉତ୍ତରାଧିକାରୀ ଚୟନ କରିବାକୁ ନିଷ୍ପତ୍ତି ନେଇଥିବା ଅହଓ୍ବାଜେ ଦାବି କରିଛନ୍ତି ।

୮୧ ବର୍ଷୀୟ ଖାମେନେଇ ମଧ୍ୟପ୍ରାଚ୍ୟର ସବୁଠୁ ଶକ୍ତିଶାଳୀ ଦେଶ ଇରାନର ସର୍ବୋଚ୍ଚ ନେତା। ତାଙ୍କ ପରେ ଇରାନର ନେତୃତ୍ୱ କିଏ ନେବେ? ଇରାନ ସମେତ ସମ୍ପୃକ୍ତ କ୍ଷେତ୍ର ଓ ଅବଶିଷ୍ଟ ବିଶ୍ୱ ପାଇଁ ଏହା ପାଲଟିଛି ସବୁଠୁ ବଡ଼ ପ୍ରଶ୍ନ। ଏହି ପଦବୀ ପାଇଁ ୮୮ ଜଣ ଇସ୍‌ଲାମିକ୍‌ ବିଦ୍ୱାନଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ଗୋଟିଏ ନାମ ଉପରେ ମୋହର ଲଗାଇଥାଏ। ଏହି ସମୂହକୁ ଆସେମ୍ବ୍ଲି ଅଫ୍‌ ଏକ୍ସପଟର୍‌ସ କୁହାଯାଏ। ଆୟାତୋଲ୍ଲା ଖାମେନେଇ ହେଉଛନ୍ତି ୧୯୭୯ରେ ଇରାନର ଇସ୍‌ଲାମିକ୍‌ ବିପ୍ଳବ ପରେ ଏହି ପଦବୀ ପାଇଁ ଚୟନ ହୋଇଥିବା ଦ୍ୱିତୀୟ ବ୍ୟକ୍ତି। ଏହି ଆସେମ୍ବ୍ଲିର ସଦସ୍ୟମାନଙ୍କୁ ଇରାନର ଜନତା ପ୍ରତି ୮ ବର୍ଷରେ ଥରେ ବାଛିଥାନ୍ତି। କିନ୍ତୁ ପୂର୍ବରୁ ପ୍ରାର୍ଥୀମାନଙ୍କ ନାମକୁ ଏକ କମିଟି ମଞ୍ଜୁରୀ ଦେଇଥାଏ, ଯାହାକୁ ଗାର୍ଡିଆନ୍‌ କାଉନ୍‌ସିଲ କୁହାଯାଏ। ଗାର୍ଡିଆନ୍‌ କାଉନ୍‌ସିଲର ସଦସ୍ୟମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସୁପ୍ରିମ ଲିଡର ହିଁ ବାଛିଥାନ୍ତି। ତେଣୁ ଉଭୟ ଗାର୍ଡିଆନ୍‌ କାଉନ୍‌ସିଲ ଏବଂ ଆସେମ୍ବ୍ଲି ଅଫ୍‌ ଏକ୍ସପଟର୍‌ସ ଉପରେ ସର୍ବୋଚ୍ଚ ନେତାଙ୍କ ପ୍ରଭାବ ରହିଥାଏ।
ବିଗତ ୩ ଦଶନ୍ଧି ମଧ୍ୟରେ ଖାମେନେଇ ଆସେମ୍ବ୍ଲି ପାଇଁ ରକ୍ଷଣଶୀଳ ବା ରୂଢ଼ିବାଦୀଙ୍କୁ ଚୟନ କରିଛନ୍ତି। ଏଥିଯୋଗୁ ସୁପ୍ରିମ ଲିଡରଙ୍କ ଇଚ୍ଛା ଅନୁସାରେ ତାଙ୍କ ଉତ୍ତରାଧିକାରୀ ବଛାଯିବ। ସର୍ବୋଚ୍ଚ ନେତା ଥରେ ନିର୍ବାଚିତ ହେବା ପରେ ଆଜୀବନ ଏହି ପଦରେ ରହିପାରିବେ। ଇରାନର ସମ୍ବିଧାନ ଅନୁସାରେ ସୁପ୍ରିମ ଲିଡର ଜଣେ ଆୟାତୋଲ୍ଲା ଅର୍ଥାତ୍‌ ବରିଷ୍ଠ ଶିୟା ଧାର୍ମିକ ନେତା ହୋଇଥିବା ଜରୁରୀ। କିନ୍ତୁ ଖାମେନେଇଙ୍କୁ ବଛାଯିବା ସମୟରେ ସେ ଆୟାତୋଲ୍ଲା ନ ଥିଲେ। ସେଥିପାଇଁ ତାଙ୍କୁ ସର୍ବୋଚ୍ଚ ନେତା ପଦରେ ଆସୀନ କରାଇବା ଲାଗି ଆଇନରେ ସଂଶୋଧନ କରାଯାଇଥିଲା। ତେଣୁ ଏବେ ତାଙ୍କ ଉତ୍ତରାଧିକାରୀ ଚୟନ ଲାଗି ପୁଣିଥରେ ଆଇନରେ ସଂଶୋଧନ ଅଣାଯାଇପାରେ। ତେବେ ନୂଆ ନେତା ନିର୍ବାଚନ ସମୟରେ ରାଜନୈତିକ ମାହୋଲ ଉପରେ ଏହା ନିର୍ଭର କରେ।

କାହିଁକି ଗୁରୁତ୍ୱପୂର୍ଣ୍ଣ: ଇରାନରେ ସବୁଠୁ ଶକ୍ତିଶାଳୀ ଓ ନିରଙ୍କୁଶ କ୍ଷମତାର ଅଧିକାରୀ ହେଉଛନ୍ତି ସୁପ୍ରିମ ଲିଡର। କୌଣସି ଜରୁରୀ ପ୍ରସଙ୍ଗରେ ତାଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ମନେକରାଯାଏ। ସେ ବିଶ୍ୱ ପାଇଁ ଇରାନର ନୀତି ଓ କାର୍ଯ୍ୟପନ୍ଥା ସ୍ଥିର କରିଥାନ୍ତି। ଇରାନ ବିଶ୍ୱର ସବୁଠୁ ଶକ୍ତିଶାଳୀ ଶିୟା ରାଷ୍ଟ୍ର। ଖାମେନେଇଙ୍କ ନେତୃତ୍ୱରେ ମଧ୍ୟପ୍ରାଚ୍ୟରେ ଏହାର ପ୍ରଭାବ ବୃଦ୍ଧି ପାଇଛି। ତାଙ୍କ ମୃତ୍ୟୁ ଏହି କ୍ଷେତ୍ରର ଭବିଷ୍ୟତ ବଦଳାଇଦେବା ସହ ବିଶ୍ୱ ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ଆମେରିକା ଓ ଇସ୍ରାଏଲ୍‌ ସହ ଇରାନର ଶତ୍ରୁତା ବଢ଼ିବା ପଛରେ ଅନେକାଂଶରେ ଏହି ଦୁଇଦେଶକୁ ନେଇ ଖାମେନେଇଙ୍କ ବ୍ୟକ୍ତିଗତ ନାପସନ୍ଦକୁ ଦାୟୀ କରାଯାଇଥାଏ। ଏହି କାରଣରୁ ବର୍ଷ ବର୍ଷ ଧରି ଉତ୍ତେଜନା ଓ ଅସ୍ଥିରତାର ମାହୋଲ ମଧ୍ୟ ରହିଆସିଛି। ତେବେ ଉତ୍ତରାଧିକାର ଚୟନ ପ୍ରକ୍ରିୟା ପାଇଁ ଯେଉଁ ବ୍ୟବସ୍ଥା ରହିଛି, ସେଥିରୁ ମନେହେଉଛି ଯେ, ଖାମେନେଇଙ୍କ ପରେ ହେବାକୁ ଥିବା ସର୍ବୋଚ୍ଚ ନେତା ତାଙ୍କର ପଦାଙ୍କ ଅନୁସରଣ କରିବେ।

କିଏ ହେବେ: ଇରାନର ରାଜନୀତିଜ୍ଞମାନଙ୍କ ମଧ୍ୟରେ ନୂଆ ଉତ୍ତରାଧିକାରୀ ଚୟନକୁ ନେଇ ରୁଚି ଓ ଉତ୍କଣ୍ଠା ରହିଛି। କିନ୍ତୁ ବର୍ତ୍ତମାନ ଏଭଳି କୌଣସି ଶକ୍ତିଶାଳୀ ବ୍ୟକ୍ତି ନାହାନ୍ତି, ଯିଏ ସାମ୍ପ୍ରତିକ ସଙ୍କଟ ଏଡ଼ାଇବା ପାଇଁ କିଙ୍ଗ୍‌ମେକର ଭୂମିକା ନେଇପାରିବେ। ନିଜ ପୂର୍ବସୁରୀଙ୍କ ଭଳି ଖାମେନେଇଙ୍କ ପ୍ରଭାବ ମଧ୍ୟ ତାଙ୍କର ବିଶ୍ୱସ୍ତମାନଙ୍କ ନେଟ୍‌ଓ୍ବର୍କ ଉପରେ ରହିଛି। ଏହି ନେଟ୍‌ଓ୍ବର୍କରେ ସାମିଲ ଅନେକ ବ୍ୟକ୍ତି ଇରାନର ସବୁଠୁ ଶକ୍ତିଶାଳୀ ସେନା ରିଭୋଲ୍ୟୁଶନାରି ଗାଡର୍‌ସରୁ ଆସିଥାଆନ୍ତି। ତେଣୁ ରିଭୋଲ୍ୟୁଶନାରି ଗାଡର୍‌ସ କୌଣସି ଅବାଞ୍ଛିତ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ନେତା ହେବା ପାଇଁ ସୁଯୋଗ ଦେଇ ନ ପାରେ।
ଇତିମଧ୍ୟରେ ଏକ ଅତ୍ୟନ୍ତ ଗୁପ୍ତ ତାଲିକାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ସେଥିରେ କାହା ନାମ ଅଛି ତାହା ଅଦ୍ୟାବଧି କେହି ଜାଣିପାରି ନାହାନ୍ତି। ଯାହା ଶୁଣିବାକୁ ମିଳୁଛି ଖାମେନେଇଙ୍କ ପସନ୍ଦ ତାଙ୍କ ପୁଅ ମୋଜ୍‌ତାବେ କିମ୍ବା ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ ରେଇସି ହୋଇପାରନ୍ତି। ଏହା ସତ ହୋଇଥିଲେ ଏହି ଦୁଇ ପ୍ରାର୍ଥୀଙ୍କ ନାଁରେ ଦମ୍‌ ଅଛି। ସେହିପରି ନ୍ୟାୟପାଳିକାର ପୂର୍ବତନ ମୁଖ୍ୟ ସାଦିକ୍‌ ଲାରିଜାନି ଓ ବର୍ତ୍ତମାନର ରାଷ୍ଟ୍ରପତି ହାସନ ରୁହାନି ମଧ୍ୟ ସୁପ୍ରିମ ଲିଡର ଦୌଡ଼ରେ ଥିବା କୁହାଯାଉଛି।

ମୋଜ୍‌ତବା ଖାମେନେଇ: ସୁପ୍ରିମ ଲିଡରଙ୍କ ୫୧ ବର୍ଷୀୟ ପୁଅ ମୋଜ୍‌ତବା ଧାର୍ମିକ ସହର ମଶହଦରେ ଜନ୍ମ ହୋଇଥିଲେ। ସେ ନିଜ ବାପାଙ୍କ ଭଳି ଇସ୍‌ଲାମିକ୍‌ ବ୍ୟାପାରର ଜଣେ ବିଶେଷଜ୍ଞ। ୨୦୦୯ରେ ବିବାଦୀୟ ରାଷ୍ଟ୍ରପତି ନିର୍ବାଚନ ପରେ ଇରାନରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ହିଂସାମତ୍କ ଉପାୟରେ ରୋକାଯିବା ସମୟରେ ସେ ଲୋକଲୋଚନକୁ ଆସିଥିଲେ। ଏହା ପଛରେ ମୋଜ୍‌ତବା ଥିଲେ ବୋଲି ମନେକରାଯାଏ। ଯଦିଓ ଖାମେନେଇ ରାଜା ନୁହନ୍ତି ଓ ନିଜ ମୁକୁଟ ଏତେ ସହଜରେ ପୁଅକୁ ପିନ୍ଧାଇ ପାରିବେ ନାହିଁ, ତଥାପି ବାପାଙ୍କ ନେଟ୍‌ଓ୍ବର୍କରେ ମୋଜ୍‌ତବାଙ୍କ ପ୍ରଭାବ କିଛି କମ୍‌ ନୁହେଁ। ମୋଜ୍‌ତବାଙ୍କ ପାଖରେ ସର୍ବୋଚ୍ଚ ନେତାଙ୍କ ଅଫିସ ରହିଛି, ଯାହାକି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଊର୍ଦ୍ଧ୍ୱରେ କାର୍ଯ୍ୟ କରିଥାଏ। ଯଦି ସେ ରିଭୋଲ୍ୟୁଶନାରି ଗାର୍ଡର ସମର୍ଥନ ହାସଲ କରନ୍ତି, ତେବେ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ନିଜ ସପକ୍ଷରେ ପ୍ରଭାବିତ କରିପାରନ୍ତି।

ଇବ୍ରାହିମ ରେଇସି: ୬୦ ବର୍ଷୀୟ ଇବ୍ରାହିମ ମଧ୍ୟ ମଶହଦ ସହରରେ ଜନ୍ମଗ୍ରହଣ କରିଥିଲେ। ସର୍ବୋଚ୍ଚ ନେତା ହେବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ସେ କେବେ ଖଣ୍ଡନ କରିନାହାନ୍ତି। ଇବ୍ରାହିମଙ୍କ ସମସ୍ତ ପଦକ୍ଷେପରୁ ମଧ୍ୟ ସଙ୍କେତ ମିଳେ ଯେ, ତାଙ୍କୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରାଯାଇଛି। ଇବ୍ରାହିମ ରେଇସି ନ୍ୟାୟପାଳିକାରେ ଅନେକ ଗୁରୁଦାୟିତ୍ୱ ସମ୍ଭାଳି ସାରିଛନ୍ତି। ବର୍ତ୍ତମାନ ସେ ଆସେମ୍ବ୍ଲି ଅଫ୍‌ ଏକ୍ସପଟର୍‌ସର ଉପାଧ୍ୟକ୍ଷ ଅଛନ୍ତି। ରେଇସିଙ୍କ ମାନବାଧିକାରକୁ ନେଇ ଟ୍ରାକ୍‌ ରେକର୍ଡ ଭଲ ନୁହେଁ। ବିଶେଷକରି ୧୯୮୮ରେ ରାଜନୈତିକ ବନ୍ଦୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ସେ ଲୋକପ୍ରିୟ ନୁହନ୍ତି। କିନ୍ତୁ ୨୦୧୭ ନିର୍ବାଚନରେ ହାରିବା ସତ୍ତ୍ୱେ ସୁପ୍ରିମ ଲିଡର ତାଙ୍କୁ ନ୍ୟାୟପାଳିକା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ପଦରେ ରହିବା ପରେ ଗଣମାଧ୍ୟମରେ ବି ତାଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ସେ ଦୁର୍ନୀତି ବିରୋଧରେ ମଧ୍ୟ ତଥାକଥିତ ଯୁଦ୍ଧ ଲଢ଼ିଛନ୍ତି। ଖାମେନେଇଙ୍କ ଭଳି ରେଇସି ମଧ୍ୟ ୨୦୧୫ ଆଣବିକ ଚୁକ୍ତିକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି। ସେ ରିଭୋଲ୍ୟୁଶନାରି ଗାର୍ଡର ଜଣେ ଦୃଢ଼ ସମର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?