ସ୍କୁଲରେ ଆର୍ଥିକ ଶିକ୍ଷା

ଅନନ୍ତ ଚରଣ ସ୍ବାଇଁ

 

ଆର୍ଥିକ ଶିକ୍ଷା ପିଲାର ଆଚାର, ବ୍ୟବହାର ଓ ମନୋବୃତ୍ତିରେ ସକାରାତ୍ମକ ପରିବର୍ତ୍ତନ ଆଣେ। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଯେପରି ପୂର୍ବ ପ୍ରସ୍ତୁତି ଦରକାର, ଠିକ୍‌ ସେହିପରି ଅର୍ଥର ସଦୁପଯୋଗ ପାଇଁ ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ରହିଛି। ଅର୍ଥ ବିଶାରଦଙ୍କ ମତରେ ଅର୍ଥ ସମ୍ବନ୍ଧୀୟ ବ୍ୟବହାରିକ ଜ୍ଞାନ ପିଲାଦିନରୁ ଶିକ୍ଷା କରିବା ଉଚିତ। ମାତାପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିଲାଟି ଅର୍ଥର ଠିକ୍‌ ବିନିଯୋଗ କରିବା ଦ୍ୱାରା କ୍ରମେ ଏହି ଅର୍ଥର ସଦ୍‌ବ୍ୟବହାର ଏକ ଅଭ୍ୟାସରେ ପଡ଼ିଯାଏ। ଶୃଙ୍ଖଳା ଓ ଅନୁଶାସନରେ ବଢ଼ୁଥିବା ପିଲାମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଥାଆନ୍ତି। ଶୃଙ୍ଖଳା ଓ ଅନୁଶାସନ ଶିକ୍ଷା କରିବାର ପ୍ରକୃଷ୍ଟ ସମୟ ହେଉଛି ପିଲା ବୟସ ଏବଂ ସର୍ବୋତ୍ତମ ସ୍ଥାନ ହେଉଛି ସ୍କୁଲ ଓ ନିଜ ଘର। ପିଲାଦିନରୁ ଶୃଙ୍ଖଳା ଓ ଅନୁଶାସନ ଭିତରେ ବଢୁଥିବା ପିଲା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଥାଆନ୍ତି। ୧୯୭୦ରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ୱାଲ୍ଟର ମିସେଲ ଓ ଇବେ ବି. ଇବେସେନଙ୍କ ଗବେଷଣାରୁ ଏହା ସ୍ପଷ୍ଟ। ସେମାନେ ନର୍ସରିରେ ପଢ଼ୁଥିବା ୩ବର୍ଷ ୬ମାସରୁ ୫ ବର୍ଷ ୮ ମାସ ବୟସ ମଧ୍ୟରେ କିଛି ପିଲାଙ୍କୁ ଗୋଟିଏ କୋଠରିକୁ ଆଣିଲେ। କୋଠରିରେ ଥିବା ଗୋଟିଏ ଟେବୁଲ ଚାରିପଟେ ସେମାନଙ୍କର ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଟେବୁଲ ଉପରେ ରଖାଯାଇଥିଲା ସ୍ବାଦିଷ୍ଠ ଓ ଆକର୍ଷଣୀୟ ମାର୍ଶମ୍ୟାଲୋ (ଏକ ପ୍ରକାର ମିଠା ବା ସ୍ବାଦିଷ୍ଠ ଟଫି)। ପିଲାମାଙ୍କୁ କୁହାଗଲା ଯେ ଯଦି ୧୫ ମିନିଟ ପର୍ଯ୍ୟନ୍ତ ସେମାନଙ୍କ ସାମ୍ନାରେ ରଖାଯାଇଥିବା ମାର୍ଶମ୍ୟାଲୋ ବା ଟଫିକୁ ନ ଖାଆନ୍ତି ତେବେ ସେମାନଙ୍କୁ ଦୁଇଟି ଲେଖାଏ ମାର୍ଶମ୍ୟାଲୋ ମିଳିବ । କିଛି ପିଲା ମାର୍ଶମ୍ୟାଲୋ ବା ଟଫି ଖାଇବାର ପ୍ରବଳ ଆସକ୍ତିକୁ ପ୍ରତିରୋଧ କରିପାରି ନ ଥିଲେ। କେହି ଗୋଟିଏ ମିନିଟ୍‌, କେହି କେହି ୩ ମିନିଟ୍‌ ଅପେକ୍ଷା କଲେ, କେହି କେହି ଅପେକ୍ଷା କଲେ ୫ ମିନିଟ୍‌ ଏବଂ ଆଉ କିଛି ୧୪ ମିନିଟ୍‌ ୩୦ ସେକେଣ୍ଡ ଅପେକ୍ଷା କଲା ପରେ ମଧ୍ୟ ଖାଇବାର ଲୋଭ ସମ୍ବରଣ କରି ନ ପାରି ଗୋଟିଏ ମାର୍ଶମ୍ୟାଲୋ ନେଇଥିଲେ। ଦୁଇତୃତୀୟାଂଶରୁ ଅଧିକ ପିଲା ଖାଇବାର ପ୍ରଲୋଭନକୁ ପ୍ରତିରୋଧ ନ କରିପାରିବାରୁ ଗୋଟିଏ ଲେଖାଏ ମାର୍ଶମ୍ୟାଲୋରେ ନିଜକୁ ସନ୍ତୁଷ୍ଟ କରିବାକୁ ପଡିଥିଲା। ମାତ୍ର ଏକତୃତୀୟାଂଶ ପିଲା ୧୫ ମିନିଟ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କଲେ ଏବଂ ସେଥିପାଇଁ ସେମାନଙ୍କୁ ଦୁଇଟି ଲେଖାଏ ମାର୍ଶମ୍ୟାଲୋ ବା ଟଫି ମିଳିଥିଲା। ଏ ଥିଲା ୧୯୭୦ ମସିହାର କଥା। ଏହାର ଅଠର ବର୍ଷ ପରେ ସେତେବେଳର ଛୋଟ ପିଲାମାନେ ବଡ ହୋଇଯାଇଥିଲେ। ଗବେଷକ ଦ୍ୱୟ ସେହି ପିଲାମାନଙ୍କ ମାତାପିତାଙ୍କ ସହ କଥାହେଲେ। ସେମାନେ ଜାଣିବାକୁ ପାଇଲେ,ଯେଉଁ ଏକତୃତୀୟାଂଶ ଛାତ୍ର ୨ଟି ମାର୍ଶମ୍ୟାଲୋ ନେଇ ଚାଲିଯାଇଥିଲେ, ସେମାନେ ଶୃଙ୍ଖଳିତ ଓ ସବୁ କାମରେ ଦକ୍ଷ। ୧୯୯୦ରେ ହୋଇଥିବା ଅନ୍ୟ ଏକ ଗବେଷଣାର ଫଳାଫଳରୁ ଜଣାଯାଏ ୪ ବର୍ଷ ବୟସରେ ପ୍ରଲୋଭନକୁ ପ୍ରତିରୋଧ କରିଥିବା ପିଲାମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳ ହୋଇଥାଆନ୍ତି। ଏପରି କି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଖ୍ୟାତ କଲେଜରେ ଆଡ୍‌ମିଶନ ପାଇଁ ହେଉଥିବା ପ୍ରତିଯୋଗିତାରେ ସେମାନେ ଅଧିକ ନମ୍ବର ସ୍କୋର କରିଥାଆନ୍ତି। ପ୍ରଫେସର ମିସେଲ ଏବଂ ଇବେସେନ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଆତ୍ମ ନିୟନ୍ତ୍ରଣର ଅଭାବ ହେଉଛି ଅସଫଳତାର କାରଣ। ପ୍ରଲୋଭନକୁ ପ୍ରତିରୋଧ କିମ୍ବା ବିଳମ୍ବିତ ସନ୍ତୁଷ୍ଟି ଜୀବନରେ ସବୁ କ୍ଷେତ୍ରରେ ସଫଳତା ଆଣିଥାଏ।
ମନରେ ପ୍ରଶ୍ନ ଆସେ, ସ୍କୁଲରେ ପିଲାମାନଙ୍କୁ ଆର୍ଥିକ ଶିକ୍ଷା ଦେବା କେତେଦୂର ଯଥାର୍ଥ? ସେମାନଙ୍କର ତ ଆୟ ବୋଲି କିଛି ନ ଥାଏ। ଘରୁ ମିଳୁଥିବା ପକେଟମନି, କେତେକ ସ୍ଥଳେ ମିଳୁଥିବା ବୃତ୍ତି ସେମାନଙ୍କର ଏକମାତ୍ର ଆୟର ଉତ୍ସ। ବଡ ହେଲା ପରେ ଉଚ୍ଚ ଶିକ୍ଷା ପାଇଁ ପିଲାଟିକୁ ବାହାରକୁ ଯିବାକୁ ପଡେ। ଦୈନଦିନ ଖର୍ଚ୍ଚ ସହ ପଢିବା ପାଇଁ ଦରକାର ହେଉଥିବା ଅର୍ଥ ପିଲା ହାତକୁ ଆସେ। ମିଳୁଥିବା ଟଙ୍କାକୁ କିପରି ଓ କେଉଁଥିରେ ଖର୍ଚ୍ଚ କରୁଛି ତାହା ଦେଖିବାକୁ ମଧ୍ୟ କେହି ନ ଥାନ୍ତି। କିନ୍ତୁ ସ୍କୁଲରେ ପାଇଥିବା ଆର୍ଥିକ ଶିକ୍ଷା, ଏହାର ବ୍ୟବହାରିକ ଜ୍ଞାନ ଓ ଅନୁଶାସନ ପିଲାର ମାର୍ଗ ଦର୍ଶନରେ ସହାୟକ ହୁଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚକ୍ରବୃଦ୍ଧିର ଚମତ୍କାରିତା। ସ୍କୁଲ ସମୟରୁ ଆରମ୍ଭ କରିଥିବା ସଞ୍ଚୟ ଓ ନିବେଶ ପରବର୍ତ୍ତୀ ସମୟରେ ଚକ୍ରବୃଦ୍ଧି ହାରରେ ବଢି ବହୁତ ରିଟର୍ନ ଦେଇଥାଏ।
ପରିବାରର ଆୟ, ବ୍ୟୟ, ଆର୍ଥିକ ସ୍ଥିତି ସମ୍ପର୍କରେ ପିଲାଟି ଜାଣିବା ଦରକାର। ସଞ୍ଚୟ କ’ଣ, ଏହା ଆରମ୍ଭ କରିବାର ସମୟ, ମିତବ୍ୟୟତାର ଲାଭ, ଚକ୍ରବୃଦ୍ଧିର ଚମତ୍କାରିତା, ଅପବ୍ୟୟର କ୍ଷତି, ଜରୁରୀ, ଚାହିଦା ଓ ଅଯଥା ଖର୍ଚ୍ଚ ମଧ୍ୟରେ ଥିବା ତାରତମ୍ୟ ପରି ଅନେକ ବିଷୟ ଆର୍ଥିକ ଶିକ୍ଷାରୁ ମିଳିଥାଏ। ୨୫ ବର୍ଷରୁ ୬୦ ବର୍ଷ ବୟସ ହେଉଛି ଆୟ କରିବାର ସମୟ। ଦୀର୍ଘମିଆଦୀ ନିବେଶରୁ ପ୍ରାୟ ୧୦% ରୁ ୧୫% ରିଟର୍ନ ମିଳିଥାଏ। ୨୫ ବର୍ଷ ବୟସରୁ ଜଣେ ମାସକୁ ମାତ୍ର ୧୦୦୦ ଟଙ୍କା ଦୀର୍ଘ ୩୫ ବର୍ଷ ପର୍ଯ୍ୟନ୍ତ ନିବେଶ କଲେ ବାର୍ଷିକ ୧୨ ପ୍ରତିଶତ ହିସାବରେ ୬୦ ବର୍ଷ ବେଳକୁ ମିଳିବ ୧ .୨୯ କୋଟି। ଦଶ ବର୍ଷ ପରେ ଅର୍ଥାତ୍‌ ୩୫ ବର୍ଷ ବୟସରୁ ସଞ୍ଚୟ ଓ ନିବେଶ ଆରମ୍ଭ କଲେ ୬୦ ବର୍ଷ ହେବାକୁ ହାତରେ ଥିବ ମାତ୍ର ୨୫ ବର୍ଷ। ମାସକୁ ୬୦୦୦ ଟଙ୍କା ସଞ୍ଚୟ କଲେ ବାର୍ଷିକ ୧୨ ପ୍ରତିଶତ ହାରରେ ୨୫ ବର୍ଷରେ ମିଳିବ ୧ .୧୩ କୋଟି। ବିଳମ୍ବରେ ନିବେଶ ଆରମ୍ଭ କଲେ, ଷାଠିଏ ବର୍ଷ ବେଳକୁ କୋଟିଏ ଟଙ୍କାରୁ ଅଧିକ ରିଟର୍ନ ପାଇବାକୁ କିପରି ଅଧିକ ଟଙ୍କା ବିନିଯୋଗ ଦରକାର ତାହା ଏହି ଉଦାହରଣରୁ ସ୍ପଷ୍ଟ। ଲମ୍ବା ଅବଧିର ନିବେଶରୁ ଅଧିକ ଲାଭ ମିଳିଥାଏ। ମନେକର ୧୦ ବର୍ଷ ପିଲାର ଜନ୍ମଦିନରେ ଅଧିକ ଖର୍ଚ୍ଚ ନ କରି ମାତ୍ର ୧୦,୦୦୦ ଟଙ୍କା ୫୦ ବର୍ଷ ପର୍ଯ୍ୟନ୍ତ ନିବେଶ କରାଯାଏ ତା’ହେଲେ ପିଲାକୁ ୬୦ ବର୍ଷ ବେଳକୁ ବାର୍ଷିକ ୧୨ ପ୍ରତିଶତ ହିସାବରେ ସେଥିରୁ ମିଳିବ ୪୦ .୬୦ ଲକ୍ଷ ଟଙ୍କା। ନିବେଶର ଅବଧି ଯେତେ ଅଧିକ ହେବ ସେତେ ଅଧିକ ରିଟର୍ନ ମିଳିବ।
ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିକ୍ଷା ଛାତ୍ରମାନଙ୍କୁ ସେମାନଙ୍କର ଆର୍ଥିକ ସୁସ୍ଥତା ପାଇଁ ଦୃଢ ଭିତ୍ତିଭୂମି ନିର୍ମାଣରେ ସାହାଯ୍ୟ କରିଥାଏ। ଅର୍ଥ ସମ୍ବନ୍ଧୀୟ ମୌଳିକ ଶିକ୍ଷାରୁ ବଜେଟ, ସଞ୍ଚୟ ଏବଂ ବିନିଯୋଗର ବିଭିନ୍ନ ଦିଗ ବିଷୟରେ ଧାରଣା ମିଳେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଜୀବନର ପ୍ରାରମ୍ଭରେ ଏହି ଜ୍ଞାନ ଆହରଣ, ଆର୍ଥିକ ନିଷ୍ପତ୍ତି ନେବାର ଦକ୍ଷତା, ଅର୍ଥ ପରିଚାଳନାର କୌଶଳ ଓ ଏହାର ଦୀର୍ଘସ୍ଥାୟୀ ପ୍ରଭାବ ଏକ ସଶକ୍ତ ଆର୍ଥିକ ସ୍ଥିତି, ଆର୍ଥିକ ସ୍ଥିରତା ଓ ଆର୍ଥିକ ସ୍ବାଧୀନତା ଆଣିବାରେ ସହାୟକ ହୋଇଥାଏ। ଆର୍ଥିକ ଜ୍ଞାନ ଛାତ୍ରମାନଙ୍କୁ ଋଣ କିମ୍ବା ଅଧିକ ଓ ଅଯଥା ଖର୍ଚ୍ଚରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ପିଲାଦିନରୁ ସଞ୍ଚୟ ଅଭ୍ୟାସଗତ ହେଲେ ଭବିଷ୍ୟତରେ ପିଲାର ଆର୍ଥିକ ସ୍ବଚ୍ଛଳତା ସହଜରେ ଆସିଥାଏ। ଉଚ୍ଚତ୍ତର ଶିକ୍ଷା ପାଇଁ ଘରଠାରୁ ଦୂରରେ ବା ଛାତ୍ରାବାସରେ ରହିବା ସମୟରେ, ଖର୍ଚ୍ଚ ପାଇଁ ମିଳୁଥିବା ଅର୍ଥର ଦୁରୁପଯୋଗ ହେବାର ସମ୍ଭାବନା ମଧ୍ୟ କମ୍‌।
ବ୍ୟକ୍ତିଗତ ଲାଭ ବ୍ୟତୀତ ଆର୍ଥିକ ଶିକ୍ଷା ସମାଜ ପାଇଁ ମଧ୍ୟ ଲାଭଦାୟକ। ଛାତ୍ରମାନଙ୍କୁ ଅର୍ଥ ପରିଚାଳନା ବିଷୟରେ ଶିକ୍ଷା ଦେଇ ବିଦ୍ୟାଳୟଗୁଡ଼ିକ ପ୍ରକାରାନ୍ତରେ ଦାରିଦ୍ର୍ୟ ତଥା ଆର୍ଥିକ ଅସମାନତା ହ୍ରାସ କରିବାରେ ସାହାଯ୍ୟ କରିଥାଆନ୍ତି। ଆର୍ଥିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। କେତେକ ରାଜ୍ୟରେ ଆର୍ଥିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ପାରମ୍ପରିକ ଶିକ୍ଷା ସହ ଆର୍ଥତ୍କ ଶିକ୍ଷା ପିଲାର ଭବିଷ୍ୟତ ଗଢିବାରେ ସହାୟକ ହୋଇଥାଏ। ଏଣୁ ବିଦ୍ୟାଳୟ ସ୍ତରରେ ଆର୍ଥିକ ବିଷୟବସ୍ତୁ ପାଠ୍ୟସୂଚୀରେ ଅନ୍ତର୍ଭୁକ୍ତ କରି ପିଲାଙ୍କୁ ଏ ସମ୍ବନ୍ଧରେ ଶିକ୍ଷା ଦେବା ପାଇଁ ବିଶେଷଜ୍ଞମାନଙ୍କ ମତ।
କଳିଙ୍ଗନଗର, ଭୁବନେଶ୍ୱର
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri