ଅନ୍ତିମ ପ୍ୟାକେଜ୍‌

ପ୍ରକାଶ ତ୍ରିପାଠୀ

 

ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗୋଟିଏ ଷ୍ଟଲ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରଚାର ଓ ପ୍ରସାର ହୋଇଥିଲା। ଏହି ଷ୍ଟଲ୍‌ଟି ଥିଲା ମୁମ୍ବାଇର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ସୁଖନ୍ତ ଅନ୍ତିମ ସଂସ୍କାର ସେବା ପ୍ରତିଷ୍ଠାନର। ଷ୍ଟଲ୍‌ ସମ୍ମୁଖରେ ଗୋଟିଏ ଗୋଲାପ ଫୁଲ ସହ ଏକ ଶବାଧାରର ଚିତ୍ର ଥିଲା ଓ ତଳେ ଲେଖାଥିଲା-‘Making difficult time little easier ଅର୍ଥାତ୍‌ କଷ୍ଟକର ସମୟକୁ ଟିକିଏ ସହଜ କରିବା।’ ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ହେଉଛି ମୃତବ୍ୟକ୍ତିଙ୍କ ଅନ୍ତିମ ରୀତିନୀତି ଓ ଆବଶ୍ୟକ କର୍ମ ସମ୍ପାଦନ କରିବା। ସୁଖନ୍ତ ଅନ୍ତିମ ସଂସ୍କାର ସେବା ପ୍ରତିଷ୍ଠାନ ଭଳି ଅନେକ ସଙ୍ଗଠନ ଏବେ ବ୍ୟବସାୟିକ ଭିତ୍ତିରେ ଅତି ସହଜ ଭାବେ ଜୀବନର ଅନ୍ତିମ କର୍ମ ସମ୍ପାଦନ କରୁଛନ୍ତି।
ଆମେ ଦେହାନ୍ତ ହୋଇଥିବା ମଣିଷଙ୍କୁ ସମ୍ମାନ ଏବଂ ସ୍ମରଣ କରିବା ପାଇଁ ଅନେକ ରୀତିନୀତି ଏବଂ ପରମ୍ପରା ସୃଷ୍ଟି କରିଛୁ। ପ୍ରିୟଜନଙ୍କୁ ହରାଇବା ଜୀବନର ଏକ ଦୁଃଖଦ ଓ ଅକ୍ଷୟ ଅଂଶ। ହିନ୍ଦୁ ସଂସ୍କୃତିରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଶବଦାହ ବା ଅନ୍ତିମ ସଂସ୍କାର। ଏହି ପବିତ୍ର ସଂସ୍କାର ମାଧ୍ୟମରେ ଶରୀରକୁ ପଞ୍ଚଭୂତକୁ ଫେରାଇ ଦିଆଯିବା ଉଚିତ ବୋଲି ବିଶ୍ବାସ କରାଯାଏ। ଯେହେତୁ ହିନ୍ଦୁମାନେ ଜନ୍ମ, ମୃତ୍ୟୁ ଏବଂ ପୁନର୍ଜନ୍ମ ଚକ୍ରରେ ବିଶ୍ୱାସ କରନ୍ତି, ସେଥିପାଇଁ ଶବଦାହ ଓ ତତ୍‌ପରବର୍ତ୍ତୀ ସଂସ୍କାର ଯେପରିକି ଶୁଦ୍ଧିକ୍ରିୟା, ଅସ୍ଥି ବିସର୍ଜନ, ଶ୍ରାଦ୍ଧ ଆଦି କାର୍ଯ୍ୟକୁ ଅତି ଗୁରୁତ୍ୱ ଓ ମହତ୍ତ୍ୱ ଦିଆଯାଏ। ଶରୀର ଓ ଆତ୍ମା ଭିନ୍ନ ଏବଂ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆତ୍ମାକୁ ପୃଥିବୀରେ ଶରୀର ଧାରଣ କରିବାକୁ ପଡ଼ିଥାଏ। ସେଥିପାଇଁ ମୃତ ଶରୀରକୁ ଶ୍ରେଷ୍ଠ ମର୍ଯ୍ୟାଦା ପ୍ରଦାନ ସହ ଆତ୍ମାର ମୋକ୍ଷ ତଥା ପୁନର୍ଜନ୍ମ ପାଇଁ ପ୍ରଣିତ ବିଭିନ୍ନ ପଦ୍ଧତିକୁ ଅତି ନିଷ୍ଠା, ଶ୍ରଦ୍ଧାର ସହ ସମ୍ପନ୍ନ କରାଯାଏ। ଏହିସବୁ କାର୍ଯ୍ୟ ମୃତବ୍ୟକ୍ତିଙ୍କ ଆତ୍ମୀୟସ୍ବଜନଙ୍କ ଦ୍ବାରା ସମ୍ପନ୍ନ ହୋଇଥାଏ। ତେବେ ଏଠାରେ ପ୍ରଶ୍ନ ଉଠୁଛି ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଓ ତତ୍‌ପରବର୍ତ୍ତୀ ଅନ୍ୟାନ୍ୟ କର୍ମ ଆତ୍ମୀୟସ୍ବଜନଙ୍କ ଦ୍ବାରା ସମ୍ପନ୍ନ ହେବାକୁ ଆମ ପରମ୍ପରାରେ ଉଦ୍ଦିଷ୍ଟ ଥିବାବେଳେ ସୁଖନ୍ତ ଅନ୍ତିମ ସଂସ୍କାର ସେବା ପ୍ରତିଷ୍ଠାନ ଭଳି ଅନେକ ସଙ୍ଗଠନର ଆବଶ୍ୟକତା କ’ଣ ଅଛି? କିନ୍ତୁ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ସୃଷ୍ଟିହେଲାଣି ଓ ଏହାର କାରଣ ଅନେକ।
ଏବେ ଭାରତରେ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଦେଖାଦେଲାଣି। ପାରିବାରିକ ବ୍ୟବସ୍ଥା ବଦଳି ଗଲାଣି। ଯୌଥ ପରିବାରଗୁଡ଼ିକ ଭାଙ୍ଗିରୁଜି ସେ ସ୍ଥାନରେ ଅଣୁ ପରିବାର ମୁଣ୍ଡ ଟେକିଲାଣି। ଅତ୍ୟଧିକ ବ୍ୟକ୍ତିସ୍ବାଧୀନତା,ବୁଝାମଣାବିହୀନ ଜୀବନଶୈଳୀ, ଆର୍ଥିକ ସ୍ବାର୍ଥପରତା ପାଇଁ ଭାରତୀୟ ପାରିବାରିକ ମୂଲ୍ୟବୋଧ ଆଉ ପୂର୍ବଭଳି ନାହିଁ। ରୋଜଗାର ବୃଦ୍ଧି ନିମନ୍ତେ ପିଲାମାନଙ୍କ ଦୂରସ୍ଥାନ ଗମନ ସୃଷ୍ଟିକରୁଛି ବୃଦ୍ଧ ମାତାପିତାଙ୍କ ଏକାନ୍ତ ବାସ। ଏଭଳି ପରିସ୍ଥିତିରେ ଯଦି ନିଜ ଘରେ ବା ଡାକ୍ତରଖାନାରେ କାହାର ଅନ୍ତିମ ସମୟ ଉପନୀତ ହୁଏ, ସେତେବେଳେ ପାଖରେ କେହି ନ ଥା’ନ୍ତି। ଯଦିବା କେହି ଥା’ନ୍ତି ତେବେ ସେହି ଦୁଃଖଦ ସମୟରେ ସେ ଏତେ ମ୍ରିୟମାଣ ହୋଇଯାଆନ୍ତି ଯେ ତାଙ୍କୁ ସାନ୍ତ୍ବନା ଦେବାକୁ ବି ପାଖରେ କେହି ନ ଥା’ନ୍ତି। ମୃତ ଶରୀରକୁ କେଉଁଠିକି ଅନ୍ତିମ ସତ୍କାର ପାଇଁ ନେବେ, କେମିତି ନେବେ, କେମିତି ଦାହ କରିବେ, ଦାହ ପରବର୍ତ୍ତୀ କ’ଣ କ’ଣ କରିବେ, ଶୁଦ୍ଧ କ୍ରିୟା କେମିତି ହେବ, ଏସବୁ ଚିନ୍ତା ସେମାନଙ୍କୁ ବିଷାଦଗ୍ରସ୍ତ କରିଦିଏ। ଏସବୁ ସମସ୍ୟାର ସହଜ, ସରଳ ଓ ସୁଲଭ ସମାଧାନ ପାଇଁ ସୁଖନ୍ତ ଅନ୍ତିମ ସଂସ୍କାର ସେବା ପ୍ରତିଷ୍ଠାନ ଭଳି ଅନୁଷ୍ଠାନଗୁଡ଼ିକ ଆଗେଇ ଆସୁଛନ୍ତି। ଆଜିକାଲି ଅନେକ ବୟସ୍କ ଲୋକ ଏହିଭଳି ଅନୁଷ୍ଠାନରେ ଆଗୁଆ ନିଜର ନାମକୁ ପଞ୍ଜୀକରଣ କରିଦେଉଛନ୍ତି। ଆଉ କେତେକ ସ୍ଥଳରେ ଅନ୍ତିମ ସଂସ୍କାର, ଶୁଦ୍ଧ କ୍ରିୟା, ଅସ୍ଥି ବିସର୍ଜନ, ଶ୍ରାଦ୍ଧ ଆଦି କର୍ମ ନିମନ୍ତେ ଏକାନ୍ତରେ ରହୁଥିବା ନିଜର ମା’ବାପାଙ୍କ ନିମନ୍ତେ ଦୂରରେ ରହୁଥିବା ପିଲାମାନେ ଆଗୁଆ ପଞ୍ଜୀକରଣ କରିଦେଉଛନ୍ତି। ଫଳରେ ସେମାନେ ନ ଆସିପାରିଲେ ମଧ୍ୟ ଅନ୍ତିମ ସଂସ୍କାର ଓ ଶୁଦ୍ଧ କ୍ରିୟା ଏବଂ ଅସ୍ଥି ବିସର୍ଜନ ସହଜରେ ହୋଇପାରିବ। ଆଗୁଆ ପଞ୍ଜୀକରଣ ହୋଇ ନ ଥିଲେ ବି ତୁରନ୍ତ ଖବର ଦିଆଗଲେ ଏହିସବୁ ଅନୁଷ୍ଠାନ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତ କର୍ମ ସୁରୁଖୁରୁରେ ସମ୍ପାଦନ କରିଦିଅନ୍ତି। ଏଥିପାଇଁ ବିଭିନ୍ନ ମୂଲ୍ୟର ପ୍ୟାକେଜ୍‌ ବ୍ୟବସ୍ଥା ମଧ୍ୟ ଅଛି।
ଖବର ପାଇବାର ଅଳ୍ପ ସମୟ ମଧ୍ୟରେ ଅନୁଷ୍ଠାନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚତ୍ୟାଆନ୍ତି। ଯଦି ଆବଶ୍ୟକ ହୁଏ ଶବର ପୋଷ୍ଟମର୍ଟମ କରାନ୍ତି ଓ ଡେଥ୍‌ ସାର୍ଟିଫିକେଟ ପାଇବା ନିମନ୍ତେ ଆବେଦନ ବି କରନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ପ୍ରଦାନପୂର୍ବକ ଶବକୁ ଉଚିତ ସମ୍ମାନ ପ୍ରଦର୍ଶନ କରିଥା’ନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଇଚ୍ଛା ଅନୁଯାୟୀ ବିଧି ମୁତାବକ କୋକେଇ ନିର୍ମାଣ, ଫୁଲଚନ୍ଦନ ଅର୍ପଣ, କୋକେଇ କାନ୍ଧେଇବା ଓ ଶବ ଶୋଭାଯାତ୍ରା ଆୟୋଜନ, ଶୋଭାଯାତ୍ରା ବେଳେ ଖଇ କଉଡ଼ି ବିଞ୍ଚନ, ପୁରୋହିତ ଯୋଗା ଓ ଶ୍ମଶାନରେ ଶ୍ରାଦ୍ଧ ଅର୍ପଣ, ମୁଖାଗ୍ନି ଅର୍ପଣ, ଶବଦାହ ପରେ ଅସ୍ଥି ସଂଗ୍ରହ ଆଦି ସମସ୍ତ ରୀତିନୀତିକୁ ଅନୁସରଣ କରାଯାଇ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରାଯାଏ। ଆବଶ୍ୟକ ବେଳେ ଅନ୍ତିମ ସଂସ୍କାରର ଟିକିନିଖି ଦୃଶ୍ୟ ସିଧା ପ୍ରସାରଣ କରାଯାଇ ଦୂରରେ ଥିବା ମୃତକଙ୍କ ଆତ୍ମୀୟସ୍ବଜନଙ୍କୁ ଦେଖାଇବାର ବନ୍ଦୋବସ୍ତ ବି କରାଯାଏ। କେବଳ ଏତିକିରେ ସେମାନଙ୍କ ସେବା ଶେଷ ହୋଇ ନ ଥାଏ, ପରିବାର ସଦସ୍ୟଙ୍କ ଇଚ୍ଛା ଅନୁଯାୟୀ ନିର୍ଦ୍ଦିଷ୍ଟ ତୀର୍ଥସ୍ଥଳରେ ଅସ୍ଥି ବିସର୍ଜନ ସହ ଶ୍ରାଦ୍ଧ ବି ସମ୍ପନ୍ନ କରାଯାଏ। ସମାଧି ସ୍ଥାପନ, ବ୍ରାହ୍ମଣ ଭୋଜନ, ଦାନ, ଦକ୍ଷିଣା ଆଦି ସମସ୍ତ ଉପଚାରକୁ ସମ୍ମାନର ସହ ସମ୍ପନ୍ନ କରାଯାଏ। ପରିବାରର ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ୟାକେଜ୍‌ ବ୍ୟବସ୍ଥା ରହିଛି। ଯେପରିକି ନିକଟସ୍ଥ ନଦୀ, ପୁଷ୍କରିଣୀ ବା ମହୋଦଧିରେ ଅସ୍ଥି ବିସର୍ଜନପୂର୍ବକ ଶ୍ରାଦ୍ଧ ବା କାଶୀ, ବାରଣାସୀ, ଗୟାରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ ନିମନ୍ତେ ଅଲଗା ଅଲଗା ମୂଲ୍ୟଭିତ୍ତିକ ପ୍ୟାକେଜ୍‌।
ଆମ ଦେଶରେ ଏବେ ନିଃସଙ୍ଗ ମଣିଷଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ଏହାକୁ ପରଖି ଅନ୍ତିମ ସଂସ୍କାରକୁ ସୁଲଭ କରିବା ନିମନ୍ତେ ବ୍ୟବସାୟିକ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଙ୍ଗଠନ ଗୁଡ଼ିକ ପ୍ରତି ସାଧାରଣରେ ଅଧିକ ଆଗ୍ରହ ସୃଷ୍ଟି ସେମାନଙ୍କ ଆର୍ଥିକ ଫାଇଦାକୁ ନିଶ୍ଚିତ କରିଛି। ଆଗାମୀ ଦିନରେ ଅନ୍ତିମ ସଂସ୍କାର ପାଇଁ ସୃଷ୍ଟି ହେଉଥିବା ଅନୁଷ୍ଠାନଗୁଡ଼ିକ କର୍ପୋରେଟ୍‌ ସେକ୍ଟରକୁ ପରିବର୍ତ୍ତିତ ନ ହେବ ବୋଲି କହି ହେବନାହିଁ। ଏବେ ଆମେ ଚିନ୍ତା କରିବା ଆମର ଅନ୍ତିମ ସଂସ୍କାର, ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ପାଇଁ ଆମ ପିଲାମାନଙ୍କ ଉପରେ ଭରସା କରିବା ନା ଅନ୍ତିମ ସଂସ୍କାର କରୁଥିବା ସଂସ୍ଥା ସହ ଆଗୁଆ ଯୋଗାଯୋଗ କରିବା।
ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri