ଭାଗ୍ୟ ବନାମ କର୍ମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଯେତେବେଳେ ପିଲା ଥିଲି, ସେତେବେଳେ ଅଜା ଉପଦେଶ ଛଳରେ ମୋତେ କହିଥିଲେ- ”ବାବୁରେ, ବାମ ହାତର ପାପ ଡାହାଣ ହାତକୁ ଯାଏନି।“ ମୁଁ ସ୍ବାଭାବିକ ଭାବେ ଅଜାଙ୍କୁ ପ୍ରଶ୍ନ କରିଥିଲି ଏହାର ଅର୍ଥ ମୋତେ ବୁଝାଇ କୁହ। ସେତେବେଳେ ମୋର ବୟସ ବୋଧହୁଏ ଛ’ବର୍ଷ କି ସାତ ବର୍ଷ ହୋଇଥିଲା। ଅଜା କଥା ଛଳରେ କହିଲେ- ତୁ ଯେଉଁ କର୍ମ କରିବୁ, ଭଲ ହେଉ ବା ମନ୍ଦ ହେଉ ନିଶ୍ଚୟ ଭୋଗ କରିବୁ। ଛ’ ସାତ ବର୍ଷର ଛୋଟ ପିଲାର କେତେବା ଜ୍ଞାନ! ପରବର୍ତ୍ତୀ ସମୟରେ କଲେଜରେ ପଢ଼ୁଥିବା ସମୟରେ ମୋର ଜଣେ ଛାତ୍ରବନ୍ଧୁ ମୋତେ ଜଣେ ଜ୍ୟୋତିଷଙ୍କ ପାଖକୁ ନେଇଗଲେ। ସେତେବେଳେ ମୋର ଜ୍ୟୋତିଷ ଶାସ୍ତ୍ର ଉପରେ ଜ୍ଞାନ ନ ଥିଲା। ଛାଡ଼ନ୍ତୁ ସେକଥା। ମୋ ସାଙ୍ଗର ଜାତକ ଦେଖି ଜ୍ୟୋତିଷ କହିଲେ- ”ବାବୁ! ତୁମର ଭାଗ୍ୟ ବହୁତ ଟାଣ। ତୁମେ ଜୀବନରେ ବହୁତ ସୁଖ ଅନୁଭବ କରିବ।“ ମୁଁ ଦ୍ୱନ୍ଦ୍ୱରେ ପଡ଼ିଲି। ଘରେ ଯାଇ ବାପାଙ୍କୁ ପଚାରିଲି- ”ବାପା ଭାଗ୍ୟ କ’ଣ?“ ବାପା କହିଲେ- ”ଭାଗ୍ୟ ହେଉଛି ବିଗତ ଜନ୍ମର କର୍ମଫଳ। ଯଦି ତୁମେ ବିଗତ ଜନ୍ମରେ କିଛି ଭଲ କାମ କରିଛ ଏବଂ ତା’ର ସୁଫଳ ସେ ଜନ୍ମରେ ଭୋଗ କରିପାରି ନାହଁ, ତେବେ ପରବର୍ତ୍ତୀ ଜନ୍ମରେ ସେହି କର୍ମଫଳକୁ ଭୋଗ କରିବ। ଏହାକୁ କୁହନ୍ତି ଭାଗ୍ୟ। ଏହି ଭାଗ୍ୟ ଉପରେ କାହାର ନିୟନ୍ତ୍ରଣ ନ ଥାଏ।“
ବର୍ତ୍ତମାନ ମୁଁ ସରକାରୀ ଚାକିରିରୁ ଅବସର ନେଇ ସାରିଲିଣି। ଭାଗ୍ୟ ଓ କର୍ମ ଭିତରେ ଥିବା ପ୍ରଭେଦକୁ ସ୍ପଷ୍ଟରୂପେ ଅନୁଭବ କରିପାରୁଛି। ଶ୍ରୀମଦ୍ଭାଗବତରେ ଶ୍ରୀକୃଷ୍ଣ କହିଛନ୍ତି,
”କର୍ମ ତୋହର ନିଜ ଗୁରୁ/ ଉଦ୍ଧବ କେତେ ତୁ ପଚାରୁ।ା“ ହଁ! ଏହାହିଁ ବାସ୍ତବ ସତ୍ୟ। କାହାକୁ ସାକ୍ଷୀ ରଖିବା ଦରକାର ନାହିଁ। ମୁଁ ଦେଖିଛି ଏବଂ ଅନୁଭବ କରିଛି। କର୍ମଫଳଟି ସମ୍ପୂର୍ଣ୍ଣ ଭୋଗ ନ କଲେ ମଧ୍ୟ ଏହି ଜନ୍ମରେ ଆମେ ପ୍ରାୟ ଅଧିକାଂଶ କର୍ମଫଳକୁ ଭୋଗ କରିଥାଉ। ଅନ୍ତିମ ସମୟରେ ନିଜର କର୍ମଫଳକୁ ବିଚାର ନ କରି ଭାଗ୍ୟକୁ ଦୋଷ ଦେଇଥାଉ। ହେତୁବାଦୀମାନେ ଅବଶ୍ୟ ଏସବୁ କଥାକୁ ବିଶ୍ୱାସ କରନ୍ତି ନାହିଁ। ସେମାନଙ୍କ କଥା ଭିନ୍ନ। କିନ୍ତୁ ସାଧାରଣ ଭାବେ ଏତିକି କୁହାଯାଇପାରେ ଯେ, କର୍ମଫଳକୁ ଆଜି ନ ହେଲେ ମଧ୍ୟ କାଲି ଭୋଗିବାକୁ ପଡ଼ିବ।
ଆମେ ଏଠାରେ ତିନୋଟି କଥା ଅବତାରଣା କରୁଛୁ। ଏ ସମସ୍ତ ବ୍ୟକ୍ତିବିଶେଷ ଆମ ସମୟର ଲୋକ । ଜଷ୍ଟିସ୍‌ ରଙ୍ଗନାଥ ମିଶ୍ରଙ୍କୁ କିଏ ବା ନ ଜାଣେ! ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହୋଇ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଆଉ ଧରାଧାମରେ ନାହାନ୍ତି। ସେଦିନ ପୁରୀ ଆଇନ ମହାବିଦ୍ୟାଳୟର ଏକ ଉତ୍ସବରେ ଯୋଗଦେବା ଅବସରରେ ମିଶ୍ର ଏକଥା କହିଥିଲେ ଯେ, ସେ କଲେଜକୁ ଯିବା ପୂର୍ବରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ। ବଡ଼ଦାଣ୍ଡରେ କିଏ ଜଣେ ତାଙ୍କୁ ଡାକିବାର ମନେ ହେଲା। ଏହି ସମୟରେ ସେଠି ବସିଥିବା ଜଣେ ଭିକାରି ବଡ଼ ପାଟିରେ କହିଲା- ”ରଙ୍ଗନାଥ ବାବୁ! ମୋତେ କ’ଣ ଚିହ୍ନିପାରୁ ନାହାନ୍ତି? ମୁଁ ସେହି କୁଳିଆ ଡାକୁ ଅର୍ଥାତ୍‌ ଆପଣଙ୍କ ମହକିଲ କୁଳମଣି। ମୁଁ ଗୋଟିଏ ଘଟଣାରେ ଡକାୟତି କରିବା ସହ ପରିବାରର ସଦସ୍ୟଙ୍କୁ ମଧ୍ୟ ହତ୍ୟା କରିଥିଲି। ଆପଣଙ୍କ ଅକାଟ୍ୟ ଯୁକ୍ତି ବଳରେ ସେଦିନ ନ୍ୟାୟାଳୟରୁ ସେହି ମୋକଦ୍ଦମାରେ ମୁଁ ନିର୍ଦ୍ଦୋଷରେ ଖଲାସ ହେଲି। ଆଜ୍ଞା! ସେଦିନ ସିନା ଆପଣ ମୋତେ ଖଲାସ କରିଦେଲେ; କିନ୍ତୁ ବିଧାତା ମୋତେ ସହିଲାନି। ଅଳ୍ପ କିଛିଦିନ ପରେ ମୁଁ ବଡ଼ ରୋଗରେ ପୀଡ଼ିତ ହେଲି। ପୁଅ, ବୋହୂ ଏପରିକି ମୋ ହାତ ଧରିଥିବା ସ୍ତ୍ରୀ ମଧ୍ୟ ମୋତେ ଦେଖି ଘୃଣା କଲା। ସୁତରାଂ, ଅନୁଶୋଚନାରେ ଏ ବଡ଼ଦାଣ୍ଡକୁ ପଳେଇଆସିଲି ଏବଂ ଭିକ୍ଷାବୃତ୍ତି କରି ଯାହାକିଛି ପାଉଛି ସେଥିରେ ଚଳିଯାଉଛି।“ଏହି କଥାର ଅବତାରଣା କରି ରଙ୍ଗନାଥ ମିଶ୍ର ସେଦିନ ସଭାରେ କହିଥିଲେ, ଆମ ସମସ୍ତଙ୍କ ଉପରେ ଜଣେ ବିଚାରକ ଅଛନ୍ତି। ସେ ଆମ ପାପପୁଣ୍ୟକୁ ବିଚାର କରୁଛନ୍ତି, ସେ ହେଉଛନ୍ତି ଈଶ୍ୱର।
ଦ୍ୱିତୀୟ ଘଟଣାଟି ହେଉଛି ଏହିପରି- ଜଣେ ବିଚାରପତି ନିଜ କୋଠା ଉପରୁ ଥାଇ ଦେଖିଲେ ଯେ, ଜଣେ ଲୋକ ଅନ୍ୟ ଜଣେ ଲୋକକୁ ଛୁରିଭୁସି ହତ୍ୟା କଲା। ପରବର୍ତ୍ତୀ ସମୟରେ କେସ୍‌ ଚାଲିଲା। ବିଚାରପତି ସବୁ ଜାଣୁଥିଲେ ମଧ୍ୟ ସାକ୍ଷ୍ୟ ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଷରେ ଖଲାସ ହେଲା। ପରବର୍ତ୍ତୀ ସମୟରେ ଏକ ହତ୍ୟା ମୋକଦ୍ଦମାରେ ସେହି ଲୋକକୁ ଜଡ଼ିତ କରାଯାଇ କୋର୍ଟରେ ମାମଲା ରୁଜୁ ହେଲା। ଦୀର୍ଘଦିନ ଧରି ଶୁଣାଣି ଚାଲିଲା। ଶୁଣାଣି ପରେ ସାକ୍ଷୀମାନଙ୍କ ବୟାନ ଓ ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କରି ବିଚାରପତି ହତ୍ୟା କରିଥିବା ମୁଦାଲାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଲେ।
ରାୟ ଶୁଣାଣି ପରେ ଜନସାଧାରଣ ଭର୍ତ୍ତିଥିବା କୋର୍ଟରେ ଅପରାଧୀ ବିଚାରପତିଙ୍କୁ କହିଲା- ”ହଜୁର! ଆପଣ ମୋତେ ପୂର୍ବ ମୋକଦ୍ଦମାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ; ଯଦିଓ ମୁଁ ସ୍ବୀକାର କରୁଛି ଯେ ମୁଁ ଅପରାଧ କରିଥିଲି। କିନ୍ତୁ ବର୍ତ୍ତମାନ ଆପଣଙ୍କ ଆଗରେ କହୁଛି ଯେ, ଏ ଘଟଣାରେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ଫସାଇ ଦିଆଯାଇଛି।“ ବିଚାରପତି କହିଲେ- ”ହଁ, ମୁଁ ହେଉଛି ସେହି ବିଚାରପତି। ସେଦିନ ସାକ୍ଷ୍ୟପ୍ରମାଣ ଅଭାବରୁ ତୁମକୁ ନିର୍ଦ୍ଦୋଷରେ ଖଲାସ କରିଥିଲି; ଯଦିଓ ତୁମେ ସେ ଲୋକଟିକୁ ମାରିବାର ମୁଁ ଛାତ ଉପରେ ଥାଇ ଦେଖିଥିଲି। କିନ୍ତୁ ବିଚାରପତିର କାର୍ଯ୍ୟଶୈଳୀ ଭିତରେ ତୁମକୁ ଦୋଷୀ ସାବ୍ୟସ୍ତ କରିବା ମୋ ପକ୍ଷେ ସମ୍ଭବ ନଥିଲା। ତୁମେ ବର୍ତ୍ତମାନ କହୁଛି, ଏ ଘଟଣାରେ ତୁମେ ନିର୍ଦ୍ଦୋଷ। ମୁଁ ମଧ୍ୟ ସେହି ବିଚାରପତି ତୁମକୁ ଆଜି ଏହି ଘଟଣାରେ ଦଣ୍ଡାଦେଶ ଶୁଣାଉଛି। ତୁମର ମନେରଖିବା ଉଚିତ ଯେ, ଆମମାନଙ୍କ ସମସ୍ତଙ୍କ ଉପରେ ଐଶ୍ୱରିକ ଶକ୍ତି ଅଛି; ଯିଏ ଆମର ସମସ୍ତ କାର୍ଯ୍ୟାବଳୀକୁ ଅନୁଧ୍ୟାନ କରୁଛନ୍ତି। ଏହାକୁ କହନ୍ତି ଡିଭାଇନ୍‌ ଜଷ୍ଟିସ୍‌ ବା ଐଶ୍ୱରିକ ନ୍ୟାୟ। ସୁତରାଂ ତୁମର ପାପର ଫଳ ଆଜି ତୁମକୁ ଭୋଗିବାକୁ ପଡ଼ିଲା।“
ତୃତୀୟ ଘଟଣାଟି ହେଉଛି ଏହିପରି। ବ୍ୟକ୍ତି ଜଣକ ମୋର ଜଣେ ଚିହ୍ନାପରିଚିତ ବ୍ୟକ୍ତି । ଛାତ୍ର ଜୀବନରେ ସେ ଅତ୍ୟନ୍ତ ଉଚ୍ଛୃଙ୍ଖଳ ଥିଲେ । କିନ୍ତୁ ପ୍ରତ୍ୟେକ ଥର ସେ ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଭାଗ୍ୟ ବେଶିଦିନ ତାଙ୍କର ପକ୍ଷ ନେଲାନାହିଁ। ମୁଁ ଭଲ ଭାବେ ଜାଣେ, ଗୋଟିଏ ଘଟଣାରେ ସେ ଆଦୌ ସମ୍ପୃକ୍ତ ନ ଥିଲା ବେଳେ ତାଙ୍କୁ ଫସାଇ ଦିଆଗଲା ଏବଂ ସେ କିଛିଦିନ କାରାଦଣ୍ଡ ଭୋଗ କଲେ। ଏଇଟା ବଡ଼କଥା ନୁହେଁ।
ଯୌବନ ଆମମାନଙ୍କ ଚକ୍ଷୁ ସମ୍ମୁଖରେ ଏକ ମାୟାର ଅଞ୍ଜନ ଲେପି ଦେଇଥାଏ। ଏ ପୃଥିବୀ ଆମକୁ ଏକ ନାଟ୍ୟଶାଳା ପରି ମନେହୁଏ ଏବଂ ଆମେ ନିଜକୁ ଅପରାଜେୟ ବୋଲି ମନେକରୁ। କିନ୍ତୁ ଏକଥା ମନେରଖିବାକୁ ହେବ ଯେ, ଆଜି ନ ହେଲେ ମଧ୍ୟ କାଲି ଆମକୁ ନିଶ୍ଚିତ ଭାବେ ଆମର କର୍ମଫଳ ଭୋଗ କରିବାକୁ ପଡ଼ିବ। ଏ ଜନ୍ମରେ ନ ହେଲେ ମଧ୍ୟ ଆଗାମୀ ଜନ୍ମରେ ଆମକୁ ଆମର କର୍ମଫଳ ଭଲ ହେଉ ବା ମନ୍ଦ ହେଉ ଭୋଗିବାକୁ ନିଶ୍ଚୟ ପଡ଼ିବ। ଏହାର ରାଶି ରାଶି ଦୃଷ୍ଟାନ୍ତ ପୁରାଣ ଶାସ୍ତ୍ରମାନଙ୍କରେ ରହିଛି। ଆମେ ସବୁ ଜାଣୁଛେ; କିନ୍ତୁ ମାୟା ମୋହ ବଶତଃ ପୁଣି ସେହି ଅସତ୍‌ କର୍ମରେ ଲିପ୍ତ ରହୁଛେ। ନିଜ କୁକର୍ମ ପାଇଁ ପୁଣିଥରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରି ଏହାକୁ ଭୋଗ କରୁଛେ। ଏହାହିଁ ତ ଜୀବନର ସତ୍ୟ।
– ସେବାନିବୃତ୍ତ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?