ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ କାଜୁରିପାଙ୍ଗା ଗ୍ରାମର ବେର୍ନିଜିତା ନାୟକ (୨୭) ବୋଲି ତଦନ୍ତକାରୀ ଅଧିକାରୀ ତଥା ସବ୍ଇନ୍ସପେକ୍ଟର ବାସନ୍ତୀ ବେହେରା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୁର୍ଜୁବାଡ଼ିଠାରେ ସିମନ୍ତ ସାହୁଙ୍କ ଏକ ନୂତନ କୋଠା ନିର୍ମାଣ ଚାଲିଥିବା ବେଳେ ବେର୍ନିଜିତା ସେଠାରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ସୋମବାର କୋଠାରେ ବିଦ୍ୟୁତ୍ କାର୍ଯ୍ୟ ଚାଲିଥିବା ସମୟରେ ସେ ଇଲେକ୍ଟ୍ରିକ୍ ମିସ୍ତ୍ରୀଙ୍କୁ ସହଯୋଗ କରୁଥିଲେ। ଏହି ସମୟରେ ଅସାବଧାନତାବଶତଃ ସେ ଏକ ସୋର୍ଟ ସର୍କିଟ୍ କିମ୍ବା ଖୋଲା ୱାୟାର୍ କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ।
ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଅଭାବନୀୟ ଘଟଣା ନେଇ ମୃତ ମହିଳାଙ୍କ ବାପା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୧୨/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

