ଶ୍ରୀଜଗନ୍ନାଥ ସଂସ୍କୃତିରେ ପରିବାର

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି ଓଡ଼ିଆ ଜାତିର ସାମାଜିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରା। ଅର୍ଥାତ୍‌ ଓଡ଼ିଆ ସଂସ୍କୃତି କହିଲେ ଜଗନ୍ନାଥ ସଂସ୍କୃତିକୁ ବୁଝାଏ, ଯା’ର ମୂଳ ଆଧାର ହେଉଛି ପାରିବାରିକ ସୌହାର୍ଦ୍ଦ୍ୟ।
ପରିବାର ହେଉଛି ସମାଜର କ୍ଷୁଦ୍ରତମ ଏକକ ତଥା ସର୍ବପ୍ରାଚୀନ ଅନୁଷ୍ଠାନ। ସମାଜର ଅନ୍ୟ ଯେ କୌଣସି ଅନୁଷ୍ଠାନଠାରୁ ଏହା ବୃହତ୍ତର ଓ ବିଶ୍ୱବ୍ୟାପୀ। ପରିବାରର ସମ୍ପ୍ରସାରଣରୁ ସମୂହର ସୃଷ୍ଟି ଏବଂ ସମୁଦାୟର ସମଷ୍ଟିରେ ସମାଜ ପ୍ରତିଷ୍ଠିତ। ବିଶ୍ବର ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ପରିବାରର ସଦସ୍ୟ। ପାରିବାରିକ ସୌହାର୍ଦ୍ଦ୍ୟ ଆଣିଦିଏ ତା’ ପାଇଁ ଶାନ୍ତି ଓ ସମୃଦ୍ଧି। ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ- ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର’। ଜଗନ୍ନାଥ ସଂସ୍କୃତିରେ ପରିବାର କହିଲେ ଯୌଥ ବା ଏକାନ୍ନବର୍ତ୍ତୀ ପରିବାରକୁ ବୁଝାଏ, ଯେଉଁଠି ଗୋଟିଏ ଛାତ ତଳେ ସ୍ନେହ ବନ୍ଧନରେ ବାନ୍ଧି ହୋଇ ରହନ୍ତି ବାପା, ମା, ଦାଦା, ଖୁଡ଼ୀ, ବଡ଼ବାପା, ବଡ଼ମା, ପିଉସୀ, ଜେଜେବାପା, ଜେଜେମା’ ଓ ପାଞ୍ଚ ସାତଜଣ ସାନବଡ଼ ଭାଇଭଉଣୀ। ଏ ଲେଖକ ଭଳି ପରିଣତ ବୟସରେ ଉପନୀତ ହୋଇଥିବା ଅଧିକାଂଶଙ୍କ ସ୍ମୃତିପଟରେ ନିଶ୍ଚୟ ସାଇତା ହୋଇ ରହିଥିବ ଭାଇ ଭଉଣୀ ଓ ଅନ୍ୟମାନଙ୍କ ସହିତ ଏକାଠି ବସି ଗୋଟିଏ କଂସାରେ ପଖାଳ ଖାଇବାର ଅନନ୍ୟ ଅନୁଭୂତି। ପରିବାରର ସବୁଠାରୁ ବୟସ୍କ ବ୍ୟକ୍ତି ଥିଲେ ଘରର ମୁରବି। ସମସ୍ତେ ସବୁକଥାରେ ତାଙ୍କ ଆକଟ ମାନୁଥିଲେ ଭୟ ଓ ଭକ୍ତିରେ। ଏହାହିଁ ଯୌଥ ପରିବାରର ସହାବସ୍ଥାନ କୌଶଳ। ଜଗନ୍ନାଥ ସଂସ୍କୃତିର ଦୁର୍ଲଭ ଐଶ୍ବର୍ଯ୍ୟ। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ବଡ଼ଦେଉଳରେ ବିରାଜମାନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ପ୍ରାଣପ୍ରିୟା ପତ୍ନୀ ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଭିତର ଘରେ। ଏହାହିଁ ଓଡ଼ିଆ ଘରର ସାମାଜିକ ଚଳଣି। ରଥଯାତ୍ରା ବେଳେ ସାରା ଜଗତ ଦେଖେ ସେହି ମର୍ଯ୍ୟାଦାପୂର୍ଣ୍ଣ ଚଳଣିର ପୁନରାବୃତ୍ତି। ସ୍ବାମୀଙ୍କ ସହିତ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ ମହାଲକ୍ଷ୍ମୀଙ୍କର ଯେ ଅନୁଯୋଗ ନ ଥାଏ ତା’ ନୁହେଁ, ମାତ୍ର ଏ ଯାତ୍ରାରୁ ନିବୃତ୍ତ କରିଛି ଜଣେ ଆଦର୍ଶ ଗୃହିଣୀର ବିଚାରବୋଧ। କଥାରେ ଅଛି ଗୃହିଣୀ ଗୃହମୁଚ୍ୟତେ।
ବାସ୍ତବରେ ଯୌଥ ପରିବାର ପରମ୍ପରାକୁ ବଞ୍ଚେଇ ରଖିବାରେ ପୁରୁଷ ଅପେକ୍ଷା ନାରୀର ଭୂମିକା ବେଶି, ଯା’ର ଏକ ସର୍ବକାଳୀନ ଦୃଷ୍ଟାନ୍ତ ହେଉଛି ଲକ୍ଷ୍ମୀ ପୁରାଣ। ନାରୀକୁ ପୁରୁଷ ପାଦର ପାଣ୍ଡୋଇ ବୋଲି ଭାବୁଥିବା ଦେଢ଼ଶୂରଙ୍କ ନିର୍ଦ୍ଦେଶ ଓ ସ୍ବାମୀଙ୍କ ଅସହାୟତାକୁ ଅନୁଭବ କରି ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ସତ, ହେଲେ ଜାହିର କରିବାକୁ ଚାହିଁ ନାହାନ୍ତି ନିଜର ଅଧିକାର। ଜଗନ୍ନାଥ ସଂସ୍କୃତି କହେ, ପ୍ରତ୍ୟେକ ପରିବାର ହେଉଛି ଶ୍ରୀମନ୍ଦିର ସଦୃଶ। ସେ ମନ୍ଦିରର ଲକ୍ଷ୍ମୀ ହେଉଛନ୍ତି ଗୃହିଣୀ। ଗୃହିଣୀଙ୍କୁ ହେୟ ଜ୍ଞାନ କଲେ ଲକ୍ଷ୍ମୀଛଡ଼ା ଅବସ୍ଥା ଭୋଗିବାକୁ ହୁଏ, ଯାହା ଭୋଗିଥିଲେ ଜଗନ୍ନାଥ ଓ ବଳଭଦ୍ର।
କୁହାଯାଏ ଲକ୍ଷ୍ମୀ ପୁରାଣ ନାରୀ ସଶକ୍ତୀକରଣର ଏକ ଦର୍ପିତ ଦର୍ପଣ। ଏଥିରେ ନାରୀଶକ୍ତିର ଜିତାପଟ ହୋଇଛି ବୋଲି ଭାବି ଖୁସି ପ୍ରକଟ କରନ୍ତି ଅଧିକାଂଶ ନାରୀ ଓ ନାରୀବାଦୀ। ମାତ୍ର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଦାମ୍ପତ୍ୟ କଳହ ନାହିଁ, ବରଂ ରହିଛି ପରସ୍ପର ପ୍ରତି ସମର୍ପଣ ଭାବ। ଲକ୍ଷ୍ମୀ ବଡ଼ଦେଉଳ ଛାଡ଼ନ୍ତୁ, ଏକଥା ତ କେବେ ଚାହିଁ ନାହାନ୍ତି ଜଗନ୍ନାଥ। ବଡ଼ଭାଇଙ୍କ ଦୃଷ୍ଟିରେ ପଡ଼ି ନ ଥିଲେ ସେ କେବେ ବି ପ୍ରଘଟ କରି ନ ଥାନ୍ତେ ଲକ୍ଷ୍ମୀଙ୍କ ଚଣ୍ଡାଳସାହିକୁ ଯିବା କଥା। ଲକ୍ଷ୍ମୀ ଠାକୁରାଣୀ ଅନ୍ୟାୟ ଆଦେଶର ଶିକାର ହୋଇ ପ୍ରତିବାଦିନୀ ଭୂମିକାରେ ଅବତୀର୍ଣ୍ଣା ହୋଇଛନ୍ତି ସତ, ହେଲେ ପ୍ରତିବାଦ ଭିତରେ ନିର୍ମାଣ କରିବାକୁ ଚାହିଁଛନ୍ତି ପାରିବାରିକ ସହାବସ୍ଥାନର ଏକ ପ୍ରୀତିପଦ ପରିମଣ୍ଡଳ। ତେଣୁ ଯେଉଁଠି ଦାମ୍ପତ୍ୟ ବିବାଦ ନାହିଁ, ସେଠାରେ ହାରିବା ଜିତିବାର ପ୍ରଶ୍ନ ଉଠିବ କେମିତି? ଉତ୍କଳୀୟ ପରମ୍ପରାରେ ନାରୀ ପୁରୁଷର ଅବିଚାରକୁ ମଥାପାତି ସହି ଯାଇପାରେ, କିନ୍ତୁ ଦେଖିପାରେନି ପୁରୁଷର ଦୁଃଖ ଓ ଯନ୍ତ୍ରଣା। ତା’ ନ ହେଲେ ସ୍ବାମୀ ଦେଢ଼ଶୂରଙ୍କ ଦୁଃସ୍ଥିତିକୁ ଅନୁଭବ କରି ବିଦାରି ହୋଇ ଯାଇ ନ ଥା’ନ୍ତା ଲକ୍ଷ୍ମୀ ଠାକୁରାଣୀଙ୍କ ହୃଦୟ। ସେ ନିଜକୁ ଅପରାଧିନୀ ମଣି ନଥା’ନ୍ତେ କି ସେମାନଙ୍କ ଦର୍ଶନ ପାଇବାମାତ୍ରେ ଅନୁଭବ କରିଛନ୍ତି ସାତ ଜନ୍ମର ପାପ ଧୋଇଯିବାର ଆଶ୍ବସ୍ତି। ଦାମ୍ପତ୍ୟ ଜୀବନରେ ମତାନ୍ତର ଥାଏ, କିନ୍ତୁ ହଜାରେ ମତାନ୍ତର ସତ୍ତ୍ବେ ନ ଥାଏ ଛାଡ଼ପତ୍ରର ଚିନ୍ତାକଳ୍ପ। ତେଣୁ ବଡ଼ଦେଉଳରୁ ବିତାଡ଼ିତା ହେବା ସତ୍ତ୍ବେ ସେ ଛାଡ଼ପତ୍ର କଥା ଭାବିନାହାନ୍ତି କି ସାଧାରଣ ନାରୀଟିଏ ପରି ଆଶ୍ରୟ ନେଇନାହାନ୍ତି ବାପଘରେ। ବରଂ ନିଜେ ଦମ୍ଭ ହୋଇ ଠିଆ ହେବାକୁ ଚେଷ୍ଟା କରିଛନ୍ତି ଆପଣା ଉଦ୍ୟମରେ। ଏହା ହିଁ ନାରୀ ସଶକ୍ତୀକରଣର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ।
ପ୍ରତ୍ୟେକ ଲୋକ ପାଇଁ ଜନ୍ମମାଟିର ମାୟା ଅନନ୍ୟ। ବିଶେଷକରି ଜନ୍ମମାଟି ପ୍ରତି ଓଡ଼ିଆଙ୍କର ଥାଏ ଏକ ଦୁର୍ବାର ଆକର୍ଷଣ। ଜୀବନ ଜୀବିକା ଦାୟରେ ଯିଏ ଯେତେ ଦୂରରେ ଥିଲେ ବି ପୂନେଇଁ ପରବରେ ଗାଁ’କୁ ଫେରିବା ପାଇଁ ବ୍ୟାକୁଳ ହୁଏ ପ୍ରବାସୀ ଓଡ଼ିଆର ମନ। ଜନ୍ମମାଟି ପ୍ରତି ଏହି ଆକର୍ଷଣର ଏକ ସର୍ବକାଳୀନ ଦୃଷ୍ଟାନ୍ତ ହେଉଛି ମହାପ୍ରଭୁଙ୍କ ଜନ୍ମବେଦି ଯାତ୍ରା। ପ୍ରତିବର୍ଷ ଜନ୍ମବେଦିକୁ ବୁଲି ଯିବେ ବୋଲି କେବେ ଦିନେ ଭକ୍ତିମତୀ ଗୁଣ୍ଡିଚାଙ୍କୁ କଥା ଦେଇଥିଲେ ମହାପ୍ରଭୁ। ଶହ ଶହ ବର୍ଷ ବିତି ଗଲା ପରେ ବି ସେ କଥା ସେ ଭୁଲିନାହାନ୍ତି କି ତୁଟେଇ ପାରିନାହାନ୍ତି ଜନ୍ମମାଟିର ମାୟା। କୁହାଯାଏ ଓଡ଼ିଶାରେ ବାର ମାସରେ ତେର ପର୍ବ। ବାସ୍ତବରେ ଏହି ପର୍ବପର୍ବାଣି ଦ୍ବାରା ସୁଦୃଢ଼ ହୁଏ ଆମ ପାରିବାରିକ ସହାବସ୍ଥାନ। ଓଡ଼ିଆରେ ଗୋଟିଏ କଥା ଅଛି ଜ୍ୟେଷ୍ଠାୟା ନମଃ ଓ ଶ୍ରେଷ୍ଠାୟା ନମଃ। ଜ୍ୟେଷ୍ଠର ଏହି ଶ୍ରେଷ୍ଠତ୍ୱକୁ ସମ୍ମାନ ଜଣେଇବା ଓଡ଼ିଆ ଘରର ପରମ୍ପରା, ଯା’ର ଏକ ପ୍ରତୀକାତ୍ମକ ପର୍ବ ହେଉଛି ପ୍ରଥମାଷ୍ଟମୀ। ସେଦିନ ମାମୁଘର ପକ୍ଷରୁ ଭଣଜା ଭାଣିଜୀଙ୍କ ପାଇଁ ନୂତନ ବସ୍ତ୍ର ଓ ମିଷ୍ଟାନ୍ନ ଆଦି ପଠାଯାଏ, ଯାହାକୁ ଆଧାର କରି ଗଢ଼ି ଉଠିଛି ଅଷ୍ଟମୀ ବନ୍ଧୁ ବା ମଉଳା ସଂସ୍କୃତି। ବଡ଼ଦେଉଳରେ ମଧ୍ୟ ପାରମ୍ପରିକ ରୀତିରେ ପ୍ରଥମାଷ୍ଟମୀ ପାଳନ ହୁଏ ଏବଂ ସେଦିନ ଶ୍ରୀଜୀଉଙ୍କ ମଉଳାଘର ନିଆଳି ମାଧବ ମନ୍ଦିରରୁ ଆସେ ନୂତନ ବସ୍ତ୍ର ଓ ଅଷ୍ଟମୀ ଭାର। କେବଳ ମାମୁଘର ନୁହେଁ, ଆମ ପାରିବାରିକ ଚଳଣିରେ ପିଲାବେଳେ ମାଉସୀ ଘରେ ଯେଉଁ ଶ୍ରଦ୍ଧା ଓ ଆତିଥ୍ୟ ମିଳେ, ତାହା ଭୁଲିହୁଏନି ପରିଣତ ବୟସ ପର୍ଯ୍ୟନ୍ତ। ସେଥିପାଇଁ ତ ନବଦିନ ଯାତ୍ରା ଅବସରରେ ମାଉସୀମା’ଙ୍କ ମନ୍ଦିର ନିକଟରେ ଅଟକିଯାଏ ଶ୍ରୀଜୀଉଙ୍କ ରଥ। ବାହୁଡ଼ାବେଳେ ମହାପ୍ରଭୁ ମାଉସୀମା’ ଅର୍ଦ୍ଧାସନୀଙ୍କ ହାତ ତିଆରି ପୋଡ଼ପିଠା ଖାଇ ଫେରନ୍ତି ମହାଆନନ୍ଦରେ। ଏହା କେବଳ ପୋଡ଼ପିଠା ପ୍ରତି ମହାପ୍ରଭୁଙ୍କର ରଙ୍କପଣ ନୁହେଁ, ମାଉସୀମା’ଙ୍କ ଭକ୍ତି ଓ ମମତାର ନିଦର୍ଶନ।
ଦାମ୍ପତ୍ୟ ଜୀବନକୁ ଅଧିକ ମଧୁମୟ କରେ ଛୋଟ ଛୋଟ କଳି ଝଗଡ଼ା। ଏସବୁର ସମାଧାନ ପାଇଁ ବେଳେବେଳେ ନେବାକୁ ପଡ଼େ ଛୋଟ ଛୋଟ ମିଛର ଆଶ୍ରୟ। ଏଇ ଯେମିତି ଶୀଘ୍ର ଫେରିଆସିବେ ବୋଲି ମହାଲକ୍ଷ୍ମୀଙ୍କୁ ମିଥ୍ୟା ମଧୁର ପ୍ରତିଶ୍ରୁତି ଦେଇ ନବଦିନ ଯାତ୍ରାରେ ବାହାରି ଯାଆନ୍ତି ମହାପ୍ରଭୁ। ମାତ୍ର ଫେରିବା ବିଳମ୍ବ କାରଣରୁ ନୀଳାଦ୍ରି ବିଜୟ ବେଳେ ଆରମ୍ଭ ହୁଏ ବଚସା। ଏହି ଘରକଳି ଯେତିକି ସ୍ବାଭାବିକ, ସେତିକି ରୋଚକ। ଏଥିରେ ଘର ଭାଙ୍ଗେନି ବରଂ ଅଧିକ ନିବିଡ଼ ହୁଏ ସମ୍ପର୍କ। କାରଣ ଏସବୁ କଳି ନୁହେଁ, ବରଂ ତ୍ୟାଗ ଓ ସହିଷ୍ଣୁତାର ମନ୍ତ୍ର। ଏଥିରୁ ବାହାରୁଥାଏ ଓଡ଼ିଆପଣର ମହମହ ବାସ୍ନା।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri