Posted inଫୁରସତ

କାଳିଆ ସେବାରେ ପରିବାର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବର୍ଷର ଅନ୍ୟ ଦିନ ଅପେକ୍ଷା ରଥଯାତ୍ରାରେ ଶ୍ରୀଜୀଉଙ୍କ ଦର୍ଶନ ସହିତ ମହାପ୍ରଭୁଙ୍କ ସେବାକାର୍ଯ୍ୟରେ ନିୟୋଜିତ ଲାଗି ଭକ୍ତଙ୍କ ମନରେ ରହିଥାଏ ଅନେକ ଆଶା ଓ ଉତ୍କଣ୍ଠା। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଭକ୍ତଙ୍କ ଲାଗି ସର୍ବଦା ତାଙ୍କ ମନ ଆନ୍ଦୋଳିତ ହୋଇଥାଏ। ସେ ବୁଝିପାରନ୍ତି ଭକ୍ତଙ୍କ ମନର କଥାକୁ। ଯେପରି ଦିନେ ଭକ୍ତ ଦାସିଆ ବାଉରି ପଠେଇଥିବା ଶ୍ରୀଫଳକୁ ଶୂନ୍ୟରେ ଭୁଜ ବଢାଇ ନେଇଥିଲେ କାଳିଆସାଆନ୍ତ, ପୁଣି ବନ୍ଧୁ ମହାନ୍ତିଙ୍କ ପାଇଁ ବନ୍ଧୁ ହୋଇ ବଢ଼େଇଥିଲେ ମହାପ୍ରସାଦ। ଏମିତି ଅନେକକଥା ରହିଛି ଯୁଗଯୁଗରୁ । ହେଲେ କାଳିଆ ଠାକୁରଙ୍କ ମହିମା ଅବର୍ଣ୍ଣନୀୟ। ସେମିତି ଦିନେ ରଥଯାତ୍ରା ଦେଖୁଥିବା ଜଣେ ଭକ୍ତ ବଡ଼ଦାଣ୍ଡରେ ଠିଆହୋଇ ମହାପ୍ରଭୁଙ୍କୁ ଗୁହାରିକରି ନିଜମନର କଥାଟିକୁ ଜଣାଇଥିଲେ । ଆଉ ତା’ ପର ଠାରୁ ପ୍ରତିବର୍ଷ ରଥଯାତ୍ରାକୁ ସେ ଯୋଗାଇ ଆସୁଛନ୍ତି ସୋଲର ସେବତୀ ଓ କଦମ୍ବ ଫୁଲ। ଏମିତିରେ ଦୀର୍ଘ ୨୧ବର୍ଷଧରି ମହାପ୍ରଭୁଙ୍କ ରଥଯାତ୍ରାରେ ଲାଗୁଛି ତାଙ୍କ ହାତ ତିଆରି ସୋଲଫୁଲ ।

ସଦର ମହକୁମାସ୍ଥିତ ଗୁରୁଜଙ୍ଗ ଭୋଇସାହିର ବୀରକିଶୋର ନାୟକ, ଧନେଶ୍ୱର ନାୟକ, ଗଣେଶ୍ୱର ନାୟକ ଓ ସୋମନାଥ ନାୟକ । ସମସ୍ତେ ଗୋଟିଏ ପରିବାରର ସଦସ୍ୟ। ବୀରକିଶୋର ନାୟକ କୁହନ୍ତି -ଆଜକୁ ପ୍ରାୟ୨୨ବର୍ଷ ତଳରକଥା। ଥରେ ରଥଯାତ୍ରା ଦେଖିବାକୁ ପୁରୀକୁ ଯାଇଥିଲି। ସେତେବେଳେ ବଡ଼ଦାଣ୍ଡରେ ରଥକୁ ଦେଖି ମୋର ମନେହେଲା ଆମ ଗାଁରେ ଯେପରି ଧବଳେଶ୍ୱରଙ୍କ ପୀଠକୁ ସୋଲଫୁଲ ଯୋଗାଉଛି ଯଦି ସେହିପରି ମହାପ୍ରଭୁ କାଳିଆସାଆନ୍ତଙ୍କ ସେବାରେ ସୋଲଫୁଲ ଲାଗି ହୋଇପାରନ୍ତା ତେବେ ବହୁତ ଖୁସି ହୁଅନ୍ତି, ମନୋବାଞ୍ଛା ପୂରଣ ହୁଅନ୍ତା। ସେଦିନ ରଥଯାତ୍ରା ଦେଖି ଏମିତି କଥାକୁ ମନେରଖି ତା’ ପର ବର୍ଷ ରଥଯାତ୍ରାର ୩ ଦିନ ପୂର୍ବରୁ ପୁରୀକୁ ଯାଇଥିଲି। ରଥଖଳାରେ ରଥକାମ ଚାଲିଥାଏ। ସେଠାରେ ଜଣେ ବୃଦ୍ଧଙ୍କୁ ଦେଖାହୋଇ ମୋ ମନରକଥା ଜଣାଇଥିଲି। ସେ କହିଲେ ତୁ ସେହି ଫୁଲ ଧରିକି ଆସେ। ତା’ପର ଦିନ ସାଥିରେ ସୋଲଫୁଲ ଧରି ଯାଇ ପହଞ୍ଚିଥିଲି ବଡ଼ଦାଣ୍ଡର ରଥଖଳାରେ। ମାତ୍ର ପୂର୍ବରୁ ଦେଖା ହୋଇଥିବା ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଖୋଜି ପାଇଲି ନାହିଁ। ମନରେ ପ୍ରବଳ ଉତ୍କଣ୍ଠା । କିନ୍ତୁ ସେଦିନ ମନଦୁଃଖକରି ସେଠାରୁ ଫେରିଆସି ପୁରୀରେ ଜଣେ କୁଣିଆଙ୍କ ଘରେ ରହିଲି। ଖିଆପିଆ ଭୁଲିଗଲି। ରାତିରେ ଭଲ ନିଦ ଲାଗିଲାନାହିଁ । ଯେମିତି ସକାଳ ହେଲା ପୁଣି ଯାଇ ପହଞ୍ଚିଲି ରଥଖଳାରେ। ଆଉଥରେ ଖୋଜିଲି ସେହି ବୃଦ୍ଧଙ୍କୁ ହେଲେ ତାଙ୍କର କେହି କିଛି ଠିକଣା ଦେଲେନି । ବହୁସମୟ ଅପେକ୍ଷା ପରେ ସେଠାରେ ଜଣେ ବ୍ୟକ୍ତି କହିଲେ, ତମେ ଏବେ ରାଘବ ମଠକୁ ଯାଇ ବୁଝ । ତା ପରେ ତାଙ୍କ କଥା ମାନି ରାଘବମଠକୁ ଯାଇ ସୋଲଫୁଲ ଦେବାକଥା କହିଲି, କିନ୍ତୁ ସେମାନେ ମୋଠାରୁ ଫୁଲ ନେବାକୁ ମନାକଲେ। ଆଉ କହିଲେ ଯଦି କିଛି ଟଙ୍କାଦେବ ତେବେ ଫୁଲକୁ ସେବାରେ ଲଗାଇ ପାରିବୁ ନ ହେଲେ ଫେରିଯାଅ । ଏମିତି ପରିସ୍ଥିତି ଯୋଗୁ ମନରେ ଦୁଃଖ ଆସିଲା। ସେଠାରୁ ଫେରିଆସିଲି। ଆଉ ମନେମନେ ଚିନ୍ତାକଲି ଠାକୁର ତ କିଛି ଶୁଣିଲେ ନାହିଁ ।

ଏତେ ପରିଶ୍ରମକରି ଗାଁରୁ ଆଣିଥିବା ସୋଲଫୁଲକୁ କ’ଣ ଫେରାଇ ନେବି ? କାଲି ଗାଁକୁ ଫେରିଲାବେଳେ ବାଟରେ କେଉଁ ଏକ ନାଳରେ ଫିଙ୍ଗିଦେବି ବୋଲି ମନସ୍ତ କରିଥିଲି। ହେଲେ ସେଦିନ ରାତିରେ ପୁଣି କୁଣିଆଘରେ ରହିଲି। ରାତିରେ ଠାକୁରଙ୍କ ଏକ ସ୍ବପ୍ନ ଦେଖିଲି । ତା’ପରଦିନ ସକାଳୁ ପୁଣି ଯାଇ ପହଞ୍ଚିଥିଲି ରଥଖଳାରେ। ଦୈବାତ ସେହି ବୃଦ୍ଧଙ୍କୁ ଏଥର ଦେଖାମିଳିଲା। ସେ ମୋତେ ପୁରୀ ଶ୍ରୀମନ୍ଦିର ପ୍ରଶାସକଙ୍କ ନିକଟରେ ପହଞ୍ଚାଇ ଦେଲେ । ଶ୍ରୀମନ୍ଦିର ପ୍ରଶାସକଙ୍କ କଥା ଅନୁସାରେ ସୋଲଫୁଲ ନେଇ ମହାପ୍ରଭୁଙ୍କ ରଥରେ ସଜାଇଥିଲି। ମାତ୍ର ସେହି ବୃଦ୍ଧଙ୍କୁ ସେଠାରେ ଆଉ ପାଇନଥିଲି । ତାପର ଦିନ ରଥଯାତ୍ରାରେ ଠାକୁରଙ୍କ ଦର୍ଶନ ଓ ରଥରେ ସୋଲଫୁଲ ସଜାଇଥିବାରୁ ନିଜକୁ ଧନ୍ୟ ମନେକଲି। ସେବେଠାରୁ ପ୍ରତିବର୍ଷ ରଥପାଇଁ ସୋଲଫୁଲ ଯୋଗାଇଆସୁଛୁ। ଏଥିପାଇଁ ଆମ ପରିବାରର ୭/୮ଜଣ ସଦସ୍ୟ ଏହି ଫୁଲ ତିଆରି କରିଥାଉ। କାର୍ତ୍ତିକ ମାସରେ ସୋଲ ସଂଗ୍ରହ ପାଇଁ ନିମାପଡ଼ା, କାକଟପୁର, ବଳଙ୍ଗା ଓ ବାଙ୍କି ଆଦି ଅଞ୍ଚଳରୁ ଯିବାକୁ ପଡ଼ିଥାଏ। କାହାରିକୁ ଶୋଲ ସଂଗ୍ରହ ନିମନ୍ତେ କିଛିଟଙ୍କା ଦେବାକୁ ପଡ଼ିଥାଏ। ସଂଗ୍ରହ କରାଯାଇଥିବା ସୋଲକୁ କିଛିଦିନ ଖରାରେ ସୁଖାଇଥାଉ। ତା’ପରେ ଯେବେ ରଥକାମ ଆରମ୍ଭ ହୁଏ ସେହି ସମୟରେ ଆମେ ମଧ୍ୟ ଆମଘରେ ନିଷ୍ଠାର ସହିତ ଅରୁଆ ଖାଇ ଶୁଦ୍ଧପୁତ ଭାବେ ନୂଆବସ୍ତ୍ର ପରିଧାନକରି ଛୁରିପୂଜାକରି ସୋଲକୁ ସାଇଜକରି ସେବତୀ ଓ କଦମ୍ବଫୁଲ ତିଆରି କରିଥାଉ। ଫୁଲ କାମ ସରିଲାପରେ ନେତ୍ରଉତ୍ସବ ଦିନ ସେବତୀ ଓ କଦମ୍ବଫୁଲକୁ ନେଇ ରଥରେ ସଜେଇଥାଉ। ଏମିତି ସେବା ଆଜିଯାଏ କରିଆସୁଛୁ। ଚଳିତବର୍ଷ ରଥ ପାଇଁ ମଧ୍ୟ ସୋଲର କଦମ୍ବ ଓ ସେବତୀଫୁଲ ତିଆରି ସରିଛି। ଏଥିପାଇଁ କାହାରିଠାରୁ କେବେ କିଛି ଅର୍ଥ ଗ୍ରହଣ କରିନାହୁଁ । ଆମ ସାଧ୍ୟମତେ ନିଜସ୍ବ ଖର୍ଚ୍ଚରେ ମହାପ୍ରଭୁଙ୍କ ରଥରେ ସୋଲଫୁଲ ସଜେଇ ସେବା କରି ଆନନ୍ଦ ପାଇବା ସହ ନିଜକୁ ଧନ୍ୟ ମନେକରୁଛୁ।
-ବନବିହାରୀ ବେହେରା,ଫଟୋ:ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri