
ନୂଆଦିଲ୍ଲୀ, ୧୫।୧୦: ଭାରତୀୟ ସେନାରେ ମୁସ୍ଲିମ୍ ରେଜିମେଣ୍ଟ୍ ଥିବା ନେଇ ମିଥ୍ୟା ଖବର ସୋସିଆଲ୍ ମିଡ଼ିଆରେ ୨୦୧୩ ମେ’ଠାରୁ ପ୍ରଚାରିତ ହେବାରେ ଲାଗିଛି। ଏହାର ବିରୋଧ କରି ୧୨୦ ଅବସରପ୍ରାପ୍ତ ଯବାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଚିଠି ଲେଖିଛନ୍ତି। ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଯବାନଙ୍କ ମଧ୍ୟରେ ୨୪ ଜଣ ୨ ତାରକା ଏବଂ ୩ ତାରକା ଜେନେରାଲ ମଧ୍ୟ ରହିଛନ୍ତି। ୧୯୬୫ରେ ଚାଇନା ସହିତ ହୋଇଥିବା ଯୁଦ୍ଧରେ ଭାରତୀୟ ସେନାର ମୁସ୍ଲିମ୍ ରେଜିମେଣ୍ଟ୍ ଲଢ଼ିବାକୁ ଅମଙ୍ଗ ହୋଇଥିବା ମିଥ୍ୟା ଖବର ସୋସିଆଲ୍ ମିଡ଼ିଆରେ ଲଗାତାର ପ୍ରଚାର ହେଉଛି। କିନ୍ତୁ ଭାରତୀୟ ସେନାରେ ଏଭଳି କୌଣସି ରେଜିମେଣ୍ଟ୍ ନାହିଁ। ଉତ୍ତେଜନା ସୃଷ୍ଟି ପାଇଁ ଜାଣିଶୁଣି ଏଭଳି କରାଯାଉଥିବା ଚିଠିରେ ଅଭିଯୋଗ କରାଯାଇଛି। ଭାରତୀୟ ସେନା ସବୁବେଳେ ରାଜନୀତିଠାରୁ ଦୂରରେ ରହିବା ସହିତ ଧର୍ମନିରପେକ୍ଷତାକୁ ବଜାୟ ରଖିଥିବା ଚିଠିରେ ଦର୍ଶାଯାଇଛି। ଫେସ୍ବୁକ୍ ଏବଂ ଟୁଇଟରକୁ ଚେତାବନୀ ଦେବାକୁ ଅବସରପ୍ରାପ୍ତ ଯବାନମାନେ ଦାବି କରିଛନ୍ତି। ସୋସିଆଲ୍ ମିଡ଼ିଆରେ କରାଯାଉଥିବା ଏଭଳି ଭ୍ରମାତ୍ମକ ପ୍ରଚାର ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ହାତ ଥିବା ନେଇ ଅବସରପ୍ରାପ୍ତ ଜେନେରାଲ ଏସ୍.ଏ.ହସନୈନ୍ ନିଜ ବ୍ଲଗ୍ରେ ଲେଖିଛନ୍ତି।