ବିଫଳ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ବ୍ୟବସ୍ଥା ହିସାବରେ ଓଡ଼ିଶାରେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଜ୍ଞାନାର୍ଜନ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଏକ ଭରସାଯୋଗ୍ୟ, ନିର୍ଭରଯୋଗ୍ୟ ଅନୁଷ୍ଠାନ ଭାବରେ ଆଉ ବିବେଚିତ ହେଉନାହାନ୍ତି।
ଖାଲି ପ୍ରମାଣପତ୍ର ସଂଗ୍ରହ ଓ ଅନ୍ୟାନ୍ୟ କେତେ ଆନୁଷ୍ଠାନିକ ବାଧ୍ୟବାଧକତା ପାଇଁ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନରେ ନାମ ଲେଖାଉଛନ୍ତି।
ଏହି ପ୍ରକାର ଗଣଉପଲବ୍ଧି ବିଷୟରେ ସରକାର ମଧ୍ୟ ପରୋକ୍ଷରେ ଅବଗତ ଅଛନ୍ତି; ଯାହା ଜଣାପଡ଼େ ବିଭାଗର ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଗୃହୀତ ମନୋଭାବରୁ। ଟିକେ ନିରେଖି ଦେଖିଲେ ଜଣାଯିବ ସରକାରଙ୍କ ନଜରରେ ଉଚ୍ଚଶିକ୍ଷା ଏକ ପ୍ରାଧାନ୍ୟହୀନ ବିଭାଗ। ସରକାର ପର୍ଯ୍ୟଟନ କ୍ଷେତ୍ର, ହସ୍ପିଟାଲ, ଧର୍ମାନୁଷ୍ଠାନଗୁଡ଼ିକୁୁ ବିଶ୍ୱସ୍ତରୀୟ କରିବାକୁ ଚେଷ୍ଟା କରୁଥିଲାବେଳେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ତ ଦୂରର କଥା ଜାତୀୟସ୍ତରୀୟ ଏକ ମାନ୍ୟତାପ୍ରାପ୍ତ ଅନୁଷ୍ଠାନ ହିସାବରେ ଗଢ଼ି ତୋଳିବା ପାଇଁ ସରକାର କେବେ ଚିନ୍ତା ବି କରିନାହାନ୍ତି। ଅନ୍ୟ ବିଭାଗ ତ ପରକଥା, ସେହି ଶିକ୍ଷାବିଭାଗ- ‘ଗଣଶିକ୍ଷା’ ଓ ‘ଉଚ୍ଚଶିକ୍ଷା’ ବିଭାଗକୁ ନେଇ ସରକାରଙ୍କ ଧ୍ୟାନର ତାରତମ୍ୟ ଅନେକଙ୍କୁ ଚକିତ କରୁଛି। ‘ମୋ ସ୍କୁଲ’ ଅଭିଯାନକୁ ବ୍ୟାପକ କରିବା, ସ୍କୁଲକୁ ପୋଷ୍ୟ ହିସାବରେ ଗ୍ରହଣ କରିବା ପାଇଁ ମନ୍ତ୍ରୀ, ବିଧାୟକ, ସାଂସଦ, ବିଚାରପତି ପ୍ରମୁଖଙ୍କୁ ନିବେଦନ କରିବା, ସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକ ତଥା ଅନ୍ୟ ଶିକ୍ଷକ ପଦବୀ ପୂରଣ କରିବା, ଆଦର୍ଶ ବିଦ୍ୟାଳୟ ସଂଗଠନ ଦ୍ୱାରା ଆଦର୍ଶ ବିଦ୍ୟାଳୟ ପରିଚାଳନା କରି କିଛିମାତ୍ରାରେ ଗଣଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ବଢ଼େଇବା ପାଇଁ ଆପାତତଃ କିଛି ପ୍ରୟାସ କରିବା ଭଳି ଉଦ୍ୟମ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଦେଖାଯାଏ ନାହିଁ। କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ଦେଖିଲେ ଜଣାପଡ଼େ ଏହା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ନୁହେଁ। ସରକାର ବେଶ୍‌ ସ୍ବଚ୍ଛନ୍ଦରେ ଭୁଲି ଯାଉଛନ୍ତି ଯେ ସାଂପ୍ରତିକ ବିଜ୍ଞାନ ଓ କାରିଗରି ଯୁଗରେ ଉଚ୍ଚଶିକ୍ଷା ହିଁ ସବୁ ବିଦ୍ୟାର ଜନନୀ।
ଉଚ୍ଚଶିକ୍ଷା ବିଭାଗ ଯେ କେମିତି ଖାମଖିଆଲ ଭାବରେ ଚାଲିଛି ତାହାର ସଦ୍ୟତମ ନମୁନା ମହାବିଦ୍ୟାଳୟ ସ୍ତରରେ ଖୋଲାଯାଇଥିବା କ୍ୟାରିୟର କାଉନ୍‌ସେଲିଂ ସେଲ୍‌ ମାନ ପ୍ରତ୍ୟାହାର କରାଯିବାର ନିଷ୍ପତ୍ତି। ଏହା ଏକ ଅପମାନଜନକ ପଦକ୍ଷେପ। କେଉଁ ଗୁଣବତ୍ତା ତଥା ମହାବିଦ୍ୟାଳୟସ୍ତରୀୟ ମାନବସମ୍ବଳର ସ୍ଥିତି ଯାଞ୍ଚ କରି ସରକାର ଏ ପ୍ରକାର ସିଦ୍ଧାନ୍ତ ନେଇଥିଲେ? ଓଡ଼ିଶାର ପ୍ରାୟ ସମସ୍ତ ସରକାରୀ ମହାବିଦ୍ୟାଳୟ ଏଥିରେ ହାତ ନ ମାରିବା ସୂଚାଏ ମହାବିଦ୍ୟାଳୟଗୁଡ଼ିକର ବୌଦ୍ଧିକ ସ୍ଥିତି। ତା’ ଛଡ଼ା କ୍ୟାରିୟର କାଉନ୍‌ସେଲିଂ ଏକ ପେସାଦାରି କାର୍ଯ୍ୟ। ବିଷୟକ ଶ୍ରେଣୀଶିକ୍ଷା ପ୍ରଦାନ କରିବାକୁ ଯେଉଁଠି ନିୟମିତ ଶିକ୍ଷକ ନାହାନ୍ତି ସେଠି ଆନ୍ତବିଷୟକ କ୍ୟାରିୟର କାଉନ୍‌ସେଲିଂ ପ୍ରଦାନ କରିବାକୁ ଶିକ୍ଷକ ଆସିବେ କେଉଁଠୁ? ସାଙ୍କେତିକ ଭାବରେ ଏହି ସାମଗ୍ରିକ ଦୁରବସ୍ଥା ପ୍ରତିଫଳନ କରେ ଓଡ଼ିଶାରେ ଉଚ୍ଚଶିକ୍ଷା କେଡ଼େ ରୁଗ୍‌ଣ କାରଣ ସରକାର ଏହି ତଥାକଥିତ ସେଲ୍‌ ପରିଚାଳନା ପାଇଁ ଅନୁଷ୍ଠାନ ପିଛା ୩ ଲକ୍ଷ ଟଙ୍କା ଅଗ୍ରିମ ରାଶି ମଧ୍ୟ ଯୋଗାଇ ଦେଇଥିଲେ, ଯାହା ମୂଳତଃ ଅବ୍ୟବହୃତ ହୋଇ ରହିଯାଇଛି।
କ୍ୟାରିୟର କାଉନ୍‌ସେଲିଂ ସେଲ୍‌ ଖୋଲିଯିବାର ସିଦ୍ଧାନ୍ତ ଭଳି ପଦକ୍ଷେପ ଏକ ଶୈକ୍ଷିକ ହଟଚମଟ। ସେମିତି ଆଉ ଏକ ହଟଚମଟ ହେଲା ଏବେ ପ୍ରତି ମହାବିଦ୍ୟାଳୟରେ ଗୋଟିଏ ଲେଖାଏ କେନ୍ଦ୍ରୀୟ ପରୀକ୍ଷାଗାର ସ୍ଥାପନର ନିଷ୍ପତ୍ତି। ଯେଉଁଠି ବିଭାଗୀୟ ପରୀକ୍ଷାଗାରର ସ୍ଥିତି ଅତି ଦୟନୀୟ ସେଠି ଏହି କେନ୍ଦ୍ରୀୟ ପରୀକ୍ଷାଗାରର ଭାଗ୍ୟ କ’ଣ ହେବ? ବିଭାଗୀୟ ପରୀକ୍ଷାଗାରର ରକ୍ଷଣାବେକ୍ଷଣ ପାଇଁ ଅନେକ କ୍ଷେତ୍ରରେ ପରୀକ୍ଷାଗାର ସହାୟକ ନାହାନ୍ତି, ତା’ର ସ୍ବଚ୍ଛତା ରକ୍ଷା କରିବାକୁ ଚତୁର୍ଥ ଶ୍ରେଣୀ କର୍ମଚାରୀଟିଏ ବି ନାହିଁ କି ତାକୁ ପରିଚାଳନା କରିବାକୁ ନିୟମିତ ଅଧ୍ୟାପକଟିଏ ନାହିଁ। ଓଡ଼ିଶାରେ ମୂଳତଃ ଅତିଥି ଶିକ୍ଷକରେ ପାଠପଢ଼ା ଚାଲିଛି, ସେ କ୍ଷେତ୍ରରେ ଏ ହିମାଳୟୀ ଚିନ୍ତନ କେତେଦୂର ଯୁକ୍ତିଯୁକ୍ତ? ଏମିତି ହଟଚମଟ ସୃଷ୍ଟି କରାଯାଇଥିଲା କଲେଜ ପିଛା ୨୦ ଲକ୍ଷ ଟଙ୍କା ବ୍ୟୟରେ ଭାଷା ପରୀକ୍ଷାଗାର ସ୍ଥାପନ କରି, ଯାହା ଏବେ ଖତ ଖାଉଛି । ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣାର ସ୍ଥିତି ଦୁର୍ବଳ। ଗବେଷଣାର ମୁଖ୍ୟ ଦୁଇଅଙ୍ଗ ହେଲା ପରୀକ୍ଷାଗାର ଓ ପାଠାଗାର। ଅନେକ ଅନୁଷ୍ଠାନରେ ଗ୍ରନ୍ଥାଗାରିକ ନାହାନ୍ତି, ଗ୍ରନ୍ଥାଗାର ସହାୟକ ନାହାନ୍ତି, ବହିପତ୍ର ସଫାସୁତୁରା ରଖିବାକୁ ସଫେଇ କର୍ମଚାରୀ ନାହାନ୍ତି ଓ ଉପଲବ୍ଧ ବହିଗୁଡ଼ିକୁ ବିଜ୍ଞାନସମ୍ମତ ଭାବରେ ରଖାଯାଉନାହିଁ କି ତାକୁ ଡିଜିଟାଇଜ କରାଯାଉନାହିଁ; ଯାହା ଫଳରେ ଜଣେ ଗବେଷକଙ୍କ ପାଖରେ ପାଠାଗାରରେ କ’ଣ ପୁସ୍ତକ ଉପଲବ୍ଧ ତାହାର ଖବର ନାହିଁ। ମୋଟ ଉପରେ ପାଠାଗାରକୁ ଗବେଷଣା ଅନୁକୂଳ କରାଯାଉ ନାହିଁ। ଠିକ୍‌ ସେହିପରି ଅବସ୍ଥା ପରୀକ୍ଷାଗାର ସମୂହର। ସେଗୁଡ଼ିକୁ ଆଧୁନିକସ୍ତରକୁ ଉନ୍ନୀତ କରାଯାଇ ଗବେଷଣାସ୍ତରକୁ ଅଣାଯାଉ ନାହିଁ। ଆପାତତଃ ସବୁ ମହାବିଦ୍ୟାଳୟ ନ ହେଲେ ବି କେତେକ ପ୍ରମୁଖ ମହାବିଦ୍ୟାଳୟର ପାଠାଗାର ଏବଂ ପରୀକ୍ଷାଗାରକୁ ଗବେଷଣା ଉପଯୋଗୀ କରି ଗଢ଼ି ତୋଳିବାରେ ଚିନ୍ତନ ସରକାରଙ୍କ ନାହିଁ। ଅଥଚ ବିଭିନ୍ନ ସଭାସମିତିରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷମାନେ, କୁଳପତିମାନେ ଗବେଷଣା ଉପରେ ଲମ୍ବାଲମ୍ବା ବକ୍ତୃତା ରଖନ୍ତି। ଗବେଷଣା କାର୍ଯ୍ୟଟିକୁ ସରକାରୀ ପ୍ରୋତ୍ସାହନ ନ ଯୋଗାଇ ଏହା ଗବେଷକମାନଙ୍କ ବ୍ୟକ୍ତିଗତ ବ୍ୟାପାର ହିସାବରେ ଛାଡ଼ି ଦିଆଯାଇଛି; ଯାହାର ଫଳସ୍ବରୂପ ଗବେଷଣା ତା’ର ମୌଳିକତା ତଥା ଗୁଣ ଓ ଚରିତ୍ର ହରାଇଛି। ଏଣେ ୟୁଜିସି ୨୦୨୧ରୁ ଅଧ୍ୟାପକମାନଙ୍କ ସର୍ବନିମ୍ନ ଯୋଗ୍ୟତା ଡକ୍ଟରେଟ୍‌ ଡିଗ୍ରୀ ବୋଲି ଆଗରୁ ଘୋଷଣା କରିସାରିଛନ୍ତି। ଅନୁସୃତ ଭୁଲ୍‌ ନୀତି ଯୋଗୁ ଅନେକ ଗବେଷକ ବିଶ୍ୱବିଦ୍ୟାଳୟରୁ ଗବେଷଣା ପାଇଁ ଉଦ୍ଦିଷ୍ଟ କୋର୍ସ ୱାର୍କ ସମାପନ କରି ତତ୍ତ୍ୱାବଧାରକ (ଗାଇଡ୍‌) ଅପେକ୍ଷାରେ କାଳାତିପାତ କରୁକରୁ ପାଠ ଭୁଲିଗଲେଣି।
ସେନାକୁ ନେଇ ସୈନ୍ୟବାହିନୀ। ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନରେ ନିୟୋଜିତ ଶିକ୍ଷକବାହିନୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭଗ୍ନ ଓ ବିପର୍ଯ୍ୟସ୍ତ। ସେମାନଙ୍କୁ ନିୟମିତ ପଦୋନ୍ନତି ଦିଆଯାଉନାହିଁ। ସବୁ ବିଭାଗ କେମିତି ସେମାନଙ୍କର କର୍ମଚାରୀଙ୍କୁ ଡିସେମ୍ବର ୨୦୧୯ ସୁଦ୍ଧା ପଦୋନ୍ନତି ପ୍ରଦାନ କରିବେ, ସେ ନେଇ ସରକାର କଡ଼ା ନିର୍ଦ୍ଦେଶ ଦେଲେ; ମୁଖ୍ୟ ସଚିବ, ଉନ୍ନୟନ କମିଶନର ପ୍ରମୁଖ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ପ୍ରମୋଶନ ଅଦାଲତମାନ ଗଢ଼ାହେଲା। ବହୁ ବିଭାଗ ତପତ୍ର ହୋଇ ଉଠିଲେ। ଉଚ୍ଚଶିକ୍ଷା ବିଭାଗରେ ସେ ସବୁର ଶବ୍ଦ ଶୁଭିଲା ନାହିଁ। ୬୦ଟି ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଦକ୍ଷ ଓ ଯୋଗ୍ୟ ଅଧ୍ୟାପକମାନେ ଦିନେ ଅଧ୍ୟକ୍ଷ ହୋଇ ଅବସର ନେବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପାରିବାରିକ ଅନୁଚିନ୍ତା ହୋଇ ରହିଗଲା। ଅନ୍ୟ କନିଷ୍ଠ ଓ ବରିଷ୍ଠ ଅଧ୍ୟାପକମାନେ ସେମାନଙ୍କର ନିର୍ଦ୍ଧାରିତ ସମୟ ଅନୁଯାୟୀ ପଦୋନ୍ନତି ପାଇଲେ ନାହିଁ। ଅଥଚ ସେମାନଙ୍କଠୁ କମ୍‌ ମେଧାବୀ ଅନ୍ୟ ବିଭାଗରେ ନିୟୋଜିତ ବନ୍ଧୁମାନେ ଯେ ଯାହାର ପଦୋନ୍ନତି ପାଇ କିଛିଟା ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଜଣେ କର୍ମଚାରୀ ଚାକିରିରେ ପ୍ରବେଶବେଳେ ଯେଉଁ ଯେଉଁ ପଦୋନ୍ନତିର ସମ୍ଭାବନା ନେଇ ବୃତ୍ତିଟିଏ ଆପଣାଇଥାଏ, ସେଥିରୁ ବଞ୍ଚିତ ହେଲେ କେଡ଼େ ଦୁଃଖପାଏ, ସେ କଥା ଅନୁଭବୀ ହିଁ ଜାଣେ। ସେଇଥିପାଇଁ ଆଜି ଅନେକ ମେଧାବୀ ଯୁବ ଅଧ୍ୟାପକ ଓଡ଼ିଶା ସରକାରଙ୍କ ଶିକ୍ଷାନୁଷ୍ଠାନ ଅପେକ୍ଷା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟ ଅବା କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନକୁ ଅଧିକ ପସନ୍ଦ କରୁଛନ୍ତି। ଉନ୍ନତ ମାନବସମ୍ବଳ ହରାଇ ଓଡ଼ିଶାର ଛାତ୍ର ସମାଜ ହିଁ କ୍ଷତି ସହୁଛି।
ଏକଦା ସର୍ବଭାରତୀୟ ସ୍ତରରେ ଗୌରବାନ୍ବିତ ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ବର୍ତ୍ତମାନର ଦୁରବସ୍ଥା ଦେଖିଲେ ଦୁଃଖ ଲାଗୁଛି। ଓଡ଼ିଶାର ଅନେକ ଉଚ୍ଚପ୍ରଶାସନିକ ଅଧିକାରୀ ଓ ଗୁଣୀ ରାଜନେତାମାନେ ସେହି ବ୍ୟବସ୍ଥାରୁ ସୃଷ୍ଟ। ବ୍ୟବସ୍ଥାକୁ ସଜାଡ଼ିବାରେ ସେମାନଙ୍କର ମଧ୍ୟ ଉତ୍ତରଦାୟିତ୍ୱ ରହିଛି। କଥାହେଲା ସେମାନଙ୍କୁ ସୃଷ୍ଟି କରିଥିବା ଅନୁଷ୍ଠାନ ବା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସେମାନେ କିଛି କୃତଜ୍ଞତାମୂଳକ ପଦକ୍ଷେପ ଗ୍ରହଣ କରିବେ କି?
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ୍‌, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri