ଫେସ୍‌ବୁକ ଯୋଗ୍ୟତା

ହରେକୃଷ୍ଣ ଦାସ

 

ମୋର ଗୋଟିଏ ଭିଡିଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରି ଫେସ୍‌ବୁକରେ ତା’ର ଲିଙ୍କ୍‌ଟି ମୋର ବନ୍ଧୁ ଶେୟାର କରିଛନ୍ତି ବୋଲି ଜାଣିବା ପରେ ସେଇଟିକୁ ମତେ ଦେଖେଇବାକୁ ପତ୍ନୀଙ୍କୁ କହିଲି ଓ ପ୍ରଥମେ ଉତ୍ତର ମିଳିଲା ‘ହେଃ, ତମେ ଗୋଟେ… ଫେସ୍‌ବୁକ୍‌ ପାଇଁ ପୂରା ଅଯୋଗ୍ୟ।’ ପରେ ପରେ ଭିଡିଓଟି ଅବଶ୍ୟ ଦେଖିଲି, କିନ୍ତୁ ମୋର ଫେସ୍‌ବୁକ୍‌ ଯୋଗ୍ୟତା ମୂଲ୍ୟାୟନ କରିବାଟା ଖୁବ୍‌ ଜରୁରୀ ମନେକଲି।
ମୁଁ ଏକଥା ଭଲ ଭାବେ ଜାଣେ ଯେ, ବର୍ତ୍ତମାନ ସମୟରେ ଏକ ବିଶାଳ ସମ୍ପର୍କର କ୍ଷେତ୍ର ଭାବେ ଫେସ୍‌ବୁକ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତା’ ସହିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପରିଚୟ ସୃଷ୍ଟି କରେଇବାରେ ଏକ ଉତ୍କୃଷ୍ଟ ମାଧ୍ୟମ ମଧ୍ୟ ପାଲଟି ପାରିଛି। ଜାତି, ଧର୍ମ, ବର୍ଣ୍ଣ, ବୟସ ଏପରିକି ସାମାଜିକ ସମ୍ପର୍କକୁ ଖାତିର ନ କରି ଏକମାତ୍ର ‘ଗଣ ପରିଚୟ’ ପାଲଟିଛି ‘ଫ୍ରେଣ୍ଡ୍‌’। ସାମାଜିକ ସମ୍ପର୍କର ଦ୍ୱାହି ଦେଇ କେବେ ବି ସାମ୍ନାସାମ୍ନି କଥା ହେଉ ନ ଥିବା ଦେଢ଼ଶୁର-ଭାଇବୋହୂ, ମଳାଶୁର-ଭଣଜା ବୋହୂ ମଧ୍ୟ ଏଠି ‘ଫ୍ରେଣ୍ଡ୍‌’ ବନିବାରେ କୌଣସି ସଂକୋଚ ନ ଥାଏ। ହଜାର ହଜାର ଅଜଣା-ଅଦେଖା ଲୋକଙ୍କୁ କେବଳ ‘ପ୍ରୋଫାଇଲ୍‌’ ଦେଖି ‘ଫ୍ରେଣ୍ଡ୍‌’ ଭାବେ ଗ୍ରହଣ କରାଯାଏ, ତେବେ ଫେସ୍‌ବୁକରେ ତିଷ୍ଠି ରହିବା ପାଇଁ କେତେଗୁଡ଼ିଏ ସର୍ତ୍ତ ପାଳନ କରିବା ଯେ ନିହାତି ଜରୁରୀ ସେ କଥା ମୋ ମଗଜରେ ନ ଥିଲା।
ମୋ ନିଜର ତଥା ଅନ୍ୟମାନଙ୍କର ଫେସବୁକ୍‌ କାର୍ଯ୍ୟକଳାପକୁ ମନେପକେଇ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆବିଷ୍କାର କଲି ବୋଲି ମନେହେଲା। ଯେମିତିକି, ସବୁଦିନ ସକାଳୁ ଉଠି ଫେସ୍‌ବୁକ୍‌ ଖୋଲି ପ୍ରଥମେ ‘ନୋଟିଫିକେସନ’ ଦେଖିବା ଜରୁରୀ, ସଂଖ୍ୟାଧିକ ପୋଷ୍ଟିଂ ଉପରେ ଅକ୍ଷରଟିଏ ନ ପଢ଼ି ବି ‘ଓ୍ବାଃ’, ‘ଚମତ୍କାର’, ଏ ପ୍ରକାର ଲେଖା ପଢ଼ି ମୁଁ ସ୍ତମ୍ଭୀଭୂତ, ‘ତମେ ହିଁ ଆମର ଉଜ୍ଜ୍ୱଳ ଭବିଷ୍ୟତ’, ‘କଂଗ୍ରାଚୁଲେସନ’, ‘ଥ୍ୟାଙ୍କ ୟୁ’ ଇତ୍ୟାଦି କମେଣ୍ଟ ଦେବାକୁ ହେବ। ଏମିତିକି କେତେକ ପୋଷ୍ଟିଂ ଉପରେ ଅନ୍ୟମାନଙ୍କର କମେଣ୍ଟ ପଢ଼ି ତଦନୁସାରେ କିଛି ବି କମେଣ୍ଟ ଲେଖିଲେ ବି ଚଳିବ। ଆହୁରି ଅନେକ ପୋଷ୍ଟିଂକୁ ସମୟ ବଞ୍ଚେଇବାକୁ ଯାଇ କେବଳ ‘ଲାଇକ୍‌’ କରାହେବ। ମେସେଞ୍ଜରରେ ଆସିଥିବା ‘ଗୁଡ୍‌ ମର୍ନିଂ’ ଗୁଡ଼ିକର ଉତ୍ତର ଦିଆଯିବ। ନିଜ ‘ଟାଇପ୍‌ଲାଇନ’ରେ ବିଭିନ୍ନ ପ୍ରକାର ଧାରକରା, ଦାର୍ଶନିକତାରେ ଭରା କୋଟେସନ, ଏମିତିକି ସ୍ବରଚିତ ତତ୍କାଳ କବିତା ପୋଷ୍ଟ କରାଯାଇ ତା’ ଉପରେ ଆସୁଥିବା ‘ଲାଇକ୍‌’ ଓ ‘କମେଣ୍ଟ’ ସବୁକୁ ନିୟମିତ ବ୍ୟବଧାନରେ ଅନୁଧ୍ୟାନ କରାଯିବ ଏବଂ ତଦନୁସାରେ ନିଜ ‘ଫ୍ରେଣ୍ଡ୍‌’ ସଂଖ୍ୟାରେ ବୃଦ୍ଧି ବା ହ୍ରାସ କରାଯିବ। କାରଣ କେବଳ ‘ଗୁଡ୍‌ ମର୍ନିଂ ମାଇଁ ଫ୍ରେଣ୍ଡ୍‌’ ଓ ‘ଗୁଡ୍‌ ନାଇଟ୍‌ ମାଇଁ ଫ୍ରେଣ୍ଡ୍‌’ ଲେଖି ପଠାଉଥିବା ବନ୍ଧୁଙ୍କ ମେସେଜର ନିୟମିତ ଉତ୍ତର ନ ଦେଲେ ଆପଣ ତାଙ୍କ ପାଇଁ ମଧ୍ୟ ଅଯୋଗ୍ୟ ସାବ୍ୟସ୍ତ ହେବେ। ପୁଣି, ଆପଣ କୋଉମାନଙ୍କ ପୋଷ୍ଟିଂ ଉପରେ ‘ଲାଇକ୍‌’ ବା ‘କମେଣ୍ଟ’ ଦେଉଛନ୍ତି ସେ ମାନଦଣ୍ଡ ଆଧାରରେ ମଧ୍ୟ ଆପଣ ‘ଅମୁକ’ ଗୋଷ୍ଠୀର ବୋଲି ବିବେଚିତ ହୋଇ ଆପେ ଆପେ କେତେଜଣଙ୍କର ‘ଫ୍ରେଣ୍ଡ୍‌’ ଲିଷ୍ଟରୁ ବାଦ୍‌ ପଡ଼ିଯିବାର ସମ୍ଭାବନା ରହିଛି। ସୁତରାଂ ସତର୍କ ରହିବା ଜରୁରୀ।
ଫେସ୍‌ବୁକରେ ତିଷ୍ଠି ରହିବାଟା ଗୋଟେ ସଂଘର୍ଷଠାରୁ କିଛି କମ୍‌ ନୁହେଁ। ଉପରୋକ୍ତ କାର୍ଯ୍ୟକଳାପ ବ୍ୟତିରେକେ ନିଜକୁ ଚର୍ଚ୍ଚିତ କରେଇବା ପାଇଁ ମଧ୍ୟ ବିଭିନ୍ନ କୌଶଳ ଆପଣାଇବା ଉଚିତ। ଯେମିତିିକି, ନିଜକୁ ଜଣେ ବହୁତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ଯାହାର ମୂଲ୍ୟ ଅନ୍ୟମାନେ ଠିକ ଭାବେ ବୁଝିପାରୁନାହାନ୍ତି ବୋଲି ବିଭିନ୍ନ ପ୍ରକାର ଲେଖା ପୋଷ୍ଟ କରିବା ମାଧ୍ୟମରେ ଜଣେଇ ଅନ୍ୟମାନଙ୍କର ଆଲୋଚନାର ପାତ୍ର ହେବାକୁ ଚେଷ୍ଟା କରାଯିବ। ଅନ୍ୟମାନଙ୍କର ପୋଷ୍ଟିଂ ଉପରେ ନକାରାମତ୍କ ମନ୍ତବ୍ୟ ଦେଇ, ସେମାନଙ୍କୁ ନୀଚ ଦେଖେଇଲା ଭଳି ଲେଖା ‘କମେଣ୍ଟ’ ଦେଇ, ସେମାନଙ୍କ କାର୍ଯ୍ୟକଳାପକୁ ମୂଲ୍ୟହୀନ ବୋଲି ସମାଲୋଚନା କରି ନିଜେ ଉପହସିତ ହେଲେ ମଧ୍ୟ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରାଯିବ। ନିଜ ଆଡ଼କୁ ଧ୍ୟାନ ଆକର୍ଷିତ କରିବା ପାଇଁ ସମୟେ ସମୟେ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ କରି ଉତ୍ସୁକତା ସୃଷ୍ଟି କଲା ଭଳି କ୍ୟାପ୍‌ସନ ଲେଖାଯିବା ଉଚିତ। ଯେମିତି, ନିଜର ବିଭିନ୍ନ ବୟସର ତଥା ବିଭିନ୍ନ ଭଙ୍ଗୀରେ ଉଠାଯାଇଥିବା ଫଟୋ ପୋଷ୍ଟ କରି ଲେଖାଯିବ- ‘ଏ ଫଟୋମାନଙ୍କ ଭିତରେ କ’ଣ ପାର୍ଥକ୍ୟ ଅଛି କିଏ ଖୋଜି ପାଇପାରିବ ଦେଖିବା…’ କିମ୍ବା ନିଜ ବାଡ଼ିରେ ଫଳିଥିବା ପିଜୁଳିର ଫଟୋ ଉଠାଇ ଆମ ବାଡ଼ି ପିଜୁଳିର ସ୍ବାଦ କିଛି ନିଆରା…’ ଇତ୍ୟାଦି କ୍ୟାପ୍‌ସନ ସହ ପୋଷ୍ଟ କରି ‘ଲାଇକ୍‌’ ଓ ‘କମେଣ୍ଟ୍‌’କୁ ଅପେକ୍ଷା କରାଯିବ।
ନିଜ ଭିତରେ ଲେଖକପଣିଆ ଉଙ୍କି ମାରୁଥିଲେ କଥାଟା ଆହୁରି ରୋଚକ ତଥା ସଙ୍ଗିନ୍‌ ବୋଲି ବୁଝିବାକୁ ହେବ। କାରଣ, କେବଳ ଫେସ୍‌ବୁକ ସକାଶେ ସୃଷ୍ଟି ହୋଇ ଚାଲିଥିବା ହଜାର ହଜାର ଲେଖକଙ୍କ ପୋଷ୍ଟିଂ ପ୍ରତି ସଜାଗ ରହିବାକୁ ହେବ। ଆକର୍ଷଣୀୟ ଉଚ୍ଚାରଣ ଶୈଳୀ ତଥା ବେଶ ପୋଷାକରେ ନିଜ ଲେଖାର ଭିଡିଓ ପୋଷ୍ଟ କରୁଥିବା ଲେଖକମାନଙ୍କ ସହ ଯୋଗାଯୋଗ ରକ୍ଷା କରି ସେମାନଙ୍କୁ ଅନ୍ତତଃ ‘କଂଗ୍ରାଚୁଲେସନ’ ଜଣେଇବା ଜରୁରୀ। ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ‘ଫ୍ରେଣ୍ଡ୍‌’ମାନଙ୍କୁ ସମୟେ ସମୟେ ଫୋନ କରି ମେସେଜ ଦେଇ ସେମାନଙ୍କ ପୋଷ୍ଟିଂ ଦ୍ୱାରା ଆମେ ଗଭୀର ଭାବେ ଅନୁପ୍ରାଣିତ ବୋଲି ଜଣେଇ, ତାଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ହେବ। ଏମିତିକି, ସେମାନଙ୍କର କିଛି କିଛି ପୋଷ୍ଟିଂକୁ ‘ମତେ ଭଲ ଲାଗିଥିବା ମୋର ପ୍ରିୟ ଲେଖକଙ୍କର ଗୋଟିଏ ପୋଷ୍ଟିଂ’ ବୋଲି ଲେଖି ଶେୟାର କରାଯିବା ମଧ୍ୟ ଜରୁରୀ।
ଉପରୋକ୍ତ କାର୍ଯ୍ୟକଳାପଗୁଡ଼ିକ ଭିତରୁ କିଛି କିଛି ଊଣାଅଧିକେ କରୁ ନ ଥିଲେ କାଳେ ଜଣଙ୍କର ଫେସ୍‌ବୁକରେ ତିଷ୍ଠି ରହିବାର ନୈତିକ ଅଧିକାର ନ ଥାଏ। ଏତେ କଥାର ଗଭୀର ତର୍ଜମା କରିସାରିବା ପରେ ପତ୍ନୀଙ୍କର ମୋ ପ୍ରତି ତାତ୍ସଲ୍ୟର ମର୍ମ ମୁଁ ବୁଝିପାରିଲି। ଏତିକିବେଳେ ଏକ ଅଜଣା ନମ୍ବରରୁ ଫୋନ୍‌ କଲ ଆସିଲା। ଭଦ୍ର ବ୍ୟକ୍ତି ଜଣକ ସେ ପଟୁ କହିଲେ- ସାର, ଆପଣଙ୍କୁ ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇବାର ପ୍ରାୟ ମାସେ ପରେ ବି ଆପଣ ତାକୁ ଗ୍ରହଣ କରି ନ ଥିବାରୁ ମତେ ବନ୍ଧୁ ଭାବେ ଗ୍ରହଣ କରିବାକୁ ଅନୁରୋଧ କରି ହ୍ବାଟ୍‌ସ ଆପ୍‌ରେ ମେସେଜ ଦେଇଥିଲି। ସପ୍ତାହେ ପରେ ମଧ୍ୟ ଆପଣ ସେ ମେସେଜଟି ଦେଖି ନ ଥିବାରୁ ଆଜି ବାଧ୍ୟ ହେଇ ଫୋନ୍‌ କଲି, ମୋ ଫ୍ରେଣ୍ଡ୍‌ ରିକ୍ୱେଷ୍ଟଟି ଗ୍ରହଣ କରିବାକୁ ଅନୁରୋଧ। ତାଙ୍କୁ ମିଛସତ କହି ପ୍ରସଙ୍ଗଟି ଟାଳି ଦେଲାବେଳକୁ ଏସବୁ ଅନୁଧ୍ୟାନ କରୁଥିବା ମୋ ଝିଅ କହିଲା- ‘ପାପା, କେବଳ ଫେସ୍‌ବୁକ ନୁହଁ, ସବୁ ପ୍ରକାର ସୋସିଆଲ ମିଡିଆ ପାଇଁ ତମେ ଅଯୋଗ୍ୟ।’
-ଅଧ୍ୟାପକ ଇଂଲିଶ୍‌ ବିଭାଗ, ନିଆଳି କଲେଜ, ନିଆଳି, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri