ବଜେଟକୁ ନେଇ ଆଶା, ଆଶଙ୍କା

ଭୁବନେଶ୍ୱର, ୩୧।୧ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ବଜେଟ ଉପସ୍ଥାପନ କରିବେ। ମହାମାରୀ କରୋନା ପାଇଁ ସମଗ୍ର ଦେଶ ଏବେ ସଙ୍କଟ ସ୍ଥିତିରେ ଗତି କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେକାରି, ଛଟେଇ, କୃଷି, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦେଶବାସୀ। ତେଣୁ ଏସବୁ ସ୍ଥିତିର ସୁଧାର ପାଇଁ କେନ୍ଦ୍ରୀୟ ବଜେଟ୍‌ ବେଶ୍‌ ଗୁରୁତ୍ୱ ବହନ କରୁଥିବାବେଳେ ଓଡ଼ିଶାବାସୀଙ୍କ ମନରେ ନାନା ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ବଜେଟରେ କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଦୋହଲିଯାଇଥିବା ଅର୍ଥ ବ୍ୟବସ୍ଥା ସୁଧାରିବାକୁ କ’ଣ ସବୁ ବ୍ୟବସ୍ଥା ରହିଥିବା ଦରକାର ତାହାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି।
ସବୁ ବର୍ଗର ହାତକୁ ପଇସା ଆସିଲା ଭଳି ବଜେଟ ହେଉ
କେନ୍ଦ୍ର ସରକାର ୨୦୧୬ରେ ନେଇଥିବା ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଆଜି ଦେଶର ଅର୍ଥନୀତି ନିମ୍ନଗାମୀ ହୋଇରହିଛି। ସରକାର ଗୋଟିଏ ଭୁଲ୍‌ର ସୁଧାର ପାଇଁ ଶହେ ଭୁଲ୍‌ ଆଡ଼କୁ ପାଦ ପକାଉଛନ୍ତି; ଯାହାର ପରିଣାମ ଦେଶବାସୀ ବିଗତ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭୋଗୁଛନ୍ତି। ଏଭଳି ସମୟରେ କୋଭିଡ୍‌ ମହାମାରୀ ଉଭୟ ସରକାର ଓ ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ସବୁବର୍ଗର ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ଚଳଚଞ୍ଚଳ ଭାରତୀୟ ବଜାର ମାନ୍ଦା ପଡ଼ିଯାଇଛି। ଆମଦାନୀ ଓ ରପ୍ତାନିରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଛି। ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବଜେଟରେ ସବୁବର୍ଗଙ୍କ ହାତକୁ ପଇସା ଆସିଲା ଭଳି ନୀତି ପ୍ରଣୟନ ସହ ଟିକସ ହ୍ରାସ ଓ ମଞ୍ଜୁରୀ ବୃଦ୍ଧି ଉପରେ ଗୁରୁତ୍ୱ ଦିଅନ୍ତୁ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ମନରେଗା ଭଳି କ୍ଷେତ୍ରଗୁଡ଼ିକ କିପରି ଅଧିକରୁ ଅଧିକ କ୍ରିୟାଶୀଳ ହେବ ସେ ନେଇ ମଧ୍ୟ ବିଚାର କରନ୍ତୁ ବୋଲି ଜନତା ଆଶା ରଖିଛନ୍ତି।
-ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଅର୍ଥମନ୍ତ୍ରୀ
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ଆଣିବାକୁ ବ୍ୟବସ୍ଥା ରହିବା ଦରକାର
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରେଳ ଭିତ୍ତିଭୂମି କମ୍‌ ରହିଛି। ସେହିପରି ଅଛେଦିନ୍‌ ଆସିବା ନାମରେ ଏଠାରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗାମାଡ଼ ହେଉଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ସବୁକିଛି ଚଢ଼ା ଦରରେ ବିକ୍ରି ହେଉଛି। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ଆଣିବା ଲାଗି ବଜେଟରେ ଆବଶ୍ୟକ ବ୍ୟବସ୍ଥା ରହିବା ଦରକାର। ଏଥରର ବଜେଟ୍‌ ଅନ୍ତତଃ ସାଧାରଣ ବା ଗରିବ ଶ୍ରେଣୀର ଲୋକଙ୍କୁ ସୁହାଇବା ଭଳି ହେବା ଆବଶ୍ୟକ।
-ଚିତ୍ତରଞ୍ଜନ ପଟ୍ଟନାୟକ, ଅଧ୍ୟାପକ
ବଜେଟ ଲୋକାଭିମୁଖୀ ହେଉ
ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଚଳିତ ବର୍ଷର ବଜେଟ ଲୋକାଭିମୁଖୀ ହେବା ଦରକାର। ବ୍ୟାଙ୍କ ଫିକ୍ସଡ୍‌ ଡିପୋଜିଟ୍‌ରେ ସୁଧ ହାର ବଢ଼ିବା ଆବଶ୍ୟକ। ଏହାଦ୍ୱାରା ବ୍ୟାଙ୍କରେ ଟଙ୍କା ରଖିଥିବା ଅବସରପ୍ରାପ୍ତ ବରିଷ୍ଠ ନାଗରିକମାନେ ବିଶେଷ ଉପକୃତ ହୋଇ ପାରିବେ। ସେହିପରି ଇନକମ୍‌ ଟାକ୍ସ ବିଭାଗରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ରିହାତି ମିଳିବା ଆବଶ୍ୟକ। ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଯିବା ସହ ଡିଜେଲ ଉପରୁ କେନ୍ଦ୍ରୀୟ ଟିକସ କମାଯାଉ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ କମିପାରିବ।
-ଅନୁପମ୍‌ ମହାନ୍ତି, ଆଇନଜୀବୀ
ମଧ୍ୟବିତ୍ତଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉ
ବଜେଟରେ ପ୍ରଥମେ ସାଧାରଣ ଲୋକ ବିଶେଷକରି ମଧ୍ୟବିତ୍ତଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯିବା ଦରକାର। ଏବେ ମହଙ୍ଗା ମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗିଦେବାକୁ ବସିଲାଣି। ଡାଲିଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ହୋଇଛି। ଅପରପକ୍ଷେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୧ହଜାର ଟଙ୍କା ଛୁଇଁବାକୁ ବସିଲାଣି। ଧନୀ ଶ୍ରେଣୀର ଲୋକଙ୍କୁ ଏହାର କୌଣସି ପ୍ରଭାବ ପଡୁ ନ ଥିବାବେଳେ ସହରରେ ରହୁଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କର ଗ୍ୟାସ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।
-ପୁଷ୍ପଲତା ମହାନ୍ତି, ଗୃହିଣୀ
ନିଯୁକ୍ତି ସୁଯୋଗ ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଦୃଷ୍ଟି ରହୁ
କେବଳ ସରକାରୀ ଚାକିରିଆଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନ କରି ଗ୍ରାମ୍ୟ ଅର୍ଥନୀତିକୁ ସୁଧାରିବା, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିବା ଦରକାର। ମହାମାରୀ କରୋନା ପାଇଁ ବେକାରି ଓ ଛଟେଇ ସମସ୍ୟା ଦେଖାଯାଉଛି। ତେଣୁ ଏହା ଉପରେ ବିଶେଷ ଦୃଷ୍ଟି ଦିଆଯିବା ଦରକାର। ସେହିପରି ସ୍ବାସ୍ଥ୍ୟ ଭିତ୍ତିଭୂମି ଦୃଢ଼ୀକରଣ, ଟେଲି ମେଡିସିନ ସହ ଜରୁରିକାଳୀନ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ମିଳିବା ଆବଶ୍ୟକ।
-ମହେଶ କୁମାର, ଛାତ୍ର
ନୂଆ ଯୋଜନା ଘୋଷଣା ସମ୍ଭାବନା କମ୍‌
ଲୋକଙ୍କୁ ଖୁସି କଲା ଭଳି ନୂଆ ଯୋଜନା ଘୋଷଣାର ସମ୍ଭାବନା କମ୍‌ ରହିଛି। ତେବେ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନଜୀବିକା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସ୍ବାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରିବାକୁ ପଡ଼ିବ। ବ୍ଲକ୍‌ ସ୍ତରରେ କିପରି ଲୋକେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ସେ ଦିଗରେ ପଦକ୍ଷେପ ନେବା ଜରୁରୀ। ବର୍ତ୍ତମାନ ଅନ୍‌ଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଆବଶ୍ୟକ। ପଞ୍ଚାୟତ ସ୍ତରରେ ଗ୍ରାମୋଦ୍ୟୋଗ ସୃଷ୍ଟି ଉପରେ ସରକାର ଚିନ୍ତା କରିବା ଉଚିତ।
-ଅମରେନ୍ଦ୍ର ଦାସ, ପ୍ରାଧ୍ୟାପକ, ନାଇଜର
ବରିଷ୍ଠଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହୁ
କରୋନା ପାଇଁ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ବର୍ଗର ଲୋକଙ୍କ ଜୀବନଜୀବିକା ଗୁରୁତର ପ୍ରଭାବିତ ହୋଇଛି। ଏମାନଙ୍କ ସ୍ଥିତିରେ ସୁଧାର ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ସେହିଭଳି ବରିଷ୍ଠ ନାଗରିକଙ୍କ ପାଇଁ ବଜେଟାରୀ ପ୍ରୋଭିଜନ ରହିବା ଦରକାର। ସେମାନଙ୍କ ସୋସିଆଲ ସିକ୍ୟୁରିଟି ପେନ୍‌ସନ୍‌ ବୃଦ୍ଧି କରାଯିବାକୁ ମଧ୍ୟ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ଆବଶ୍ୟକ।
– ଭାରତୀ ଚକ୍ର, ସାମାଜିକକର୍ମୀ
ରୋଜଗାର ବୃଦ୍ଧି, ଟିକସ ହ୍ରାସକୁ ପ୍ରାଥମିକତା ଦିଆଯାଉ
କୋଭିଡ୍‌ ମହାମାରୀ ଯୋଗୁ ସବୁ ବର୍ଗର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବା ସହ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଦିନ କାଟୁଛନ୍ତି। ରୋଜଗାର ବୃଦ୍ଧି ଓ ଟିକସ ହ୍ରାସକୁ ସରକାର ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଭିତ୍ତିଭୂମିକୁ ମଧ୍ୟ ଅଧିକରୁ ଅଧିକ କ୍ରିୟାଶୀଳ କରାଯାଉ ବୋଲି ସବୁ ବର୍ଗ ଆଶାପୋଷଣ କରିଛନ୍ତି।
-ବିଚିତ୍ର ନାରାୟଣ ମିଶ୍ର, ବ୍ୟବସାୟୀ
ବିକାଶମୁଖୀ ବଜେଟ ଆସିବ ବୋଲି ଆଶା
ସରକାର ସବୁ ସମୟରେ ଉଭୟ ଉଚ୍ଚ ଓ ନିମ୍ନ ବର୍ଗର ଲୋକଙ୍କ ସୁବିଧା ପାଇଁ ବଜେଟରେ ଅନେକ ଯୋଜନା ଓ ସୁବିଧା ସାଙ୍ଗକୁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି। ହେଲେ ଅଧିକ ଟିକସ ମିଳୁଥିବା ମଧ୍ୟମ ବର୍ଗଙ୍କ ପାଇଁ କୌଣସି ସୁବିଧା ପ୍ରଦାନ କରୁ ନାହାନ୍ତି। କୋଭିଡ୍‌ ସମୟରେ ସର୍ବାଧିକ କ୍ଷତି ମଧ୍ୟମ ବର୍ଗ ଲୋକଙ୍କର ହୋଇଛି। ଟିକସ ହ୍ରାସ ସାଙ୍ଗକୁ ମଧ୍ୟମ ବର୍ଗର ବିକାଶ କିପରି ହୋଇପାରିବ ସେ ନେଇ ସରକାର ବିଚାର କରିବା ସହ ଏକ ବିକାଶମୁଖୀ ବଜେଟ ଆଣିବେ ବୋଲି ମୋର ଆଶା।
-ଅକ୍ଷୟ ଦାସ, ଆଇନଜୀବୀ
କୃଷି ପାଇଁ ଅଧିକ ଅର୍ଥବ୍ୟବସ୍ଥା ହୋଇପାରେ
କୋଭିଡ୍‌ ପାଇଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶର ଅର୍ଥନୀତି ମାନ୍ଦା ରହିଛି। ସରକାର ବଜେଟ ଉପସ୍ଥାପନ ପୂର୍ବରୁ ସମାଜର ସବୁବର୍ଗର ଲୋକଙ୍କ ଆଶା ପୂରଣ କରିବେ ବୋଲି ଆକଳନ କରାଯାଉଛି। କରଦାତାମାନେ ମଧ୍ୟ ଚଳିତ ବଜେଟରୁ କିଛି ସୁବିଧା ସୁଯୋଗ, ପ୍ରୋତ୍ସାହନ ଓ କର ରିହାତି ଆଶା କରିଛନ୍ତି। କୃଷି କ୍ଷେତ୍ରରେ ବିକାଶ ପାଇଁ ବଜେଟରେ ଅଧିକ ଅର୍ଥବ୍ୟବସ୍ଥା ଓ ଉତ୍ପାଦନ ଖର୍ଚ୍ଚ ଅଟକଳ ବଢ଼ିପାରେ। ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇ ବଜେଟରେ ଅତିରିକ୍ତ ଅର୍ଥ ବ୍ୟବସ୍ଥା ହୋଇପାରେ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ କିଛି ଅଧିକ ଅର୍ଥ ବରାଦ ହେବାର ସମ୍ଭାବନା ରହିଛି।
-ଶରତ ଦାସ, ପୂର୍ବତନ ଆୟକର କମିଶନର


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri