ପରୀକ୍ଷା ସଂସ୍କାର: ଆମ ଛାତ୍ରୀଛାତ୍ର

ଅକ୍ଷୟ କୁମାର ମିଶ୍ର

ଆମ ରାଜ୍ୟରେ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓଟିଇଟି, ସିଟି, ସିପିଏଡ୍‌, ପ୍ରଥମା, ମଧ୍ୟମା, ଏନ୍‌ଆରଟିଏସ୍‌ ଆଦି ପରୀକ୍ଷାର ପରିଚାଳନା ଓ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରିଥାଏ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ଏଥିମଧ୍ୟରୁ ଦଶମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ବୃହତ୍‌ ଏବଂ ବହୁ ପ୍ରତୀକ୍ଷିତ। କିଛି ବର୍ଷ ହେଲା ଦେଖାଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପରୀକ୍ଷାକୁ ନେଇ ପରୀକ୍ଷାନିରୀକ୍ଷା କରିଚାଲିଛି। କେତେବେଳେ ପୂର୍ଣ୍ଣସଂଖ୍ୟା ୯୦୦, ପୁଣି କେତେବେଳେ ୮୦୦। କେତେବେଳେ ବଦଳି ଯାଇ ୭୫୦ ହେଲାଣି ତ ପୁଣି କେତେବେଳେ ୬୦୦। କେତେବେଳେ ପରୀକ୍ଷାରେ ୩ଟି ସେଟ୍‌ର ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଛି ତ ପୁଣି କେତେବେଳେ ୪ଟି । କେତେବେଳେ ଏକା ପ୍ରଶ୍ନକୁ ଆଗ ପଛ କରି ସେଟ୍‌ କରାଯାଉଛି, ପୁଣି କେତେବେଳେ ସମ୍ପୂର୍ଣ୍ଣ ଅଲଗା ପ୍ରଶ୍ନରେ ସେଟ୍‌ ପ୍ରସ୍ତୁତ ହେଉଛି। ସଂକ୍ଷିପ୍ତ ଓ ବିସ୍ତୃତ ପ୍ରଶ୍ନ ମଧ୍ୟରେ ଭାଗବଣ୍ଟା ସମାନ ରହୁ ନାହିଁ।
ପୁଣି କେତେବେଳେ ସଂକ୍ଷିପ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଓଏମ୍‌ଆର ମାଧ୍ୟମରେ ପିଲାଙ୍କୁ ଦେବାକୁ ପଡ଼ୁଛି। ପୁଣି କେତେବେଳେ ଲିଖନ ପ୍ରଣାଳୀରେ। ବିଷୟ ମଧ୍ୟ ସ୍ଥିର ରହୁ ନାହିଁ। କେତେବେଳେ ଇଚ୍ଛାଧୀନ ବିଷୟ ରହୁଛି, ଯାହା ଛାତ୍ରୀଛାତ୍ର ନିଜେ ଚୟନ କରୁଛନ୍ତି। ପୁଣି କେତେବେଳେ କୁହାଯାଉଛି ସବୁ ବିଷୟ ବାଧ୍ୟତାମୂଳକ। ଗୋଟିଏ ବର୍ଷ ବିଜ୍ଞାନରେ ପ୍ରାକ୍ଟିକାଲ ଅନ୍ତର୍ଭୁକ୍ତ କରାଗଲା। ତା’ ପରବର୍ଷକୁ ତାହା ଉଠିଗଲା। ବିଗତ ଦିନରେ ନବମ, ଦଶମ ଓ ଏକାଦଶ ଶ୍ରେଣୀରେ ପଢ଼ାଯାଉଥିବା ପୂରା ପାଠକୁ ନେଇ ବୋର୍ଡ଼ ପରୀକ୍ଷା ହେଉଥିଲା। ତା’ପରେ ଏହା ନବମ ଓ ଦଶମ ଶ୍ରେଣୀକୁ ନେଇ ହେଲା। ଏବେ କେବଳ ଦଶମ ଶ୍ରେଣୀ ପାଠକୁ ନେଇ ବୋର୍ଡ଼ ପରୀକ୍ଷା ହେଉଛି। ଫଳରେ କିଛି ଲୋକ ମନ୍ତବ୍ୟ ଦିଅନ୍ତି ଏହାକୁ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନ କହି ବରଂ ଟେନ୍‌ଥ କ୍ଲାସ୍‌ ସାର୍ଟିଫିକେଟ୍‌ ପରୀକ୍ଷା କହିବା ଯଥାର୍ଥ ହେବ। ପୁନଶ୍ଚ ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରତି ଛଅ ମାସକୁ ନେଇ ଗୋଟିଏ ସେମିଷ୍ଟର ହେବ ବୋଲି କୁହାଗଲାଣି। ମୋଟାମୋଟି କହିବାକୁ ଗଲେ ହାକିମ ବଦଳି ଗଲେ ହୁକୁମ ବଦଳି ଯାଉଛି।
ଚଳିତବର୍ଷ ପରୀକ୍ଷା ପଦ୍ଧତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଅଣାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ବର୍ଷ ତମାମର ଏକ ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ଭାଗରେ ରଖାଯାଇଛି ଚାରୋଟି ପରୀକ୍ଷା, ଯାହାକୁ ଫରମେଟିଭ୍‌ ଆସେସ୍‌ମେଣ୍ଟ ୧, ୨, ୩ ଓ ୪ ନାମରେ ନାମିତ କରାଯାଇଛି। ପଢ଼ାଉଥିବା ଶିକ୍ଷକ ଏହି ୪ଟି ପରୀକ୍ଷା କରିବେ। ପ୍ରତି ପରୀକ୍ଷାରେ ପୂର୍ଣ୍ଣ ନମ୍ବର ହେଉଛି ୨୦। ଏହାକୁ ଭିତ୍ତିକରି ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କର ଆଭ୍ୟନ୍ତରୀଣ ଆକଳନ କରି ବୋର୍ଡକୁ ନମ୍ବର ପ୍ରେରଣ କରିବେ।
ଦ୍ୱିତୀୟ ଭାଗରେ ଦୁଇଟି ପରୀକ୍ଷା କଥା କୁହାଯାଇଛି- ପ୍ରଥମ ଟର୍ମ ସମାପ୍ତି ପରୀକ୍ଷା ଓ ଦ୍ୱିତୀୟ ଟର୍ମ ସମାପ୍ତି ପରୀକ୍ଷା। ପ୍ରଥମ ପରୀକ୍ଷା ଅର୍ଦ୍ଧେକ ପାଠ୍ୟକ୍ରମକୁ ନେଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ତିମ (ଫାଇନାଲ) ପରୀକ୍ଷାରେ ପ୍ରଥମ ଅର୍ଦ୍ଧେକରୁ ୩୦% ଓ ଅବଶିଷ୍ଟ ପାଠ୍ୟକ୍ରମରୁ ୭୦% ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ଏହି ଉଭୟ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଶ୍ନପତ୍ର ଯୋଗାଇଦେବେ। ନବମ ଶ୍ରେଣୀରେ ହେବାକୁ ଥିବା ଟର୍ମ-୧ ପରୀକ୍ଷାରେ ୨୦ ନମ୍ବର ବସ୍ତୁନିଷ୍ଠ ପ୍ରଶ୍ନ ଓ ୨୦ ନମ୍ବର ଦୀର୍ଘ ଉତ୍ତର ସମ୍ବଳିତ ପ୍ରଶ୍ନ ଆସିବ। ଅଥଚ ଦଶମ ଶ୍ରେଣୀରେ ହେବାକୁ ଥିବା ଟର୍ମ-୧ ପରୀକ୍ଷା ପାଇଁ ଓଏମ୍‌ଆର୍‌ ଉତ୍ତର ଖାତା ପ୍ରସ୍ତୁତ ହେବ, ଯାହାର ମୂଲ୍ୟାୟନ କମ୍ପ୍ୟୁଟର ସାହାଯ୍ୟରେ ହେବ। ଏହି ପରୀକ୍ଷାରେ ପ୍ରତି ବିଷୟର ପୂର୍ଣ୍ଣସଂଖ୍ୟା ରହିବ ୫୦। ଉଭୟ ନବମ ଓ ଦଶମ ଶ୍ରେଣୀରେ ଏଣିକି ଯେଉଁ ଫାଇନାଲ ପରୀକ୍ଷା ହେବ, ସେଥିରେ ୫୦ ନମ୍ବର ବସ୍ତୁନିଷ୍ଠ ପ୍ରଶ୍ନ ଓ ୩୦ ନମ୍ବର ବର୍ଣ୍ଣନାତ୍ମକ ପ୍ରଶ୍ନ ପଡ଼ିବ। ଦଶମ ଶ୍ରେଣୀର ମୂଲ୍ୟାୟନ ବୋର୍ଡ଼ ଦ୍ୱାରା କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ନବମ ଶ୍ରେଣୀର ସମସ୍ତ ଉତ୍ତର ଖାତା ନିଉଟ୍ରାଲ୍‌ ସ୍କୁଲ ଜରିଆରେ ମୂଲ୍ୟାୟନ କରାଯିବ।
ଏ ସମସ୍ତ ସଂସ୍କାର ଯେ କରୋନାକୁ ଲକ୍ଷ୍ୟ କରି କରାଯାଇଛି, ଏଥିରେ ସନ୍ଦେହ ନାହିଁ। ଏଥିରେ ସ୍ପଷ୍ଟ କରାଯାଇଛି, ଯଦି ମହାମାରୀ ଯୋଗୁ ପରୀକ୍ଷା ବାତିଲ ହୁଏ, ତେବେ ପିଲାମାନେ ଘରେ ରହି କେମିତି ପରୀକ୍ଷା ଦେବେ ତା’ର ବ୍ୟବସ୍ଥା ହେବ। ଏହା କେତେଦୂର ସମ୍ଭବ ଯଦି ସେମିତି ପରିସ୍ଥିତି ଉପୁଜେ ଜଣାପଡ଼ିବ। ଅବସ୍ଥା ଯଦି ସ୍ବାଭାବିକ ରହେ, ତେବେ ଦଶମ ଶ୍ରେଣୀରେ ବୋର୍ଡ଼ ପରୀକ୍ଷା ହେବ ନା ନାହିଁ, ଏ ସମ୍ପର୍କରେ ସ୍ପଷ୍ଟ ମତ ଦିଆଯାଇ ନାହିଁ। ଏହା ଛାତ୍ରୀଛାତ୍ର, ଶିକ୍ଷକ ତଥା ଅଭିଭାବକ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛି।
ଏବେ ଏହି ସଂସ୍କାର ସମ୍ପର୍କରେ କିଛି ଆଲୋଚନା କରିବା। ପ୍ରଥମ ଥର ଲାଗି ଆମ ବୋର୍ଡ଼ ଶିକ୍ଷକଙ୍କ ଉପରେ ଭରସା ଜୁଟାଇ ପାରିଥିବାରୁ ଏହା ଏକ ଶୁଭ ସଂକେତ ବହନ କରୁଛି। ଅପରପକ୍ଷେ ଶିକ୍ଷକମାନଙ୍କ ନିମନ୍ତେ ଏହା ଅଗ୍ନି ପରୀକ୍ଷାର ସମୟ। ଆଭ୍ୟନ୍ତରୀଣ ଆକଳନ ପ୍ରକ୍ରିୟା ଶିକ୍ଷକଙ୍କୁ ଯେତିକି ସମ୍ମାନ ଆଣିଦେବ, ତା’ଠାରୁ ଅଧିକ ଉପହସିତ କରିବ ଯଦି ଏହାର ଦୁରୁପଯୋଗ ହୁଏ। ଦ୍ୱିତୀୟରେ ଓଏମ୍‌ଆର୍‌ ଉତ୍ତର ଖାତା ଜରିଆରେ ହେବାକୁ ଥିବା ପରୀକ୍ଷା। ଏହି ପଦ୍ଧତି ସାଧାରଣତଃ ମେଧାବୃତ୍ତି ପ୍ରଦାନ ନିମିତ୍ତ ପରୀକ୍ଷା କିମ୍ବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନୁସୃତ ହୁଏ। ବୋର୍ଡ଼ ପରୀକ୍ଷାରେ ଏହି ପଦ୍ଧତି ଆପଣେଇବା କେତେ ଯୁକ୍ତିଯୁକ୍ତ ତାହା ବିଚାରସାପେକ୍ଷ। ତୃତୀୟରେ ପ୍ରଶ୍ନପତ୍ର ଯୋଗାଣ ସମ୍ପର୍କରେ, ନିଷ୍ପତ୍ତି ଅନୁସାରେ ନବମ ଓ ଦଶମ ଶ୍ରେଣୀରେ ହେବାକୁ ଥିବା ୪ଟି ଟର୍ମ ସମାପ୍ତି ପରୀକ୍ଷା ନିମନ୍ତେ ଆବଶ୍ୟକ ପ୍ରଶ୍ନପତ୍ର ବୋର୍ଡ଼ ତରଫରୁ ଯୋଗାଇ ଦିଆଯିବ। ଗୋଟିଏ ଦୃଷ୍ଟିରୁ ଏହା ସମତା ରକ୍ଷା କରିବ। କିନ୍ତୁ ଆଶଙ୍କା ସୃଷ୍ଟି କରୁଛି ଏହାର ଗୋପନୀୟତାକୁ ନେଇ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ହୁଏ, ତା’ର ପ୍ରଶ୍ନପତ୍ର ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପ୍ରସ୍ତୁତ ହୋଇ ସ୍କୁଲଗୁଡ଼ିକୁ ଯୋଗାଇ ଦିଆଯାଏ। ଅଭିଯୋଗ ଉଠେ, ସେହି ସମସ୍ତ ପ୍ରଶ୍ନପତ୍ର ପରୀକ୍ଷାର ବହୁ ପୂର୍ବରୁ ପିଲାଙ୍କ ହାତରେ ପଡ଼େ। ଫଳରେ ପରୀକ୍ଷାର ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ। ଏହାଛଡ଼ା ଗତବର୍ଷ ବୋର୍ଡ଼ ଦ୍ୱାରା ୪ଟି ପ୍ରାକ୍ଟିସ୍‌ ପରୀକ୍ଷା କେମିତି ହୋଇଥିଲା ସମସ୍ତେ ଅଙ୍ଗେ ନିଭାଇଛନ୍ତି। ପରୀକ୍ଷା ପୂର୍ବ ଦିନ ପ୍ରଶ୍ନ ସହିତ ଉତ୍ତର ମଧ୍ୟ ପିଲାମାନଙ୍କର ହସ୍ତଗତ ହେଲା। ସମସ୍ତେ ରଖିଲେ ଶତପ୍ରତିଶତ ନମ୍ବର, ଯାହାକୁ ଶିକ୍ଷକ ବୋର୍ଡ଼କୁ ପ୍ରଦାନ କରିବାକୁ ବାଧ୍ୟ ହେଲେ। ଏଥିରୁ କ’ଣ ଉପୁଜିଲା ତାହା ଲେଖି କଟା ଘା’ରେ ଚୂନ ଲଗାଇବା ଉଚିତ ହେବ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ ଯଦି ପ୍ରଶ୍ନପତ୍ର ପ୍ରସ୍ତୁତ, ପ୍ରେରଣ ଓ ପ୍ରଘଟ କ୍ଷେତ୍ରରେ ଜିରୋ ଟଲାରେନ୍ସ ନ ହୁଏ, ତେବେ ବିଗତ ଘଟଣା ପୁନରାବୃତ୍ତି ହେବ। ଏହା ହେଲେ ପରୀକ୍ଷାର ଗୁରୁତ୍ୱ ଲୋପ ପାଇବ। ଅଧ୍ୟୟନ ପ୍ରତି ଛାତ୍ରୀଛାତ୍ରଙ୍କ ମନରେ ଅନାଗ୍ରହ ଜାତ ହେବ। ମେଧାବୀ ଛାତ୍ରୀଛାତ୍ରଙ୍କ ଉପରେ ପ୍ରଭାବ ପଡ଼ିବ। ଶିକ୍ଷକମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ଚତୁର୍ଥ କଥାଟି ହେଲା, ନିଉଟ୍ରାଲ୍‌ ସ୍କୁଲ ଦ୍ୱାରା ମୂଲ୍ୟାୟନ ସମ୍ପର୍କରେ କିଛି ଗୋପନ କଥା। ଏମିତି ବ୍ୟବସ୍ଥା ସରକାର ପୂର୍ବରୁ ପ୍ରାଥମିକ ବିଦ୍ୟାଳୟରେ ଆପଣେଇଥିଲେ। ଫଳ କ’ଣ ହେଲା ସମସ୍ତେ ପ୍ରାୟ ଊଣାଅଧିକେ ଜାଣିଛନ୍ତି। ଗୋଟିଏ ପଟେ ନିର୍ଦ୍ଦେଶ ଅଛି କୌଣସି ପିଲାଙ୍କୁ ଫେଲ୍‌ କରାଯାଇ ପାରିବ ନାହିଁ। ଅନ୍ୟପଟେ ପରୀକ୍ଷା ଖାତା ମୂଲ୍ୟାୟନ କରିବେ ଅନ୍ୟ ବିଦ୍ୟାଳୟର ଶିକ୍ଷକ। ଫଳରେ ଗାନ୍ଧିଜୀଙ୍କୁ ଯେମିତି ତାଙ୍କ ଶିକ୍ଷକ ପାଖ ପିଲାଙ୍କ ଖାତାରୁ ଦେଖି ଲେଖିବାକୁ ଇସାରା ଦେଇଥିଲେ ତାହାହିଁ ହେଲା। ଆଗକୁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
କିଛି ଲୋକ ଆମର ପାଠପଢ଼ା, ପରୀକ୍ଷା ଓ ପରୀକ୍ଷାଫଳକୁ ନେଇ କଥା କଥାକେ ସିବିଏସ୍‌ଇ ଓ ଆଇସିଏସ୍‌ଇ ସହିତ ତୁଳନା କରିବସନ୍ତି। କିଛି ଦିନ ହେଲା ଆମ ସରକାର ଓ ବୋର୍ଡ଼ ସେମାନଙ୍କୁ ଅନୁକରଣ କରୁଥିବା ଅନୁମେୟ ହୁଏ। ଏମିତି ଏକ ତୁଳନା ପୂର୍ବରୁ ଆମ ପିଲା ଓ ତାଙ୍କର ମାତାପିତା, ଆମ ବିଦ୍ୟାଳୟ ଓ ଆମ ପାଠ୍ୟଖସଡ଼ା, ଆମ ବ୍ୟବସ୍ଥା କଥାକୁ ପ୍ରାଥମିକତା ଦେବା ଜରୁରୀ। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମା’ବାପା କେଉଁ ବସ୍ତିରେ ବାସ କରୁଥିବା ଦେଖାଯାଏ ନାହିଁ। ସେମାନେ ସମସ୍ତେ ସ୍ବଚ୍ଛଳ ପରିବାରରୁ ଆସିଥା’ନ୍ତି। ସମସ୍ତଙ୍କର ମା’ବାପା ପିଲାର ପାଠ ପ୍ରତି ଯତ୍ନବାନ୍‌। ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଭିତରୁ ସତୁରି ଭାଗ ପିଲା ସାମାଜିକ ଅଥବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର। ଯେଉଁମାନଙ୍କର ମା’ବାପା ରାତି ପାହିଲେ କାମଧନ୍ଦାରେ ବ୍ୟସ୍ତ ରୁହନ୍ତି। ସେମାନଙ୍କର ସମୟ ନ ଥାଏ ପିଲା କ’ଣ ପଢ଼ୁଛି, କେମିତି ପଢ଼ୁଛି ବୁଝିବାକୁ। ଏଭଳି ପରିସ୍ଥିତିରେ ଏହି ନୂତନ ପଦ୍ଧତି ଆମ ଛାତ୍ରୀଛାତ୍ରଙ୍କ ପାଇଁ କେତେ ଉପଯୋଗୀ ହେବ, ତାହା ଭବିଷ୍ୟତରେ ଜଣାପଡ଼ିବ।
ସମସ୍ତ ପରିବର୍ତ୍ତନକୁ ସଂସ୍କାର କହିବା ଭୁଲ ହେବ। କିନ୍ତୁ ପରିବର୍ତ୍ତନକୁ ସଂସ୍କାର ଆଖ୍ୟା ଦିଆଯାଇପାରେ, ଯେତେବେଳେ ତାହା ମଣିଷର ବୌଦ୍ଧିକ ଚେତନାକୁ ରୁଦ୍ଧିମନ୍ତ କରେ। ଏହା ସମ୍ଭବ ହୁଏ ଯେତେବେଳେ ଏଥିସହିତ ସମ୍ପୃକ୍ତ ଥିବା ସମସ୍ତ ମଣିଷ ଏହାକୁ ଆନ୍ତରିକତାର ସହ ଗ୍ରହଣ କରନ୍ତି ଏବଂ ସଫଳ ରୂପାୟନ ନିମନ୍ତେ ନିଷ୍ଠାପର ଉଦ୍ୟମ ଜାରି ରଖନ୍ତି। ଆଜି ପରୀକ୍ଷା ପଦ୍ଧତିରେ ଯେଉଁସବୁ ପରିବର୍ତ୍ତନ ଅଣାଯାଇଛି, ତାହା ଏକ ସଂସ୍କାରର ରୂପ ନେବ ଯଦି ସରକାର, ବୋର୍ଡ଼, ଶିକ୍ଷକ, ଅଭିଭାବକ ଓ ଛାତ୍ରୀଛାତ୍ର ସମସ୍ତେ ଏହାକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରନ୍ତି ଓ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି।
ପ୍ରାକ୍ତନ ଯୁଗ୍ମ ସାଧାରଣ ସଂପାଦକ, ଓଷ୍ଟା
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri