ପିଲାଙ୍କ ଉପରେ ପରୀକ୍ଷା ଚାପ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ଦୀର୍ଘ ଦୁଇବର୍ଷ କରୋନା ମହାମାରୀ ଭିତରେ ପିଲାମାନେ ଘରେ ରହି ଅନ୍‌ଲାଇନ ପାଠପଢ଼ାରେ ବ୍ୟସ୍ତ ରହିଲେ। ଦୁଇବର୍ଷ ପରେ ବିଦ୍ୟାଳୟକୁ ଯାଇ ସାଙ୍ଗସାଥୀମାନଙ୍କ ସହ ମିଶି ପରୀକ୍ଷା ଦେବାର ଏକ ନୂଆ ସୁଯୋଗ ପାଇଛନ୍ତି କହିଲେ ଚଳେ। ତେବେ ସର୍ବପ୍ରଥମେ ମା’ବାପାମାନେ ଥରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ପିଲା ଯଦି କହୁଛି, ମୋତେ ଭାରି ନର୍ଭସ୍‌ ଲାଗିଲାଣି ବା ଏଥର ପରୀକ୍ଷାରେ କଷ୍ଟ ପ୍ରଶ୍ନ ଆସିଲା ଭଳି ଲାଗୁଛି କିମ୍ବା ଆର ମାସ ଏତିକି ବେଳକୁ ମୁଁ ପରୀକ୍ଷା ହଲ୍‌ରେ ବସିଥିବି ବା ଏମିତି କିଛି, ତେବେ ଆପଣମାନେ ପିଲାର ପରିସ୍ଥିତିକୁ ଟିକିଏ ଗମ୍ଭୀରତାର ସହ ବିଚାର କରନ୍ତୁ। ପିଲାଟି ଉପରେ ପରୀକ୍ଷାର ଚାପ ମାଡ଼ି ବସିବା ଆରମ୍ଭ କଲାଣି ବୋଲି ଜାଣନ୍ତୁ। ପିଲା ଉପରେ ଯଦି ପରୀକ୍ଷାର ଚାପ ମାଡ଼ି ବସେ, ତେବେ ତା’ର ପରୀକ୍ଷା ଖରାପ ହେବାର ଆଶା ଅଧିକ। ଯଦିଓ ଏମିତି ବି ପିଲା ଅଛନ୍ତି, ଯେଉଁମାନେ କି ଚାପରେ ରହିଲେ ମଧ୍ୟ ପରୀକ୍ଷାରେ ଭଲ କରନ୍ତି।
ମନୋବୈଜ୍ଞାନିକମାନଙ୍କ ମତରେ ପରୀକ୍ଷାର ଚାପ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ହେଲା ଦୀର୍ଘକାଳୀନ ଚାପ। ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା ବେଳକୁ ପିଲାଟି ଏହି ଚାପ ଭୋଗେ। ଆଉ ଏକ ଚାପ ପରୀକ୍ଷା ଦିନରୁ ହିଁ ଆରମ୍ଭ ହୁଏ। ଅନେକ ଡାକ୍ତରୀ ପରୀକ୍ଷା ଏହା ପ୍ରମାଣ କରିସାରିଲାଣି ଯେ, ପରୀକ୍ଷାଜନିତ ଚାପ ଯୋଗୁ ପିଲାଟିର ଶରୀରରେ ସାଲିଭାରି ଏସ୍‌ ଇମ୍ୟୁନୋଗ୍ଲୋବିନ୍‌ଏ ବା ଏସ୍‌ଏଲ୍‌ଜିଏ ନାମକ ଏକ ‘ଆଣ୍ଟିବଡି’ କମିଯାଏ। ଏହି ଆଣ୍ଟିବଡି ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରେ। ସେଥିପାଇଁ ଅନେକ ସ୍ଥଳରେ ଦେଖାଯାଏ ଯେ, ପରୀକ୍ଷା ସମୟରେ ହିଁ ପିଲାମାନେ ରୋଗ ସଂକ୍ରମଣର ଅଧିକ ଶିକାର ହୋଇଥା’ନ୍ତି। ମନୋବିଜ୍ଞାନୀମାନେ କୁହନ୍ତି, ଛାତ୍ରୀ ବା ଛାତ୍ରମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟମ ଧରଣର ଚାପ ନିତାନ୍ତ ଆବଶ୍ୟକ। କିନ୍ତୁ ପିଲାମାନଙ୍କ ଉପରେ ମାତ୍ରାଧିକ ଚାପ ଦିଆଯିବା ଉଚିତ ନୁହେଁ। ଅନେକ ମା’ବାପା ଯେଉଁ ଲକ୍ଷ୍ୟ ନିଜେ ସାଧନ କରିବାରେ ବିଫଳ ହୋଇଥା’ନ୍ତି, ସେମାନେ ନିଜ ପିଲାମାନଙ୍କ ଦ୍ୱାରା ତାହା ହାସଲ କରିବାକୁ ଚେଷ୍ଟା କରନ୍ତି। ଏଭଳି ମା’ବାପା ପିଲାମାନଙ୍କ ଉପରେ ଅଧିକ ଚାପ ପ୍ରୟୋଗ କରନ୍ତି। ପିଲାଟି କେଉଁ କ୍ଷେତ୍ରରେ ପାରଦର୍ଶିତା ଦେଖାଇବାର ସମ୍ଭାବନା ରଖିଛି, ସେ ଦିଗରେ ଧ୍ୟାନ ନ ଦେଇ ସେମାନେ ନିଜ ଦ୍ୱାରା ନିର୍ବାଚିତ କ୍ଷେତ୍ରରେ ପିଲାଟି ଭଲ କରୁ ବୋଲି ଚାହାନ୍ତି। ତାହା ହିଁ ପିଲାଟି ପାଇଁ କାଳ ହୋଇପଡ଼େ।
ପିଲା ଦିନରୁ ଜାଣିହେବ ପିଲାଟି କେଉଁ ବିଷୟରେ ଭଲ କରିବ। ତୃତୀୟ ଶ୍ରେଣୀରେ ପଢ଼ିଲା ବେଳକୁ ସେମାନେ ବିଭିନ୍ନ ବିଷୟ ପ୍ରତି ଆଗ୍ରହ ବା ଅନାଗ୍ରହ ଦେଖାଇଥା’ନ୍ତି। ଜଣେ ସମ୍ବେଦନଶୀଳ ମା’ବାପା ଏ ସମ୍ପର୍କରେ ଧାରଣା କରିପାରେ। ପିଲାଟି ପଞ୍ଚମ ଶ୍ରେଣୀ ପଢ଼ିଲା ବେଳକୁ ମା’ବାପାମାନେ ପିଲାଟି କେଉଁ ବିଷୟରେ ଭଲ କରିବ ବା କେଉଁ କ୍ଷେତ୍ରରେ ପିଲାଟିର ପ୍ରତିଭା ରହିଛି, ତାହା ଜାଣିପାରିବେ।
ପିଲା ପରୀକ୍ଷା ଚାପରେ ନ ଆସିବା ପାଇଁ ମା’ବାପାମାନଙ୍କର ଦାୟିତ୍ୱ ଅନେକ। ଅନେକ ମା’ବାପା ପିଲାଟି ଦିନରୁ ଏ ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇ ଥାଆନ୍ତି। ସେମାନଙ୍କ ପିଲାମାନେ ପରୀକ୍ଷା ବେଳେ ହଇରାଣରେ ପଡ଼ନ୍ତି ନାହିଁ। ସାନବେଳୁ ପିଲାମାନେ ଯେମିତି ସେମାନଙ୍କ ଭିତରେ ଏକ ଭଲ ସଉକ ବା ‘ହବି’ ବିକାଶ କରନ୍ତି ତାହା ଦେଖିବା କଥା। ଗପ ବହି ପଢ଼ିବାକୁ ଉତ୍ସାହିତ କରିବା, ଖବରକାଗଜ ପଢ଼ିବାର ଅଭ୍ୟାସ କରାଇବା, କୌଣସି ଏକ ଭଲ ବାଦ୍ୟଯନ୍ତ୍ର ବଜାଇବାର ତାଲିମ ଦେବା ଏଭଳି ସଉକର ଅନ୍ତର୍ଭୁକ୍ତ। ଯେତେବେଳେ ପାଠରୁ ଫୁରୁସତ ମିଳିବ, ସେତିକିବେଳେ ପିଲାଟିଏ ଯଦି ସେ ଭଲ ପାଉଥିବା ଏଭଳି କୌଣସି ଏକ କାମରେ ଲାଗିବ, ତେବେ ତା’ର ମନକୁ ହାଲୁକା ହେବ ଏବଂ ପରବର୍ତ୍ତୀ ସମୟରେ ଆଉ ଥରେ ପଢ଼ାପଢ଼ି ଆରମ୍ଭ କଲାବେଳକୁ ସେ ସତେଜ ହୋଇପାରିଥିବ। ପିଲାଟି ଦିନରୁ ପ୍ରତିଦିନ ତିନିରୁ ଚାରି ଘଣ୍ଟା ପଢ଼ାର ଅଭ୍ୟାସ କରାଇବା ଭଲ। ଜଣେ ଯଦି ବର୍ଷ ଆରମ୍ଭରୁ ତିନିରୁ ଚାରି ଘଣ୍ଟା ପଢ଼େ, ତେବେ ତାକୁ ପରୀକ୍ଷା ବେଳକୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କ୍ଳାନ୍ତି ମେଣ୍ଟାଇବା ପାଇଁ ପିଲା ଭଲ ଭାବେ ଶୋଇବା ଉଚିତ। ପିଲାଟି ଭଲ ଗୀତ ଶୁଣି ବି ମନକୁ ପ୍ରଫୁଲ୍ଲ କରିପାରେ। କିନ୍ତୁ ଟିଭି ଦେଖି ମନକୁ ଖୁସି କରିବାର ଅଭ୍ୟାସ ଯେମିତି ପିଲାର ନ ହୁଏ, ସେ ଦିଗରେ ମା’ବାପାମାନେ ଧ୍ୟାନ ଦେବା ଉଚିତ।
ପିଲାକୁ ମାନସିକ ସାହସ ବା ପ୍ରତ୍ୟୟ ଦେବା ପ୍ରତି ମା’ବାପାଙ୍କ ଦାୟିତ୍ୱ। ଏଇ ପରୀକ୍ଷାଟି ଗୁରୁତ୍ୱପୂର୍ଣ୍ଣ, ମାତ୍ର ଖରାପ ହୋଇଗଲେ ସବୁ ବାଟ ବନ୍ଦ ହୋଇଯିବ ନାହିଁ ବୋଲି ପିଲାକୁ ମା’ବାପାମାନେ ବୁଝାଇବା ଦରକାର। ଏହା ମଧ୍ୟ ସତ ଯେ, କୌଣସି ପରୀକ୍ଷା ଯେତେ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଏହା ଏକମାତ୍ର କଥା ନୁହେଁ। ସବୁ ପରିସ୍ଥିତିର କିଛି ନା କିଛି ବିକଳ୍ପ ଅଛି।
ଚାପଗ୍ରସ୍ତ ପିଲାମାନଙ୍କ ଉପରେ ଏହାର ପ୍ରଭାବ ନକାରାତ୍ମକ ହୋଇଥାଏ। ଏହା ସେମାନଙ୍କ ଆତ୍ମପ୍ରତ୍ୟୟକୁ ଆକ୍ରାନ୍ତ କରେ। ବଡ଼ ହେଲା ପରେ ବି ଏହା ସେମାନଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। ଜଣାପଡ଼ିଛି ଯେ, ଅତ୍ୟଧିକ ଚାପଗ୍ରସ୍ତ ପିଲାମାନଙ୍କ ଭିତରୁ ପଚାଶ ପ୍ରତିଶତ କୌଣସି ନା କୌଣସି ସମୟରେ ଆତ୍ମହତ୍ୟା କରିବା ସମ୍ପର୍କରେ ଗମ୍ଭୀରତାର ସହ ବିଚାର କରନ୍ତି। ସାଧାରଣତଃ ଏଭଳି ଆତ୍ମହତ୍ୟା କରୁଥିବା ପିଲାମାନଙ୍କ ଭିତରେ ପୁଅମାନଙ୍କ ସଂଖ୍ୟା ଝିଅମାନଙ୍କଠାରୁ ଅଧିକ। ଏହା ପଛରେ ଥିବା କାରଣଟି ହେଉଛି ପୁଅମାନଙ୍କ ଉପରେ କିଛି କରି ଦେଖାଇବାର ଚାପ ଅଧିକ ଥାଏ।
ଆଜିକାଲି ସହରୀ ମା’ବାପାମାନଙ୍କ ଭିତରୁ ଅଧିକାଂଶ ଉଚ୍ଚଶିକ୍ଷିତ। ମାତ୍ର, ସେମାନଙ୍କ ଭିତରୁ ବେଶି ଭାଗ ପିଲାର ସାମଗ୍ରିକ ବିକାଶକୁ ନେଇ ଚିନ୍ତିତ ନୁହନ୍ତି ବା ସଚେତନ ନୁହନ୍ତି। ଅଧିକାଂଶ ମନୋବୈଜ୍ଞାନିକଙ୍କ ମତାନୁସାରେ ଏହା ହିଁ ହେଉଛି ପିଲାମାନଙ୍କ ଉପରେ ଚାପର ପ୍ରଧାନ କାରଣ। ସେମାନେ କୁହନ୍ତି, ପିଲାର ପ୍ରତିଭାକୁ ଏବେ ଗ୍ରେଡ୍‌ ଅନୁସାରେ ମପାଯାଉଛି। ପିଲାର ଜୀବନ ଏବେ ହୋଇପଡ଼ୁଛି ଗ୍ରେଡ୍‌ସର୍ବସ୍ବ। କିନ୍ତୁ, କୌଣସି ବିଦ୍ୟାଳୟର ଶିକ୍ଷକ ବା ପିଲାମାନଙ୍କ ମା’ବାପାମାନେ ପିଲାର ସୃଜନଶୀଳ ପ୍ରତିଭାର ବିକାଶ ଦିଗରେ ନଜର ଦିଅନ୍ତି ନାହିଁ। ଏହା ହିଁ ହେଉଛି ପିଲା ଉପରେ ବଢ଼ୁଥିବା ଚାପର ପ୍ରଥମ କାରଣ। ପୂର୍ବେ ପିଲାଟି କେବଳ ପରୀକ୍ଷାରେ ଭଲକରୁ ବୋଲି ମା’ବାପା ଏବଂ ଗୁରୁଜନମାନେ ଆଶା କରୁଥିଲେ, ମାତ୍ର ଏବେ ଯେଉଁ ପିଲାଟି ଭଲ ଖେଳୁଛି, ତା’ ଉପରେ ବି ଏତେ ଚାପ ପଡ଼ୁଚି, ସେ ତା’ର ମୁକାବିଲା କରିବାକୁ ଅସମର୍ଥ ହେଉଛି।
ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ଖାଦ୍ୟ ତାଲିକା ଚିକିତ୍ସା ବିଜ୍ଞାନରେ ସେପରି କିଛି ସ୍ବତନ୍ତ୍ର ତାଲିକାରେ ନାହିଁ। କିନ୍ତୁ ଏହି ସମୟରେ ଫାଷ୍ଟଫୁଡ୍‌, ଅତ୍ୟଧିକ ଗରିଷ୍ଠ ଖାଦ୍ୟ ଦିଅନ୍ତୁ ନାହିଁ। ଅଳ୍ପ ଅଳ୍ପ ଭାବରେ ବରଂ ଦିନକୁ ଚାରି ପାଞ୍ଚଥର ଖାଦ୍ୟ ଦେଲେ ଭଲ। ରାତିରେ ବିଶ୍ରାମ ବେଳେ ପିଲାକୁ କ୍ଷୀର ପିଇବା ପାଇଁ ଦିଅନ୍ତୁ। ବର୍ତ୍ତମାନ ସହଜେ ଗ୍ରୀଷ୍ମର ଉତ୍ତାପ ବଢ଼ୁଥିବାରୁ ପିଲାମାନଙ୍କୁ ଫଳଜୁସ୍‌, ପଇଡ଼ପାଣି ଦେବା ଭଲ। ଥଣ୍ଡାପାନୀୟ ବା ଥଣ୍ଡାଖାଦ୍ୟ ଦିଅନ୍ତୁ ନାହିଁ। ମିଠା, ଆଇସ୍‌କ୍ରିମ ନଦେଲେ ଭଲ। ସୁଷମ ଖାଦ୍ୟ ଦିଅନ୍ତୁ, ତଟକା ପନିପରିବାରେ ଖାଦ୍ୟ ତିଆରି କରନ୍ତୁ। ପିଲାଟିର ଯେପରି ଖାଦ୍ୟଜନିତ କୋଷ୍ଠକାଠିନ୍ୟ ନ ହୁଏ ସେ ଦିଗକୁ ଭୁଲନ୍ତୁ ନାହିଁ। ପିଲାକୁ କୌଣସି ଖାଦ୍ୟ ପାଇଁ ଜବରଦସ୍ତ କରନ୍ତୁ ନାହିଁ ବା ବାଧ୍ୟ କରନ୍ତୁନାହିଁ। ବାସିଖାଦ୍ୟ, ତେଲଭାଜି ନଦେଲେ ଭଲ। ଆମିଷ ଦିଅନ୍ତୁ, କିନ୍ତୁ ପରିମାଣ କମ୍‌ ରଖନ୍ତୁ। ଆମିଷରେ ଛୋଟମାଛ ବା ଦେଶୀ ଅଣ୍ଡା ଭଲ। ପିଲାଟିର କୌଣସି ଦୀର୍ଘକାଳୀନ ଅସୁସ୍ଥତା ଥିଲେ ତୁରନ୍ତ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏହି ସମୟରେ ପିଲାର ମନସ୍ତାତ୍ତ୍ୱିକ ଦିଗକୁ ଆପଣ ଜଣେ ଅଭିଭାବକ ନୁହେଁ ବରଂ ଜଣେ ବନ୍ଧୁ ଭାବରେ ତା’ ସହିତ ସମୟ ଦେଲେ, ଭାବର ଆଦାନପ୍ରଦାନ କଲେ, ଏହା ପିଲା ଉପରେ ଭଲ ପ୍ରଭାବ ପକାଇବ। ଉପରୋକ୍ତ କଥାଗୁଡ଼ିକ ମାନି ଚଳନ୍ତୁ, ଦେଖିବେ ଆପଣଙ୍କ ପିଲା ପରୀକ୍ଷାରେ ନିଶ୍ଚିତ ଭାବରେ ଭଲ ଫଳ ପାଇବ।
ସହଯୋଗୀ ପ୍ରଫେସର
ଶିଶୁ ରୋଗ ବିଭାଗ, ଶିଶୁଭବନ, କଟକ
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri