ଶିକ୍ଷାରେ ସମତୁଲତା

ନୂଆ ଶିକ୍ଷା ବଷରେ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାଗୁଡିକରେ ନାମଲେଖା ଋତୁରେ ବିଦ୍ୟାଳୟରେ ଟିକେ ଭିଡ଼ ହୁଏ । ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ଲାଗି ଅଧିକାଂଶ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଅଭିଭାବକଙ୍କ ଆଗ୍ରହ ଅଧିକ। ଆବାସିକ ବିଦ୍ୟାଳୟରେ ନାମଲେଖା ହୋଇଗଲେ ପିଲାଙ୍କ ପଢିବାର ଚିନ୍ତା ନାହିଁ। ବର୍ଷ ବର୍ଷ ଧରି ରହି ସୁବିଧାରେ ପଢିପାରିବେ। ହାଇସ୍କୁଲଗୁଡିକରେ ହଷ୍ଟେଲରେ ରହି ପଢିବାର ଆସନ ଖଣ୍ଡେ ମିଳିଗଲେ ଅଭିଭାବକଙ୍କ ଖୁସି କାହିଁରେ କ’ଣ ? ଦୀର୍ଘ ଦଶ ବର୍ଷ ଧରି ପିଲାଙ୍କ ପାଠପଢା ଧନ୍ଦାରୁ ଅଭିଭାବକ ବୋଝ ମୁକ୍ତ ହୋଇଗଲା ପରି ଅନୁଭବ କରନ୍ତି । ସେଥିପାଇଁ ପିଲାଙ୍କୁ ଭର୍ତ୍ତି କରିବା ଲାଗି ଏ ସ୍କୁଲରୁ ସେ ସ୍କୁଲକୁ ବୁଲି ବୁଲି ଅନେକ ଅଭିଭାବକ ପିଲାଙ୍କ ଲାଗି ଖଣ୍ଡେ ସିଟ୍‌ ମଧ୍ୟ ଯୋଗାଡ଼ କରିପାରନ୍ତିନି। ନିରାଶ ମନରେ ବିଦ୍ୟାଳୟରୁ ଅନେକ ଅଭିଭାବକ ଫେରିବା ଦେଖିବାକୁ ମିଳେ। ସମସ୍ତ ପ୍ରକାର ଉଦ୍ୟମ ପରେ ବି ବହୁ ପିଲାଙ୍କ ଭାଗ୍ୟରେ ଆବାସିକ ବିଦ୍ୟାଳୟରେ ପଢିବାର ସୁଯୋଗ ଜୁଟିପାରେନା। ବିଶେଷକରି ଅନୁସୂଚିତ ଜାତି ବର୍ଗର ପିଲାମାନେ କଡ଼ା ଆହ୍ବାନର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳେ। ସେହିପରି ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ପିଲାମାନଙ୍କୁ ନବମରେ ଆବାସିକ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇବାକୁ ସଂଘର୍ଷ କରିବାକୁ ପଡ଼େ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସଂଖ୍ୟାଧିକ ପିଲା ଅଷ୍ଟମରେ ଉତ୍ତୀର୍ଣ୍ଣ ହୁଅନ୍ତି। ସେହି ସଂଖ୍ୟକ ପିଲାଙ୍କ ପାଇଁ ନବମ ଶ୍ରେଣୀରେ ଆବାସିକ ବିଦ୍ୟାଳୟରେ ହଷ୍ଟେଲରେ ନାମ ଲେଖାଇବା ଲାଗି ସେତିକି ସୁଯୋଗ ନ ଥାଏ। ଅଧିକାଂଶ କ୍ଷେତ୍ରରେ ପିଲାମାନେ ନିଜ ଗାଁ ପାଖ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହୁଅନ୍ତି। ଆଉ କିଛି ପାଠ ପଢ଼ାରେ ଡୋରି ବାନ୍ଧି ଦାଦନ ଖଟିବାକୁ ଚାଲି ଯାଆନ୍ତି।
ଏହିକ୍ରମରେ ନାମଲେଖା ଋତୁରେ ଜଣେ ଅଭିଭାବକ ସିନ୍ଦ୍ରୁ ତାଙ୍କ ପୁଅକୁ ନେଇ ବିଦ୍ୟାଳୟକୁ ଆସିଥାନ୍ତି। ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ତାଙ୍କ ଉଦ୍ଦେଶ୍ୟ। ନାମଲେଖା ଦାୟିତ୍ୱାଧୀନ ଶିକ୍ଷକ ସମସ୍ତ କାଗଜପତ୍ର ଯାଞ୍ଚ କଲା ପରେ ପଚାରିଲେ -‘ଦିବ୍ୟାଧ୍ୟାୟୀ ଭାବେ ନାମ ଲେଖାଇବାକୁ ଇଚ୍ଛୁକ ଯଦି ନାମ ଲେଖାଇଦେବି ! ଅଭିଭାବକ କହିଲେ -”ଆଜ୍ଞା ! ହାତ ଯୋଡୁଛି, ମୋର ପୁଅକୁ ହଷ୍ଟେଲରେ ଖଣ୍ଡେ ସିଟ୍‌ କରିଦେ। ଇଠି ରହିକି ପଢ଼ିବ। ତୋର ଧର୍ମ ହେବ।“ ଶିକ୍ଷକ କହିଲେ – ”ତୁମେ ଅନୁସୂଚିତ ଜନଜାତି କିମ୍ବା ଅନୁସୂଚିତ ଜାତି ବର୍ଗର ହୋଇଥିଲେ ହଷ୍ଟେଲରେ ସିଟ୍‌ ହୋଇଯାଆନ୍ତା। ତୁମେ ଅନ୍ୟ ଜାତିର। ହଷ୍ଟେଲରେ ସିଟ୍‌ ହୋଇ ପାରିବନି।“ ତା’ପରେ ଅଭିଭାବକ ଜଣକ ଯାହା ସବୁ କହିଲେ ହୃଦୟ ମନ୍ଥି ହୋଇଗଲା। ଅଭାବୀ ପରିବାର। ଖାଇବାକୁ ନିତିଦିନ ସଂଘର୍ଷ କରୁଛନ୍ତି ସେ। ବିଦ୍ୟାଳୟରେ ବହି ପୋଷାକ ସବୁ ଦେଉଛନ୍ତି ସତ। କିନ୍ତୁ ପେଟକୁ ମୁଠେ ଦାନା ଶାନ୍ତିରେ ନେଇ ପଢ଼ିବାକୁ ଘରେ ପରିବେଶ ନାହିଁ। ବହୁ କୁଟୁମ୍ବୀ ପରିବାରକୁ ବଞ୍ଚେଇବା ମା’ବାପାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ପିଲା ପାଇଁ ଖାତା କଲମ ଆଦି କିଣି ଯୋଗାଇବା ବି ସକ୍ଷମ ନୁହେଁ ସେ ଯେମିତି। ବିଦ୍ୟାଳୟର ଶିକ୍ଷକମାନେ ପରାମର୍ଶ ଦେଲେ ପିଲାର ଯାବତୀୟ ପଢାପଢି ବାବଦକୁ ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରିବୁ ପଛେ ପିଲାକୁ ପଢାଅ। କିନ୍ତୁ ହଷ୍ଟେଲରେ ଆବାସିକ ଛାତ୍ର ଭାବେ ନାମ ଲେଖାଇବା ସମ୍ଭବ ନୁହେଁ। ବାପା ଓ ପୁଅ ଦୁହେଁ ଦୁଃଖରେ ଫେରିଗଲେ। ସେ ଅବଶ୍ୟ ଗାଁ ପାଖ ବିଦ୍ୟାଳୟରେ ନାମ ଲେଖେଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଭୋକିଲା ପିଲାଟିର ଶିକ୍ଷା ପ୍ରତି ଆନ୍ତରିକତା କେତେ ରହିବ ସେଥିନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।
ଆଦିବାସୀ ଅଧ୍ୟୁଷିତ ଜିଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ରହିବା ଖାଇବା ବ୍ୟବସ୍ଥା ସରକାର କରୁଥିବାରୁ ବହୁ ପିଲା ବିନା ଚିନ୍ତା ଓ ବିନା ଦ୍ୱନ୍ଦ୍ୱରେ ପାଠ ପଢୁଛନ୍ତି। ପ୍ରଚଳିତ ନିୟମ ଅନୁସାରେ ଗୋଟିଏ ଅନୁଷ୍ଠାନର ସମୁଦାୟ ଆସନ ମଧ୍ୟରୁ ଅନୁସୂଚିତ ଜନାଜାତିଙ୍କ ପାଇଁ ୯୦ ପ୍ରତିଶତ ଏବଂ ଅନୁସୂଚିତ ଜାତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହି ଅନୁପାତରେ କେବଳ ଏହି ଦୁଇ ବର୍ଗର ଶିକ୍ଷାର୍ଥୀମାନେ ଓଡ଼ିଶାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ରହି ପଢି ପାରିବେ। ଅନ୍ୟ ବର୍ଗର ପିଲାଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପଢିବାର ସୁଯୋଗ ନାହିଁ। ଅବଶ୍ୟ କିଛି ବର୍ଷ ହେଲା କେତେକ ସ୍ଥାନରେ ପଛୁଆ ବର୍ଗ ପାଇଁ ସ୍ବତନ୍ତ୍ର ହଷ୍ଟେଲ ସ୍ଥାପନ କରାଯାଇଛି। ତେବେ ଓଡ଼ିଶାରେ ଉଚ୍ଚ ଶିକ୍ଷା ପାଇଁ ଅନୁସୂଚିତ ଜନଜାତି ବର୍ଗ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତଜାତି ବର୍ଗ ପାଇଁ ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ୫ ପ୍ରତିଶତ ଏବଂ ପୂର୍ବତନ ସେନା ପରିବାର ପାଇଁ ୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି ।
ନିକଟରେ ଓଡ଼ିଶା ସରକାର ଆଉ ଦୁଇ ପାଦ ଆଗେଇ ଯାଇ ସାମାଜିକ ଓ ଆର୍ଥିକ ଶ୍ରେଣୀର ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁକରି ନୂଆ ଫର୍ଦ୍ଦ ଯୋଡିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ତେବେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ସଂରକ୍ଷଣ କାହିଁକି ନୁହେଁ ? ଏହାର ନିର୍ଭୁଲ ଉତ୍ତର ଏହା ହୋଇପାରେ ଯେ ସାର୍ବଜନୀନ ଶିକ୍ଷା ପ୍ରଦାନ ପାଇଁ ଉଭୟ କେନ୍ଦ୍ର ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ସେଠାରେ ସଂରକ୍ଷଣ ପ୍ରସଙ୍ଗ ଅନାବଶ୍ୟକ। କିନ୍ତୁ ଏ କ୍ଷେତ୍ରରେ ଶିକ୍ଷାର ପରିଭାଷା କ’ଣ ହୋଇପାରେ।
ଅନେକ ପିଲା ଦାରିଦ୍ର୍ୟ ଯୋଗୁ ପାଠ ପଢୁ ନାହାନ୍ତି। ଅଧାରୁ ପାଠ ଛାଡିବା ପଛରେ ଏହା ବଡ଼ କାରଣ ବୋଲି ବିଭିନ୍ନ ସମୟରେ ହୋଇଥିବା ସର୍ଭେରୁ ସ୍ପଷ୍ଟ ହୋଇଛି। ଦାରିଦ୍ର୍ୟ ଗ୍ରାମାଞ୍ଚଳରେ ଶିକ୍ଷା ପାଇଁ ଅନ୍ୟତମ ପ୍ରତିବନ୍ଧକ ହୋଇ ରହିଆସିଛି। ଦାରିଦ୍ର୍ୟ ଜାତି ଦେଖେନି। ଜଗତୀକରଣ ପରେ ଅନେକ କୌଳିକ ବୃତ୍ତି ସଙ୍କଟରେ। ଅନେକ ପରିବାର ନିଜ ବୃତ୍ତି ଛାଡି ବଞ୍ଚିବା ଲାଗି ଅନ୍ୟ ବୃତ୍ତି ବାଛୁଛନ୍ତି। ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଏମିତି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରୋଜଗାର ଆଉ ଏକ ସମସ୍ୟା। ମଜୁରି କରି ବଞ୍ଚୁଥିବା ଲୋକଟି ପାଇଁ ପରିବାରକୁ ବଞ୍ଚେଇବା ବଡ଼ ପ୍ରାଥମିକତା। ତାରି ଭିତରେ ନିଜ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଅପେକ୍ଷା ନିଜର ବୃତ୍ତି ଅଥବା ଅନ୍ୟ କୌଣସି କାମରେ ନିୟୋଜନ କରି ପାରିବାରିକ ରୋଜଗାର ବଢ଼ାଇବାକୁ ଅଧିକ ପସନ୍ଦ କରନ୍ତି। ହିସାବକିତାବ ଓ ପଢ଼ାଲେଖା ପାଇଁ ସମର୍ଥ ହୋଇଗଲେ ପାଠ ପଢାରୁ ନିବୃତ୍ତ ରଖି କୌଣସି କାମରେ ନିୟୋଜନ ପାଇଁ ବ୍ୟଗ୍ର ହୋଇପଡ଼ନ୍ତି ଅନେକ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର। ସେଭଳି କ୍ଷେତ୍ରରେ ପିଲାଟିର ଆଗ୍ରହ ଥିଲେ ବି ପରିସ୍ଥିତିବଶତଃ ଅଧାରୁ ପାଠ ଛାଡିବା ଥୟ। ଏଭଳି ପରିବାର ପାଇଁ ପ୍ରାଥମିକ ଶିକ୍ଷା ସରିଲେ ଢେର ହୋଇଗଲା ବୋଲି ଧରି ବସନ୍ତି।
ଏବେ ରାଜ୍ୟର ୧୬୬୩ଟି ଆବାସିକ ବିଦ୍ୟାଳୟରେ ପରିଚାଳିତ ବିଭିନ୍ନ କିସମର ହଷ୍ଟେଲରେ ପ୍ରାୟ ୬ ଲକ୍ଷ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ଖୁବ୍‌ କମ୍‌ ସଂଖ୍ୟକ ପଛୁଆ ବର୍ଗର ପିଲା ହଷ୍ଟେଲରେ ରହି ପଢୁଛନ୍ତି। ଏସବୁ ହଷ୍ଟେଲରେ ସାମାଜିକ ଓ ପଛୁଆ ବର୍ଗର ପିଲା ରହି ପଢିବାର ସୁଯୋଗ ଦେବାର ଆବଶ୍ୟକତା ରହିଛି। ଗରିବ ଶ୍ରେଣୀର ପିଲାମାନଙ୍କୁ ଆବାସିକ ହଷ୍ଟେଲରେ ରଖିବା ଦିଗରେ ପଦକ୍ଷେପ ନେବାର ସମୟ ଆସିଛି। ଏହା ସରକାରଙ୍କ ପାଇଁ ବଡ଼ ପଦକ୍ଷେପ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ରେ ବିଭିନ୍ନ ବର୍ଗର ପିଲାଙ୍କ ସହ ଆର୍ଥିକ ଦିଗରେ ପଛୁଆ(ବିପିଏଲ୍‌) ବର୍ଗର ପିଲାରହି ପଢିବାର ସୁଯୋଗ ଦେଇଛନ୍ତି ସରକାର। ଏହାଦ୍ୱାରା ବହୁ ଗ୍ରାମୀଣ ଗରିବ ପରିବାରର ବାଳିକା ଉପକୃତ ହେଉଛନ୍ତି। ସେହିକ୍ରମରେ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଗରିବ ପିଲାଙ୍କ ପାଇଁ ବ୍ୟବସ୍ଥା କରାଗଲେ ବହୁଳ ଭାବରେ ଗ୍ରାମାଞ୍ଚଳର ଗରିବ ପରିବାର ଉପକୃତ ହେବେ। ଡ୍ରପ୍‌ ଆଉଟ୍‌ ସଂଖ୍ୟା ଆଶାତୀତ ଭାବେ କମିଯିବ। ଶିକ୍ଷାରେ ପ୍ରକୃତ ସମତୁଲତା ଆସିପାରିବ।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?