ଧର୍ମ ମାଧ୍ୟମରେ ପରିବେଶ ସୁରକ୍ଷା

ଈପ୍ସିତା ମହାନ୍ତି

 

ଧର୍ମ ଏବଂ ପରିବେଶର ସମ୍ପର୍କ ଅତି ନିବିଡ଼। ଦୁନିଆର ସବୁ ଧର୍ମ ପ୍ରକୃତି ସୁରକ୍ଷାର ଶିକ୍ଷା ଦିଅନ୍ତି। ବାଇବେଲରେ ପରିବେଶ ସଂରକ୍ଷଣ କଥା କୁହାଯାଇଛି। ପରିବେଶ ବଞ୍ଚାଅ ବୋଲି ଇସ୍‌ଲାମ ଧର୍ମ ଶିକ୍ଷା ଦିଏ। ଏଥିରେ ଅତ୍ୟଧିକ ଉପଭୋଗକୁ କେବଳ ବାରଣ କରାଯାଇନାହିଁ ବରଂ ବିଭିନ୍ନ ପ୍ରାକୃତିକ ଜିନିଷର ଅପଚୟକୁ ବଡ଼ ପାପ ଭାବେ ବିବେଚନା କରାଯାଇଛି। ହିନ୍ଦୁଧର୍ମ ପ୍ରକୃତି ଉପାସନାକୁ ଗୁରୁତ୍ୱ ଦିଏ। ଏହା ବ୍ୟତୀତ ହିନ୍ଦୁ, ବୌଦ୍ଧ, ଜୈନ, ଶିଖ୍‌ ଆଦି ଧର୍ମ ପ୍ରକୃତି ସହ ସମସ୍ତ ଜୀବଜନ୍ତୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛି। ‘ଜୀବେ ଦୟା’ ଏସବୁ ଧର୍ମର ମୂଳମନ୍ତ୍ର।
ବେଦ, ଉପନିଷଦ, ଭାଗବତ, ଗୀତାରେ ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ରହିଛି। ଭାରତୀୟ ଧର୍ମର ଧର୍ମଗୁରୁ ତଥା ପଣ୍ଡିତମାନେ ଶହ ଶହ ବର୍ଷ ଧରି ଜଳ, ଜଙ୍ଗଲ ଏବଂ ଭୂସମ୍ପଦର ସଂରକ୍ଷଣ ତଥା ପରିଚାଳନାକୁ ପ୍ରୋତ୍ସାହିତ କରି ଆସିଛନ୍ତି। ପ୍ରଶ୍ନ ହେଉଛି ନିଜ ସାଂସ୍କୃତିକ ଏବଂ ଧାର୍ମିକ ଐତିହ୍ୟକୁ ଆମେ କ’ଣ ସତରେ ଅନୁସରଣ କରନ୍ତି ? ବିଶ୍ବତାପନ ଏବଂ ବିଭିନ୍ନ ପ୍ରଜାତି ବିଲୁପ୍ତ ଘଟିବା ଭଳି ସଙ୍କଟ ଉପରେ ଧାର୍ମିକ ନେତା, ସଙ୍ଗଠକ ଓ ସଙ୍ଗଠନଗୁଡ଼ିକ କିଭଳି ପ୍ରତିକ୍ରିୟା ପ୍ରକାଶ କରନ୍ତି ? ପରିବେଶ ସମସ୍ୟାଜନିତ ବିଷୟରେ ନିଜ ଅନୁଗାମୀମାନଙ୍କ ଆଗରେ ସେମାନେ କି ବାର୍ତ୍ତା ରଖୁଛନ୍ତି ? ଏଗୁଡ଼ିକ ହେଉଛି ସେହି ପ୍ରଶ୍ନ ଯାହା ଗତ ଦିନରେ ଗଙ୍ଗା କୂଳରେ ଥିବା ସହରଗୁଡ଼ିକର ଭ୍ରମଣରେ ଯାଇଥିବା ସମୟରେ ଏ ଲେଖିକା ଅନୁସନ୍ଧାନ କରିଥିଲା। ଯେଉଁଥିରୁ ଗଙ୍ଗା ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଉପରେ ଆସ୍ଥା ଆଧାରିତ ସଙ୍ଗଠନଗୁଡ଼ିକର ସହଭାଗିତା ସମ୍ପର୍କରେ ଅନେକ କିଛି ସୂଚନା ମିଳିଛି। ଏହି ଅବଧିରେ ପ୍ରାୟ ସବୁ ଧର୍ମର ନେତାଙ୍କୁ ଭେଟିବାର ଅବସର ମିଳିଥିଲା। ପାଖାପାଖି ଦେଢ଼ଶହ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଏବଂ ଆଶ୍ରମ ଉପରେ ଏକ ନିଜସ୍ବ ସର୍ବେକ୍ଷଣ କରାଯାଇଥିଲା। କହିରଖେ, ଏହା ଏକ ଅଖିଳ ଭାରତୀୟ ସର୍ବେକ୍ଷଣ ନୁହେଁ କିମ୍ବା ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ ନୁହେଁ। କାରଣ ଏଭଳି ଅଧ୍ୟୟନ ଦେଶର ଅନ୍ୟ ସ୍ଥାନରେ ଭିନ୍ନ ଧରଣର ଫଳ ଦେଇପାରେ।
ଆମ ଦେଶର ପବିତ୍ର ନଦୀଙ୍କ ତାଲିକାରେ ଗଙ୍ଗା ସର୍ବାଗ୍ରେ ରହିବ। ଏ ଦୃଷ୍ଟିରୁ ଗଙ୍ଗା କୂଳରେ ଗଢ଼ି ଉଠିଥିବା ସହରର ଧର୍ମୀୟ ନେତାଙ୍କ ଧାରଣା ମହତ୍ତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ। ପରିବେଶୀୟ ସମସ୍ୟାର ସମାଧାନ ଦିଗରେ ଏଠାକାର ଧର୍ମୀୟ ସଙ୍ଗଠନର ସହଯୋଗ ଜରୁରୀ। ଏହି ପ୍ରୟାସରେ ସେମାନଙ୍କୁ ଜଡ଼ିତ କରାଗଲେ ସମାଧାନର ପଥ ସୁଗମ ହୋଇପାରିବ। ଅଧ୍ୟୟନ କହୁଛି, ପରିବେଶ ବିଷୟରେ ଧାର୍ମିକ ନେତାମାନେ ପ୍ରାୟତଃ ଏକମତ ହୋଇଥାନ୍ତି। ସବୁ ଧର୍ମର ନେତା ଏହାକୁ ସ୍ବଚ୍ଛତା ଏବଂ ସବୁଜିମା ଦୃଷ୍ଟିରେ ଦେଖନ୍ତି। ଏମାନଙ୍କ ପାଇଁ ପରିବେଶ ସୁରକ୍ଷାର ଅର୍ଥ ହେଉଛି ନିଜ ଚତୁଃପାର୍ଶ୍ୱକୁ ସଫା ରଖିବା ଏବଂ ଗଛ ଲଗାଇବା। କିନ୍ତୁ ବାୟୁ ପ୍ରଦୂଷଣ, ଜୈବ ବିବିଧତା ନଷ୍ଟ, ପ୍ଲାଷ୍ଟିକ ପ୍ରଦୂଷଣ ଏପରିକି ନଦୀ ପ୍ରଦୂଷଣ ଭଳି ସମସ୍ୟା ଉପରେ ଏମାନଙ୍କଠାରେ ସଚେତନତାର ଅଭାବ ରହିଛି। ଅନେକ ଧର୍ମୀୟ ନେତା ଗଙ୍ଗାରେ ନୈବେଦ୍ୟ ଏବଂ ପୂଜା ସାମଗ୍ରୀର ବିସର୍ଜନକୁ ଏକ ପ୍ରଦୂଷଣକାରୀ କାର୍ଯ୍ୟକଳାପ ଭାବରେ ଦେଖନ୍ତି ନାହିଁ।
ଦ୍ବିତୀୟରେ ପରିବେଶ ସୁରକ୍ଷା ଦିଗରେ ଆସ୍ଥା ଆଧାରିତ ସଙ୍ଗଠନଗୁଡ଼ିକର ଭାଗୀଦାରିତା ଅତି ନୂ୍ୟନ ବୋଲି ଜଣାପଡ଼ିଛି। କେବଳ କିଛି ବଡ଼ ବଡ଼ ଧାର୍ମିକ ସଙ୍ଗଠନ ପରିବେଶର ସୁରକ୍ଷା ଦିଗରେ କାମ କରୁଛନ୍ତି। କିନ୍ତୁ ଏମାନଙ୍କ ଲକ୍ଷ୍ୟ ବୃକ୍ଷରୋପଣ, ଜୈବିକ ଚାଷ ଏବଂ ବର୍ଜ୍ୟବସ୍ତୁ ହ୍ରାସ ମଧ୍ୟରେ ସୀମିତ। କିଛି ସଙ୍ଗଠନ ଗଙ୍ଗା ସୁରକ୍ଷା ପାଇଁ କାମ କରୁଛନ୍ତି ସତ, କିନ୍ତୁ ଅଧିକାଂଶ କେବଳ ଘାଟ ସଫେଇ ହିଁ କରନ୍ତି। ଏଭଳି ସଙ୍ଗଠନ ପରିବେଶ ପ୍ରସଙ୍ଗରେ କାମ କରନ୍ତି ନାହିଁ, କାରଣ ସେମାନେ ଏହାକୁ ଅଭିଯାନର ଅଂଶ ଭାବରେ ଦେଖନ୍ତି ନାହିଁ। ସେମାନଙ୍କ ମତରେ ପରିବେଶକୁ ସୁରକ୍ଷା ଦେବା ସରକାରଙ୍କ କାମ। ପରିବେଶ ସୁରକ୍ଷା କ୍ଷେତ୍ରରେ ସେମାନେ ନିଜ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା କଳ୍ପନା କରିପାରନ୍ତି ନାହିଁ। ତୃତୀୟ କଥାଟି ଅତ୍ୟନ୍ତ ଚିନ୍ତାଜନକ। ଜଳବାୟୁ ସଙ୍କଟ ଏବଂ ଏହାର କାରଣ ବାବଦରେ ଖୁବ୍‌ କମ୍‌ ଲୋକ ଅବଗତ। ଯେଉଁ ଧାର୍ମିକ ନେତାମାନଙ୍କ ପାଖରେ ବିଶ୍ବତାପନ ସମ୍ବନ୍ଧରେ ଧାରଣା ରହିଛି ସେମାନେ ଏହାକୁ ‘ଭଗବାନଙ୍କ କାର୍ଯ୍ୟ’, ‘ଜଗତର ଅନ୍ତ’ ଏବଂ ‘ମାନବଙ୍କ ପାପର କର୍ମ’ ଭଳି ଶବ୍ଦରେ ପରିଭାଷିତ କରିଛନ୍ତି। ଏହି ସଙ୍କଟର ସମାଧାନ ପାଇଁ ଲୋକଙ୍କ କ୍ଷମତା ଉପରେ ସେମାନଙ୍କର ଭରସା ନାହିଁ। କିନ୍ତୁ ପରିବେଶର ସୁରକ୍ଷା ଦିଗରେ ସାମୂହିକ ଯୋଗଦାନର ଆବଶ୍ୟକତା ଏବଂ ଭୂମିକା ବିଷୟରେ ଅବଗତ କରାଯିବାରୁ ସେମାନେ ଏହାକୁ ଅସ୍ବୀକାର କରି ନ ଥିଲେ। ବରଂ ସମ୍ମତି ପ୍ରଦାନ ସ୍ବରୂପ ସମ୍ବଳ ତଥା ସଂସାଧନ ପାଇଁ ଦାବି କରିଥିଲେ। ପ୍ରଶ୍ନ ହେଉଛି, ପରିବେଶ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ସହ ଯୋଡ଼ିହେବା ପାଇଁ ଆମେ କିପରି ଧାର୍ମିକ ନେତା ଏବଂ ସଙ୍ଗଠନଗୁଡିକୁ ଜଡ଼ିତ କରିବା?
ଏହା ସତ୍ୟ ଯେ ଆମେ ଏକ ଧର୍ମୀୟ ଦୁନିଆରେ ବସବାସ କରୁଛନ୍ତି। ଏ ଦୃଷ୍ଟିରୁ ଧର୍ମୀୟ ନେତା ଏବଂ ସଙ୍ଗଠନଗୁଡିକ ପରିବେଶ ସଂରକ୍ଷଣର ମୂଲ୍ୟ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପରିବେଶ ସମସ୍ୟା ଉପରେ ସଚେତନତା ଏବଂ ଦକ୍ଷତା ବୃଦ୍ଧି ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ବିଭିନ୍ନ ଧାର୍ମିକ ସଙ୍ଗଠନକୁ ଜଡ଼ିତ କରାଗଲେ ତାହା ଲାଭଦାୟକ ହେବ। ସମ୍ବଳ ସହ ସଂସାଧନ ଯୋଗାଇଦେଲେ ସେମାନେ ଭକ୍ତମାନଙ୍କୁ ପରିବେଶ ପାଇଁ ଉତ୍ତରଦାୟୀ କରିପାରିବେ। ଆଜିର ପରିବେଶ ସମସ୍ୟା, ବିଶେଷକରି ଜଳବାୟୁ ସଙ୍କଟ ଏତେ ଗମ୍ଭୀର ରୂପ ଧାରଣ କରିଛି ଯେ ଧର୍ମଗୁଡ଼ିକୁ ବର୍ତ୍ତମାନ ଏକତ୍ର କାମ କରିବାର ଆବଶ୍ୟକତା ରହିଛି। ବାସ୍ତବିକ ପରିବେଶୀୟ ସମସ୍ୟାରୁ ମୁକୁଳିବା ପାଇଁ ଆମକୁ ଧର୍ମୀୟ ଶକ୍ତିର ଲାଭ ଉଠାଇବାକୁ ପଡ଼ିବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri