ଆର୍ଟିକିଲ ୩୪୦

ଅଧ୍ୟାପକ ଗୋପବନ୍ଧୁ

 

ଆମ ପାଇଁ କ୍ଷୋଭର ବିଷୟ ଯେ, ଯେଉଁ ନିୟାମକ ପୁସ୍ତକ ଅନୁଯାୟୀ ଦେଶରେ ଶାସନ ବ୍ୟବସ୍ଥା ପରିଚାଳିତ ହେଉଛି, ଯାହାକୁ ଆମେ ସମ୍ବିଧାନ କହୁଛୁ, ତାହା ଆମ ଶିକ୍ଷା ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ନୁହେଁ। କେବଳ ରାଜନୀତି ବିଜ୍ଞାନର ଉଚ୍ଚ ପାଠ୍ୟକ୍ରମରେ କିଛି ଏ ବିଷୟରେ ଆଲୋଚନା ରହିଛି। ତେଣୁ ଭାରତୀୟ ନାଗରିକ ହୋଇ ବି ଅନେକେ ଆମ ସମ୍ବିଧାନର ବିଭିନ୍ନ ଧାରା ଓ ଉପଧାରା ବିଷୟରେ ଅଜ୍ଞ । ଆମ ସମ୍ବିଧାନ ଏକ ପ୍ରଗତିଶୀଳ ଗ୍ରନ୍ଥ, ଯାହା ଏକ ସମତାଭିତ୍ତିକ ସମାଜର ପରିକଳ୍ପନା କରିଛି। ସେଇଥିପାଇଁ ଆର୍ଟିକିଲ ବା ଧାରା ୩୪୧ ଅନୁଯାୟୀ ଅନୁସୂଚିତ ଜାତି(ଏସ୍‌ସି)ଙ୍କ ବିକାଶ ପାଇଁ ଓ ଧାରା ୩୪୨ ଅନୁଯାୟୀ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ବିକାଶ ପାଇଁ ସଂଖ୍ୟାନୁପାତିକ ସଂରକ୍ଷଣ ବିଭିନ୍ନ କ୍ଷେତ୍ରରେ କରାଯାଇଛି। ଏହି ଦୁଇ ଧାରା ସମ୍ବନ୍ଧରେ କିଛି ଲୋକ ଅବଗତ ଅଛନ୍ତି। ତଥାପି ଏହି ଧାରାର ଅନ୍ତର୍ଗତ ଅନେକ ହିତାଧିକାରୀ ଏଯାଏଁ ଏ ବିଷୟରେ ଅବଗତ ନୁହନ୍ତି। ଏ ବିଷୟରେ ଜାଣିବାକୁ ଆଗ୍ରହୀ ମଧ୍ୟ ନୁହନ୍ତି।
ସମତାଭିତ୍ତିକ ସମାଜ ଗଠନ ପାଇଁ ସମ୍ବିଧାନରେ ଅନ୍ୟ ଏକ ଧାରା ରହିଛି, ତାହା ହେଉଛି ୩୪୦; ଯାହାକି ଏବେ ବହୁଳଭାବେ ଆଲୋଚନାର ପରିସରକୁ ଆସୁଛି। ଦେଶରେ ଥିବା ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ଙ୍କ ବିକାଶ ପାଇଁ ଏହି ଧାରା ଉଦ୍ଦିଷ୍ଟ। ଏହି ଧାରା ଅନୁଯାୟୀ ରାଷ୍ଟ୍ର ଓବିସିଙ୍କ ବିକାଶ ପାଇଁ ଉଦ୍ୟମ କରିବାକୁ ବାଧ୍ୟ। ଏମାନଙ୍କ ଅବସ୍ଥା ସମ୍ବନ୍ଧରେ ଅନୁଧ୍ୟାନ ପାଇଁ ସରକାର କମିଶନ ବସାଇ ପାରିବେ ଓ କମିଶନଙ୍କ ସୁପାରିସ ମୁତାବକ ପଦକ୍ଷେପ ନେଇପାରିବେ। ଏହି ଧାରାକୁ ସମ୍ବିଧାନ ପ୍ରଣୟନ ସଭାରେ ୧୬ ଜୁନ, ୧୯୪୯ ମସିହାରେ କାକା କାଲେଲକର ଉପସ୍ଥାପନ କରିଥିଲେ। ଏହା ପଛରେ ଡ୍ରାଫ୍ଟିଙ୍ଗ କମିଟିର ଚେୟାରମେନ ଡ. ବି.ଆର. ଆମ୍ବେଡକରଙ୍କ ଦୃଢ଼ ସମର୍ଥନ ଥିଲା। କାରଣ ସେ ଚାହିଁଥିଲେ ଓବିସିଙ୍କୁ ଏସ୍‌ଟି ଓ ଏସ୍‌ସି ତୁଲ୍ୟ ସମାନୁପାତିକ ସଂରକ୍ଷଣ ସୁବିଧା ପାଇବା ପାଇଁ ସାମ୍ବିଧାନିକ ସ୍ବୀକୃତି ଦେବା ପାଇଁ। କିନ୍ତୁ ଦୁଃଖର କଥା, ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ସେ ସମୟର ସଂଖ୍ୟାଧିକ ଓବିସି ନେତା ତାଙ୍କୁ ସହଯୋଗର ହାତ ବଢ଼ାଇ ନଥିଲେ। ତଥାପି ସେ ଭବିଷ୍ୟତ ପାଇଁ ଏହି ଧାରାକୁ ସମ୍ବିଧାନରେ ସ୍ଥାନିତ କରିଯାଇଛନ୍ତି। ସେ ଜାଣିଥିଲେ ଆଜି ନ ହେଲେ ବି କାଲି ଓବିସିମାନେ ଏହାର ଆବଶ୍ୟକତାକୁ ବୁଝିବେ, ଯାହାକି ଏବେ ସେମାନେ ବୁଝିବା ଆରମ୍ଭ କଲେଣି।
ସ୍ବାଧୀନତା ପରେ ଓବିସି ସମାଜ ତାଙ୍କ ବିକାଶ ପାଇଁ ସଂରକ୍ଷଣର ଆବଶ୍ୟକତାକୁ ବୁଝିଲେ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କଲେ। ଧାରା ୩୪୦ ଅନୁଯାୟୀ ୧୯୫୩ରେ ତତ୍କାଳୀନ କେନ୍ଦ୍ର ସରକାର ଓବିସିଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ଅବସ୍ଥାର ଅନୁଧ୍ୟାନ ପାଇଁ କାକା କାଲେଲକରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ। ଏହି କମିଶନ ୧୯୫୫ରେ ତା’ର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲା। ସେ ସମୟର ସରକାର ଏହି କମିଶନଙ୍କ ସୁପାରିସକୁ ଗ୍ରହଣ କରିନଥିଲେ। ପୁଣି ଏହି ଧାରା ଅନୁସାରେ ୧୯୭୯ ମସିହାରେ ଜନତା ପାର୍ଟି ସରକାର ଶ୍ରୀ ବି.ପି. ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ। ଏହି କମିଶନ ୧୯୮୦ରେ ତାଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲା। ସେତେବେଳକୁ ଜନତା ପାର୍ଟି ସରକାର କ୍ଷମତାରୁ ବିଦାୟ ନେଇ ସାରିଥିଲା। ପରବର୍ତ୍ତୀ ସରକାର ଏହି କମିଶନର ରିପୋର୍ଟକୁ କର୍ଯ୍ୟକାରୀ କଲେ ନାହିଁ। ଏହି ରିପୋର୍ଟର ଆଂଶିକ କାର୍ଯ୍ୟକାରିତା ପାଇଁ ୧୯୯୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି. ପି. ସିଂ ଘୋଷଣା କରିଥିଲେ ଓ ୧୯୯୨ ରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଚାକିରିରେ ୨୭% ସଂରକ୍ଷଣ କାର୍ଯ୍ୟକାରୀ ହେଲା। ୨୦୦୬ ରେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଅର୍ଜୁନ ସିଂ ଶିକ୍ଷାରେ ୨୭% ସଂରକ୍ଷଣ ସୁବିଧା ପ୍ରଦାନ କଲେ।
ଧାରା ୩୪୦ ଅନୁଯାୟୀ ଅନ୍ୟାନ୍ୟ ପଛୁଆବର୍ଗ ବା ଓବିସିମାନେ ସାମ୍ବିଧାନିକ ସ୍ବୀକୃତି ପାଇଛନ୍ତି ସଂରକ୍ଷଣ ସୁବିଧା ପାଇବା ପାଇଁ। କିନ୍ତୁ ଏହି ବର୍ଗର ପ୍ରାୟ ୯୯% ଲୋକ ଏହି ଧାରା ସମ୍ବନ୍ଧରେ ଅବଗତ ନୁହନ୍ତି କି ଏହି ଧାରାର ଗୁରୁତ୍ୱ ବୁଝନ୍ତି ନାହିଁ। ଉକ୍ତ ଧାରା ସେମାନଙ୍କ ସର୍ବାଙ୍ଗୀନ ବିକାଶ ସହିତ ଜଡ଼ିତ ବୋଲି ସେମାନେ ଜାଣନ୍ତି ନାହିଁ। କେବଳ ସଂରକ୍ଷଣ ନୁହେଁ, ଏହା ସହିତ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପ ପାଇଁ ମଧ୍ୟ ଏହି ଧାରା ସରକାରଙ୍କୁ ପ୍ରେରିତ କରେ। ଏହା ସହିତ ବର୍ଗୀୟ ଚେତନାକୁ ମଧ୍ୟ ଏହି ଧାରା ଉଜ୍ଜୀବିତ କରେ। ଦେଶରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବ୍ୟତୀତ ଅନ୍ୟ ଏକ ଅନଗ୍ରସର ବର୍ଗ ରହିଛି ତାହା ହେଉଛି ଓବିସି, ସେ ବିଷୟକୁ ଏହି ଧାରା ସ୍ବୀକୃତି ଦେଇଛି।
ଦେଶରେ ଅର୍ଦ୍ଧେକରୁ ଅଧିକ ହେଉଛନ୍ତି ଓବିସିର ଲୋକ। ଏମାନଙ୍କ ବିକାଶ ଦେଶର ବିକାଶକୁ ବହୁଗୁଣିତ କରିବ। ଏହି ବିଶାଳ ଜନସମୁଦାୟ ଧାରା ୩୪୦କୁ ନ ବୁଝିବା ଯୋଗୁ ତାଙ୍କ ମଧ୍ୟରେ ଗୋଷ୍ଠୀଗତ ଚେତନା ଆସିପାରି ନାହିଁ। ଏମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ପରି ଜାତି ଚେତନା ତ ରହିଛି, କିନ୍ତୁ ଓବିସି ସମ୍ବନ୍ଧୀୟ ଗୋଷ୍ଠୀଗତ ଚେତନା ସେତେ ମାତ୍ରାରେ ଏମାନଙ୍କ ମଧ୍ୟରେ ନାହିଁ। ଫଳରେ ଏମାନେ ଧାରା ୩୪୦ ଦେଇଥିବା ସାମ୍ବିଧାନିକ ଅଧିକାର ବିଷୟରେ ସଚେତନ ନୁହନ୍ତି। ଏହି ଧାରା ମୁତାବକ ମଣ୍ଡଳ କମିଶନ ବସିଥିଲା ଓ ମଣ୍ଡଳ କମିଶନର ରିପୋର୍ଟ ମୁତାବକ ଓବିସିମାନେ ଆଜି ଶିକ୍ଷା ଓ ଚାକିରିରେ ୨୭% ସଂରକ୍ଷଣ ସୁବିଧା ପାଉଛନ୍ତି। ଏହି ଧାରା କ’ଣ ଓ କେଉଁମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ଏବଂ ମଣ୍ଡଳ କମିଶନ ରିପୋର୍ଟ କାହା ପାଇଁ ସେ ବିଷୟରେ ଓବିସିମାନେ ଅବଗତ ନ ଥିବା ଯୋଗୁ ମଣ୍ଡଳ ବିରୋଧୀ ଆନ୍ଦୋଳନରେ ମାତିଥିଲେ ଓ ଗୁଳିଖାଇ ମରିଥିଲେ। ଏ ସମ୍ବନ୍ଧରେ ଏମାନେ ସଚେତନ ଥିଲେ ସେ ସମୟରେ ବିରୋଧୀ ଆନ୍ଦୋଳନ ଏତେ ତୀବ୍ର ହୋଇ ନ ଥା’ନ୍ତା ଓ ଏହାକୁ କାର୍ଯ୍ୟକାରୀ କରିବାର ଘୋଷଣା କରିଥିବା ସରକାରର ପତନ ହୋଇ ନ ଥା’ନ୍ତା। ସେ ସମୟରେ ଅନେକ ଓବିସି ଯୁବକ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବାର କାମ କରିଥିଲେ।
ଏବେ କିଛି ସଚେତନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଓବିସିଙ୍କୁ ଏସ୍‌ଟି-ଏସ୍‌ସି ତୁଲ୍ୟ ରାଜନୀତିର ସମସ୍ତ ସୋପାନରେ ସଂରକ୍ଷଣ ସୁବିଧା ପ୍ରଦାନ ପାଇଁ ଦାବି ଉଠାଉଛନ୍ତି। ଆଉ ଦଳେ ପାଦେ ଆଗେଇ ଯାଇ କହୁଛନ୍ତି, ଦେଶରେ ଓବିସିଙ୍କ ସଂଖ୍ୟା ଯଦି ୫୨%, ତେବେ ଏମାନଙ୍କୁ ମଧ୍ୟ ଏସ୍‌ଟି-ଏସ୍‌ସି ତୁଲ୍ୟ ସମସ୍ତ କ୍ଷେତ୍ରରେ ଜନସଂଖ୍ୟା ଅନୁଯାୟୀ ୫୨% ସଂରକ୍ଷଣ ସୁବିଧା ମିଳୁ। ଓଡ଼ିଶାରେ ଏହି ଧାରାର ପ୍ରୟୋଗ ଅତ୍ୟନ୍ତ ଦୁର୍ବଳ। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ କୌଣସି ସଂରକ୍ଷଣ ସୁବିଧା ମିଳୁନାହିଁ। ଚାକିରି କ୍ଷେତ୍ରରେ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି। ରାଜ୍ୟରେ ଓବିସିମାନେ ସର୍ବାଧିକ ଉପେକ୍ଷିତ ଓ ଦେଶରେ ବୋଧହୁଏ ପ୍ରଥମ। ଯଦି କେବେ ଓବିସିଙ୍କୁ ଆହୁରି ଅଧିକ ସୁବିଧା ମିଳେ ଓ ତାଙ୍କ ବିକାଶ ପାଇଁ କିଛି ନୂଆ ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ତାହା ଧାରା ୩୪୦ ଅନୁଯାୟୀ ହେବ। ଏହି ଧାରା ଅନୁସାରେ ଭାରପ୍ରାପ୍ତ କମିଶନର ରିପୋର୍ଟ ଉପରେ ଏହା ହୋଇପାରିବ। ଗଣତନ୍ତ୍ରରେ ଆନ୍ଦୋଳନ ଜରିଆରେ ଚାପ ସୃଷ୍ଟି ଅନିବାର୍ଯ୍ୟ ବିଷୟ। ଓବିସି ସମାଜ ଯେତେ ସଂଗଠିତ ହେବ, ଯେତେ ସଚେତନ ହେବ ନିଜ ସମାନ ଅଧିକାର ସମ୍ବନ୍ଧରେ ଓ ଯେତେ ଆନ୍ଦୋଳନମୁଖୀ ହେବ, ସେତେ ଅଧିକାର ପ୍ରାପ୍ତିର ସମ୍ଭାବନା ଅଧିକ ହେବ। ଏ ଦିଗରେ ପ୍ରୟାସ ମଧ୍ୟ ଜରୁରୀ।
ସାମ୍ପ୍ରତିକ ଅବସ୍ଥାରେ ଧାରା ୩୪୦ର ଗୁରୁତ୍ୱ ବଢ଼ି ଚାଲିଛି। ଦେଶରେ ତଥା ରାଜ୍ୟରେ ଓବିସି ସମାଜ ଯେତେ ଜାଗ୍ରତ ହେବ, ଏହି ଧାରାର ପ୍ରାସଙ୍ଗିକତା ସେତେ ଅଧିକ ହେବ। ଦେଶର ଅର୍ଦ୍ଧାଧିକ ଲୋକଙ୍କ ବିକାଶ ପାଇଁ ଯେଉଁ ଧାରା ରହିଛି, ତାକୁ ଏତେ ସାଧାରଣ ଭାବେ ନିଆଯାଇ ପାରିବ ନାହିଁ। ଆଗାମୀ ଦିନରେ ଏହି ଧାରାର ପ୍ରୟୋଗ ସମ୍ଭାବନା ଆହୁରି ବ୍ୟାପକ ହେବା ନିଶ୍ଚିତ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦

 


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri