ପରିବେଶ ଓ ପରିବାର

ପ୍ରକୃତି ଓ ପରିବେଶ ପରସ୍ପର ଓତପ୍ରୋତ ଭାବେ ଜଡ଼ିତ। ପରିବେଶ କହିଲେ ସାଧାରଣତଃ ଆମ ଚତୁଃପାର୍ଶ୍ୱରେ ଘେରି ରହିଥିବା ପ୍ରାକୃତିକ ଓ କୃତ୍ରିମ ଉପାଦାନ ସମୂହକୁ ବୁଝାଏ, ଯାହା ଆମ ଜୀବନକୁ ପ୍ରଭାବିତ କରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ। ଏହା ପ୍ରାକୃତିକ ଓ ମାନବୀୟ ଭେଦରେ ଦ୍ବିବିଧ। ସଭ୍ୟତା ଆରମ୍ଭରେ ମଣିଷ ପ୍ରକୃତିର ଦୟାରେ ବଞ୍ଚିଥିଲା ଏବଂ ସେତେବେଳେ ପରିବେଶ ଥିଲା ସମ୍ପୂର୍ଣ୍ଣ ପ୍ରାକୃତିକ। ସମୟକ୍ରମେ ପ୍ରକୃତିକୁ ଅଧିକ ଜୀବନୋପଯୋଗୀ କରିବା ଲକ୍ଷ୍ୟରେ ମଣିଷ ନିଜର ବୁଦ୍ଧି ଓ ଜ୍ଞାନ ବଳରେ ସେଥିରେ କିଛି ପରିବର୍ତ୍ତନ ଆଣିଲା, ଯାହାକୁ କୁହାଗଲା ମାନବୀୟ ବା ସାଂସ୍କୃତିକ ପରିବେଶ। ଅନ୍ୟପକ୍ଷରେ ଜଳ,ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣିଜଗତ ଇତ୍ୟାଦିକୁ ଆମେ ପ୍ରାକୃତିକ ପରିବେଶ ବୋଲି କହୁ, ଯାହା ମଣିଷର ସୁରକ୍ଷା କବଚ। ଜର୍ମାନ ବୈଜ୍ଞାନିକ ହେକଲଙ୍କ ଭାଷାରେ ପରିବେଶ ହେଉଛି ମଣିଷର ‘ଜୀବନ ଗୃହ’। ମଣିଷ ଯେମିତି ତା’ର ଗୃହକୁ ନିଜର ଭାବି ଯତ୍ନର ସହିତ ବ୍ୟବହାର କରେ, ସେମିତି ପରିବେଶ ସୁରକ୍ଷା ପ୍ରତି ଧ୍ୟାନଦେବା ତା’ର ଦାୟିତ୍ୱ। ପ୍ରକୃତି ଓ ପରିବେଶ ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରାର ସମ୍ପର୍କ ବହୁ ପ୍ରାଚୀନ। ଭାରତୀୟ ଦର୍ଶନ ଅନୁସାରେ ପ୍ରକୃତି ଆମ ଅସ୍ତିତ୍ୱର ଅବିଚ୍ଛେଦ୍ୟ ଅଂଶ। ଆମ ପାରିବେଶିକ ଓ ସାଂସ୍କୃତିକ ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଯାହା ସବୁ ଆବଶ୍ୟକ, ତାହା ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି ବେଦ, ଉପନିଷଦ ଓ ପୁରାଣ ଶାସ୍ତ୍ରରେ। ତେଣୁ ପ୍ରକୃତି ଚକ୍ରରେ ଆଗେ ନ ଥିଲା ପ୍ରଦୂଷଣର ଚିହ୍ନ। ପ୍ରକୃତି ସହିତ ଆମ ପୂର୍ବଜମାନେ ଏକ ପ୍ରଦୂଷଣ ମୁକ୍ତ ନିରାମୟ ଜୀବନ ବଞ୍ଚୁଥିଲେ ଏବଂ ପରିବେଶକୁ ସୁସ୍ଥ ରଖିବା ଦିଗରେ ଯଥେଷ୍ଟ ଗୁରୁତ୍ୱ ବହନ କରିଥିଲା ଆମ ଯୌଥ ପରିବାର।
ପରିବାର ହେଉଛି ସମାଜର ସବୁଠାରୁ କ୍ଷୁଦ୍ରତମ ଏକକ ତଥା ପ୍ରାଚୀନତମ ଅନୁଷ୍ଠାନ, ଯାହା ବୃହତ୍ତର ଓ ବିଶ୍ୱବ୍ୟାପୀ। ବିଶ୍ବର ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ପରିବାରର ସଦସ୍ୟ। ପରିବାରର ସମ୍ପ୍ରସାରଣରୁ ସମାଜ ଓ ରାଷ୍ଟ୍ରର ସୃଷ୍ଟି। ପରିବାର ଦ୍ବାରା ନିୟନ୍ତ୍ରିତ ହୁଏ ବ୍ୟକ୍ତିର ଅଭିବୃଦ୍ଧି ଓ ସାମାଜିକ ବିକାଶ। ସେଥିପାଇଁ କୁହାଯାଏ ପରିବାର ହେଉଛି ଶିଶୁର ପ୍ରଥମ ବିଦ୍ୟାଳୟ ଓ ମା’ ହେଉଛି ପ୍ରଥମ ଶିକ୍ଷୟିତ୍ରୀ। ବେଦରେ ପରିବାରକୁ ସ୍ବର୍ଗ ବୋଲି କୁହାଯାଇଛି, ଯାହା ସମସ୍ତ ଦିବ୍ୟ ଗୁଣର ପ୍ରୟୋଗଶାଳା। ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ -‘ବୈକୁଣ୍ଡ ସମାନ ଆହା ଅଟେ ସେହି ଘର,ପରସ୍ପର ଥାଏ ଯହିଁ ସ୍ନେହ ନିରନ୍ତର’। ଅର୍ଥାତ୍‌ ପରସ୍ପର ମଧ୍ୟରେ ନୈତିକ ଓ ଆଧ୍ୟାତ୍ମିକ ମିଳନ ହିଁ ପରିବାର। ଏହି ଦୃଷ୍ଟିରୁ ଏକାନ୍ନବର୍ତ୍ତୀ ପରିବାର ଥିଲା ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ। ଆମ ଏକାନ୍ନବର୍ତ୍ତୀ ବା ଯୌଥ ପରିବାର ପରମ୍ପରାକୁ ପରିପୁଷ୍ଟ କରିଥିଲା ଶୃଙ୍ଖଳା ଓ ସଦ୍‌ଭାବନା। ଗୋଟିଏ ଛାତ ତଳେ ହସଖୁସିରେ ରହୁଥିଲେ ଜେଜେବାପା, ଜେଜେମା, ବାପା, ମା’, ବଡବାପା, ବଡମା’,ଦାଦା,ଖୁଡୀ ଓ ଅଧଡଜନେରୁ ଅଧିକ ସାନବଡ଼ ଭାଇ ଭଉଣୀ ଆଦି ତିନି ପିଢ଼ିର ମଣିଷ । ଏ ଲେଖକ ଭଳି ଯେଉଁମାନଙ୍କ ବାଲ୍ୟ ଓ କୈଶୋର ଯୌଥ ପରିବାର ଭିତରେ କଟିଛି, ସେମାନଙ୍କ ସ୍ମୃତିପଟରେ ସାଇତା ହୋଇ ରହିଥିବ ଭାଇ ଭଉଣୀ ଓ ଅନ୍ୟମାନଙ୍କ ସହିତ ଗୋଟିଏ କଂସାରେ ପଖାଳ ଖାଇବାର ଅନୁଭୂତି। ଜେଜେବାପା ଥିଲେ ଘରର ମୁରବି ତଥା ନୈତିକତାର ପ୍ରହରୀ। ଗପ କହିବା ଛଳରେ ଆମ ଆଗରେ ବଖାଣୁଥିଲେ ମାଟି,ପାଣି, ପବନ ଆଦି ପଞ୍ଚଭୂତର ମହାତ୍ମ୍ୟ। ସଞ୍ଜ ହେଲେ ଘରେ ପଢାଯାଉଥିଲା ରାମାୟଣ, ମହାଭାରତ ଓ ଭାଗବତ ଆଦି ପୁରାଣ। ସେଥିରେ ଥିଲା ପ୍ରକୃତି ଓ ପରିବେଶର ସୁରକ୍ଷା ନିମନ୍ତେ ଅନେକ ଭାବାତ୍ମକ ପରାମର୍ଶ। ତା’ର ପ୍ରଭାବରେ ତୁଳସୀ ଓ ବେଲ ଆଦି ବୃକ୍ଷ ପ୍ରତି ଭକ୍ତିଭାବ ସୃଷ୍ଟି ହେବା ସହିତ ବୃକ୍ଷରୋପଣ ପ୍ରତି ବଢୁଥିଲା ଆଗ୍ରହ। ସେଥିପାଇଁ ସବୁଜିମାରେ ଭରିଉଠିଥିଲା ପରିବେଶ। ଧର୍ମ ଅର୍ଜନ ପାଇଁ କିଏ ରାସ୍ତା କଡ଼ରେ ବୃକ୍ଷ ରୋପଣ କରୁଥିଲା ତ କିଏ ସର୍ବସାଧାରଣ ଜାଗାରେ ଖୋଳାଉଥିଲା ଜଳାଶୟ। ମାଟିକୁ ସମସ୍ତେ ମା’ ବୋଲି ବିବେଚନା କରୁଥିଲେ ଏବଂ ତା’ର ଆରାଧନା ପାଇଁ ଶ୍ରଦ୍ଧା ଓ ଭକ୍ତିରେ ପାଳୁଥିଲେ ଅନେକ କୃଷିଭିତ୍ତିକ ପର୍ବ।
ଗୋପାଳନ ଥିଲା ଗ୍ରାମ ସଂସ୍କୃତିର ଏକ ପ୍ରଧାନ ଅଙ୍ଗ। ଶାସ୍ତ୍ରରେ ଗୋମାତାଙ୍କୁ ପରିବେଶ ସୁରକ୍ଷାର ପ୍ରହରୀ ବୋଲି କୁହାଯାଇଛି ଏବଂ ଗୋ-ଆଧାରିତ ଚାଷକୁ ନେଇ ପରିପୁଷ୍ଟ ହୋଇଛି ଭାରତର ଅର୍ଥନୀତି। ଗୋବର ଓ ଗୋମୂତ୍ର ଯେମିତି କୀଟାଣୁ ନାଶକ, ଗୋ-ଘୃତ ସେମିତି ଜଳବାୟୁ ବିଶୋଧକ, ଯାହା ମେଘ ଦେହରେ ସଞ୍ଚାର କରେ ଜଳ। ଯୌଥ ପରିବାରର ପ୍ରଧାନ ଅବଲମ୍ବନ ଥିଲା କୁଟୀରଶିଳ୍ପ। ଧାନ କୁଟିବା ପାଇଁ ଘରେ ଥିଲା ଢିଙ୍କି। କିଏ ଘଣାରେ ତେଲ ପେଡୁଥିଲା ତ କିଏ ତନ୍ତରେ ବୁଣୁଥିଲା ଲୁଗା। ଗାଁ ବଢ଼େଇ ତିଆରି କରୁଥିଲା ଲଙ୍ଗଳ ଓ କାଠ ସରଞ୍ଜାମ। ସବୁ ଗାଁରେ ଥିଲା କୁମ୍ଭାରଭାଟି ଓ କମାରଶାଳ। ଘରେ ବାଟଣ ବଟା ଓ ଜାଇ ରଗଡ଼ା ହେଉଥିଲା ଶିଳ ଓ ପେଷାରେ।
ସର୍ବନିମ୍ନ ସମ୍ବଳ ସହିତ ବଞ୍ଚିବା ଓ ପ୍ରାକୃତିକ ସମ୍ପଦର ନ୍ୟାୟପୂର୍ଣ୍ଣ ବ୍ୟବହାର ଥିଲା ଯୌଥ ପରିବାରର ପ୍ରଚଳିତ ଧାରା। ଗରମ ଭାତ ବଳି ପଡ଼ିଲେ ତାକୁ ପଖାଳ କରି ଖିଆଯାଉଥିଲା ପରଦିନ ପର୍ଯ୍ୟନ୍ତ। ପେଯ ତୋରାଣି ରହୁଥିଲା ଗୋରୁଙ୍କ ପାଇଁ। ବାହା ବ୍ରତରେ ଖାଦ୍ୟ ବଳକା ହେଲେ ବଣ୍ଟାହେଉଥିଲା ସାଇପଡ଼ିଶାରେ। ଏବେ ଅଧିକାଂଶ ପରିବାରରେ ପିଲାମାନଙ୍କ ଖାଇବା ଥାଳିରେ ଖାଦ୍ୟ ନଷ୍ଟ ଏକ ସାଧାରଣ କଥା। ପରିବାର ପକ୍ଷରୁ ଯେଉଁ ଭୋଜିଭାତ ଆୟୋଜନ ହେଉଛି, ସେଥିରେ ଲୋକ ଯେତିକି ଖାଉଛନ୍ତି, ଫିଙ୍ଗାଯାଉଛି ତା’ଠାରୁ ବେଶି। ବିଶେଷଜ୍ଞଙ୍କ ମତରେ ୧କି.ଗ୍ରା. ନଷ୍ଟ ହେଉଥିବା ଖାଦ୍ୟ ୮କି.ଗ୍ରା.ଅଙ୍ଗାରକାମ୍ଳ ଉସର୍ଜନ ପାଇଁ ଦାୟୀ। ଏକଥା ଜାଣି ସୁଦ୍ଧା ଆମର ବେପରୁଆପଣ ପାଇଁ ନଷ୍ଟ ହେଉଛି ଦେଶରେ ବାର୍ଷିକ ଉତ୍ପାଦିତ ଖାଦ୍ୟର ଏକ ତୃତୀୟାଂଶ। ଆଗେ ପୂନେଇଁ ପରବରେ ପରିବାରର ସମସ୍ତଙ୍କ ପାଇଁ କିଣାଯାଉଥିଲା ନୂଆ ପୋଷାକ। ଏବେ ନିୟମିତ ବ୍ୟବଧାନରେ କିଣାଯାଉଛି ଭଳିକି ଭଳି ପୋଷାକ। ପରିବାରର ଏହି ପୋଷାକ ଆଭିଜାତ୍ୟ ପାଇଁ ସୃଷ୍ଟି ହେଇଛି ପୋଷାକ ଆବର୍ଜନା। ଘରେ ଦୈନନ୍ଦିନ ଯେତିକି ଜଳ ଖର୍ଚ୍ଚ ହେଉଛି ତା’ର ଅର୍ଦ୍ଧାଧିକ ଯାଉଛି ପୋଷାକ ଧୋଇବାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୋଷାକ ଶିଳ୍ପରେ ଖର୍ଚ୍ଚ ହେଉଥିବା ଜଳର ପରିମାଣ। ଗୋଟିଏ ଜିନ୍‌ ପ୍ୟାଣ୍ଟ ପ୍ରସ୍ତୁତିରେ ଖର୍ଚ୍ଚ ହୁଏ ୮.୫୦୦ ଲିଟର ଜଳ। ପିଲାମାନଙ୍କୁ ଏକଥା ଜଣେଇବ କିଏ? ଜଳ ହିଁ ଜୀବନ। ପୃଥିବୀରେ ଜୀବନ ଧାରଣ ପାଇଁ ଏହା ଏକ ଅମୃତ ପ୍ରବାହ। ଏଭଳି ଏକ ଗୁରୁ ଚିନ୍ତନ ଆଜି ପରିବାର ଭିତରେ ଅଚଳ ହୋଇ ପଡ଼ିବା ଫଳରେ ସୃଷ୍ଟି ହେଉଛି ଜଳ ସଙ୍କଟ।
ଜୀବନ ଜିଇଁବାର ପ୍ରତ୍ୟେକଟି ସୋପାନରେ ଘୂରି ବୁଲୁଛି ପ୍ରଦୂଷଣର ବିଷ। ବିକ୍ଷୋଭ କରୁଛି ପ୍ରକୃତି। ବିଳାସୀ ଜୀବନର ମୋହ ମଣିଷଠାରୁ ଛଡେଇ ନେଉଛି ଆୟୁଷ ଓ ଆରୋଗ୍ୟ। ସମଗ୍ର ଜୀବଜଗତ ପାଇଁ ଏକ ଗମ୍ଭୀର ଆହ୍ବାନ ହୋଇ ଉଭା ହୋଇଛି ଜଳବାୟୁ ପରିବର୍ତ୍ତନ। ତା’ର ନିୟନ୍ତ୍ରଣ ପାଇଁ କେବଳ ସରକାରୀ ନୀତି ପ୍ରଣୟନ ନୁହେଁ, ଏଥିପାଇଁ ବ୍ୟକ୍ତିଠାରୁ ଗୋଷ୍ଠୀ ପର୍ଯ୍ୟନ୍ତ ସମସ୍ତଙ୍କର ଯୋଗଦାନ ରହିବା ଆବଶ୍ୟକ। ଦୈନନ୍ଦିନ ଜୀବନର ଛୋଟ ଛୋଟ କାର୍ଯ୍ୟରେ ସୁଧାର ଆଣି ପରିବାର ମାଧ୍ୟମରେ ଜୀବନଶୈଳୀର ସକାରାତ୍ମକ ପରିବର୍ତ୍ତନ ଜରୁରୀ। ପ୍ରକୃତିକୁ ଦୋହନ ନୁହେଁ, ତା’ର ଯତ୍ନ କରିବା ଆମ ସଂସ୍କୃତିର ବାଣୀ। ପ୍ରକୃତି ସହିତ ଭାରସାମ୍ୟ ରଖି ପ୍ରଗତି ଯାତ୍ରାର ଦିଗ ନିର୍ଣ୍ଣୟ ଆମ ବୁଦ୍ଧି, ବିଜ୍ଞତା ଓ ଦୂରଦୃଷ୍ଟି ଉପରେ ନିର୍ଭରଶୀଳ।
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri