କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍ ଟଙ୍କା ନେଇ ଖୁସିରେ ଘରକୁ ଯାଉଥିଲାବେଳେ ସରକାରୀ ମ୍ୟାଡାମଙ୍କ ରାସ୍ତାରେ ଧରିଥିଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ। ଏହାପରେ ଗାଡ଼ିରୁ ବାହାରିଥିଲା ନଗଦ ୩.୧୫ ଲକ୍ଷ ଟଙ୍କା, ଯାହାକୁ ଜବତ କରିଥିଲା ଭିଜିଲାନ୍ସ। ଠିକାଦାରମାନଙ୍କ ବକେୟା ବିଲ୍ ପାସ କରିବା ପାଇଁ ଲାଞ୍ଚ ଆଦାୟ କରାଯାଉଥିବା ନେଇ ବିଶ୍ୱସନୀୟ ଖବର ପାଇଥିଲା ଭିଜିଲାନ୍ସ। ଏହାକୁ ଆଧାର କରି ଗତକାଲି, ଭିଜିଲାନ୍ସର ଏକ ଟିମ୍ ମାର୍ଶାଘାଇ ଛକ ନିକଟ ଜାତୀୟ ରାଜପଥ ୫୩-ଏରେ ଅନୁପମା ସାହୁଙ୍କୁ ଅଟକାଇଥିଲା। ସେ ନିଜ କାର୍ଯ୍ୟାଳୟରୁ କେନ୍ଦ୍ରାପଡ଼ା ନୟନବିହାରସ୍ଥିତ ଆବାସକୁ ଅଫିସ ଗାଡ଼ିରେ ଯାଉଥିବାବେଳେ ତାଙ୍କୁ ଅଟକାଯାଇଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ନଗଦ ମିଳିଥିଲା। ଏତେ ପରିମାଣର ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ଟଙ୍କା ସହ ଗାଡ଼ିଟିକୁ ଜବତ କରିଥିଲା ଟିମ୍। ଏହାପରେ ଆୟବର୍ହିଭୂତ ସମ୍ପତ୍ତି ସମ୍ପର୍କିତ ତଦନ୍ତ ଦୃଷ୍ଟିରୁ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ତଲାସି ଆରମ୍ଭ ହୋଇଥିଲା।
/odishatv/media/media_files/2026/09/06/odisha-vigilance-recovers-another-rs-4-lakh-from-kendrapara-aees-residence-2026-09-06-08-19-09.jpg)
ଏହି ତଦନ୍ତ ଆଧାରରେ ମୋଟ୍ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଭୁବନେଶ୍ୱର୍ରେ ଗୋଟିଏ ଫ୍ଲାଟ, ବ୍ୟାଙ୍କ ଡିପୋଜିଟ ୬୩ ଲକ୍ଷ, ଢେଙ୍କାନାଳରେ ଏକ ସିମେଣ୍ଟ ରଡ୍ ଗୋଦାମ ଓ ବଲାଙ୍ଗୀରରେ ଗୋଟିଏ ଦୋକାନ ରହିଛି। ଏହାବ୍ୟତୀତ ୫ଟି ବହୁ ମୂଲ୍ୟ ପ୍ଲଟ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ। ୨୦୦୩ରେ ସରକାରୀ ଚାକିରିରେ ପାଦ ଥାପିଥିଲେ ଅନୁପମା ସାହୁ। ପ୍ରାରମ୍ଭିକ ୪୦୦୦ ଟଙ୍କା ଦରମା ପାଉଥିଲେ ସେ। କ୍ୟାରିଅର ମଧ୍ୟରେ ୩ଟି ଜିଲାରେ କାର୍ଯ୍ୟ କରିଥିଲେ ଅନୁପମା।

