ଶକ୍ତି ଓ ତନ୍ତ୍ର: ଏକ ବୈଜ୍ଞାନିକ ଅନୁଶୀଳନ

ଆମ ସମସ୍ତଙ୍କ ଅସ୍ତିତ୍ୱର ଦୁଇ ମୂଳ ଆଧାର- ମାତୃଗର୍ଭା ପ୍ରକୃତି ଓ ଚେତନଶକ୍ତି ପୁରୁଷ। ପ୍ରକୃତି ସ୍ବରୂପିଣୀ ଦେବୀ ଆଦ୍ୟାଶକ୍ତି ଓ ପରମପୁରୁଷ ଚେତନମୟ ଶିବ। ଶକ୍ତି ଚଞ୍ଚଳା,ସୃଜନଧର୍ମୀ ଏବଂ ଶିବ ହେଉଛନ୍ତି ଶାନ୍ତ-ଶିବ-ଅଦ୍ୱୈତ। ଶକ୍ତି ଓ ଶିବର ମିଳନରେ ସଂସାର ଗତିଶୀଳ। ସେହି ଗୋଟିଏ ଶକ୍ତିର ବିଭିନ୍ନ ସ୍ବରୂପ ରହିଛି। କେତେବେଳେ ଭୌତିକ ଶକ୍ତି ତ ଆଉ କେତେବେଳେ ପ୍ରାଣ ରୂପରେ ଜୀବନୀ ଶକ୍ତି। ଶକ୍ତି ସାହାଯ୍ୟରେ ଜୀବ ଶିବତ୍ୱ ପ୍ରାପ୍ତ ହୁଏ । ଶକ୍ତି ବିନା ଜୀବ ପାଲଟିଯାଏ ଶବ। ଭାରତୀୟ ଦର୍ଶନରେ ଆଦିଶକ୍ତିଙ୍କ ଅନ୍ୟ ନାମ ‘ସ୍ପନ୍ଦ’ । କାରଣ ସୃଷ୍ଟିରେ ସର୍ବତ୍ର ଶକ୍ତିର ସ୍ପନ୍ଦନ ଜାରି ରହିଛି। ପଦାର୍ଥ ବିଜ୍ଞାନ ମତ ଅନୁସାରେ, ଛୋଟ କଣିକାଠାରୁ ଆରମ୍ଭ କରି ମହାକାଶରେ ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ ସମସ୍ତେ ନୃତ୍ୟରତ, କେହି ସ୍ଥିର ନୁହନ୍ତି। ଗୋଟିଏ ଶକ୍ତିର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଗୁଣଧର୍ମକୁ ଲକ୍ଷ୍ୟ କରି ବୈଦିକ ସାହିତ୍ୟରେ ଶକ୍ତିକୁ ବିଭିନ୍ନ ନାମରେ ସମ୍ବୋଧିତ କରି ଗୁଣଗାନ କରାଯାଇଛି। ପରବର୍ତ୍ତୀ ସମୟରେ ଦାର୍ଶନିକ ତତ୍ତ୍ୱକୁ ମୂର୍ତ୍ତିକଳାର ରୂପ ଦିଆଯାଇଛି। ତେଣୁ ଭାରତରେ ଥିବା କାରୁକାର୍ଯ୍ୟ, ମୂର୍ତ୍ତିକଳା ପ୍ରତୀକଧର୍ମୀ । ଏସବୁ ପଛରେ ରହିଛି ସୃଷ୍ଟି ଦର୍ଶନ। ପ୍ରତ୍ୟେକ ବିଜ୍ଞାନ ଛାତ୍ର ଜାଣନ୍ତି ଯେ ଶକ୍ତିର ଆଦି ନାହିଁ କି ଅନ୍ତ ନାହିଁ। ଶକ୍ତି ସର୍ବଦା ଏକ ଅବିନାଶୀ ତତ୍ତ୍ୱ। ସୃଷ୍ଟିର ସମସ୍ତ କ୍ରିୟା ଯେଉଁ ଶକ୍ତି ବା ଊର୍ଜା ଦ୍ୱାରା ସଙ୍ଘଟିତ ହେଉଅଛି, ସେହି ଶକ୍ତିକୁ ପୁରାଣ ସାହିତ୍ୟରେ ଦେବୀ ରୂପରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଦୈବୀଶକ୍ତି କଥା ଆସେ, ସେହି ସମୟରେ ‘ତନ୍ତ୍ର’ କଥା ମଧ୍ୟ ପ୍ରାସଙ୍ଗିକ ହୋଇଯାଏ। ବିଭିନ୍ନ ଶୈବ ଓ ଶାକ୍ତ ଗ୍ରନ୍ଥଗୁଡ଼ିକରେ ତନ୍ତ୍ରର ବର୍ଣ୍ଣନା ରହିଛି। ବୁଦ୍ଧଙ୍କ ମହାପରିନିର୍ବାଣ ପରେ ବୌଦ୍ଧଧର୍ମ ଅନେକ ମତବାଦରେ ବିଭକ୍ତ ହୋଇଥିଲା। ସେଥିମଧ୍ୟରୁ ବଜ୍ରଯାନ ମତବାଦରେ ତନ୍ତ୍ରର ପ୍ରଚଳନ ଅଧିକ। କିନ୍ତୁ ପ୍ରକୃତରେ ତନ୍ତ୍ର କ’ଣ ? ବର୍ତ୍ତମାନ ତନ୍ତ୍ର ନାମରେ ଅନେକ ଭିତ୍ତିହୀନ, ତାତ୍ପର୍ଯ୍ୟହୀନ କାର୍ଯ୍ୟ କରାଯାଉଛି। ସେସବୁ କଦାପି ତନ୍ତ୍ର ହୋଇପାରିବ ନାହିଁ। ସଚେତନ ଜନତା ‘ତନ୍ତ୍ର’ର ବାସ୍ତବିକ ତାତ୍ପର୍ଯ୍ୟ ଜାଣିବା ଆବଶ୍ୟକ। ବୈଦିକ ଦର୍ଶନରେ (ଋଗ୍‌ବେଦ-୧୦.୭୧ ) ତନ୍ତ୍ରର ଯୌଗିକ ଅର୍ଥ ହେଉଛି ‘ଜାଲ ଭଳି ବୁଣିବା’। ଗୋଟିଏ ଜାଲରେ ସବୁକିଛି ଛନ୍ଦାଛନ୍ଦି ହୋଇ ରହିଥାଏ, ଅର୍ଥାତ୍‌ ସବୁକିଛି ପରସ୍ପର ସହ ସମ୍ବନ୍ଧିତ। ‘ତନ୍ତ୍ର’ ହେଉଛି ଏକ ବ୍ୟବସ୍ଥା ବା ସିଷ୍ଟମ୍‌, ଯେଉଁଥିରେ ପ୍ରତ୍ୟେକ ସତ୍ତା ବା ପଦାର୍ଥ ପରସ୍ପର ସହ ସମ୍ବନ୍ଧିତ। ସେମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥାଏ। ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କରୁ ଉତ୍ପନ୍ନ ହୁଏ ଏକ ନୂତନ ପୂର୍ଣ୍ଣ ସତ୍ତା। ଏହାକୁ ସିଷ୍ଟମ୍‌ ଥିଓରି କୁହାଯାଏ। ବିଦେଶୀ ଜୀବବିଜ୍ଞାନୀ ଭନ ବର୍ଟଲନଫି ଏବଂ ପଦାର୍ଥବିଜ୍ଞାନୀ ଫ୍ରିଟ୍‌ଜଫ କାପ୍ରା ଏହି ସିଷ୍ଟମ୍‌ ଥିଓରିର ମୁଖ୍ୟ ପ୍ରବକ୍ତା। ଉଦାହରଣ ସ୍ବରୂପ ଶାସନତନ୍ତ୍ର, ପାଚନତନ୍ତ୍ର, ଗଣତନ୍ତ୍ର, ପରିବେଶ ତନ୍ତ୍ର ଇତ୍ୟାଦି ଏସବୁ ଗୋଟିଏ ଗୋଟିଏ ବ୍ୟବସ୍ଥା ବା ସିଷ୍ଟମ୍‌। ଆମ ଶରୀର ମଧ୍ୟ ଏକ ତନ୍ତ୍ର, ଯାହା ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ସମାହାର ଓ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଶୃଙ୍ଖଳିତ ସମ୍ବନ୍ଧକୁ ନେଇ ଗଠିତ। ଯେତେବେଳେ ଅଙ୍ଗଗୁଡ଼ିକ ମଧ୍ୟରେ ଥିବା ସମ୍ବନ୍ଧ ନଷ୍ଟ ହୋଇଯାଏ, ସେତେବେଳେ ଜୀବର ମୃତ୍ୟୁ ଘଟେ। ତେଣୁ ଆମ ଶରୀରତନ୍ତ୍ର କେବଳ ଅଙ୍ଗମାନଙ୍କ ସମାହାରରେ ଗଠିତ ହୋଇନାହିଁ । ଜୀବନ ଶକ୍ତି ପାଇଁ ଅଙ୍ଗମାନଙ୍କ ମଧ୍ୟରେ ତାଦାତ୍ମ୍ୟର ଆବଶ୍ୟକତା ରହିଛି। ନଚେତ୍‌ କେବଳ ଅଙ୍ଗମାନଙ୍କୁ ଯଥାସ୍ଥାନରେ ଖଞ୍ଜି ଦେଇ ଏକ ଜୀବ ସୃଷ୍ଟି କରାଯାଇପାରିଥାନ୍ତା। କିନ୍ତୁ ତାହା ସମ୍ଭବ ନୁହେଁ। ବୌଦ୍ଧ ଦର୍ଶନରେ ଏହାକୁ ସଂଘାତବାଦ କୁହାଯାଏ। ଶରୀର ମଧ୍ୟରେ ଥିବା ସାତଟି ପ୍ରମୁଖ କ୍ଷୁଦ୍ର ତନ୍ତ୍ରଗୁଡ଼ିକ ଯଥା- ମେରୁଦଣ୍ଡର ଆଧାର, ଜନନ ତଥା ରେଚନ ତନ୍ତ୍ର, ପାଚନ ତନ୍ତ୍ର, ହୃଦୟ ଓ ଶ୍ବାସ ତନ୍ତ୍ର, ସ୍ବତନ୍ତ୍ର, ସ୍ନାୟୁତନ୍ତ୍ର, ମସ୍ତିଷ୍କ। ଏହି ସାତଟି ତନ୍ତ୍ରରେ ସାତଟି ମୁଖ୍ୟ ହରମୋନ ଗ୍ରନ୍ଥି ରହିଛି, ଯାହାକୁ ଭାରତୀୟ ଦର୍ଶନରେ ସପ୍ତଚକ୍ର କୁହାଯାଏ। ସୁସ୍ଥ ଶରୀର ସୁସ୍ଥ ମନ ନିମନ୍ତେ ଏହି ସାତଟି ଶକ୍ତିଚକ୍ର ମଧ୍ୟରେ ସୁସଙ୍ଗତ ଶୃଙ୍ଖଳିତ ସମ୍ବନ୍ଧ ଜରୁରୀ, ଯାହାକୁ କୁଣ୍ଡଳିନୀ ଯୋଗ କୁହାଯାଏ। କାରଣ ଯୋଗର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶରୀର ତନ୍ତ୍ରକୁ ସୁରକ୍ଷିତ ରଖିବା ଏବଂ ମାନସିକ ସନ୍ତୁଳନ ରକ୍ଷା କରିବା। ପ୍ରାଚୀନ ଦାର୍ଶନିକଗଣ ସୃଷ୍ଟିକୁ ଏକ ବିଶାଳ ତନ୍ତ୍ର ରୂପେ ବିଚାର କରିଛନ୍ତି, ଯାହାକୁ ‘ସୃଷ୍ଟିତନ୍ତ୍ର’ କୁହାଯାଇପାରେ। ସୃଷ୍ଟିର ଏହି ତତ୍ତ୍ୱକୁ ଭୁଲିଯାଇ ଅନେକ ସ୍ଥାନରେ ତନ୍ତ୍ର ନାମରେ ବଳିପ୍ରଥା, ସମ୍ଭୋଗ, ସମ୍ମୋହନ, ଜୀବନ୍ୟାସ, ଗୁଣିଗାରେଡ଼ି, ଭୂତପ୍ରେତ ଆଦି କପୋଳକଳ୍ପିତ କାର୍ଯ୍ୟ କରାଯାଉଅଛି, ଯାହାକି ସମାଜ ପାଇଁ କ୍ଷତିକାରକ। ଆଦିଶକ୍ତିଙ୍କୁ ମାତୃ ରୂପରେ ବନ୍ଦନା କରାଯାଏ। ପ୍ରତ୍ୟେକ ପ୍ରାଣୀ ତାଙ୍କ ସନ୍ତାନ। କୌଣସି ମା’ ତାଙ୍କ ସନ୍ତାନର ଅନିଷ୍ଟ ଚାହାନ୍ତି ନାହିଁ। କିନ୍ତୁ ଆମ ନିଜର ଜିହ୍ବା ଲାଳସାକୁ ତୃପ୍ତ କରିବା ପାଇଁ ପୂଜାର୍ଚ୍ଚନାର ଦ୍ୱାହି ଦେଇ ପଶୁବଳି ଦେଇଆସୁଛୁ, ଯାହାକି ନିନ୍ଦନୀୟ।
ପ୍ରକୃତି ସର୍ବଶକ୍ତି ସମ୍ପନ୍ନା। ପ୍ରକୃତିରୁ ହିଁ ଶକ୍ତି ଗ୍ରହଣ କରି ଜୀବଗଣ ତିଷ୍ଠିି ରହିଛନ୍ତି। ପ୍ରକୃତିରୁ ଜ୍ଞାନ ଆହରଣ କରିଛି ମାନବ। ଜ୍ଞାନର ଭଣ୍ଡାର ପ୍ରକୃତି ହେଉଛି ଜ୍ଞାନଦାତ୍ରୀ ଦେବୀ ସରସ୍ବତୀ। ଧନଧାନ୍ୟ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ପ୍ରକୃତି ହେଉଛି ଧନଦାତ୍ରୀ ଦେବୀ ମହାଲକ୍ଷ୍ମୀ। ଯେତେବେଳେ ଜ୍ଞାନ ଓ ଧନର ଦୁରୁପଯୋଗ କରି ମନୁଷ୍ୟ ନିଜର ଚତୁଃପାର୍ଶ୍ୱର ପରିବେଶକୁ ଦୂଷିତ କରେ, ସେତେବେଳେ ସେହି ପ୍ରକୃତି ହିଁ ଦେବୀ କାଳୀଙ୍କ ଉଗ୍ରରୂପ ଧାରଣ କରି ତାଣ୍ଡବଲୀଳା ରଚିଥାଏ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମାଧ୍ୟମରେ ବିନାଶ କରେ। ସୃଷ୍ଟିରେ ସନ୍ତୁଳନ ବଜାୟ ରଖିବା ନିମନ୍ତେ ଶକ୍ତିଙ୍କ ଏହି ରୂପର ଆବଶ୍ୟକତା ଅଛି। ଜଗତରେ କେବଳ ଗୋଟିଏ ଧର୍ମ ଆଦି ଓ ଅନ୍ତରେ ରହିପାରେ, ତାହା ହେଲା ସୃଷ୍ଟିଧର୍ମ। ଶହ ଶହ ଧର୍ମ, ସମ୍ପ୍ରଦାୟ ଭିତରେ ଘାଣ୍ଟି ହେବାଠାରୁ ପ୍ରକୃତିର ଗୋଟିଏ ସୃଷ୍ଟିଧର୍ମକୁ ମାନିଚାଲିବା ଭଲ। ସେହି ଆଦିଶକ୍ତି, ଆଦିପୁରୁଷ, ଆଦିଧର୍ମ ହିଁ ସଚରାଚର ବ୍ରହ୍ମାଣ୍ଡର ଆଧାର। ଦର୍ଶନ,ବିଜ୍ଞାନ ଓ କଳା ମାଧ୍ୟମରେ ସେହି ତାତ୍ପର୍ଯ୍ୟକୁ ବୁଝିବା ଏବଂ ନିଜକୁ ଅଭିବ୍ୟକ୍ତ କରିବା ଆମର ଲକ୍ଷ୍ୟ।

  • ସତ୍ୟବ୍ରତ ପାଣିଗ୍ରାହୀ
    ଗୁଣପୁର,ରାୟଗଡ଼ା, ଓଡ଼ିଶା
    ମୋ: ୬୩୭୧୬୮୪୬୯୯

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?