କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଏକ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଏହି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ପ୍ରକଳ୍ପ, ମଡେଲ୍ ଓ ନୂତନ ଚିନ୍ତାଧାରା ଉପସ୍ଥାପନ କରି ନିଜର ବୈଜ୍ଞାନିକ ମନୋଭାବ, ସୃଜନଶୀଳତା ଓ ଅନୁସନ୍ଧାନମୂଳକ ପ୍ରତିଭାର ପରିଚୟ ଦେଇଥିଲେ।
ପ୍ରଦର୍ଶନୀରେ ସ୍ଥାନ ପାଇଥିବା ସମୁଦାୟ ୩୭ଟି ପ୍ରକଳ୍ପକୁ ବିଚାରକ ଅଭୟ କୁମାର ଦେବତା, ତରୁଣକାନ୍ତି ମିଶ୍ର, ତପସ୍ୱିନୀ ମିଶ୍ର ଏବଂ ପ୍ରୀତିମୟୀ ସାହୁ ମୂଲ୍ୟାୟନ କରିଥିଲେ। ଅପରାହ୍ନରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ପ୍ରଧାନଶିକ୍ଷକ ହେମାନନ୍ଦ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜି. କ୍ରିଷ୍ଣା ରେଡ୍ଡୀ ସଭା ସଂଯୋଜନା କରିଥିଲେ।
ପ୍ରତିଯୋଗିତାର କନିଷ୍ଠ ବିଭାଗରେ ମନୀଷା ଭୋଇ ପ୍ରଥମ, ମେଘା ପୋଢ଼ ଦ୍ୱିତୀୟ ଓ ସୁଯୁକ୍ତା ପାଣି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ଲିପ୍ସା ବିହାରୀ ପ୍ରଥମ, ସ୍ମୃତିରେଖା ଜାଲ ଦ୍ୱିତୀୟ ଓ ସସ୍ମିତା ସାହୁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ଶେଷରେ ନିପେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରୀ ଓ ଏନ୍.ସି.ସି. ସଦସ୍ୟଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏହି ପ୍ରଦର୍ଶନୀ ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ନୂତନ ଉଦ୍ଭାବନର ମନୋଭାବ ବୃଦ୍ଧିରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

